’ରାଜଦ୍ରୋହ’ରେ ଗଣମାଧ୍ୟମ

0
27
advt
< a href= "#">

ବିଶ୍ଵପ୍ରିୟ କାନୁନଗୋ

advt

 

 

ଲେଖକ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

ଜି ଜାତୀୟ ପ୍ରେସ ଦିବସ। ଏଣୁ ପ୍ରେସ୍‌ର ସ୍ଵାଧୀନତା ପ୍ରସଙ୍ଗରେ ଆଲୋଚନା ମହତ୍ତ୍ଵ ରଖେ। ଅବଶ୍ୟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପ୍ରଚାର ଫଳରେ ଆଜିର ଦିବସକୁ ଗଣମାଧ୍ୟମ ଦିବସଭାବେ ବୁଝାଗଲେ ଭୁଲ୍‌ ହେବ ନାହିଁ।

 

ଣମାଧ୍ୟମର ସ୍ଵାଧୀନତା କଥା କହିଲେ ସାମାଜିକ ଓ ରାଜନୀତିକ ସ୍ଵାଧୀନତାର ହୃତ୍‌ପିଣ୍ଡ ବୋଲି କୁହାଯାଇପାରେ। ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏହା ଔପଚାରିକ ଓ ଅନଔପଚାରିକ ଭାବେ ଜନଗଣଙ୍କର ‘ଗଣ ଶିକ୍ଷକ’ ଭାବେ ଦାୟିତ୍ଵ ନିର୍ବାହ କରିବାର ସମ୍ଭାବନା ଥାଏ।

ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ପ୍ରତିନିଧି ନିର୍ବାଚନ କ୍ଷେତ୍ରରେ ପ୍ରତ୍ୟକ ଭୋଟରଙ୍କ ପାଖରେ ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥୀମାନଙ୍କ ବାବଦରେ ତଥ୍ୟ ପରିବେଷଣଠାରୁ ଆରମ୍ଭ କରି ପ୍ରଶାସନ, ରାଜନୀତିକ ଓ ନ୍ୟୟ ପ୍ରଦାନ ବ୍ୟବସ୍ଥାରେ ସ୍ଵଚ୍ଛତା ପାରଦର୍ଶିତା, ନିରପେକ୍ଷତା ବଜାୟ ରଖିବା କ୍ଷେତ୍ରରେ ଏହା ଜନଗଣଙ୍କର ଏକ ’ୱାଚ୍‌ ଡଗ୍‌’ ଭଳି ଭୂମିକା ନିର୍ବାହ କରିବାରେ ଦାୟିତ୍ଵ ଗ୍ରହଣ କରିପାରେ। ଏଥିପାଇଁ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଇଥାଏ।

ଗଣମାଧ୍ୟମ ସ୍ଵାଧୀନ କି?

ଗଣମାଧ୍ୟମର ସ୍ଵାଧୀନତା ଉପରେ ଗୋଟିଏ ପକ୍ଷରେ ଜନଗଣଙ୍କର ଗୁରୁତ୍ଵ ଆରୋପ, ଅନ୍ୟପକ୍ଷରେ କ୍ଷମତାକେନ୍ଦ୍ର ପକ୍ଷରୁ କଟକଣା ବ୍ୟବସ୍ଥା- ସବୁବେଳେ ଦ୍ଵନ୍ଦ୍ଵ ସୃଷ୍ଟି କରିଥାଏ।

ଆମ ଦେଶ କ୍ଷେତ୍ରରେ ଯଦି ଉଦାହରଣ ନେବା, ବ୍ରିଟିଶ୍‌ ଔପନିବେଶିକ ଶାସନରୁ ଏହି ଦ୍ଵନ୍ଦ୍ଵ ଜାରି ରହିଛି। ୧୮୯୧ ମସିହାରେ ଯୋଗେନ୍ଦ୍ର ଚନ୍ଦ୍ର ବୋଷଙ୍କ ସମ୍ପଦନାରେ ପ୍ରକାଶିତ ‘ବ୍ୟଙ୍ଗକାରୀ’ ପତ୍ରିକା ଉପରେ  ରାଷ୍ଟ୍ରର ପ୍ରଥମ ଆକ୍ରମଣ ହୋଇଥିଲା। ସମ୍ପାଦକଙ୍କ ବିରୁଦ୍ଧରେ ସେତବେଳ ’ରାଜଦ୍ରୋହ’ ଅଭିଯୋଗ କରାଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ବାଲ୍‌ ଗଙ୍ଗାଧର ତିଲକ(କେଶରୀ) ଓ ଗାନ୍ଧୀଙ୍କ (ୟଙ୍ଗ ଇଣ୍ଡିଆ) ବିରୁଦ୍ଧରେ ରାଜଦ୍ରୋହ ମାମଲା ଲଗାଯାଇ ଯେଉଁ ଦଣ୍ଡ ବିଧାନ କରାଯାଇଥିଲା ତାହା ମଧ୍ୟ ଜାତୀୟ ପ୍ରେସ୍‌ ସ୍ଵାଧୀନତା ବିରୁଦ୍ଧରେ ଅଭିପ୍ରେତ ଥିଲା।

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତରୁ ବ୍ରିଟିଶ୍‌ ଶାସନ ହଟିଗଲା। ଦେଶ ସ୍ଵାଧୀନ  ହେଲା ଓ ୧୯୫୦ ମସିହାରେ ଆମେ ଗଣତାନ୍ତ୍ରିକ ବ୍ୟବସ୍ଥା ଆପଣାଇବା ପାଇଁ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ‘we the people’  ବ୍ୟବସ୍ଥା ଆପଣାଇଲୁ। କିନ୍ତୁ ଆମେ ଜନଗଣ ଆଜିବି ସ୍ଵାଧୀନ କି ବୋଲି ପ୍ରଶ୍ନ ନିଜକୁ ଅନେକ ଥର ପଚାରିଛୁ; ଆଉ ଏହାର ପ୍ରସଙ୍ଗିକତା ବି ରହିଛି।

ସମ୍ବିଧାନ କାର୍ଯ୍ୟକାରୀ ହେବା ବର୍ଷ କଥା ଚିନ୍ତା କରାଯାଉ। ସେହିବର୍ଷ ‘କ୍ରସ୍‌ ରୋଡ୍‌’ ପରି ସାପ୍ତାହିକ ଇଂରାଜୀ ପତ୍ରିକା ଉପରେ ରାଷ୍ଟ୍ର ଆକ୍ରମଣ କରିଥିଲା। ଏହାର ପ୍ରକାଶନ ଉପରେ କଟକଣା ଲଗାଯାଇଥିଲା। ଅର୍ଥାତ୍‌ ଦେଶ ସ୍ଵାଧୀନ ହେଲେ ବି ଜନଗଣ ବା ଗଣମାଧ୍ୟମ ସ୍ଵାଧୀନ ନୁହେଁ।

ଯେହେତୁ ଗଣମାଧ୍ୟମର ସ୍ଵାଧୀନତା ସହ ଜନସାଧାନରଣଙ୍କ ସ୍ଵାଧୀନତା ଜଡ଼ିତ ଏପରିକି ଏ ଦୁଇଟି ବିଷୟ ଅଭିନ୍ନ, ଏଣୁ ଯେତେବେଳେ ଭାରତୀୟ ସାମ୍ବିଧାନିକ ସଭାରେ ପ୍ରେସ୍‌ ସ୍ଵାଧୀନତା ଶୀର୍ଷକ ଦାବି ଉଠିଲା ସେତେବେଳେ ଡକ୍ଟର ଆମ୍ବେଦକର କହିଲେ, ପ୍ରତ୍ୟେକ ବ୍ୟକ୍ତିର ବାକ୍‌ ଏବଂ ଅଭିବ୍ୟକ୍ତିର ସ୍ଵାଧୀନତା ରହିଛି। ଏହି ସ୍ଵାଧୀନତା ସହ ପ୍ରେସ୍‌ ସ୍ଵାଧୀନତା ଅଭିନ୍ନ ହୋଇଥିବାରୁ ’ପ୍ରେସ୍‌ ସ୍ଵାଧୀନତା’ ଶୀର୍ଷକ  ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଆବଶ୍ୟକ ନାହିଁ।

କିନ୍ତୁ ଆଜିର ପ୍ରେସ୍‌ ସ୍ଵାଧୀନତା କହିଲେ ଆଉ ଏକ ସ୍ଵରୂପ ପବଦାକୁ ଆସିଯାଏ। ଗୌରୀ ଲଙ୍କେଶଙ୍କ ଭଳି ସ୍ଵଧୀନଚେତା ସାମ୍ବାଦିକଙ୍କୁ ହିନ୍ଦୁ ଉଗ୍ରବାଦୀଙ୍କ ହତ୍ୟା ହେଉ ଅଥବା ଓଡ଼ିଶାର ଲକ୍ଷ୍ମଣ ଚୌଧୁରୀ, ଗୁଜରାଟର ସାମ୍ବାଦିକ ଭରତ ଦେଶାଇ, ଅସୀମଙ୍କ ଭଳି କାର୍ଟୁନିଷ୍ଟ ହୁହନ୍ତୁ ସେମାନଙ୍କ ବିରୋଧରେ ରାଜ ଦ୍ରୋହ ମାମଲା ରୁଜୁ କରାଯାଇଛି।

 

ସୀମିତ ସ୍ଵାଧୀନତାରେ ମାଲିକ ହିତାଧିକାରୀ

 

ଆଜି ନୂଆ ଅର୍ଥନୀତି ପ୍ରଚଳନ ଫଳରେ ଆଜିକାର ପ୍ରେସ୍‌ ବା ଗଣମାଧ୍ୟମ ମାଲିକମାନଙ୍କୁ ମୁଖ୍ୟତଃ ଶିଳ୍ପପତି ଆଖ୍ୟା ଦିଆଯିବା ସ୍ଵଭାବିକ। ଗଣମାଧ୍ୟମର ସ୍ଵାଧୀନତା ଯେତିକି ସୀମିତ ହେଉଛି ସେଥିରେ ଏହି ମାଲିକମାନେ ହିତାଧିକାରୀ ହୋଇଯାଉଛନ୍ତି। ଯେମିତିକି ଉଦାହରଣ ଦିଆଯାଇପାରେ, ଯେତେବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ‘ବଛାବତ ସମ୍ମାନ’ ହେଲା, ତା ବିରୁଦ୍ଧରେ ଜାତୀୟ ଗଣମାଧ୍ୟମର ମାଲିକମାନେ ସୁପ୍ରିମ୍‌କୋର୍ଟରେ ମାମଲା କଲେ। ଏହା ଗଣମାଧ୍ୟମର ସ୍ଵାଧୀନତା ଉପରେ ପରୋକ୍ଷରେ କଟକଣା ବୋଲି ସେମାନଙ୍କର ତର୍କ ଥିଲା। ସେହିଭଳି ନ୍ୟୁଜ୍‌ ପ୍ରିଣ୍ଟ ଦର ବୃଦ୍ଧିବେଳେ ମାଲିକମାନେ ଏହା ଗଣମାଧ୍ୟମର ସ୍ଵାଧୀନତାକୁ କ୍ଷୁଣ୍ଣ କରୁଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ।

୧୯୮୪, ଡିସେମ୍ବର ୬ ତାରିଖରେ ଭାରତ ସରକାର ଓ ଅନ୍ୟମାନେ ମାମଲାରେ ଏହି ତର୍କ ଉତ୍‌ଥାପନ କରାଯାଇଥିଲା। ଓ ତାହା ମୋଟାମୋଟି ମଧ୍ୟ ସର୍ବୋଚ୍ଚ ଅଦାଲତରେ ଗ୍ରହଣୀୟ ହୋଇଥିଲା। ଅବଶ୍ୟ ଗଣମାଧ୍ୟମର ସ୍ଵାଧୀନତାକୁ ଖର୍ବ କରିବା ପାଇଁ ରାଷ୍ଟ୍ରସତ୍ତା ପକ୍ଷରୁ କେତେକ ପରୋକ୍ଷ ପଦକ୍ଷେପ ନିଆଯାଉଛି। ତାହାକୁ ପ୍ରତିବାଦ କରିବା ଆବଶ୍ୟକ।

କିନ୍ତୁ ଆମ ଦେଶରେ ନୂଆ ଅର୍ଥନୀତି ପ୍ରଚଳନ ଫଳରେ ଗଣମାଧ୍ୟମ ଗୁଡ଼ିକର ଭୂମିକା ବହୁ ଅଂଶରେ ବଦଳି ଯାଉଛି। ରାଷ୍ଟ୍ରସତ୍ତାର ସ୍ଵାର୍ଥ ସହ ଗଣମାଧ୍ୟମଗୁଡ଼ିକ ମାଲିକମାନଙ୍କର ସ୍ଵାର୍ଥ ଯୋଡ଼ି ହୋଇଯାଇଛି। ବିଶେଷକରି ଯେଉଁମାନେ କି ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକ ସହ ମେଣ୍ଟ  କରିଛନ୍ତି ତାଙ୍କ ପାଇଁ ଏହା ପ୍ରଯୁଜ୍ୟ।

ଗଣମାଧ୍ୟମ ଆଜି ଜନଗଣଙ୍କ ପାଖରେ କେବଳ ଏକ ‘ଦ୍ରବ୍ୟ’ ଏବଂ ଜନସାଧରଣ ‘ଉପଭୋକ୍ତା’ ହୋଇଯାଇଛନ୍ତି। ଗଣମାଧ୍ୟମକୁ ଜନଗଣଙ୍କ ଅଧିକାର ଅପେକ୍ଷର ମାଲିକ-ଶିଳ୍ପପତିଙ୍କ ମୁନାଫା କମାଇବା କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । ସରକାର-କମ୍ପାନୀ ପ୍ରେସ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

 

ମେକ୍‌ ଇନ୍‌ ଓଡ଼ିଶା

 

ଏଠାରେ ଏକ ଉଦାହରଣ ଦିଆଯାଇପାରେ। ଆମ ରାଜ୍ୟରେ ୨୦୧୮ ମସିହା ନଭେମ୍ବର ୧୧ରୁ ୧୫ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜାପାନ ସରକାରଙ୍କ ସହାୟତାରେ ଜାରି ରହିଛି।  ଆଜି ଏହାର ଶେଷ ଦିନ। ବହୁ ଆଡ଼ମ୍ବରରେ ଏହାର ଉଦ୍‌ଘାଟନୀ ହେବା ସହ ଏହାର ପ୍ରତ୍ୟେକ ଦିନକୁ ସଜାଯାଇଛି। ଏଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ କାଁ ଭାଁ ଓଡ଼ିଶା କମ୍ପାନୀଙ୍କୁ ଦେଖିବାକୁ ମିଳିଥିଲା, ତାହା ପୁଣି ଅଛୁଆଁ ଭଳି। ଉଦ୍‌ଘାଟନୀ ଉତ୍ସବର ମଞ୍ଚରେ ଯେତେବେଳେ ଓଡ଼ିଆ ଶିଳ୍ପପତି ତାରା ପଟ୍ଟନାୟକଙ୍କ ଆବିର୍ଭାବ ହୋଇଥିଲା ଯେମିତି ତାହା ଏକ ଆଖିପଲକର ସମୟ ଥିଲା। ମଞ୍ଚରେ ତାଙ୍କୁ ଅଛୁଆଁ କରି ସଙ୍ଗେ ସଙ୍ଗେ ବିଦାୟ ଦେବା ବ୍ୟବସ୍ଥା ହୋଇଥିଲା। ଯେଉଁ କମ୍ପାନୀମାନେ ଆସିଛନ୍ତି, ସେମାନେ ଆମ ରାଜ୍ୟରେ ଜନଗଣଙ୍କର ବେକାରୀ ବା ଆବଶ୍ୟକୀୟ ଦ୍ରବ୍ୟ ଯୋଗାଇବା ପାଇଁ କ’ଣ ଉତ୍ପାଦନ କରୁଛନ୍ତି,ବା ସେମାନେ କେଉଁ ଖଣି ନେଇଛନ୍ତି ତା ଫଳରେ କେତେ ଆଦିବାସୀ, ଦଳିତ କୃଷକ କ୍ଷେତ୍ର ମୂଲିଆ ସର୍ବହରା ହୋଇଛନ୍ତି, ପରିବେଶ ସନ୍ତୁଳନ ପାଇଁ ସେମାନଙ୍କର ଭୂମିକା କ’ଣ ସେ ବିଷୟରେ ଆଲୋଚନା ହେଲା ନହିଁ।

ଗରିବ ଲୋକଟିଏ ଅଧିକ ଗରିବ କିପରି ରହିଲା ବେକାରୀ ହ୍ରାସ ପାଇଁ କ’ଣ ପଦକ୍ଷେପ ନିଆଗଲା ସେ ସମ୍ପର୍କରେ ସାମାନ୍ୟ ଆଲୋଚନା ହେଲା ନାହିଁ। ପରାମର୍ଶ କେହି ଦେଲେ ନାହିଁ କି ପ୍ରତିବାଦ ଉଠିଲା ନାହିଁ। ଖାଲି ଅମୁକ ଆସିଛନ୍ତି, ତାଙ୍କ ବାପାଙ୍କ ସହ ଅମୁକ ପଟ୍ଟନାୟକଙ୍କର ବନ୍ଧୁତା ଥିଲା, ଅମୁକ ପୁରୀ ମନ୍ଦିର ଗଲେ ତାଙ୍କ ସହ ସୁରକ୍ଷାକର୍ମୀ ଥିଲେ,. ଆଦି ଆଲୋଚନା ହେଲା। ସତେ ଯେପରି ତାଙ୍କରି ଆଗମନରେ ପୁରୀ ମାଟି ଧନ୍ୟ ହୋଇଗଲା! ଜଗନ୍ନାଥ ମନ୍ଦିରର ମହତ୍ତ୍ଵ ବଢ଼ିଗଲା! ଅର୍ଥାତ୍‌ ସମ୍ବାଦ ପ୍ରକାଶନ ଓ ପ୍ରସାରଣର ଆଭିମୁଖ୍ୟ ମଧ୍ୟ ବଦଳିଛି।

ଆଜିର ଯୁବପିଢ଼ି ପାଇଁ ଗାନ୍ଧି- ଭଗତସିଂହଙ୍କୁ ଆଦର୍ଶଭାବେ ଉପସ୍ଥାପନ କରାଯାଉ ନାହିଁ। ଅମୁକ କମ୍ପାନୀଙ୍କ ମାଲିକ, ସିଇଓ, ଚଳଚ୍ଚିତ୍ର ସେଲିବ୍ରିଟି, ଇତ୍ୟାଦିଙ୍କୁ ଲଭଳି ଗୁରୁତ୍ଵ ଦିଆଯାଉଛଇ ସତେଯେପରି ସେମାନେ ଯୁବ ପିଢ଼ିଙ୍କ ଆଦର୍ଶ! ଯାହାଫଲରେ ଯୁବ ପିଢ଼ି ଭିତରେ ସହଭାଗୀତା ଅପେକ୍ଷା ପ୍ରତିଦ୍ଵନ୍ଦ୍ଵିତା ଓ ବେଳେବେଳେ କୌଶଳେ କେବଳ ଅର୍ଥ ରୋଜଗାର ଆଭିମୁଖ୍ୟ ପ୍ରକ୍ରିୟାକୁ ଏହା ବଳ ଯୋଗାଉଛି।

 

ପ୍ରେସ୍‌ ଏଥିକ୍ସ

 

ଉତ୍ତେଜନା ଉଦ୍ରେକକାରୀ ଓ ଚାଞ୍ଚଲ୍ୟକର ସମ୍ବାଦ ଆହତ ଓ ନିହତ ସଂଖ୍ୟାକୁ ଶୀର୍ଷକ ସମ୍ବାଦର ତଳେ ରାଖାଯାଇପାରେ, ଆବଶ୍ୟକ ସ୍ଥଳେ ଉଦ୍ଧୃତ କମା ଭିତରେ ରଖାଯାଇପାରେ। ଶିରୋନାମାରେ ଯେକୌଣସି ଆରୋପକୁ ଉଦ୍ଧୃତ କମା ଭିତରେ ରଖାଯିବ, ‘ମତ ଓ ମନ୍ତବ୍ୟ, ରାୟ’ ସମ୍ବାଦ ପରିବେଷଣକୁ ବାରଣ କାରାଯାଇଛି। କୌଣସି ସମ୍ବାଦ ଉଦ୍ଦେଶ୍ୟପ୍ରଣୋଦିତ ଓ ପକ୍ଷପାତିତା ପୂଣ୍ଣ ବୋଲି ପ୍ରତ୍ୟୟ ସୃଷ୍ଟି କରିବାଭଳି ହେବ ନାହିଁ।

ସଂଯମ, ଭାଷା ଓ କୌଣସି ଗୋଷ୍ଠୀ ବା ଦଳ ମଧ୍ୟରେ ସଂହତି ନଷ୍ଟ ନ ହେଲାଭଳି ଭାଷା ପ୍ରୟୋଗ ହେବା ପ୍ରେୟୋଜନୀୟ। ଯଦି ଭୁଲ୍‌ ସମ୍ବାଦ ପରିବେଷଣ ହୋଇଛି ଯଥାଶୀଘ୍ର ଦୁଃଖ ପ୍ରକାଶ କରାଯିବା ଉଚିତ ବୋଲି ପ୍ରେସ୍‌ କାଉନ୍ସିଲ୍‌ ତରଫରୁ ପ୍ରଣୀତ କୋଡ୍‌ ଅଫ୍‌ ଏଥିକ୍ସରେ କୁହାଯାଇଛି।

ଏହି କୋଡ୍‌ ଅଫ୍‌ ଲଥିକ୍ସକୁ କେତେଦୂର ପାଳନ କରାଯାଉଛି, ତାହା ଗଣମାଧ୍ୟମର ମାଲିକ, ପ୍ରତିନିଧି ଓ ସଚେତନ ନାଗରିକ ମାନଙ୍କ ବିଚାର ଉପରେ ଛାଡ଼ି ଦିଆଯାଉଛି।

ଏଠାରେ ସ୍ମରଣ କରାଯାଇପାରେ ଯେ, ପ୍ରେସ୍‌ କାଉନ୍ସିଲ୍‌ ଆଇନର ଧାରା ୧୩(୨) ଖ ଅନୁସାରେ ପ୍ରେସ୍‌ କାଉନ୍ସିଲ୍ ପକ୍ଷରୁ ଏହି ଏଥିକ୍ସ ଜାରି କରାଯାଇଛି।

 

ସାମ୍ବାଦିକଙ୍କ ଦୂରବସ୍ଥା

 

ପ୍ରେସ୍‌ ସ୍ଵାଧୀନତା ଆଲୋଚନାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଦୂରବସ୍ଥା ମଧ୍ୟ ପ୍ରାସଙ୍ଗିକ। ବହୁତ ବଡ଼ ବଡ଼ ଗଣମାଧ୍ୟମରେ ପ୍ରତିନିଧିମାନଙ୍କୁ ବି ଠିକାରେ ବା ଭଡ଼ାରେ ନିଯୁକ୍ତି କରାଯାଉଛି। ସର୍ଭିସ୍‌ ନିୟମ ନାହିଁ। ଯେଉଁଠି ରହିଛି ସେଠାରେ ପାଳନ ହେଉନାହିଁ। ମାସିକ ବେତନ କମ୍‌ ଦିଆଯାଉଛି। ଏପରିକି ବହୁତ ପୁରାତନ ଓ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଭଳି ମାସିକ ବେତନ ଦିଆଯାଏ ଯେ, ଆଜିର ମହଙ୍ଗା ବଜାରରେ ତେ ଲୁଣ ସଂସାର ଚଳାଇବା ଅସୁବିଧା ହୁଏ। ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ମର୍ଯ୍ୟାଦାର ସହ ବଞ୍ଚିବା ପାଇଁ ବେତନ ଠିକଣା ସମୟ ଓ ଆବଶ୍ୟକ ପରିମାଣରେ ମିଳିବା ଆବଶ୍ୟକ। ଏହା ନହେଲେ ସେ ମଣିଷ ଭଳି ବଞ୍ଚିବାର ଅଧିକାରରୁ ବଞ୍ଚିତ ହେଉଛି, ସେ ଅନ୍ୟର ଅଧିକାର, ସାମ୍ବିଧାନିକ ମୂଲ୍ୟବୋଧ କଥା କହିବାକୁ ସମର୍ଥ ହେବ କେମିତି?

ଗଣମାଧ୍ୟମ ଅନୁଷ୍ଠାନମାନଙ୍କରେ ଯେଉଁମାନେ କାମ କରୁଛନ୍ତି ସେମାନେ ଯଦି ମଣିଷଭଳି ବଞ୍ଚିବା ପାଇଁ ବେତନ ନପାଇବେ ସେମାନେ ହତାଶା ଓ ଅସୁରକ୍ଷିତ ରହିବା ସ୍ଵଭାବିକ। କେବଳ ବେତନ ଦୃଷ୍ଟିରୁ ନୁହେଁ, ଅନେକ ସାମ୍ବାଦିକ ବନ୍ଧୁ ଅଛନ୍ତି, ଯେଉଁମାନେ ସେମାନଙ୍କ କାର୍ଯ୍ୟରୁ ସନ୍ତୁଷ୍ଟି ଲାଭ କରୁନାହାନ୍ତି। ସମ୍ପାଦନା ମଣ୍ଡଳୀ ଅପେକ୍ଷା ବିଜ୍ଞାପନ ବିଭାଗର ଗୁରୁତ୍ଵ, ମାଲିକଙ୍କ ଚାପଇତ୍ୟାଦି ସେମାନଙ୍କୁ ମଧ୍ୟ ହତୋତ୍ସାହିତ କରୁଛି। ଏହାଦ୍ଵାରା ସେମାନଙ୍କ ପେସାଦାର ସ୍ଵାଧୀନତା କ୍ଷୁଣ୍ଣ ହେଉଛି।

ଆମ ରାଜ୍ୟରେ ଅଧିକାଂଶ ଗଣମାଧ୍ୟମର ଯିଏ ମାଲିକ, ସିଏଲ ବି ସମ୍ପାଦକ। ସେମାନେ ସଂସଦୀୟ ରାଜନୀତିକ ଦଳରେ ନେତା। ଏପରିସ୍ଥଳେ ସେମାନେ ନିରପେକ୍ଷ ଭୂମିକା ଗ୍ରହଣ କରିବେ ବୋଲି କହିବା ଅସମ୍ଭବ।

ଅତଏବ ଗଣମାଧ୍ୟମର ସ୍ଵାଧୀନତା ଉପରେ ‘ରାଜଦ୍ରୋହ’, ମାନହାନୀ ମାମଲା ରାଷ୍ଟ୍ରସତ୍ତାର ଅଙ୍କୁଶ, ମାଲିକର ମୁନାଫା, ଲାଳସା ସହ ସାମ୍ପ୍ରଦାୟିକ ହିଂସାର ଶିକାର, ମାଫିଆଙ୍କ ଆକ୍ରମଣ ଭଳି ଅନେକ ପ୍ରତିବନ୍ଧକ ରହିଛି। ଏଣୁ ଜନଗଣ ସେମାନଙ୍କର ଅଧିକାର ପାଇଁ ଯେଉଁ ଲଢ଼େଇ କରୁଛନ୍ତି ସେହି ଲଢ଼େଇ ସହ ଗଣମାଧ୍ୟମର ଫଟୋଗ୍ରାଫରଙ୍କଠାରୁ ଆରମ୍ଭ କରି ଡିଟିପି ଅପରେଟର, ସାମ୍ବାଦିକମାନେ ସାମୁହିକଭାବେ ସାମିଲ୍‌ ହେବାରେ ଗଣମାଧ୍ୟମର ସ୍ଵାଧୀନତା ଅନ୍ତର୍ନିହିତ।

ପ୍ରତିବାଦ ହେଉଛି ଭିନ୍ନମତର ଅମ୍ଳଜାନ ସଦୃଶ। ଭିନ୍ନମତ ଗଣତନ୍ତ୍ରର ଆତ୍ଵା। ଭିନ୍ନମତକୁ ସମ୍ମାନ ଦେବା ସହ ଗଣମାଧ୍ୟମର ସ୍ଵାଧୀନତା ସମ୍ପୂଣ୍ଣ ଜଡ଼ିତ। 

advt
< a href= "#">