ମଥାରେ ତିଳକ, ବେକରେ ବେଲପତ୍ର ମାଳ: ଡମ୍ବରୁ ବଜାଇ ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

ରାଞ୍ଚି, (ଓଡିଶା ଟାଇମ୍): ଝାରଖଣ୍ଡ ବିଧାନସଭାରେ ସୋମବାର ଦିନ ବହୁତ ହଙ୍ଗାମା ହୋଇଥିଲା। ଗୋଟିଏ ପଟେ ନମାଜ ପାଇଁ କୋଠରୀ ଆବଣ୍ଟନକୁ ନେଇ ବିଜେପି ବିଧାୟକ ଖୁବ ହଙ୍ଗାମା କରିଥିଲେ। ଅନ୍ୟପଟେ ବୈଦ୍ୟନାଥ ଧାମ ମନ୍ଦିର ଖୋଲିବା ଦାବି ନେଇ ବିଜେପି ବିଧାୟକ ନାରାୟଣ ଦାସ ଡମ୍ବରୁ ବଜାଇ ବଜାଇ ବିଧାନସଭାରେ ପହଞ୍ଚିଥିଲେ। ସେ କହିଥିଲେ ଯେ କୋଭିଡ ମାମଲା ହ୍ରାସ ପାଇବା ସତ୍ତ୍ୱେ ସରକାର ମନ୍ଦିର ଖୋଲିବାକୁ ଆଦେଶ ଜାରି କରୁନାହାନ୍ତି। ଏହା ଅନାବଶ୍ୟକ ଓ ଭୁଲ। ଏହା ହିନ୍ଦୁଙ୍କ ଆସ୍ଥା ସହ ଖେଳିବା ଭଳି କଥା।

ଗୃହର କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକ କହିଥିଲେ ଯେ ଦେଓଘର ନଟରାଜଙ୍କ ନଗରୀ। ସେଠାରେ ମହାଦେବ ବାସ କରନ୍ତି। ବାବା ବୈଦ୍ୟନାଥ ଧାମ କେବଳ ଦେଓଘର ପାଇଁ ଆସ୍ଥାର କେନ୍ଦ୍ର ନୁହେଁ ବରଂ ସାରା ଦେଶର ଆସ୍ଥା ଏହି ମନ୍ଦିର ସହ ଜଡିତ। ଏହି ମନ୍ଦିର ଅନେକ ଲୋକଙ୍କ ରୋଜଗାରର କେନ୍ଦ୍ର ମଧ୍ୟ। ହଜାର ହଜାର ଲୋକଙ୍କ ଜୀବନଯାପନ ମନ୍ଦିର ସହ ଜଡିତ। ଫୁଲ ଦୋକାନୀ, ପୂଜା ସାମଗ୍ରୀ ଦୋକାନ ହେଉ, ହୋଟେଲ ହେଉ କିମ୍ବା ପୁରୋହିତ ସମାଜର ଲୋକ ହୁଅନ୍ତୁ, ସମସ୍ତଙ୍କ ରୋଜଗାର ମନ୍ଦିର ସହ ଜଡିତ। ଏ ସମସ୍ତଙ୍କ ଜୀବନ ମନ୍ଦିର ଉପରେ ନିର୍ଭରଶୀଳ।

ସେ କହିଛନ୍ତି, ଗତ ୫ ମାସ ହେଲା ସୋରେନ ସରକାର ମନ୍ଦିର ବନ୍ଦ ରଖିଛନ୍ତି। କାଲି ଏଠାରେ ଶିବଙ୍କ ରୂପରେ ତାଣ୍ଡବ ପ୍ରସ୍ତୁତ କରାଯାଇଥିଲା। ଆଜି ପୁଣି ସରକାରଙ୍କୁ ଚେତାବନୀ ଦେଉଛୁ, ଶୀଘ୍ର ମନ୍ଦିର ଖୋଲନ୍ତୁ। ଯଦି ମନ୍ଦିର ଶୀଘ୍ର ଖୋଲା ନ ଯାଏ ତାହେଲେ ଦେଓଘରରେ ଆନ୍ଦୋଳନ ହେବ। ବିଧାୟକ କହିଛନ୍ତି, ଦେଓଘରବାସୀ ଅନାହାର ସ୍ଥିତିରେ ଅଛନ୍ତି। ଏଠାକାର ଜନତା ଉତ୍ତେଜିତ ଅଛନ୍ତି। ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି। ବ୍ୟବସାୟୀ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ଶୀଘ୍ର ମନ୍ଦିର ଖୋଲିବା ଆବଶ୍ୟକ।

Leave a Reply

Your email address will not be published.