କ୍ଷମତା ହାସଲ ପାଇଁ ବିଜେପିକୁ ସିବିଆଇ ଭରଷା

୨୦୧୯ରେ ଓଡିଶାରେ ସରକାର ଗଠନର ସ୍ବପ୍ନ ଦେଖୁଥିବା ବିଜେପି ଶେଷରେ ସିବିଆଇକୁ ଅସ୍ତ୍ର କରିଛି। ଗତ ପ୍ରାୟ ଦେଢ ବର୍ଷ ହେଲା ଶିଥିଳ ହୋଇପଡିଥିବା ସିବିଆଇ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଏପରିକି ବିଜେଡିର ଦୁଇ ଯୁବ ଓ ଟାଣୁଆ ବିଧାୟକଙ୍କୁ ସମନ କରାଯାଇଛି। ନିକଟରେ ସିବିଆଇ ନିର୍ଦ୍ଦେଶକ ପଦବୀକୁ ନେଇ ସୃଷ୍ଟି ହୋଇଥିବା ଝଡ କାହାକୁ ଅଛପା ନୁହେଁ । ଏହି ଝଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୀତିକରଣ କରାଯାଉଛି । ଏକଦା ସୁପ୍ରିମକୋର୍ଟ ମଧ୍ୟ ସିବିଆଇକୁ କେନ୍ଦ୍ର ସରକାର ପ୍ପପୁଂଜୁରୀ ଭିତର ଶୁଆଡ୍ଗ ବୋଲି କହି ଭର୍ତ୍ସନା କରିଥିଲେ । କେନ୍ଦ୍ର ସରକାର ସିବିଆଇକୁ ନିଜର ରାଜନୈତିକ ସ୍ବାର୍ଥ୍ୟ ପାଇଁ ବ୍ୟବହାର କରି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପବିତ୍ରତାକୁ ନଷ୍ଟ କରିସାରିଲେଣି ।

ଗତକାଲିଠାରୁ ବିଜେଡିର ଦୁଇ ନେତାଙ୍କୁ ସିବିଆଇ ସମନ ହୋଇଥିବା ଚର୍ଚ୍ଚା ହେଉଥିଲା। ଆଜି ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ, ବିଜେଡିର ଏହି ଦୁଇ ଯୁବ ବିଧାୟକଙ୍କୁ ନୋଟିସ ହୋଇଥିବା ଖବର ସମ୍ବାଦ ସରବାହ ସଂସ୍ଥା ଏନଆଇ ସୂତ୍ରରୁ ଜଣାପଡ଼ିଛି। ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେଡି ମୁଖପାତ୍ର କହିଛନ୍ତି ଯେ, ବୋଧହୁଏ ନୋଟିସ ପ୍ରଥମେ ଗଣମାଧ୍ୟମକୁ ଦିଆଯାଇଛି, ଆଉ ପରେ ତାହାକୁ ପୋଷ୍ଟରେ ପଠାଯାଇଛି । ଦଳର ଯେଉଁ ଦୁଇ ବିଧାୟକଙ୍କୁ ନୋଟିସ ହୋଇଥିବା କହୁଯାଉଛି, ସେମାନଙ୍କୁ ସେଭଳି କୌଣସି ନୋଟିସ ହୋଇନାହିଁ । ଆଚରଣବିଧି ଲାଗୁ ହେବାକୁ ଆଉ ମାତ୍ର ୩-୪ ସପ୍ତାହ ଥିବା ବେଳେ ଦଳ ଓ ଏହାର ନେତାମାନଙ୍କୁ ବଦନାମ କରିବାକୁ ଏଭଳି ଚର୍ଚ୍ଚା ସୃଷ୍ଟି କରାଯାଉଛି । ସିବିଆଇର ସ୍ବଚ୍ଛତା କଥା ସମସ୍ତେ ଜାଣିସାରିଲେଣି, ଏହାକୁ ବିରୋଧୀଙ୍କ ଉପରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

ଅରୁଣ ଓ ଅତନୁଙ୍କୁ ନୋଟିସ୍ ବାବଦରେ ସିବିଆଇ ପକ୍ଷରୁ ସିଧାସଳଖ ସୂଚନା ମିଳିନାହିଁ । ଖବର ଦେଇଥିବା ଏଏନଆଇ ସଂସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କେଉଁ ସଂସ୍ଥା ସହ ଉଭୟ ନେତାଙ୍କ ସଂପୃକ୍ତି ଅଛି ସେହି ସୂଚନା ଦେଇନାହିଁ । ତେବେ ସି-ସୋର ସଂସ୍ଥା ସହ ସେମାନଙ୍କ ସମ୍ପର୍କକୁ ନେଇ ସିବିଆଇ ନୋଟିସ୍ ହୋଇଥିବା ଚର୍ଚ୍ଚା ହେଉଛି । ଏଥିସହ ଚିଟଫଣ୍ଡ ମାମଲାରେ ପୁଳା ପୁଳା ବିଜେଡ଼ି ନେତାଙ୍କ ସଂପୃକ୍ତି ଅଭିଯୋଗକୁ ଏହା ଦାନା ଧରେଇଛି । ନିର୍ବାଚନ ଅସ୍ତ୍ର ପାଇଁ ବିରୋଧୀ ଶିବିରକୁ ଏହା ଭଲ ଖୋରାକି ହୋଇଥିବା ବେଳେ ବିଜେଡ଼ି ଶିବିରକୁ ଛନକା କରିଛି । ଚିଟଫଣ୍ଡ ମାମଲାରେ ପୂର୍ବରୁ ବିଜେଡ଼ିର ଅନେକ ନେତା ସିବିଆଇ ଜାଲରେ ପଡ଼ିସାରିଛନ୍ତି ।

ସୂତ୍ର ଅନୁଯାୟୀ, ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ବହୁ ଚେଷ୍ଟା ପରେ ବି ଚିଟଫଣ୍ଡ କେଳେଙ୍କାରୀରେ ବିଜେଡି ନେତାଙ୍କ ସଂପୃକ୍ତିର ଠୋସ ପ୍ରମାଣ ପାଇପାରିଲା ନାହିଁ । ଯେଉଁଥିପାଇଁ ଗତ ପ୍ରାୟ ଦେଢ ମାସ ହେଲା ସିବିଆଇ ତଦନ୍ତର ଦିଗ ରାଜନୀତିରୁ ଦୂରେଇ ଯାଇଥିଲା । ଏବେ କିନ୍ତୁ ନିର୍ବାଚନ ପାଖେଇ ଆସିବାରୁ ବିଜେଡିର କିଛି ନିର୍ଦ୍ଧିଷ୍ଟ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି ରାଜନୈତିକ ଚାଲ ଖେଳାଯାଇଛି ।

Leave a Reply

Your email address will not be published.