ବଲିଉଡ ଡ୍ରଗ୍ସ ମାମଲାରେ ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ‘ଓ୍ବାଇ’ ସିକ୍ୟୁରିଟି ସୁରକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବଲିଉଡ ଡ୍ରଗ୍ସ ମାମଲାରେ ଲୋକସଭା ସାଂସଦ ତଥା ବିଜେପି ନେତା ରବି କିଶନ ସ୍ବର ଉତ୍ତୋଳନ କରିଥିଲେ। ବହୁ ଫିଲ୍ମରେ କାମ କରିଥିବା ରବି ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ। ରବିଙ୍କ ବ୍ୟତୀତ ଅଭିନେତ୍ରୀ କଙ୍ଗନା ମଧ୍ୟ ଡ୍ରଗ୍ସ ପ୍ରସଙ୍ଗରେ କ୍ରମାଗତ ମୁହଁ ଖୋଲିବା ପରେ ତାଙ୍କୁ ଓ୍ବାଇ ପ୍ଲସ ସିକ୍ୟୁରିଟି ସୁରକ୍ଷା ଦିଆଯାଇଥିଲା। କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କୁ ମଧ୍ୟ ଏହି ସୁରକ୍ଷା​ ଯୋଗାଯାଇଛି। ଏ କଥା ଖୋଦ୍ ରବି ଟ୍ବିଟ୍ କରି ଜଣାଇଛନ୍ତି।

ସେ କହିଛନ୍ତି ଯୋଗୀ ଆଦିତ୍ୟନାଥ ତାଙ୍କ ସୁରକ୍ଷାକୁ ଦେଖି ତାଙ୍କୁ ଯେଉଁ ଓ୍ବାଇ ପ୍ଲସ୍ ସୁରକ୍ଷା ଉପଲବ୍ଧ କରିଛନ୍ତି  ସେ ପାଇଁ ସେ ଓ ତାଙ୍କ ପୂରା ପରିବାର ଧନ୍ୟବାଦ ଜଣାଇଛନ୍ତି।  ଏ ସେବା ପାଇଁ ଋଣୀ ରହିବେ କହିଛନ୍ତି। ଏହା ସହ ରବି କହିଛନ୍ତି ବିଜେପି ତା ସଦସ୍ୟଙ୍କ ଉଚିତ ଧ୍ୟାନ ରଖେ । ଏହା ସହ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷିତ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ରବି କିଶନଙ୍କୁ କିଛି ଦିନ ତଳେ ଧମକ ମିଳିଥିଲା। ତେବେ ଧମକ ବାବଦରେ ବିସ୍ତୃତ କିଛି ନ କହି କହିଥିଲେ ସମୟ ଆସିଲେ ଏହି କଥା ବାବଦରେ ଜଣାଇବେ। ଦେଶ ଓ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଚିନ୍ତା ଥିବାରୁ ସେ ଡ୍ରଗ୍ସ ମାମଲାରେ ମୁହଁ ଖୋଲିଥିବା କହିଥିଲେ। ଯୁବପିଢ଼ିଙ୍କ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। କେବଳ ଏତିକି ନୁହେଁ ଭବିଷ୍ୟତ ପାଇଁ ଯଦି ତାଙ୍କୁ ଗୁଳି ଖାଇବାକୁ ପଡେ, ସେ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ସେ ନିଜ ଜୀବନ ବାବଦରେ କୌଣସି ଚିନ୍ତା କରୁ ନାହାନ୍ତି।  ଗତ ଶୁକ୍ରବାର ରବି ଗୋରଖପୁରରୁ ଦିଲ୍ଲୀ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ନିକଟରେ ଲୋକସଭା ମୌସୁମୀ ଅଧିବେଶନରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ ରବି କିଶନ।

Leave a Reply

Your email address will not be published.