ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ, ପାଟକୁରା ନିର୍ବାଚନ ବାତିଲ ଆଶଙ୍କା

ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପାଟକୁରାରୁ ବିଜେଡିର ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ଵରସ୍ଥିତ କେୟାର ହସ୍‌ପିଟାଲ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୀର୍ଘଦିନ ହେଲା ସେ ଏହି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାଣି ନିକଟ ସମ୍ପର୍କୀୟ, ଶୁଭେଚ୍ଛୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍‌ପିଟାଲ୍‌ରେ ଭିଡ଼ ଜମାଇଥିଲେ।

ଶ୍ରୀ ଅଗ୍ରୱାଲ୍‌ ଲଗାତାର ଦୁଇଥର ପାଟକୁରାରୁ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ମୃତ୍ୟୁ ପରେ ପାଟକୁରାରେ ବିଧାନସଭା ନିର୍ବାଚନ ବାତିଲ୍‌ ହୋଇପାରେ।

ଶ୍ରୀ ଅଗ୍ରୱାଲ୍‌ ୧୯୭୪ ମସିହାରେ ପ୍ରଥମେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସପ୍ତମ ବିଧାନସଭା ଅର୍ଥାତ୍‌ ୧୯୭୯ରେ ଅନୁଷତ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଜନତା ପାଟିରୁ ନିବାଚିତ ହୋଇଥିଲେ। ୧୦ମ ବିଧାନସଭାକୁ ବେଦ ପ୍ରକାଶ ଜନତା ଦଳ ଟିକେଟ୍‌ରୁ ଲଢ଼ି ନିର୍ବାଚିତ ହୋଇଥିଲେ। ଦ୍ଵାଦଶ ନିର୍ବାଚନରେ ତାଙ୍କୁ ଭାରତୀୟ ଜନତା ପାର୍ଟି ( ବିଜେପି) ଟିକେଟ୍‌ରେ କେନ୍ଦ୍ରାପଡ଼ା ନିର୍ବାଚେନ ଲଢ଼ିବାକୁ ସୁଯୋଗ ମିଳିଥିଲା। ଏଥିରେ ବିଜୟୀ ହୋଇ ବିଧାନସଭାର ଜଣେ ଟାଣୁଆ ସଦସ୍ୟ ଭାବେ ନୀଜକୁ ପ୍ରତିଷ୍ଠିତ କରିଥିଲେ। ଏହାପରେ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣ ହେତୁ ବେଦପ୍ରକାଶ ପାଟକୁରା ନିର୍ବାଚନ ମଣ୍ଡଳୀକୁ ବାଛି ସେଠାରୁ ପ୍ରାର୍ଥୀ ହୋଇଥିଲେ। ୨୦୦୯, ୨୦୧୪ ନିର୍ବାଚନରେ ସେ ବିଜୟ ହୋଇ ଲୋକପ୍ରିୟତା ହାସଲ କରିଛନ୍ତି।

ଏବେ ସେ ହସ୍‌ପିଟାଲ୍‌ରେ ଥିଲେ ମଧ୍ୟ ତାଙ୍କ କର୍ମୀ ଓ ସହଯୋଗୀମାନେ ବେଦପ୍ରକାଶଙ୍କ ନାମରେ ଲୋକଙ୍କୁ ଭୋଟ୍‌ ମାଗୁଛନ୍ତି ଏବଂ ଦଳୀୟ ସ୍ଥିତିକୁ ସୁଦୃଢ଼ କରିଛନ୍ତି।

Leave a Reply

Your email address will not be published.