ରୋଷେଇ – ଭେଣ୍ଡି ଦୋପିଆଜା

ଆବଶ୍ୟକୀୟ ଜିନିଷ – ଭେଣ୍ଡି ୩୦୦ ଗ୍ରାମ, ୧ ବଡ଼ ଟମାଟ, ଅଦା ଓ ରସୁଣ ପେଷ୍ଟ ୧ ଚାମଚ,୨ଟି ବଡ଼ ପିଆଜ, ୩ ଚାମଚ ସୋରିଷ ତେଲ, ୧/୨ ଚାଚ ଜିରା, କଂଚା ଲଙ୍କା ସ୍ୱାଦ ଅନୁଯାୟୀ, ୧/୨ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ, ୧/୨ ଚାମଚ ଗରମ ମସଲା ଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭେଣ୍ଡିଗୁଡ଼ିକୁ ଧୋଇ ଟିକେ ବଡ଼ ସାଇଜ୍ କରି କାଟିନିଅନ୍ତୁ । ଏହାପରେ କରେଇରେ ୨ ଚାମଚ ସୋରିଷ ତେଲ ପକାଇ ଗରମ ହେବା ପର୍ଯ୍ୟନ୍ତ ଛାଡନ୍ତୁ । ଏହା ଗରମ ହେବା ପରେ ସେଥିରେ ଭେଣ୍ଡି ପକାଇ ୨ରୁ ୩ ମିନିଟ୍ ଭାଜିନିଅନ୍ତୁ । ଏହାପରେ ଏକ ଚୁଟକି ଲୁଣ ପକାଇ ଆଉ ଟିକେ ଭାଜନ୍ତୁ ଏବଂ ଭାଜିବା ପରେ ତାହାକୁ ଗୋଟିଏ ପ୍ଲେଟରେ ବାହାର କରିନିଅନ୍ତୁ । ଏହାପରେ କରେଇରେ ୧/୨ ଚାମଚ ତେଲ ପକାନ୍ତୁ ଏବଂ ଗୋଟିଏ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟନ୍ତୁ ଏବଂ ତେଲରେ ପକାଇ ଭାଜନ୍ତୁ । ପିଆଜକୁ ସମ୍ପୂର୍ଣ୍ଣ ଲାଲ୍ ହେବା ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ପିଆଜ ଟିକେ ସଫ୍ଟ ହେବା ପରେ କରେଇରୁ ବାହାର କରି ଆଉ ଏକ ପ୍ଲେଟରେ ରଖିଦିଅନ୍ତୁ । ଏହାପରେ କରେଇରେ ୧ ଚାମଚ ତେଲ ଦେଇ କଂଚା ଲଙ୍କା ଓ ଜିରା ପକାନ୍ତୁ । ଏହା ହାଲ୍କା ଭାଜି ହୋଇଯିବା ପରେ ସେଥିରେ ଆଉ ଏକ ପିଆଜକୁ ଛୋଟ ଝୋଟ ଖଣ୍ଡ କରି ପକାଇ ଗୋଲଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ୍ ପକାନ୍ତୁ । ସେଥିରେ ୧/୨ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଏହି ମସଲା ଭଲ ଭାବେ କସି ହୋଇଯିବା ପରେ ଟମାଟ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏଥିରେ ୧/୨ କପ୍ ପାଣି ଦିଅନ୍ତୁ । ଏହାକୁ ଫୁଟିବା ପାଇଁ ରଖିଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ ଭେଣ୍ଡିଗୁଡ଼ିକୁ ପକାଇ ପ୍ରାୟ ୫ ମିନିଟ୍ ସିଝିବାକୁ ଦିଅନ୍ତୁ । ଏହାପରେ ପୂର୍ବରୁ ରଖିଥିବା ଭଜା ବଡ଼ ପିଆଜ ଖଣ୍ଡଗୁଡ଼ିକୁ ପକାଇ ୨-୩ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ କସି ଦିଅନ୍ତୁ । (ଯଦି ଟମାଟ ଖଟା ନଥାଏ, ତାହେଲେ ଆପଣ ଏଥିରେ ୧/୨ ଚାମଚ ଆମଚୁର୍ ପାଉଡର୍ ପକାନ୍ତୁ ।) ଏହାପରେ ୧/୨ ଚାମଚ ଗରମ ମସଲା ଗୁଣ୍ଡ ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାଇ ୧-୨ ମିନିଟ୍ ଛାଡିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଭେଣ୍ଡି ଦୋପିଆଜା । ଏହାକୁ ଆପଣ ଭାତ ରୁଟି କିମ୍ବା ପରଟା ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published.