‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ବନ୍ଦ କରିବା ପାଇଁ ଚାହୁଁଥିଲେ ଫିଲ୍ମନିର୍ମାତା, ଜାଣନ୍ତୁ କାରଣ

ଆସନ୍ତା ଏପ୍ରିଲ୍ ୫ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ସଂଘର୍ଷ ଓ ରାଜନୈତିକ ସଫଳତାର କାହାଣୀ ନେଇ ଆସୁଛି ‘ପିଏମ୍ ନରେନ୍ଦ୍ର ମୋଦି’ ଭଳି ଏକ ଅନନ୍ୟ ବାୟୋପିକ୍ । ଏହାର ଫାଷ୍ଟଲୁକ୍ ସିନେପ୍ରେମୀଙ୍କ ସହ ମୋଦିଙ୍କ ଅଗଣିତ ପ୍ରଶଂସକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । ନିକଟରେ ରିଲିଜ୍ ହୋଇଥିଲା ଏହାର ଟ୍ରେଲର୍, ଯାହାର ପ୍ରଶଂସା ଆଜିପର୍ଯ୍ୟନ୍ତ ସରିନାହିଁ । କିନ୍ତୁ ଆପଣ ବୋଧହୁଏ ଜାଣିନଥିବେ ଯେ ଫିଲ୍ମ ନିର୍ମାତା ଏହି ବାୟୋପିକର ନିର୍ମାଣ କରିବାକୁ ଚାହୁଁନଥିଲେ । ଏହାର କାରଣ ସମ୍ପର୍କରେ ଏକ ଖବର ଏବେ ଜଣାପଡ଼ିଛି । ମିଡିଆ ସୂଚନା ଅନୁଯାୟୀ ମେକ୍ଅପ୍ ଥିଲା ଏହାର ମୁଖ୍ୟ କାରଣ । ଏହି ବାୟୋପିକରେ ଦକ୍ଷ ଅଭିନେତା ବିବେକ୍ ଓବରୟ ମୁଖ୍ୟ ଭୂମିକାରେ ଅଛନ୍ତି । ବିବେକଙ୍କ ଚେହେରାରେ ମେକଅପ୍ ଦ୍ୱାରା ମୋଦିଙ୍କ ଝଲକ ଆଣିବା କାଠିକର ପାଠ ଥିଲା । ଅନେକ ଜଣ ଦକ୍ଷ ମେକଅପ୍ ଆର୍ଟିଷ୍ଟ୍ ଏହି କାମରେ ବିଫଳ ହେଲେ । ଶେଷରେ ଏଭଳି ଏକ ସମୟ ଆସିଥିଲା, ଯେଉଁଠି ବିରକ୍ତ ହୋଇ ଫିଲ୍ମନିର୍ମାତା ଏହି ବାୟୋପିକର ସୁଟିଂ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହିଦିନ ରାତିରେ ମେକଅପ୍ ଆର୍ଟିଷ୍ଟ୍ ପ୍ରୀତି ଫିଲ୍ମନିର୍ମାତାଙ୍କୁ ଫୋନ୍ କରି ଗୋଟିଏ ଲାଷ୍ଟ୍ ଲାନ୍ସ୍ ଦେବା ପାଇଁ ଅନୁରୋଧ କରିଥିଲେ । ଫିଲ୍ମନିର୍ମାତା ପ୍ରୀତିଙ୍କ କଥାରେ ରାଜି ହୋଇଥିଲେ ଏବଂ ତା’ ପରଦିନ ଦୀର୍ଘ ୬ ଘଣ୍ଟାର ଲମ୍ବା ମେକଅପ୍ ପ୍ରୋସେସ୍ ପରେ ବିବେକଙ୍କ ଚେହେରାରେ ମୋଦିଙ୍କ ଝଲକ ଦେଖିବାକୁ ମିଳିଥିଲା । ବିବେକଙ୍କୁ ମୋଦିଙ୍କ ଲୁକ୍ରେ ଦେଖିବା ପରେ ଫିଲ୍ମନିର୍ମାତାଙ୍କ ମନ ପରିବର୍ତ୍ତନ ହୋଇଥିଲା ଏବଂ ବାୟୋପିକର ପ୍ରଥମ ଫଟୋସୁଟ୍ କରାଯାଇଥିଲା ।

ଏ ସମ୍ପର୍କରେ ବିବେକ୍ କହିଛନ୍ତି ଯେ ଦୀର୍ଘ ୬ ଘଣ୍ଟାର ମେକଅପ୍ ଦ୍ୱାରା କେବଳ ୬-୭ ଘଣ୍ଟା ହିଁ ସୁଟିଂ କରି ହେଉଥିଲା । ତେଣୁ ବହୁତ କଷ୍ଟରେ ଏହି ବାୟୋପିକ୍ ପ୍ରସ୍ତୁତ କରାଯାଇଛି । ବାୟୋପିକର ଟ୍ରେଲର୍ ଦେଖିବା ପରେ ପ୍ରଶଂସକ ଏହାର ମୁକ୍ତିଲାଭକୁ ଅପେକ୍ଷା କରି ବସିଛନ୍ତି । ମୋଦିଙ୍କ ଲୋକପ୍ରିୟତା ଏହି ବାୟୋପିକର ବ୍ୟବସାୟରେ ସହାୟକ ହେବ ବୋଲି ଫିଲ୍ମଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି ।

Leave a Reply

Your email address will not be published.