କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରା : ଆଜି ନିଷ୍ପତ୍ତି ଜଣାଇବେ ସୁପ୍ରିମକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନକାରୀ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଥିବାବେଳେ ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବ ସମୟରେ ନୂଆଦିଲ୍ଲୀରେ ଏପରି ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ଅନୁମତି ଦେବେ କି ନାହିଁ ତାହା ଆସନ୍ତାକାଲି ନିର୍ଦ୍ଧାରଣ ହେବ। କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ୟାଘାତ ସୃଷ୍ଟିହେବ ବୋଲି ସରକାର ପିଟିସନରେ ଉଲ୍ଲେଖ କରିଛନ୍ତି।

ପ୍ରଧାନ ବିଚାରପତି ଏସଏ ବୋବ୍‌ଡ଼େଙ୍କ ନେତୃତ୍ୱ ତିନିଜଣିଆ ବିଚାରପତି ପୀଠ କେନ୍ଦ୍ର ସରକାରଙ୍କ ଆବେଦନ ସମେତ ଦିଲ୍ଲୀ ସୀମାନ୍ତରେ କୃଷକମାନେ ଚଳାଇଥିବା ପ୍ରତିବାଦ ସଂକ୍ରାନ୍ତ ଅନ୍ୟାନ୍ୟ ଆବେଦନର ମଧ୍ୟ ଶୁଣାଣି କରିବେ। ଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଦାୟର କରିଥିବା ଆବେଦନରେ ଉଲ୍ଲେଖ ଅଛି ଯେ, ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ନିମନ୍ତେ ଅଭିପ୍ରେତ ଏହି ପ୍ରସ୍ତାବିତ ଟ୍ରାକ୍ଟର୍‌ ଶୋଭାଯାତ୍ରା ଦେଶ ପାଇଁ ଲଜ୍ଜାଜନକ ହେବ। କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶକୁ ବିଶ୍ୱସ୍ତରରେ ଲଜ୍ଜିତ କରିବା ଭଳି ଘଟଣାକୁ ବ୍ୟକ୍ତିର ଅଧିକାରଭୁକ୍ତ କରାଯାଇ ପାରିବ ନାହିଁ। ସରକାରଙ୍କ ଏହି ପିଟିସନର ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତି ବୋବଡେଙ୍କୁ ଶିଖ୍ ଫର ଜଷ୍ଟିସ୍ (ଏସ୍‌ଏଫଜେ) ପକ୍ଷରୁ ଧମକ ଦିଆଯାଇଛି। ଧମକରେ ଜଷ୍ଟିସ ବୋବଡେଙ୍କୁ କୃଷକଙ୍କ ଏହି ପ୍ରସ୍ତାବିତ ଶୋଭାଯାତ୍ରା ଉପରେ ରୋକ୍ ନ ଲଗାଇବାକୁ କୁହାଯାଇଛି।

Leave a Reply

Your email address will not be published.