କାର୍ଯ୍ୟରତ ସାମ୍ବାଦିକ ମଙ୍ଗଳ ଯୋଜନାରେ ବାଛ ବିଚାର

1
511

ଭୁବନେଶ୍ୱର, (ଓଟି): ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଚିନ୍ତା କରି ସ୍ୱାସ୍ଥ୍ୟବୀମା ଯୋଜନା ଘୋଷଣା କରିଛନ୍ତି । ୨ ଲକ୍ଷ ଟଙ୍କାର ବୀମା କାର୍ଡ଼ ସହ ଯଦି କିଛି ଜଟିଳ ଚିକିତ୍ସା ପାଇଁ ଏହାଠୁ ଅଧିକ ଖର୍ଚ୍ଚ ପଡ଼େ ତାହାକୁ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହିକ୍ରମରେ ବୀମା କାର୍ଡ଼ ବଣ୍ଟନ ବି ଆରମ୍ଭ ହୋଇସାରିଲାଣି । ଏହାଛଡ଼ା ଗାଡ଼ି, ଘର କିଣିବା ଲାଗି କିଛି ସୁଧ ରିହାତି ସହ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ କ୍ଷତିପୂରଣ ଦେବାକୁ ଯୋଜନା କରିଛନ୍ତି । ତାଙ୍କ ପିଲାମାନଙ୍କ ପାଠ ପଢ଼ାପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ଯୋଜନାସବୁକୁ ନେଇ ଏବେ ବିଶେଷଚର୍ଚ୍ଚା ଜାରି ରହିଛି ସାମ୍ବାଦିକଙ୍କ ମହଲରେ । ସବୁ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଏଥିଲାଗି ଭିଡ଼ ଜମୁଛି । ମୁଖ୍ୟମନ୍ତ୍ରୀ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଭେଟି ସାମ୍ବାଦିକମାନେ ନିଜର ସନ୍ତୋଷ ବ୍ୟକ୍ତ କରୁଛନ୍ତି । ବିଭିନ୍ନ ଆଡ଼ୁ ସାଧାରଣ ଜନତା ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଏପରି ଯୋଜନାର ଫାଇଦା ପାଇଁ ଚେଷ୍ଟା ବି କରୁଛନ୍ତି । ଏଠାରେ କିନ୍ତୁ ଗୋଟିଏ ମୌଳିକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଯେ, ଏଠାରେ କାର୍ଯ୍ୟରତ ସାମ୍ବାଦିକ କିଏ?

କୌଣସି ନ୍ୟୁଜ୍‍ପେପର ବା ଟିଭି ଅଥବା ନ୍ୟୁଜ୍‍ ପୋର୍ଟାଲ୍‍ରେ କାମ କରୁଥିବା ବ୍ୟକ୍ତି ନା ସମ୍ବାଦ ସଂଗ୍ରହ ଲେଖା ଓ ପରିବେଷଣ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ସାମ୍ବାଦିକ ଆଖ୍ୟା ପାଇବେ? ନା ଯେଉଁ ବ୍ୟକ୍ତି ବିଶେଷଙ୍କୁ ଭୁଲ୍‍ ସମ୍ବାଦ ପରିବେଷଣ ପାଇଁ ନ୍ୟାୟାଳୟକୁ ଟଣା ଯାଇପାରିବ ଅଥବା ଯେଉଁମାନେ ସମ୍ବାଦ ପରିବେଷଣ ପାଇଁ ଉତ୍ତରଦାୟୀ ସେମାନେ ସାମ୍ବାଦିକ?

ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କ ସମ୍ବନ୍ଧରେ ଲିଖିତ ଗଣଯୋଗାଯୋଗ ପୁସ୍ତକ ଗୁଡ଼ିକରେ “ସାମ୍ବାଦିକ’ର ସଂଜ୍ଞାକୁ ବିଭିନ୍ନ ପ୍ରକାରେ ବ୍ୟାଖ୍ୟା କରାଯାଇଛି । ଏସବୁକୁ ସରଳ କରିବା ପାଇଁ କିଛି ବିଷୟକୁ ଏଠାରେ ଆଲୋଚନା କରାଯାଇପାରେ ।

ୱିକିପିଡିଆର ସଂଜ୍ଞା ଅନୁସାରେ ସାମ୍ବାଦିକ ସିଏ- ଯିଏ ସର୍ବସାଧାରଣଙ୍କୁ ନ୍ୟୁଜ୍‍ ବା ସଦ୍ୟତମ ସୂଚନା ସଂଗ୍ରହ କରେ, ଲେଖେ, ବା ବଣ୍ଟନ କରେ ।

ଏ ସଂଜ୍ଞାଟି ଏକ ବିଶାଳ କ୍ଷେତ୍ରକୁ ବର୍ଣ୍ଣନା କରେ । ଯେଉଁଥିରେ ଖବରକାଗଜ, ଟେଲିଭିଜନ୍‍ ଓ ରେଡିଓ ତଥା ନ୍ୟୁଜ ମିଡିଆ ସହ ବିଭିନ୍ନ ବାଟରେ ସଂଯୁକ୍ତ ବ୍ୟକ୍ତି, ସର୍ବସାଧାରଣଙ୍କୁ ସାମ୍ବାଦିକର ମର୍ଯ୍ୟାଦା ଦିଏ ।

କେମ୍ବ୍ରିଜ୍‍ ଡିକ୍ସନାରୀ ଅନୁସାରେ ସାମ୍ବାଦିକ ସିଏ- ଯିଏ ଖବରକାଗଜ, ମ୍ୟାଗାଜିନ୍‍ରେ ନ୍ୟୁଜ୍‍ ଲେଖନ୍ତି ବା ଟେଲିଭିଜନ୍‍ରେ ନ୍ୟୁଜ୍‍ ପ୍ରସାରଣ କରନ୍ତି ।

ଏହି ଦୁଇ ସଂଜ୍ଞାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ସ୍ୱାଧିନ ଭାବରେ ବା ଠିକା ଭିତ୍ତିରେ ଅଥବା ନିୟମିତ ଭାବେ କେହି ଜଣେ ଖବରକାଗଜ, ମ୍ୟାଗାଜିନ୍‍ ବା ଟେଲିଭିଜନ୍‍ ଓ ରେଡିଓରେ ନ୍ୟୁଜ୍‍ ଲେଖୁଥିଲେ ବା ସଂଗ୍ରହ କରି ପ୍ରସାରଣ କରୁଥିଲେ ସେ ସାମ୍ବାଦିକ । ଏଥିରେ କ୍ୟାମେରାମ୍ୟାନ୍‍, ଫଟୋ ଜର୍ଣ୍ଣାଲିଷ୍ଟ, ରିପୋର୍ଟର, ଷ୍ଟ୍ରିଙ୍ଗର, ଏବଂ ଠିକା ରିପୋର୍ଟର ସାମ୍ବାଦିକ ଭାବେ ଗଣାଯିବେ ।

ପ୍ରଶ୍ନ ଉଠୁଛି ଖବର କାଗଜ ବା ଟିଭି ବା ରେଡିଓ ଶିଳ୍ପରେ ନ୍ୟୁଜ୍‍ ସହ ଯୋଡ଼ା ସମସ୍ତେ ସାମ୍ବାଦିକ କି? ଖବରକାଗଜ ଅଫିସରେ ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିବା ଏକ୍‍ଜିକ୍ୟୁଟିଭ୍‍ ବା ନନ୍‍ ଏକ୍‍ଜିକ୍ୟୁଟିଭ୍‍ ସାମ୍ବାଦିକର ମର୍ଯ୍ୟାଦା ପାଇବ କି? କାରଣ  ତା’ର ବିନା ସହାୟତାରେ ଖବରକାଗଜ ପ୍ରସାରଣ ହୋଇପାରିବ ନାହିଁ । ଆମ ପାଖରେ ପହଞ୍ଚି ପାରିବ ନାହିଁ । ଖବରକାଗଜ ବିକୁଥିବା ଦୋକାନୀ ସାମ୍ବାଦିକ ମର୍ଯ୍ୟାଦା ପାଇବ କି?

ସେହିପରି ଟେଲିଭିଜନ୍‍ ଶିଳ୍ପରେ ଆଙ୍କରମାନଙ୍କୁ ସଜାଉଥିବା କର୍ମଚାରୀ ବା ମେକ୍‍ଅପ୍‍ ଆର୍ଟିଷ୍ଟମାନେ ସାମ୍ବାଦିକ ମର୍ଯ୍ୟାଦା ପାଇବେ ବି? ଡ୍ରାଇଭର, ଡିଏସ୍‍ଏନ୍‍ଜି ଭ୍ୟାନ୍‍ ଅପରେଟର, ସିଗ୍‍ନାଲ୍‍ ଇଞ୍ଜିନିୟର ଏମାନେ ସରକାରଙ୍କ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକ ମଙ୍ଗଳ ଯୋଜନାର ହିତାଧିକାରୀ ହୋଇପାରିବେ କି? ଏହିଭଳି ଅନେକ ପ୍ରଶ୍ନ ଉଠୁଛି । ଯାହାକୁ ନେଇ ସୂଚନା ଲୋକସମ୍ପର୍କ ବିଭାଗ ବା ସରକାର କେହି ସ୍ପଷ୍ଟ ନୁହନ୍ତି । ସେଥିପାଇଁ ପ୍ରତିଦିନ ଏମିତି ଅନେକ ଆବେଦନ ନିର୍ଦ୍ଧାରିତ ଅଫିସରେ ପହଞ୍ଚୁଛି ଯାହାଦ୍ୱାରା ରାଜ୍ୟରେ ସାମ୍ବାଦିକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ।

ପ୍ରେସ୍‍ କାଉନ୍ସିଲ୍‍ ଅଫ୍‍ ଇଣ୍ଡିଆ ଯଦିଓ ସାମ୍ବାଦିକ କିଏ ବୋଲି ସ୍ପଷ୍ଟ କରି ନାହିଁ, କିନ୍ତୁ ଜନସାଧାରଣଙ୍କୁ ଭୁଲ୍‍ ବା ଆକ୍ଷେପ ମୂଳକ, ମାନହାନୀ ସମ୍ବନ୍ଧୀୟ କୌଣସି ଅଭିଯୋଗ ଦାଖଲ କରିବାକୁ ହେଲେ ସମ୍ପୃକ୍ତ ଖବରକାଗଜର ପ୍ରକାଶକ, ସମ୍ପାଦକ ଏବଂ ନ୍ୟୁଜ୍‍ର ଲେଖକଙ୍କୁ ଦାୟୀ କରିଥାଏ । ଯଦିଓ ପ୍ରେସ୍‍ କାଉନ୍ସିଲ୍‍ ସମ୍ବାଦପତ୍ରମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ଗଠନ କରାଯାଇଥିଲା ଇଲେକ୍ଟ୍ରୋନିକ୍‍ ମିଡିଆ ଏବଂ ନ୍ୟୁଜ୍‍ ଏଜେନ୍ସୀରେ ମଧ୍ୟ ସମାନ ଧାରାକୁ ଆପଣାଯାଇଥାଏ । ଏହିକ୍ରମରେ ଯଦି ଆଇନ ଅନୁସାରେ କିଏ ସମ୍ବାଦ ପରିବେଷଣ ପାଇଁ ଉତ୍ତରଦାୟୀ ରହେ ସେ ହେଉଛି ସମ୍ପୃକ୍ତ ସମ୍ବାଦପତ୍ର ବା ଟେଲିଭିଜନ୍‍ ମିଡିଆର ସମ୍ପାଦକ, ସମ୍ପୃକ୍ତ ସମ୍ବାଦର ଲେଖକ ବା ସଂଗ୍ରାହକ ଏବଂ ତାହାର ପ୍ରକାଶକ । ଏଣୁ ସେମାନେ ସାମ୍ବାଦିକ ଯେଉଁମାନେ ଆଇନ ଅନୁସାରେ ଉତ୍ତରଦାୟୀ । ନ୍ୟୁଜ୍‍ ସୂତ୍ର ଦେଇଥିବା ବ୍ୟକ୍ତି, ତାହାକୁ ସଜାଇଥିବା ବ୍ୟକ୍ତି ବା ଟେକ୍ନିସିଆନ୍‍ଙ୍କୁ କେବେ କୋର୍ଟକୁ ଭିଡ଼ାଯାଇ ନଥାଏ ।

କିନ୍ତୁ ଓଡ଼ିଶା ସରକାର ତାହାକୁ ଅନେକାଂଶରେ ଉଲ୍ଲଂଘନ କରିଛନ୍ତି । ଯେଉଁ ୩୨୩୩ଟି ନାଁକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ କିଏ ସାମ୍ବାଦିକ କିଏ ଅଣ ସାମ୍ବାଦିକ, ତାଙ୍କର ନ୍ୟୁଜ୍‍ ସହ ସମ୍ପର୍କ ରହିଛି କି ନା, ନ୍ୟୁଜ୍‍ ପାଇଁ ସେମାନେ ଦାୟିତ୍ୱବାନ କି ନା ସେ ବିଷୟରେ କୌଣସି ଅନୁଶୀଳନ କରାଯାଇ ନାହିଁ । ଅପରପକ୍ଷେ ଯେଉଁ ଆବେଦନ ଫର୍ମ ପ୍ରକାଶ କରାଯାଇଛି ସେଥି ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ଘୋଷଣା କରାଯାଇ ନାହିଁ । ଅର୍ଥାତ୍‍ ରାଜ୍ୟରେ ଜନସଂଖ୍ୟା ବିସ୍ଫୋରଣ ଭଳି ସାମ୍ବାଦିକ ସଂଖ୍ୟାରେ ବିସ୍ଫୋରଣକୁ ସରକାର ଜାଣିଶୁଣି ପ୍ରଶ୍ରୟ ଦେଉଛନ୍ତି ।
ନ୍ୟୁଜ ସରବରାହ ସଂସ୍ଥା, ସମ୍ବାଦପତ୍ର, ଟେଲିଭିଜନ୍‍, ରେଡିଓରେ ସାମ୍ବାଦିକଟିର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଷ୍ଟାଫ୍‍ଙ୍କ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କାହାର ବିନା ଉପସ୍ଥିତିରେ ଖବରକାଗଜ ପ୍ରକାଶନ ବା ଟେଲିଭିଜନ୍‍ରେ ପ୍ରସରଣ ଏକ ପ୍ରକାର ଅସମ୍ଭବ । ଏଣୁ ଏ ସମସ୍ତଙ୍କ ପାଇଁ ସମ୍ପୃକ୍ତ କମ୍ପାନୀ ନିଜ ବ୍ୟବସ୍ଥା ଗ୍ରହଣ କରିବା ଦରକାର । ଯଦି ସରକାର ସମସ୍ତଙ୍କ ପାଇଁ ଚିନ୍ତିତ, ତାହା ସ୍ୱାଗତଯୋଗ୍ୟ କିନ୍ତୁ ଏ ଯୋଜନାର ଉଦ୍ଦେଶ୍ୟ କର୍ମଜୀବୀ ସାମ୍ବାଦିକଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି ନକହି ତାହାକୁ ଆଉ କିଛି ନାଁ ରେ ଅଭିହିତ କରିବା କଥା ।

Loading...