୫ବର୍ଷ ଦିଅ; ଓଡିଶାକୁ ଏକ ନମ୍ବର କରିବୁ: ଅମିତ ଶାହା

ଆଜି ଓଡିଶା ଆସିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ ବୁଲି ଦେଖିଥିଲେ।ସମାବେଶରେ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଶାହା କହିଛନ୍ତି, ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିବ । ଓଡ଼ିଶା ବିକାଶରେ ବାଧା ସାଜିଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିପାରିନି । ସରକାରଙ୍କର ନୀତି ଓ ନୈତିକତାର ଅଭାବ ରହିଛି । ବିଜେପି ସରକାର ଆୟୁଷ୍ମାନ ଯୋଜନାରେ ପ୍ରଣୟନ କଲେ । କିନ୍ତୁ ମୋଦି ଲୋକପ୍ରିୟତା ଭୟରେ ନବୀନ ଏହାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡ଼ିଶାକୁ ଦୀର୍ଘ ବର୍ଷ ବିଜେଡ଼ି ଓ କଂଗ୍ରେସ ଶାସନ କଲେ । ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ ।

ପ୍ରାକୃତିକ ସମ୍ପଦ ଭରପୁର ଥିବା ସତ୍ତ୍ବେ ଓଡିଶା ଗରୀବ । କାରଣ ଏଠାର ସରକାର ବିକାଶ କରିବାକୁ ଚାହୁଁନାହାନ୍ତି । କଂଗ୍ରେସ ସରକାରଙ୍କ ୫ବର୍ଷ ଶାସନକାଳରେ ୭୯ହଜାର କୋଟି ଟଙ୍କା ଓଡିଶାକୁ ମିଳିଥିଲା । କିନ୍ତୁ ମୋଦି ସରକାରଙ୍କ ଅମଳରେ ୨ଲକ୍ଷ ୧୧ହଜାର କୋଟି ସହ ରେଳବାଇ ଡିଏମଏଫ ମୁଦ୍ରା ଲୋନ ଇତ୍ୟାଦି କ୍ଷେତ୍ରରେ ଅନୁଦାନକୁ ମିଶାଇ ୫ଲକ୍ଷ ୧୩ହଜାର କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ଗାଁ କୁ ଯାଇପାରୁନି । କଂଗ୍ରେସ ଓ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶାହ ।

ସେ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, ଓଡ଼ିଶା ସରକାର ପ୍ରଭୁଙ୍କ ରତ୍ନଭଣ୍ଡାର ବି ଠିକ ଭାବେ ରଖିପାରୁନି। ଏହା ରତ୍ନଭଣ୍ଡାର ସୁରକ୍ଷା ଉପରେ ନୁହେଁ, ଓଡ଼ିଶା ସମୃଦ୍ଧି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ କହିଥିଲେ, ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଏମାନେ ଆସିବେ ଓ ଯିବେ। କିନ୍ତୁ ଓଡ଼ିଶାର ବିକାଶ କରିପାରିବେନି। ୧୯ ବର୍ଷ ପରେ ବି ଓଡ଼ିଶା ସେମିତି ଗରିବ ହୋଇ ରହିଛି। ଅମିତ କହିଥିଲେ ଯେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଦେଖିଲେ ଜଣାପଡ଼ୁଛି ଯେ ଓଡ଼ିଶାରେ ଆଗାମୀ ସରକାର ବିଜେପିର ହେବ।

କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ, ରାହୁଲ ବାବାଙ୍କ ୪ ପିଢ଼ି ୫୫ ବର୍ଷ ଧରି ଶାସନ କଲେ। ସେମାନଙ୍କ ଶାସନର ୫୫ ବର୍ଷ ଭିତରେ ଗରିବଙ୍କ ଘରେ ଗ୍ୟାସ ପହଞ୍ଚି ପାରିଲାନି। ଆମ ପ୍ରଧାନମନ୍ତ୍ରୀ ଆସୁ ଆସୁ ଗରିବଙ୍କ ଘରେ ଗ୍ୟାସ ପହଞ୍ଚିଲା। ଘରେ ଘରେ ଶୌଚାଳୟ ହେଲା। ତେଣୁ ଆପଣମାନେ ବିଚାର କରନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ ଏକ ‘ମଜ୍‌ବୁରୀ’ ସରକାର ପାଇଁ ଭୋଟ୍ ଦେବେ ନାଁ ଏକ ‘ମଜବୁତ’ ସରକାର ପାଇଁ ଭୋଟ୍ ଦେବେ।

ମିଶନ ୧୨୦କୁ ଭୁଲିଗଲେ କି ଶାହା?

ପୂର୍ବରୁ ଶାହା ଯେତେଥର ଓଡ଼ିଶା ଆସିଛନ୍ତି ସେତେଥର ମିଶନ ୧୨୦ ଅବତାରଣା କରିଛନ୍ତି । କିନ୍ତୁ ଆଜି ସାଲେପୁରର କୁଳିଆ ସମାବେଶରେ ଶାହା କିନ୍ତୁ ମିଶନ ୧୨୦ ବିଷୟରେ ପଦୁଟିଏ ବି କହିନଥିଲେ । ଓଡ଼ିଶାରେ ସରକାର ଗଢ଼ିବାକୁ ଶାହା ଆହ୍ୱାନ ଦେଇଥିଲେ ବି ପ୍ରଚୁର ସାଂସଦ ଜିତାଇବାକୁ କହିଥିଲେ । ଅର୍ଥାତ୍ ଲୋକସଭାରେ କେତେ ସାଂସଦ ଦେବେ ତାହାର ମଧ୍ୟ ସଠିକ ସଂଖ୍ୟା ଦେଇନଥିଲେ ଶାହା । ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀର ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପେକ୍ଷାକୃତ ନରମ ମନୋଭାବ ନବୀନଙ୍କ ପ୍ରତି ପୋଷଣ କରିଥିଲେ । ହେଲେ ଶାହା ଟିକେ ଗରମ ଆଭିମୁଖ୍ୟ ଦେଖାଇଥିଲେ । କିନ୍ତୁ ପୂର୍ବଭଳି ନବୀନଙ୍କ ପଟ୍ଟନାୟକଙ୍କୁ ଯେଉଁଭଳି ଶବ୍ଦ ବିନ୍ୟାସ କରି ସେ ଟାର୍ଗେଟ କରୁଥିଲେ ଏଥର କିନ୍ତୁ ସେଭଳି କରିନାହାନ୍ତି । ଅର୍ଥାତ ଚଳେଇନେଲା ଭଳି ଅଭିଭାଷଣ ଦେଇଥିବା କୁହାଯାଇପାରେ ।

Leave a Reply

Your email address will not be published.