କରୋନା କେତେ ଭୟଙ୍କର, ଏହାକୁ ରୋକିବା କେତେ ସହଜ; ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଡା. ବିମଳ ମହାପାତ୍ରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର

ହାମାରୀ କରୋନା ଭୁତାଣୁ ରୋଗ-୨୦୧୯ ବା କୋଭିଡ୍‌୧୯ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଜନିତରୋଗର ପ୍ରଭାବରୁ  ଶକ୍ତିଶାଳୀ, ବିତ୍ତଶାଳୀ ତଥା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବାଦ୍‌ ପଡ଼ି ନାହାନ୍ତି ବରଂ ସେମାନେ ଏବେ ଅସହାୟ। ରୋଗର ଚିକିତ୍ସା ବା ପ୍ରତିରୋଧ ପାଇଁ କୌଣସି ନିର୍ଦିଷ୍ଟ ଔଷଧ ବା ଟୀକା ନଥିବାରୁ ଦିନକୁ ଦିନ ଡାକ୍ତରଖଶନାଗୁଡ଼ିକ ଉପରେ ରୋଗୀଙ୍କ ସଂଖ୍ୟା ଏତେ ବଢ଼ୁଛି ଯେ, ସେମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇପାରୁ ନାହିଁ।  ଫଳରେ ସୁସ୍ଥ ହେବାର ସମ୍ଭବନା ଥିବା ଲୋକଟିଏ ମଧ୍ୟ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଛି। ଏଭଳି ସ୍ଥିତିରେ ପ୍ରତିକାର ହେଉଛି ସଚେତନତା ଓ ଶୃଙ୍ଖଳା ଭଙ୍ଗ। ଅବଶ୍ୟ ଏ ବିଷୟରେ ଲୋକଙ୍କୁ ପରାମର୍ଶ ଦେବା ଲାଗି ଅନେକ ଅନଭିଜ୍ଞ ଲୋକଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ମିଡିଆରେ ଦେଖିବାକୁ ମିଳୁଛି, କିନ୍ତୁ କ’ଣ ରହିଛି ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ?

ତାହା ଜାଣିବା ଲାଗି ‘ଓଡ଼ିଶା ଟାଇମ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ ପକ୍ଷରୁ ଆମେ କଥା ହୋଇଥିଲୁ ସ୍ଵାସ୍ଥ୍ୟସେବା ଓ ଜନସ୍ଵାସ୍ଥ୍ୟ ବିଶେଷଜ୍ଞ ତଥା ଲେଖକ ଡାକ୍ତର ବିମଳ ମହାପାତ୍ରଙ୍କୁ। ଦୀର୍ଘକାଳ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟରେ ବରିଷ୍ଠ ପଦପଦବୀରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଭାରତରେ ମହାମାରୀ ବାବଦରେ ତାଙ୍କର ଗବେଷଣା ଉଲ୍ଲେଖନୀୟ। ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ତାଙ୍କ ଲିଖିତ ପୁସ୍ତକ ‘କ୍ଵେଷ୍ଟ ଫର୍‌ ଗୁଡ୍‌ ହେଲଥ୍‌’ ଭାରତ ସରକାରଙ୍କ ପ୍ରକାଶନୀ ବିଭାଗ ଦ୍ଵାରା ପ୍ରକାଶ ପାଇଁ ପ୍ରଶଂସା ଲାଭ କରିଛ। ଉପସ୍ଥାପନ କରୁଛୁ ତାଙ୍କ ସହ କଥାବାର୍ତ୍ତାର କିୟଦଂଶ।

 

୧)  ସ୍ଵାସ୍ଥ୍ୟ ସେବା ଓ ଜନସ୍ଵାସ୍ଥ୍ୟ କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ଆପଣ ରଖିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ କିପରି ବଣ୍ଣନା କରିବେ?

ବର୍ତ୍ତମାନର ପରିସ୍ଥିତିରେ ବିଶ୍ଵ ଏକ ଅଭୂତପୂର୍ବ ସ୍ଵାସ୍ଥ୍ୟ ସଙ୍କଟକୁ ମୁକାବିଲା କରୁଛି। ଏହି ସଙ୍କଟ ବେଶ୍‌ କିଛି ମାସ ଲାଗି ରହିବା ଆଶଙ୍କା ରହିଛି। ଏହାଫଳରେ ଏନେକ ମୂଲ୍ୟବାନ ଜୀବନ ହାନୀ ଘଟିବା ସହିତ ସୁଦୂର ପ୍ରସାରୀ ଆର୍ଥିକ, ସାମାଜିକ ଓ ରାଜନୀତିକ ସଙ୍କଟ ସୃଷ୍ଟି ହୋଇପାରେ। ତା’ଛଡ଼ା ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ଅନେକଙ୍କ ଭିତରେ ଦୁଶ୍ଚିନ୍ତା, ଅବସାଦ ଏବଂ ଉତ୍ତେଜନା ପରି ମାନିସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଏ ସବୁର ପ୍ରଭାବରେ ପାରିବାରିକ ଅଶାନ୍ତି ସୃଷ୍ଟି ହେବା ଆଶଙ୍କା ରହିଛି।

୨) ଏହା ପୂର୍ବରୁ ଭାରତ ଅନେକ ମହାମାରୀ ସମ୍ମୁଖୀନ ହୋଇଛି। ହଇଜା, ପୋଲିଓ, ବସନ୍ତ ଏମିତିକି ୟୁରୋପୀୟ ଦେଶମାନଙ୍କରୁ ଭାରତକୁ ଆସିଥିବା କଳାଜ୍ବର ବି ଏଥିରେ ଅନ୍ତର୍ଭୁକ୍ତ। ସେ ପରିସ୍ଥିତିରୁ ଏହା କେମିତି ଭିନ୍ନ?

ପୂର୍ବେ ଯେତିକି ମହାମାରୀ ହୋଇଛି ତାହା ଏକ ନିର୍ଦିଷ୍ଟ ଭୌଗୋଳିକ କ୍ଷେତ୍ର ଭିତରେ ସୀମିତ ରହୁଥିଲା। ଯେପରିକି ହଇଜା, ବସନ୍ତ, ପ୍ଲେଗ୍ ଇତ୍ୟାଦି। ଆଜିର ଦୁନିଆରେ ଗମନାଗମନର ଅତ୍ୟଧିକ ପ୍ରଚଳନ ଯୋଗୁ ଲକ୍ଷାଧିକ ଲୋକ ବିଶ୍ଵର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତୁ ଯିବା ଆସିବା କରୁଛନ୍ତି। ତା’ଛଡ଼ା କୋଭିଡ୍‌୧୯ ଭୁତାଣୁର ସଂକ୍ରମଣ କ୍ଷମତା ବହୁତ ବେଶୀ। ତେଣୁ ଏହି ଭୁତାଣୁ ଦେଶ ବିଦେଶର ବାଡ଼ ବନ୍ଧ ଡେଇଁ ଅତି ଅଳ୍ପ ସମୟ ଭିତରେ ପୃଥିବୀର ଅଧିକାଂଶ ଅଞ୍ଚଳକୁ ବ୍ୟାପି ପାରିଛି। ଏହି ରୋଗରେ ହାରାହାରି ମୃତ୍ୟୁହାର କମ୍‌ ହେଲେ ମଧ୍ୟ  ଏବେ ଏକକାଳୀନ ବିଶ୍ଵର ୨୧୦ରୁ ଅଧିକ ଦେଶରେ ୧୮ ଲକ୍ଷରୁ ବେଶୀ ଲୋକ ଆକ୍ରାନ୍ତ ହୋଇପଡ଼ୁଛନ୍ତି। ଏତେ ରୋଗାକ୍ରାନ୍ତଙ୍କ ମଧ୍ୟରୁ ସ୍ଵଳ୍ପ ପ୍ରତିଶତ ଲୋକ ମୃତ୍ୟୁବରଣ କଲେ ମଧ୍ୟ ସେହି ସଂଖ୍ୟା ନିଶ୍ଚିତ ଭାବରେ ଭୟାନକ। ତା’ଛଡ଼ା ପୃଥିବୀର ସବୁ ଦେଶ ଏକକାଳୀନ ଆକ୍ରାନ୍ତ ହେବା ଯୋଗୁ କେହି କାହାରିକୁ ସାହାଯ୍ୟ କରିବା ଅବସ୍ଥାରେ ନାହାନ୍ତି।

୩)  ସୀମିତ ସ୍ଥାନରେ ବ୍ୟାପିଥିଲେ ବି ସେତେବେଳେ ବି ଚିକିତ୍ସା ବିଜ୍ଞାନ ଏତେ ବିକଶିତ ନଥିଲା। ତାହାକୁ ମୁକାବିଲା କରିବା ପାଇଁ  ସେତେବେଳେ କ’ଣ ଲକ୍‌ଡାଉନ୍‌ ହେଉଥିଲା? ଏବେ ଏହି କଠୋର ଲକ୍‌ଡାଉନ କାହିଁକି ଜରୁରୀ?

ପୂର୍ବେ ଯେବେ ପ୍ଲେଗ୍‌ ଏବଂ  ସ୍ଵାଇନ୍‌ଫ୍ଳଉ ପରି ମହାମାରି ହେଉଥିଲା ଏବଂ ସେ ରୋଗର ଟୀକା ନଥିଲା ସେତେବେଳେ ମଧ୍ୟ ରୋଗର ସଂକ୍ରମଣ ରୋକିବା ଲାଗି ରୋଗୀଙ୍କୁ ‘କ୍ଵାରେଣ୍ଟାଇନ୍‌’ରେ ରଖାଯାଉଥିଲା। ଅର୍ଥାତ୍‌ ୪୦ ଦିନ ପାଇଁ ରୋଗୀଙ୍କୁ ସୁସ୍ଥ ଲୋକଙ୍କଠାରୁ ଅଲଗା ରଖାଯାଉଥିଲା। ଆଜିର କଠୋର ଲକ୍‌ଡାଉନ୍‌ର ଆବଶ୍ୟକତାକୁ ବୁଝିବାକୁ ହେଲେ ପ୍ରଥମେ ରୋଗ ସଂକ୍ରମଣର ସ୍ଵଭାବିକ ପ୍ରକ୍ରିୟା ଏବଂ ପ୍ରତିରୋଧକ ଶକ୍ତିର ଭୂମିକାକୁ ବୁଝିବାକୁ ହେବ। ଏଥିଲାଗି ମୁଁ ଦୁଇଟି ବିଷୟକୁ ଉଲ୍ଲେଖ କରିବି।

ପ୍ରଥମତଃ ଆମ ଶରୀରର ପ୍ରତିରୋଧକ ଶକ୍ତି ଦୁଇ ପ୍ରକାରର। ପ୍ରଥମ ପ୍ରକାରଟି ହେଲା ସହଜ ପ୍ରତିରକ୍ଷା। ଏହି ପ୍ରତିରକ୍ଷା କୌଣସି ନିର୍ଦିଷ୍ଟ ରୋଗ ପାଇଁ ନଥାଏ, ବରଂ ସବୁ ପ୍ରକାର ସଂକ୍ରମଣରୁ ଲୋକଙ୍କୁ କେତେକାଂଶରେ ପ୍ରତିରକ୍ଷା ଦେଇଥାଏ। ଦ୍ଵିତୀୟ ପ୍ରକାର ପ୍ରତିରକ୍ଷା ନିର୍ଦିଷ୍ଟ ରୋଗରୁ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ପ୍ରତିରକ୍ଷା ଶକ୍ତି ବା ପ୍ରତିଶେଧକ ଥରେ ରୋଗାକ୍ରାନ୍ତ ହୋଇ ଭଲ ହୋଇଗଲେ ସେହି ରୋଗ ପାଇଁ ସେହି ବ୍ୟକ୍ତିଠାରେ ଉପୁଜିଥାଏ ଏବଂ ତାଙ୍କୁ ସେହିରୋଗ ସଂକ୍ରମଣ ଆଉଥରେ ହୁଏ ନାହିଁ। ଅନ୍ୟଥା ସେହି ନିର୍ଦିଷ୍ଟ ରୋଗ ପାଇଁ ଉଦ୍ଦିଷ୍ଟ ଟୀକା ବ୍ୟବହାର କଲେ ରୋଗୀର ଶରୀରରେ ସେହି ନିର୍ଦିଷ୍ଟ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଥାଏ।

ଯେତେବେଳେ ଆମେ ପ୍ରତିଶେଧକ ଟୀକା ଅଧିକାଂଶ ଲୋକଙ୍କୁ ଲଗାଉ କିମ୍ବା ସମାଜର ଅଧିକାଂଶ ଲୋକ ଏକ ସଂକ୍ରମଣରେ ଆକ୍ରାନ୍ତ ହୋଇ ଭଲ ହୋଇଯାଆନ୍ତି ସେତେବେଳେ ଲୋକଙ୍କ ଭିତରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ( ହର୍ଡ ଇମ୍ୟୁନିଟି) ତିଆରି ହୋଇଯାଏ। ଏବଂ ସେହି ରୋଗର ବିସ୍ତୃତ ସଂକ୍ରମଣ ସମ୍ଭବ ହୋଇ ନଥାଏ।

କୋଭିଡ୍‌ ୧୯ ଭୁତାଣୁ ଏକ ସମ୍ପୂଣ୍ଣ ନୁଆ ଭୁତାଣୁ। ଏହା ପୂର୍ବେ କେବେହେଲେ ମଣିଷକୁ ସଂକ୍ରମଣ କରି ନଥିଲା। ତେଣୁ ଏହି ଭୁତାଣୁ ବିରୁଦ୍ଧରେ ମଣିଷମାନଙ୍କ ମଧ୍ୟରେ ଗୋଷ୍ଠୀ ପଅତିରୋଧକ ଶକ୍ତି ଆଦୌ ନାହିଁ।

ଅନ୍ୟପକ୍ଷରେ ଟୀକା ତିଆରି କରି ସମସ୍ତଙ୍କୁ ଟୀକା ଦେଇ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସମୟସାପେକ୍ଷ।

୪) ତେବେ ପରିସ୍ଥିତିକୁ କ’ଣ ସେମିତି ଛାଡ଼ିଦେଇ ହର୍ଡ଼ ଇମ୍ୟୁନିଟି ସୃଷ୍ଟି ହେଲା ଯାଏ ଅପେକ୍ଷା କରିବା?

ଏହା ଏକ ଗୁରୁତ୍ଵପୂଣ୍ଣ ପ୍ରଶ୍ନ। ଆମେ ଏବେ ୬୦ ପ୍ରତିଶତ ଲୋକ ଆକ୍ରାନ୍ତ ହେବା ପରେ ଯେଉଁ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ ତାହା ହୋଇ ସଂକ୍ରମଣ ବନ୍ଦ ହେବା ଯାଏ ଅପେକ୍ଷା କରିବା କି? ଆମେ ଜାଣିଛୁ ଏହି ଭୁତାଣୁ କ୍ଷମତା ବହୁତ ଅଧିକ। ଏହା ତୁରନ୍ତ ଦାବାନଳ ପରି କେଇ ସପ୍ତାହ ମଧ୍ୟରେ କୋଟି କୋଟି ଲୋକଙ୍କ ଶରୀରରେ ବ୍ୟାପିଯିବ। ଯଦିବା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୧୫ରୁ ୨୦ ପ୍ରତିଶତ ଲୋକଙ୍କଠାରେ ଏହା ଜଟିଳ ରୂପ ନେଇଥାଏ ଏବଂ ସେମାନଙ୍କୁ ହସ୍‌ପିଟାଲ୍‌ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ, ତେବେ ଏକକାଳୀନ କୋଟି କୋଟି ଲୋକ ଆକ୍ରାନ୍ତ  ହେଲେ ସେହି ଅନୁପାତରେ ଲକ୍ଷଲକ୍ଷ ଲୋକଙ୍କ ଲାଗି ଡାକ୍ତରଖାନା ଅବାଶ୍ୟକ ପଡ଼ିବ। ସେମାନଙ୍କ ଚିକିତ୍ସା ପାଇଁ ଶଯ୍ୟା, ଡାକ୍ତର, ନର୍ସ ଏବଂ ଅନ୍ୟ ହସ୍‌ପିଟାଲ୍‌ ଷ୍ଟାଫଙ୍କ ଅଭାବ ପଡ଼ିବ। ଏହାଦ୍ଵାରା ଭଲ ହୋଇପାରିବା କ୍ଷମତା ରଖିଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିବ।  ସେଥିପାଇଁ ଏକମାତ୍ର ପନ୍ଥା ହେଲା ସଂକ୍ରମଣ ପ୍ରକ୍ରିୟାକୁ ଯଥାସମ୍ଭବ ମନ୍ଥର କରିବା। ସେଥିପାଇଁ ଆମେ ଯଦି ଜନସାଧାରଣଙ୍କୁ ସେମାନଙ୍କ ଘର ଭିତରେ ଅଟକାଇ ଦେବା ଏବଂ ଟେଷ୍ଟ କରି ଆକ୍ରାନ୍ତଙ୍କୁ ଚିହ୍ନଟ କରି ଚିକିତ୍ସା କରିବା ତେବେ ସଂକ୍ରମଣ ଗତିକୁ ପ୍ରତିରୋଧ କରାଯାଇପାରିବ। ଏହା ମଧ୍ୟରେ ଟୀକା ତିଆରି ପାଇଁ ମଧ୍ୟ ଚେଷ୍ଟା ଜାରି ରହିବା ଦରକାର। ଏହି କାରଣରୁ କଠୋର ଲକ୍‌ଡାଉନ୍‌ ପରି ପଦକ୍ଷେପ ନେବାକୁ ପଡ଼ୁଛି।

୫) ଯଦି କେହି ଏହାକୁ ହାଲୁକା ଭାବେ ନିଅନ୍ତି ଆଉ ନ ମାନନ୍ତି ତେବେ କ’ଣ ହେବ?

ଘରେ ସବୁ ଦୁଆର ତାଲା ପକାଇ ଝରକା ଖୋଲା ଛାଡ଼ିଦେଲେ ପୁରା ଘରର ସୁରକ୍ଷା ବ୍ୟବସ୍ଥା ମାଟିରେ ମିଶିଯାଏ। କାରଣ ସେହି ଝରକା ଦେଇ ଚୋର ପଶିବାର ଆଶଙ୍କା ରହିଛି। ସେହିପରି ଅଧିକାଂଶ ଲୋକ ଲକ୍‌ଡାଉନ୍‌କୁ ମାନିଲେ ମଧ୍ୟ କିଛି ମୁଷ୍ଟିମେୟ ଲୋକଙ୍କ ଦାୟିତ୍ଵହୀନତା ଯୋଗୁ ସଂକ୍ରମଣର ବାଟ ଖୋଲିଯିବ ଏବଂ ଅଧିକାଂଶ ଲୋକଙ୍କର ଲକ୍‌ଡାଉନ୍‌ରେ ରହିବାଜନିତ ତ୍ୟାଗ ଫସର ଫାଟିଯିବ।

୬) ବିଶ୍ଵସ୍ତରରେ ସୋଶାଲ୍‌ ଡିଷ୍ଟାନ୍‌ସିଂକୁ ଗୁରୁତ୍ଵ ଦିଆଯାଉଛି। ଏ ବବାଦରେ କିଛି ଅଧିକ ଆପଣଙ୍କଠୁ ଜାଣିବାକୁ ଚାହିଁବୁ।

ଆମେ ଯେତେବେଳେ କଥା କହୁ, କାଶୁ, ଛିଙ୍କୁ ସେତେବେଳେ ଆମ ମୁହଁରୁ କ୍ଷୁଦ୍ର ଏବଂ ଅତିକ୍ଷୁଦ୍ର ଜଳକଣା ନିର୍ଗତ ହୁଏ। ତାକୁ ଡାକ୍ତରୀ ଭାଷାରେ ଡ୍ରପ୍‌ଲେଟ୍‌ ଆଣ୍ଡ ଏରୋସଲ୍‌ ବୋଲି କୁହାଯାଏ। କୋଭିଡ୍‌ ୧୯ ଭୁତାଣୁ ଏହି ଜଣକଣାରେ ମହଜୁଦ ଥାଏ। ଅନ୍ୟଜଣେ ଲୋକ ଏହାକୁ ନିଃଶ୍ଵାସରେ ଗ୍ରହଣ କଲେ ସେ ଆକ୍ରାନ୍ତ ହୋଇଥାଏ। କ୍ଷୁଦ୍ର ଜଳକଣା ଏକ ମିଟର ତଥା ଅତିକ୍ଷୁଦ୍ର ଜଳକଣା ବାୟୁରେ ଦୁଇ ମିଟର ଦୂରତା ଯାଏ ଭାସିଯାଇପାରେ। ବାହାରେ ବୁଲୁଥିବା ଲୋକଙ୍କ ଭଧ୍ୟରୁ କିଏ ଆକ୍ରାନ୍ତ ବା ନୁହେଁ ତାହା ଆମେ ଜାଣିବା କିପରି? ତେଣୁ ସବୁ ଲୋକଙ୍କଠାରୁ ଦୂରତା ରକ୍ଷା କରିଲେ ସଂକ୍ରମଣ ଆଶଙ୍କା କମି ପାରିବ।

୭) କରୋନା ଯେତେବେଳେ ବ୍ୟାପିବା ଆରମ୍ଭ କଲା ସେତେବେଳେ ଖାଲି ଡାକ୍ତର ଓ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କୁ ତଥା ରୋଗୀଙ୍କୁ  ମାସ୍କ ବ୍ୟବହାର ପାଇଁ କୁହାଯାଉଥିଲା। ଏବେ ସରକାରଙ୍କ ପାଖରୁ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟ କରାଯାଉଛି। କାହିଁକି?

କୋଭିଡ୍‌୧୯ ଏକ ନୂଆ ରୋଗ ତାହା ମୁଁ ପୂର୍ବରୁ କହିଛି। ଏହାର ସଂକ୍ରମଣ କିପରି ହୁଏ ତାହାର ରିସର୍ଚ ଏବେ ବି ଚାଲିଛି। ପ୍ରାଥମିକ ସୂଚନା ଅନୁସାରେ କେବଳ ଡ୍ରପ୍‌ଲେଟ୍‌ ଜଳକଣା ମାଧ୍ୟମରେ ସଂକ୍ରମଣର ଆଶଙ୍କା କରାଯାଉଥିଲା। ସେଥିପାଇଁ ନର୍ସ ଏବଂ ଡାକ୍ତର ଯେଉଁମାନେ ରୋଗୀ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଥିଲା। ତା’ ଛଡ଼ା ସୀମିତ ସଂଖ୍ୟକ ମାସ୍କ ଥିବାରୁ ସମସ୍ତେ ମାସ୍କ କିଣିଲେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ଲାଗି ମାସ୍କ ଅଭାବ ଆଶଙ୍କା ରହିଥିଲା। ପରବର୍ତ୍ତୀ କାଳରେ ଅଧ୍ୟୟନରୁ ଜଣାପଡ଼ିଲା ଯେ, ଏହି ଭୁତାଣୁ ଲୋକଙ୍କ ମୁହଁରୁ ବାହାରୁଥିବା ଅତିକ୍ଷୁଦ୍ର ଜଳକଣା ମାଧ୍ୟମରେ ବାୟୁରେ କିଛି ସମୟ ଭାସିବୁଲେ। ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଗଲା ଯେ, ଘରୁ ବାହାରିଲେ  ପାଟି ଏବଂ ନାକକୁ ଢାଙ୍କିବା ଦରକାର। ଏଥିଲାଗି ବଜାରରେ ମିଳୁଥିବା ମାସ୍କର ଆବଶ୍ୟକତା ନାହିଁ। ଘର ତିଆରି ମାସ୍କ, ରୁମାଲ୍‌ ବା ଗାମୁଛା ହେଲେ ଚଳିବ।

୮) ହାତ ଧୋଇବା କେତେ ଗୁରୁତ୍ଵପୂଣ୍ଣ। କେମିତି ଓ କେତେବେଳେ ଧୋଇବା ଜରୁରୀ। ସାବୁନ୍‌ରେ ହାତ ଧୋଇବା ଏବଂ ସ୍ୟାନିଟାଇଜ୍‌ରରେ ହାତ ଧୋଇବା ଭିତରେ କି ଫରକ ରହିଛି?

ଆମେ ଜାଣିଛୁ ଯେ, ଆକ୍ରାନ୍ତ ବ୍ୟକ୍ତିର କାଶ, ଛିଙ୍କରେ ଭୁତାଣୁ ବାହାରକୁ ବିଛୁରିତ ହୁଏ। ସେହି ଜଳକଣା ଟେବଲ୍‌, ପର୍ଦା, ଦୁଆରକୁଣ୍ଡି, ଲିଫ୍ଟ, ବୋତାମ, ସିଡ଼ିର ରେଲିଂ ଇତ୍ୟାଦିରେ ଲାଗି ରିହିଥାଆନ୍ତି। ଆକ୍ରାନ୍ତ ବ୍ୟକ୍ତି  ନାକ ପାଟି ପୋଛିଲେ ତା’ ହାତରେ ଲାଗି ସେଠାରୁ ଅନ୍ୟ ବସ୍ତୁକୁ ସଂକ୍ରମିତ କରିଥାଆନ୍ତି। ଏହି ଭୁତାଣୁ ଅନେକ ସମୟ ଯାଏ ସେ ବସ୍ତୁ ଉପରେ ସକ୍ରିୟ ରହିପାରେ। ତେଣୁ ଆମେ ବାହାରକୁ ଗଲେ ଅଜାଣତରେ ଏହି ବସ୍ତୁଗୁଡ଼ିକୁ ଛୁଇଁବା ଦ୍ଵାରା ଆମ ହାତରେ ଭୁତାଣୁ ଲାଗି ରହେବ। ପରବର୍ତ୍ତୀ କାଳରେ ଆମେ ପାଟି, ଆଖି, ନାକରେ ସେହି ହାତ ଲଗାଇଲେ ଆମ ଶରୀର ଭିତରକୁ ଭୁତାଣୁ ପ୍ରବେଶ କରିଥାଏ। ତା’ଛଡ଼ା ଏହି ଭୁତାଣୁର ବାହ୍ୟ ପରସ୍ତ ଚର୍ବି ଜାତୀୟ ପଦାର୍ଥରେ ଗଠିତ। ତେଣୁ ସାବୁନ ବା ଆଲକହଲ ହ୍ୟାଣ୍ଡୱାଶ୍‌ରେ ଏହି ଚର୍ବି  ଅଂଶ ମିଳାଇଯାଇ ଭୁତାଣୁକୁ ନଷ୍ଟ କରିଦିଏ। ତେଣୁ ସାବୁନ୍‌ ବା ସ୍ୟାନିଟାଇଜର୍‌ରେ ହାତ ନଧୋଇ ମୁହରେ ହାତ ଲଗାଇବା ଅନୁଚିତ।

୯) ବିଶ୍ଵରେ ଗଲା ତିନି ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଲକ୍ଷ୍ୟ କରାଯାଇଛି। କିନ୍ତୁ  ଭାରତରେ ଏହା ବର୍ଦ୍ଧିତ କ୍ରମରେ ରହିଛି। ପୁଣି ୨୧ ଦିନର ଲକ୍‌ଡାଉନ୍‌ ପରେ ବି ଦ୍ରୁତି ଗତିରେ ବଢ଼ିବା କିଛି ବିପଦ ସଙ୍କେତ ଦେଉଛି କି?

ବିଶ୍ଵର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରୁଛନ୍ତି। କିଛି ଦେଶ ଲକ୍‌ଡାଉନ୍‌ ପରି କଠୋର ପଦକ୍ଷେପ ନେଉଛନ୍ତି, ଆଉ କିଛି  ଦେଶ ଏଥିରେ ବିଳମ୍ବ କରି ତାହାର ପରିଣାମ ଭୋଗ କରୁଛନ୍ତି। ଆମେ ଭାରତରେ ଆଗୁଆ ଲକ୍‌ଡାଉନ୍‌ ଘୋଷଣା କରିବା ଦ୍ଵାରା ସଂକ୍ରମଣ ୧୭୦ଟି ହଟ୍‌ସ୍ପଟରେ ପ୍ରାୟ ସୀମିତ ରହିଛି। ଜନସାଧାରଣଙ୍କ ସହଯୋଗରେ ଆମେ ଏହି ଦ୍ଵିତୀୟଥର ଲକ୍‌ଡାଉନ୍‌ ସମୟରେ ଏହି ହଟ୍‌ସ୍ପଟ୍‌ଗୁଡ଼ିକରେ ସଂକ୍ରମଣକୁ ପ୍ରତିହତ କରିପାରିଲେ ଅବସ୍ଥା ଆୟତ୍ତାଧୀନ ରହିବ ବୋଲି ଆଶା କରାଯାଏ।

 

୧୦) କେମିତି ଏହି ଆଶଙ୍କା ଓ ଭୟ, ଯାହା ଲୋକଙ୍କ ମନରେ ସୃଷ୍ଟି ହୋଇଛି ତାହାକୁ ଆମେ ଦୂର କରିପାରିବା?

ଲକ୍ଷ ଲକ୍ଷ ଲୋକ ପୃଥିବୀରେ ଆକ୍ରାନ୍ତ ହେଲେ , ହଜାର ହଜାରଙ୍କର ମୃତ୍ୟୁ ହେଲା- ଏପରି ଖବରସବୁ ଶୁଣିଲାପରେ ଲୋକେ ଆତଙ୍କିତ ହେବା ସ୍ଵଭାବିକ। କିନ୍ତୁ ଏହା ଜାଣିବା ଅବାଶ୍ୟକ ଯେ, କେବଳ ପ୍ରାୟ ୩ ପ୍ରତିଶତ ଲୋକଙ୍କର ରୋଗାକ୍ରାନ୍ତ ହେବା ପରେ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରେ ପୁଣି ୬୦ ପର୍ଷରୁ ଅଧିକ ବୟସ୍କ ଏବଂ ରୁଗ୍‌ଣ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ତେଣୁ ଏହି ସଂକ୍ରମଣ ସମସ୍ତଙ୍କ ପାଇଁ ଭୟାବହ ନୁହେଁ। ତା’ଛଡ଼ା ବାହାରେ ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ଏବଂ ଲକ୍‌ଡାଉନ୍‌ରେ ରହିଲେ ସଂକ୍ରମଣରୁ ବର୍ତ୍ତିବା ସମ୍ଭବ। ବୟସ୍କ ତଥା ରୁଗ୍‌ଣ ବ୍ୟକ୍ତି ଅଧିକ ସାବଧାନ ହେବା ଜରୁରୀ। ଅଯଥା ଆତଙ୍କିତ , ଭୟଭୀତ ହେବା ଅନାବଶ୍ୟକ।

୧୧) ଅନେକ ଭିତ୍ତିଭୂମି ଏବେ ସୃଷ୍ଟି କରାଯାଉଛି। ଆଇସିୟୁ ଫାସିଲିଟି, ଜିଲ୍ଲା ଓ ଗାଁ ସ୍ତରରେ ସ୍ଵାସ୍ଥ୍ୟ ସେବା ସୁବିଧାସବୁ ଆଗକୁ ଭାରତର ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବ ନା ଆମେ ମହାମାରୀ ସରିଲା ପରେ ପୂର୍ବାବସ୍ଥାକୁ ଫେରିଯିବା? ଏମିକି କିଛି ପରିବର୍ତ୍ତନ ଆଗରୁ ଆପଣ ଲକ୍ଷ୍ୟ କରିଛନ୍ତି କି?  ଏ ବାବଦରେ ନିର୍ଦିଷ୍ଟ ଯୋଜନା କରାଯିବା ଦରକାର କି?

ଏ ମହାମାରୀ ବିଶ୍ଵକୁ ଏପରି ଦୋହଲାଇ ଦେଇଛି ଯେ, ଏହା ପରର ପୃଥିବୀ ଏକ ଭିନ୍ନ ପୃଥିବୀର ରୂପ ନେବ ବୋଲି ଭାବିବା ଅଯୌକ୍ତିକ ହେବ ନାହିଁ। ପୃଥିବୀର ବଳଶାଳୀ, ବିତ୍ତଶାଳୀ ଦେଶଙ୍କ ପାଖରେ ଅର୍ଥ ଓ ସରଞ୍ଜାମର ଅଭାବ ନଥିଲା। ସମ୍ପନ୍ନ ଦେଶମାନଙ୍କ ପାଖରେ ଆଧୁନିକ ଉପକରଣ ଥାଇ ମଧ୍ୟ ଏକ କ୍ଷୁଦ୍ର ଭୁତାଣୁ ବିରୁଦ୍ଧରେ ଯୁଦ୍ଧ ପାଇଁ ଲୋକଶକ୍ତି (ଡାକ୍ତର ଇତ୍ୟାଦି), ସରଞ୍ଜାମ ( ଭେଣ୍ଟିଲେଟର ଇତ୍ୟାଦି)ର ଅଭାବ ସେମାନଙ୍କୁ ଅସହାୟ କରିଦେଇଛି। ଆଗାମୀ ଦିନରେ ସାମରିକ ସୁରକ୍ଷା ପରି ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ପ୍ରସ୍ତୁତି ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ଅପରିହାର୍ଯ୍ୟ ହେବ ଏଥିରେ ସନ୍ଦେହ ନାହିଁ।

 

Advertisements

2 thoughts on “କରୋନା କେତେ ଭୟଙ୍କର, ଏହାକୁ ରୋକିବା କେତେ ସହଜ; ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଡା. ବିମଳ ମହାପାତ୍ରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର

  1. The interview with Dr BC Mahapatra on the current Covid19 pandemic, is very useful. Thank you for publishing. The advice given by Dr Mahapatra should be adopted by all of us in our fight against this global public health crisis.

Leave a Reply