ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ : ପାଣି ଘେରରେ ୮ଲକ୍ଷ ଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକେ ପାଣି ଘେରରେ ଅଛନ୍ତି । କାନ୍ଥ ପଡ଼ି, ପାଣିରେ ବୁଡ଼ି କିମ୍ବା ପାଣିରେ ଭାସି ଏଯାବତ୍‌ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ସ୍ଥିତି ଓ ସମ୍ଭାବ୍ୟ ବନ୍ୟା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି ।

ସେହିପରି ଚଳିତ ବନ୍ୟାରେ ୩ ଲକ୍ଷ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି । ୨ରୁ ୩ ଲକ୍ଷ ହେକ୍ଟର ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ୮ ହଜାର ଘର ଭାଙ୍ଗିଛି ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି । ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ସମୀକ୍ଷା କରିଥିଲେ ।

ପାଣି ଛାଡ଼ିଲେ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ବ ବିଭାଗ ଓ କୃଷି ବିଭାଗକୁ କୁହାଯାଇଛି ବୋଲି ଏସଆରସି କହିଛନ୍ତି । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ। ବନ୍ୟା ମୁକାବିଲା ପାଇଁ ୧୪ଟି ଓଡ୍ରାଫ୍‌ ଟିମ୍‌, ୧୫ଟି ଏନ୍‌ଡିଆର୍‌ଏଫ୍‌ ୟୁନିଟ୍‌ ଓ ୧୯ଟି ଅଗ୍ନିଶମ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି ।

ଭଦ୍ରକରେ ବୈତରଣୀ ଜଳସ୍ତର ସୁଧୁରିବା ଆଶା କରାଯାଉଛି। ବନ୍ୟାରେ ୬୧୦ଟି ଗାଁ ପ୍ରଭାବିତ ହୋଇଛି । ଯାଜପୁର ସ୍ଥିତି ଏବେ ବି ସଙ୍ଗୀନ ରହିଛି । ଜିଲ୍ଲାରେ ୨୬ଟି ଘାଇ ହୋଇଛି । ୫୬୦ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ୫୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ ଯୋଗୁ ଗୋଟିଏ ଛୋଟିଆ ଘାଇ ହୋଇଛି । ଆଳି, ଡେରାବିଶର କିଛି ଅଞ୍ଚଳରେ ପାଣି ପଶିଛି ।

Leave a Reply

Your email address will not be published.