ଧର୍ମେନ୍ଦ୍ରଙ୍କ ଋଣ ସୁଝିଲେ ନବୀନ

ବିଜେପିର ଫିକ୍ସିଂ ମାଷ୍ଟର ଭାବେ ଅଭିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଣ ନବୀନ ପଟ୍ଟନାୟକ ସୁଝିବାରେ ଆଦୌ ବିଳମ୍ୱ କରିନାହାଁନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ଏବେ କହିବାରେ ଲାଗିଛନ୍ତି। ଏହି ନେତାମାନଙ୍କର କହିବା କଥା ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ପଶ୍ଚିମ ଓଡ଼ିଶାରେ ଥିବା ନିଜ ରାଜନୈତିକ ବିରୋଧିଙ୍କୁ ବିନାଶ କରିବା ସହିତ ଶାସକ ଦଳ ବିଜେଡିର ପ୍ରାର୍ଥୀମାନେ କିପରି ସହଜରେ ବିଜୟ ଲାଭ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫିକ୍ସିଂ କରିଛନ୍ତି। ଏହି ଫିକ୍ସିଂ ଅନୁସାରେ ଧର୍ମେନ୍ଦ୍ରଙ୍କୁ ବିଜେପି କିପରି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ସେ ଦିଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦ୍ୟମ କରିଛନ୍ତି।

ବିଜେପି ନେତାଙ୍କ କହିବା ଅନୁସାରେ ପଶ୍ଚିମ ଓଡ଼ିଶାର ନେତା ସୁବାସ ଚୌହ୍ୱାନ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ସଦସ୍ୟ ନୁହଁନ୍ତି। ତେଣୁ ଧର୍ମେନ୍ଦ୍ର ତାଙ୍କ ଟିକଟ କାଟି ସମ୍ୱଲପୁର ଲୋକସଭା ପାଇଁ ଆଶାୟୀ ଥିବା ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ପ୍ରାର୍ଥୀ କରିଛନ୍ତି। ଏପରି କରିବାର କାରଣ ହେଉଛି ସୁରେଶ ବରଗଡ଼ରୁ ଲଢ଼ିଲେ ନିଶ୍ଚିତ ହାରିବେ ଓ ବିଜେଡି ପ୍ରାର୍ଥୀ ସହଜରେ ଜିତିବେ। ପଶ୍ଚିମ ଓଡ଼ିଶାରେ ସୁବାସ ଯେପରି ଧର୍ମେନ୍ଦ୍ରଙ୍କ ବିରୋଧି ଥିଲେ ସୁରେଶ ସେପରି ବିରୋଧି ନ ହେଲେ ମଧ୍ୟ ଆଗାମୀ ଦିନରେ ଧର୍ମେନ୍ଦ୍ରଙ୍କ ରାସ୍ତାରେ କଣ୍ଟା ହେବାକୁ ଯାଉଥିଲେ। କାରଣ ସୁରେଶ ଇତି ମଧ୍ୟରେ କେନ୍ଦ୍ର ନେତୃତ୍ୱର ନିକଟତର ହୋଇ ନିଜକୁ ଶକ୍ତିଶାଳୀ କରିବାରେ ଳାଗିଛନ୍ତି। ଯାହାକି ଧର୍ମେନ୍ଦ୍ରଙ୍କ ଦେହରେ ନିଆଁ ଲଗାଇ ଦେଇଛି। ସୁରେଶ ପୂଜାରୀଙ୍କୁ ହାରୁ ପ୍ରାର୍ଥୀ ଭାବେ ପ୍ରମାଣିତ କରି ତାଙ୍କର କେନ୍ଦ୍ରୀୟ ଚେରକୁ କାଟିବା ପାଇଁ ସମ୍ୱଲପୁର ପରିବର୍ତ୍ତେ ବରଗଡ଼ରୁ ପ୍ରାର୍ଥୀ କରିଛନ୍ତି।

କେବଳ ସୁରେଶ, ସୁବାସ ନୁହଁନ୍ତି, କଳାହାଣ୍ଡିରୁ ବସନ୍ତ ପଣ୍ଡା ଓ ସୁନ୍ଦରଗଡ଼ରୁ ଜୁଏଲ ଓରାମଙ୍କୁ ହାରାଇବାର ସମସ୍ତ ବନ୍ଦୋବସ୍ତ ଧର୍ମେନ୍ଦ୍ର କରିଛନ୍ତି। ଏହିସବୁ ଆସନରୁ ବିଜେପି ହାରିଲେ କଂଗ୍ରେସ ନୁହେଁ କେବଳ ବିଜେଡି ହିଁ ବିଜୟୀ ହେବ ବୋଲି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଅଲିଖିତ ବୁଝାମଣା କରିଛନ୍ତି।

କେନ୍ଦ୍ର, ଉତ୍ତର ଓ ଉପକୂଳ ଓଡ଼ିଶାରେ ଧର୍ମେନ୍ଦ୍ର ନିଜକୁ ବିଜେପିର ଏକମାତ୍ର ବିକଳ୍ପ ଭାବେ ପ୍ରତିଷ୍ଠା କରିବା ପାଇଁ ଗତ ୨ବର୍ଷ ହେଲା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ଉଦ୍ୟମରେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ, ବିଜୟ, ଦାମ ଓ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ପାଣି ପକାଇଦେବାର ଉଦ୍ୟମ କରିଛନ୍ତି ବୋଲି ବିଜେପି ମହଲରେ ଆଲୋଚନା ହେଉଛି। ଏହି ବିଜୁ ବିଜେପି ନେତାଙ୍କ ପ୍ରଭାବ ଦଳରେ ବୃଦ୍ଧି ପାଇବାରୁ ଧର୍ମେନ୍ଦ୍ର ପଶ୍ଚିମ ଓଡ଼ିଶା ଅବଦାନର ପାଉଣା ଦେବାକୁ ନବୀନଙ୍କୁ କହିଛନ୍ତି। ଏହି ଦାବି ଅନୁସାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ନବୀନ ଗତକାଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଏକମାତ୍ର ଉଦ୍ଦେଶ୍ୟ ଥିଲା ବିଜେପି ଏହାଦ୍ୱାରା ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ। ଫଳରେ ବିଜୁ ବିଜେପି ନେତାମାନେ ହତାଶ‍୍‌ ହେବେ ବୋଲି ବିଜେପି ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published.