ଜୀ କଳିଙ୍ଗ: ଝଡ଼ ହୋଇ ଆସିଲା, ବତାସ ହୋଇ ବେକାର ସୃଷ୍ଟି କଲା

0
30
  • ଚାକିରି ହରାଇଲେ ଶତାଧିକ କର୍ମଚାରୀ 
  • ସବୁ ବ୍ୟୁରୋ ବନ୍ଦ, ରିପୋର୍ଟରେ ହେଲେ ଷ୍ଟ୍ରିଙ୍ଗର 
  • ନିଜକୁ ଅସହାୟ ମନେକରୁଛନ୍ତି ଦିଲ୍ଲୀ ଯାଇଥିବା କର୍ମଚାରୀ

ଭୁବନେଶ୍ୱର, (ଓଟି): ଓଡ଼ିଶା ମିଡିଆ ଜଗତରେ ଏବେ ଜୀ କଳିଙ୍ଗ ନ୍ୟୁଜ୍‌ ଚ୍ୟାନେଲ‍୍‌ର ରାତି ଅଧିଆ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର‍୍‌ ଧରିଛି। କାରଣ ଏହି ନିଷ୍ପତ୍ତି ଯୋଗୁ ୧୦୦ରୁ ଅଧିକ କର୍ମଚାରୀ ଏବେ ଚାକିରି ହରାଇଛନ୍ତି। ଖାଁ ଖାଁ ହୋଇଯାଇଛି ଚ୍ୟାନେଲ‍୍‌ର ଭୁବନେଶ୍ୱର ଅଫିସ। ଯେଉଁଠାରେ ୧୭୦ରୁ ଅଧିକ କର୍ମଚାରୀଙ୍କ ଆତଯାତ ଥିଲା ଏବେ ସେଠାରେ ୨୦ରୁ କମ‍୍‌ କର୍ମଚାରୀଙ୍କୁ ଦେଖିବାକୁ ମିଳୁଛି । ଏହା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଷ୍ଟାଫ୍ ରିପୋର୍ଟର ଓ କ୍ୟାମେରାପର୍ସନମାନେ ହଠାତ୍ ବେକାର ହୋଇ କାମ ପାଇଁ ଘୂରି ବୁଲୁଛନ୍ତି। ବିନା କୌଣସି ନୋଟିସ‍୍‌ ବିନା କୌଣସି କ୍ଷତିପୂରଣରେ ବେଆଇନଭାବେ ସେମାନଙ୍କୁ ଛଟେଇ କରାଯାଇଛି। ଯଦିଓ ସେମାନଙ୍କୁ ଗୋଟିଏ ମାସର ଅଗ୍ରୀମ ଦରମା ଦେବା ପାଇଁ କମ୍ପାାନୀ ପକ୍ଷରୁ ଆଶ୍ବାସନା ଦିଆଯାଇଛି କିନ୍ତୁ ଏହାକୁ ବେଆଇନ ବୋଲି ଦର୍ଶାଇ କର୍ମଚାରୀମାନେ ଆଇନଗତ ଆଶ୍ରୟ ନେବାକୁ ମଧ୍ୟ ବିଚାର କରୁଛନ୍ତି।

ଫେବୃୟାରୀ ୩, ୨୦୧୪ରେ ପ୍ରତିଷ୍ଠିତ ହିନ୍ଦି ନ୍ୟୁଜ୍‌ ନେଟ‍୍‌ୱର୍କ ଜୀ ନ୍ୟୁଜ୍‌ ଓଡ଼ିଶାରେ ଜୀ କଳିଙ୍ଗର ପ୍ରସାରଣ ଆରମ୍ଭ କରିଥିଲା। ଓଡ଼ିଶା ବଜାରରେ ଯାହା ଉଚ୍ଚ ଅଙ୍କ ବୋଲି ଧରାଯାଏ ତାହାଠୁ ଯଥେଷ୍ଟ ଅଧିକ ଦରମା ଦେଇ କର୍ମଚାରୀ ନିଯୁକ୍ତ କରିଥିଲା। ଏଥିରେ ପ୍ରତିଭା ଅପେକ୍ଷା ଗୁରୁତ୍ୱ ଦିଆଯାଇଥିଲା ଲବି ଓ ଅଭିଜ୍ଞତାସମ୍ପନ୍ନ କିଛି କାଗଜ ପ୍ରମାଣକୁ। ଯେଉଁଠାରେ ମାନବ ସମ୍ୱଳ ଆବଶ୍ୟକ ସେଠାରେ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରାଗଲା ନାହିଁ। ଫଳରେ ଚ୍ୟାନେଲ‍୍‌ ଅଳ୍ପ କିଛି ଲୋକଙ୍କ  କିଛି କାର୍ଯ୍ୟକ୍ରମରେ ସୀମିତ ରହିଲା। ଦିନକୁ ଦିନ ଏହା ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୁଖପାତ୍ର ହେଲା ଏବଂ ପରେ ତାହା ରାଜ୍ୟରେ ବିଜେପି ଓ ବିଜେଡିକୁ ବାଲାନ୍ସ କରିବାକୁ ଯାଇ ବିଫଳ ବି ହେଲା। ଏହା ପରେ ସମ୍ପାଦକଙ୍କ ଇସ୍ତଫା ଧାରା ଆରମ୍ଭ ହେଲା ଓ ପରେ ଚ୍ୟାନେଲ‍୍‌କୁ ସମ୍ଭାଳିବାକୁ ଯାଇ ଓଡ଼ିଆ କର୍ମଚାରୀଙ୍କ ଉପରେ ବିହାରୀଙ୍କ ରାଜୁତି ଚାଲିଲା। ଏହାକୁ ବିରୋଧ କରି ଜଣେ ସମ୍ପାଦକ ଇସ୍ତଫା ମଧ୍ୟ ଦେଲେ। ତଥାପି ନେଟ‍୍‌ୱର୍କର ପରିଚାଳନା କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ନଦେଇ କିଛି ଅଣ ଓଡ଼ିଆ ତଥାକଥିତ ଚ୍ୟାନେଲ‍୍‌ କାର୍ଯ୍ୟନିର୍ବାହୀଙ୍କ ପ୍ରରୋଚନାରେ ଏହାର ପ୍ରସାର ବିଭାଗ ସମେତ ଷ୍ଟୁଡିଓକୁ ଦିଲ୍ଲୀ ଉଠାଇ ନେଲେ। ପରେ ହଠାତ୍ ୫୦ରୁ ଅଧିକ ର୍କମଚାରୀଙ୍କ ଇସ୍ତଫା ଗୋଟିଏ ଦିନରେ ଗ୍ରହଣ କରାଯାଇ ଚ୍ୟାନେଲ‍୍‌ର ସବୁ ବ୍ୟୁରୋ ବନ୍ଦ କରିଦିଆଗଲା। ଏହାଦ୍ୱାରା ହଠାତ୍ ଅସହାୟ ହୋଇଗଲେ କର୍ମଚାରୀ।

ଏବେ ଚର୍ଚ୍ଚା ହେଉଛି ଦିଲ୍ଲୀ ଯାଇଥିବା ଓଡ଼ିଆ କର୍ମଚାରୀଙ୍କ ଚାକିରି ମଧ୍ୟ ଟଳମଳ ହେଉଛି। ସେଠାରେ ବି କର୍ମଚାରୀଙ୍କ ଛଟେଇ ହେବ। ଏଭଳି ଆଶଙ୍କାରେ ସେମାନେ ବିଭିନ୍ନ ସଂସ୍ଥାରେ ନିଜର ସମ୍ପର୍କ ଖୋଜି ପ୍ରୋଫାଇଲ‍୍‌ ପଠାଇବା ଆରମ୍ଭ କଲେଣି।

ପ୍ରଶ୍ନ ଉଠୁଛି ପ୍ରଫେସନାଲ‍୍‌ ଜର୍ଣ୍ଣାଲିଜିମ‍୍‌ର ବାର୍ତ୍ତା ଦେବାକୁ ଓଡ଼ିଶା ଆସୁଥିବା ଜାତୀୟ ଟିଭି ଚ୍ୟାନେଲ‍୍‌ମାନଙ୍କ ଭିତରେ ଥିବା ବହୁରୂପୀ ଉଦ୍ଦେଶ୍ୟର ଏହା ଏକ ନମୁନା ନୁହେଁ କି? ଚ୍ୟାନେଲ‍୍‌ ବନ୍ଦ ବା ସଙ୍କୁଚିତ କରିବା ପୂର୍ବରୁ କର୍ମଚାରୀଙ୍କୁ ସୂଚନା ଦେବା ଅନୁଚିତ କି? ସମୁହ ଇସ୍ତଫା ତଦନ୍ତ ସାପେକ୍ଷ ନୁହେଁ କି? ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏ ବାବଦରେ ତଦନ୍ତ କରିବା ଜରୁରୀ ନୁହେଁ କି? ନା ଏହି ଚ୍ୟାନେଲ‍୍‌ ସରକାରଙ୍କ ଗୁଣଗାନ କରୁଛି ବୋଲି ତାକୁ ସାତଖୁଣ ମାଫ୍ ହେବ?

Loading...