ଅନ୍ତର୍ଜାତୀୟ ମହିଳା ଦିବସ: ଆଜିବି ଦୂରରେ ମହିଳାଙ୍କ ସୁରକ୍ଷା ସ୍ଵପ୍ନ

0
19502
advertisement
ଲେଖକ ଜଣେ ସାମ୍ବାଦିକ ଏବଂ ସମସାୟିକ ଘଟଣା ବିଶ୍ଳେଷକ

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ
୯୯୧୦୭୪୦୮୩୯


କିଛିଦିନ ପୂର୍ବେ ନୂତନ ଭାରତୀୟ ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ଜଣେ ମହିଳା ଦୁଷ୍କର୍ମର ଶିକାର ହେଲେ ସେହି ଖବର ବହୁଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଶିରୋନାମାରେ ରହିଥାଏ । ମାତ୍ର ଦୁଷ୍କର୍ମକାରୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାର ଖବର ଗଣମାଧ୍ୟମର ଶୀରୋନାମାରେ ଶୀର୍ଷକ ପାଲଟିବା ପରିବର୍ତ୍ତେ ଅନେକ ସମୟରେ ଏହି ଦଣ୍ଡାଦେଶକୁ ବିରୋଧ କରୁଥିବା କେତେକ ବ୍ୟକ୍ତିବିଶେଷ ଓ ତାଙ୍କ ମତବାଦ ମୁଖ୍ୟ ଚର୍ଚ୍ଚା ପାଲଟିଯାଏ ।” ଯେତେବେଳେ ଦେଶର ଝିଅମାନଙ୍କ ପ୍ରତି ଯୌନ ହିଂସା କରିଥିବା ଅପରାଧୀମାନଙ୍କୁ ନିନ୍ଦିତ କରିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଦେଶର ପ୍ରଧାନମନ୍ତ୍ରୀ ଏପରି ମତ ପୋଷଣ କରୁଛନ୍ତି, ସେପରି କ୍ଷେତ୍ରରେ ଯେଉଁମାନେ ନୂତନ ଭାରତକୁ ଶିଶୁମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନାକୁ ଆଦୌ ସହନ କରାଯାଉନଥିବା ଏକ ଦେଶରୂପେ କଳ୍ପନା କରୁଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ଦୃଶ୍ୟମାନ ହେବା ସ୍ୱଭାବିକ । ପ୍ରଧାନମନ୍ତ୍ରୀ ମୋଦୀ ଏକଥା ଉପରେ ମଧ୍ୟ ଗରୁତ୍ୱ ଆରୋପ କରିଛନ୍ତି ଯେ ପ୍ରତ୍ୟେକ ଗଣମାଧ୍ୟମ ଯଦି ଯୌନହିଂସା ଅବା ଦୁଷ୍କର୍ମ ଭଳି ଅପରାଧ ପାଇଁ କଠୋର ଦଣ୍ଡକୁ ଆଶୁ ବିଚାର ଭାବେ ଗ୍ରହଣ କରେ ଏବଂ ମୃତ୍ୟୁଦଣ୍ଡକୁ ପ୍ରାଧାନ୍ୟ ଦିଏ ତେବେ ଏପରି ଅପରାଧ କରିବାର ଆଶଙ୍କା ଥିବା ବ୍ୟକ୍ତିମାନେ ଏଭଳି ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ ହେବାର ଆଶା ଅଧିକ ।
ଆକଳନ କରାଯାଉଛି ଯେ ଭାରତରେ ପ୍ରାୟ ୬୦ରୁ ୯୦ଲକ୍ଷ ପର୍ଯ୍ୟନ୍ତ ମହିଳା ବା ଝିଅମାନେ ଯୌନକାର୍ଯ୍ୟ ପାଇଁ ଚାଲାଣ ହୋଇ ଥାଆନ୍ତି । ବେଆଇନ ଯୌନ ବଜାରର ବର୍ଷିକ ବ୍ୟବସାୟ ପ୍ରାୟ ୩୫ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅଟେ । ତେଣୁ ଅପରାଧୀମାନଙ୍କ ସକାଶେ ଏହା ଏକ ଅତ୍ୟନ୍ତ ଲୋଭନୀୟ ବ୍ୟବସାୟ । ସେହି ଦେହ ବ୍ୟବସାୟ ଦଲାଲ ଅପରାଧୀମାନେ ଝିଅମାନଙ୍କୁ ଦ୍ରବ୍ୟଭାବେ ବେପାର କରନ୍ତି । ଝିଅମାନଙ୍କର ସହ ଯୌନକ୍ରିୟା କରିବାକୁ ଆଗ୍ରହୀ ପୁରୁଷମାନଙ୍କ ମନୋରଞ୍ଜନ ପାଇଁ ଏହି ଝିଅମାନଙ୍କୁ ବିକ୍ରୀ କରିଦିଆଯାଏ । ବିଶ୍ୱର ଉଦୀୟମାନ ଦେଶର ପରିଚୟ ହାସଲ କରିବାକୁ ଯାଉଥିବା ଯେ କୌଣସି ଦେଶ ପାଇଁ ଏପରି ପରିସଂଖ୍ୟନ ଏକ ଅତ୍ୟନ୍ତ ଲଜ୍ଜାକର ପ୍ରସଙ୍ଗ । ଏହି ବିପଦପ୍ରବଣ ଶିଶୁ ଓ ଝିଅମାନଙ୍କର ସୁରକ୍ଷା ପାଇଁ ପ୍ରକୃତ ଅପରାଧୀମାନଙ୍କ ବିରୁଦ୍ଧରେ ଆଇନର ବଳ ପ୍ରୟୋଗ କରିବାର ସମୟ କ’ଣ ଆସିନାହିଁ ?

ଜୁନିୟର ମାର୍ଟିନ୍ ଲୁଥର କିଙ୍ଗଙ୍କର ଗୋଟିଏ ବକ୍ତବ୍ୟ ବେଶ ପ୍ରସିଦ୍ଧ, ‘ଯେଉଁ ଦିନଠାରୁ ଆମକୁ ପ୍ରଭାବିତ କରୁଥିôବା ଆମ ଚାରିପଟର ଘଟଣାଗୁଡ଼ିକ ସମ୍ପର୍କରେ ଆମେ ନୀରବ ଅବଲମ୍ବନ ଆରମ୍ଭ କରିବା ସେହି ଦିନଠାରୁ ଆମ ଜୀବନର ଶେଷ ଆରମ୍ଭ ହୁଏ ।” ଏହା ହୁଏତ ଏକ ବିଡ଼ମ୍ବନାର ବିଷୟ ଯେ, ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ଜଣେ ବ୍ୟକ୍ତିଙ୍କର ଏହି ପ୍ରସିଦ୍ଧ ବକ୍ତବ୍ୟ ଏବେ ଭାରତ ପାଇଁ ସତ୍ୟ ବୋଲି ସାବ୍ୟସ୍ତ ହେବାକୁ ଯାଉଛି । ବିଶ୍ୱ ଓ ମାନବିକତା ହିସାବରେ ଆମେ ଏପରି ଏକ ପ୍ରସଙ୍ଗ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସିଛୁ ଯେଉଁ ସମ୍ପର୍କରେ ଆମେ ସଭ୍ୟତାର ପରବର୍ତ୍ତୀ ସମୟ ଠାରୁ ଦାବୀ କରିବା ଆବଶ୍ୟକ ଥିଲା । ଏହି ପ୍ରସଙ୍ଗ ହେଲା ବ୍ୟବସାୟ ଉଦ୍ଦେଶ୍ୟରେ ଶିଶୁ ଓ ଝିଅମାନଙ୍କର ଯୌନ ଶୋଷଣ ବା ସିଏସ୍‍ଇସି ।
ସି.ଏସ୍.ଇ.ସି. ଏପରି ବ୍ୟାଧି ଯାହା ଅର୍ଥ ପ୍ରତିବଦଳରେ ଶିଶୁମାନଙ୍କ ସହ ଯୌନକ୍ରୀଡ଼ା ସକାଶେ ଅତ୍ୟନ୍ତ ନିର୍ଲଜଭାବେ ଦାବୀ କରୁଥିବା କେତେକ ପରୁଷମାନଙ୍କ ପାଇଁ ପରିବ୍ୟାପ୍ତ ହୋଇଛି । ସମଗ୍ର ବିଶ୍ୱର ସଭ୍ୟ ମଣିଷ କହୁଥିବା ପ୍ରତିଟି ନାଗରିକ ଏହାର ବିରୋଧ କରିବା ଉଚିତ ଏବଂ ଏପରି ଘୃଣ୍ୟ ଅପରାଧର ଶିକାର ହେବାରୁ ଆମ ଶିଶୁ ଓ ଝିଅମାନଙ୍କୁ ରକ୍ଷା କରିବା ଆମର ନୈତିକ କର୍ତ୍ତବ୍ୟ ।
ନାବାଳକମାନଙ୍କ ସହ ଅର୍ଥଦେଇ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତିବିଶେଷମାନଙ୍କୁ ଏଥିରୁ ନିବୃତ୍ତ କରିବା କିପରି?
ଅଶୀ ଦଶକର ଆଦ୍ୟ ଭାଗରୁ ପାଲାମୁ ଜିଲ୍ଲାର (ଏହା ସଂପ୍ରତି ଝାରଖଣ୍ଡ ରାଜ୍ୟରେ ଅବସ୍ଥିତ) ନାବାଳକମାନଙ୍କ ସହ ଯୌନକ୍ରିୟାରେ ଲିପ୍ତ ଥିବା କେତେକ ଅମାନବୀୟ କାମୁକ ବ୍ୟକ୍ତିମାନଙ୍କୁ ଗରିଫ ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ସମ୍ବେଦନଶୀଳ ପ୍ରସଙ୍ଗ ଅନେକଙ୍କ ମନରୁ ଆଜିବି ଲିଭିନାହିଁ । ସେତେବେଳେ ସେହି ଅମାନବୀୟ ଅପରାଧୀମାନଙ୍କୁ ଏଭଳି ବିଭତ୍ସ ଅପରାଧରେ ଲିପ୍ତ ଥିବା ଅବସ୍ଥାରେ ହିଁ ଧରାଯାଇଥିଲା । ସେମାନଙ୍କୁ ଶିଶୁମାନଙ୍କ ସହ ଅଶୋଭନୀୟ ଅବସ୍ଥାରେ ହିଁ ଦେଖାଯାଇଥିଲା । ତେବେ ସମୟକ୍ରମେ ଅଜଣା କାରଣଗୁଡ଼ିକ ଯୋଗୁଁ, ଏହି ଅଭ୍ୟାସ ବଦଳି ଗଲାଣି ଏବଂ ଗ୍ରାହାକମାନଙ୍କୁ ନାବାଳକ ତଥା ନାବାଳିକାମାନଙ୍କ ସହ ବେଶ୍ୟାବୃତ୍ତି ଅପରାଧର ସାକ୍ଷୀ ହିସାବରେ ଆଜି ବିବେଚନା କରାଯାଉଛି ।
କେନ୍ଦ୍ର କ୍ୟାବିନେଟ୍ ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା ଆଇନ, ୨୦୧୨ (ପି.ଓ.ସି.ଏସ୍.ଓ) ରେ ସଂଶୋଧନ ଆଣିବାକୁ ଅନୁମୋଦନ କରିଛି । ୨୦୧୮ ମସିହାରେ କରାଯିବାକୁ ଥିବା ସଂଶୋଧନରେ ଧାରା ୪,୫ ଓ ୬କୁ ସଂଶୋଧନ କରାଯାଇ “”ପେନିଟ୍ରେଟିଭ ସେକ୍ସ”ର ବିକୃତ ରୂପ ପରି ଶିଶୁମାନଙ୍କ ସହ ଅପକର୍ମ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ଯୌନ ଶୋଷଣ କରିବାରୁ ଅପରାଧୀମାନଙ୍କୁ ନିବୃତ୍ତ କରବା ସକାଶେ ଅଧ୍ୟାଦେଶ ଆକାରରେ ଏହି ସଂଶୋଧନ ଅଣାଯାଇଥିଲା । ମାତ୍ର ସି.ଏସ୍.ଇ.ସି.ଅପରାଧଗୁଡ଼ିକ କମାଇବା କ୍ଷେତ୍ରରେ ଏହି ସଂଶୋଧନ ଫଳପ୍ରଦ ହେଲା ନାହିଁ । ଏହାଦ୍ୱାରା ଅର୍ଥ ଦେଇ ଶିଶୁମାନଙ୍କ ସହ ଯୌନ କ୍ରିୟା କରି ଆମୋଦ କରିବାକୁ ଚାହୁଁଥିବା ବିକୃତ ମାନସିକଧାରୀ ବ୍ୟକ୍ତିମାନଙ୍କର ଶୋଷଣର ଶିକାର ହେଉଛନ୍ତି ସମାଜର ଲକ୍ଷାଧିକ ଶୁଶୁ ଓ ଝିଅମାନେ। କଠୋର ଆଇନ୍ ଓ ଦଣ୍ଡବିଧାନର ଅଭାବରୁ ଏପରି ଅପରାଧୀମାନଙ୍କର ଅପରାଧ ସାମ୍ରାଜ୍ୟରେ ଅଙ୍କୁଶ ଲାଗିବା ସହଜ ହେଉନାହିଁ ।
କଡ଼ା ଆଇନ କିନ୍ତୁ ଆଇନ ଲାଗୁକରିବା କ୍ଷେତ୍ରରେ ବ୍ୟାପକ ଫାଙ୍କ ଶିିଶୁମାନଙ୍କ ପ୍ରତି ଘୃଣ୍ୟ ଯୌନ ଅପରାଧ ପାଇଁ ମୃତ୍ୟୁଦଣ୍ଡକୁ ନେଇ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଥାଇପାରେ, ମାତ୍ର ଏକଥାକୁ ନେଇ ସଭିଁଏ ଏକମତ ହେବେ ଯେ ଅଧିକ ଗିରଫଦାରୀ ହାର ଏବଂ ଉପଯୁକ୍ତ ଆଇନଗତ ବ୍ୟବସ୍ଥା ଅଧୀନରେ ମୋକଦ୍ଦମାଗୁଡ଼ିକର ତ୍ୱରିତ ବିଚାର କରାଗଲେ ଏହି କ୍ରମବିକାଶ ଯୌନ ବ୍ୟବସାୟ ଅପରାଧକୁ ପ୍ରତିହତ କରାଯାଇ ପାରିବ । ଏହା ଆଇନ୍କୁ ବଳବତ୍ତର କରିବା କ୍ଷେତ୍ରରେ ପୋଲିସ୍ ବ୍ୟବସ୍ଥାରେ ରହିଥିବା ଫାଙ୍କଗୁଡ଼ିକ ଯୋଗୁଁ ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଅଧିକ ସଫଳତା ହାସଲ କରିବା, ସର୍ବସାଧାରଣରେ ଅପରାଧୀମାନଙ୍କୁ ଲଜ୍ଜିତ କରାଇବା ଏବଂ ସମୟକ୍ରମେ ଅପରାଧୀମାନଙ୍କୁ ଏଥିରୁ ନିବୃତ୍ତ କରିବା ହୋଇ ପାରୁନାହିଁ ।


ମାନବ ଚାଲାଣ ବିରୋଧୀ ଏକକଗୁଡ଼ିକର ଦକ୍ଷତାହୀନତା
ମାନବ ଚାଲାଣ ନିରୋଧୀ ୟୁନିଟ(ଆଣ୍ଟି -ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍ – ଏ.ଏଚ. ଟି.ୟୁ) ୨୦୦୭ ମସିହାରେ ମିଳିତ ଜାତିସଂଘର ଡ଼୍ରଗ୍ସ ଓ ଅପରାଧ କାର୍ଯ୍ୟାଳୟ ପରୀକ୍ଷାମୂଳକ ଭାବେ ଭାରତର ପାଞ୍ଚଟି ରାଜ୍ୟରେ ଏ.ଏଚ୍.ଟି.ୟୁ ମାନ ସ୍ଥାପନ କରାଯାଇଥିଲା । ମାତ୍ର ଆଇନ୍ ବଳବତ୍ତର କରିବା ବ୍ୟବସ୍ଥାରେ ଏହି ସବୁ ୟୁନିଟର ପଦାଧିକାରୀମାନଙ୍କୁ ବିଧବଦ୍ଧଭାବେ ସାମିଲ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇନଥିଲା । ତେଣୁ ଏହି ୟୁନିଟରେ ଅବସ୍ଥାପିତ ବହୁ ପୋଲିସ କର୍ମଚାରୀ ଏହାକୁ ସେମାନଙ୍କ ପାଇଁ ଏକ ପଦୋନ୍ନତି କିମ୍ବା ଦଣ୍ଡବିଧାନ ବୋଲି ବିଚାର କରିବାର ଦ୍ୱନ୍ଦ ମଧ୍ୟରେ ଏହା ସଫଳ ହୋଇପାରିନଥିଲା ଦ୍ୱିତୀୟ ସମସ୍ୟା ହେଲା ଯେ ଏହି ଆଇନ ସମ୍ପର୍କରେ ସଚେତନତାର ଅଭାବ । ମାତ୍ର ଯାହା ସମସ୍ୟାକୁ ଅଧିକ ଜଟିଳ କରିଦେଉଛି ତାହା ପୋଲିସ ବିଭାଗର ଆଭ୍ୟନ୍ତରୀଣ ପ୍ରୋତ୍ସାହନ ବ୍ୟବସ୍ଥା । ଅଫିସରମାନଙ୍କୁ ହତ୍ୟା ଘଟଣା କିମ୍ବା ରେପ୍ ଘଟଣାର ସଫଳ ତଦନ୍ତ କରି ଅପରାଧୀମାନଙ୍କୁ ଧରିବା ସକାଶେ ଯଥେଷ୍ଟ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ମାନବ ଚାଲାଣକୁ ଦମନ କରିବା କିମ୍ବା ବ୍ୟବସାୟିକ ଯୌନ ଶୋଷଣକୁ ରୋକିବା ସକାଶେ ବସ୍ତୁତଃ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯାଏ ନାହିଁ ।
ତେବେ, ପି.ଓ.ସି.ଏସ୍.ଓ ଆଇନକୁ କାର୍ଯ୍ୟକାରୀ କରିବାକୁ ପଙ୍ଗୁ କରିଦେଉଥିବା ନକରାତ୍ମକ କାରଣ ହେଲା ରାଜନୈତିକ ଅଗ୍ରାଧିକାରର ଅଭାବ । ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ପୋଲିସ ବିଭାଗ ଏହି ଅପରାଧକୁ ନିର୍ମୂଳ କରିବା ପାଇଁ ନିଷ୍ଠାପରଭାବେ ଚାହୁଁଥିଲେ ମଧ୍ୟ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସ୍ତରରେ ସ୍ୱଳ୍ପ ରାଜନୈତିକ ଗୁରୁତ୍ୱ ଯୋଗୁଁ ଏହି ସମସ୍ୟାର ସାମ୍ନାସାମ୍ନି କରାଯାଇପାରିନାହିଁ । ଅଧିକନ୍ତୁ କେତେକ କ୍ଷେତ୍ରରେ ଏପରି ଅଭିଯୋଗମାନ ଆସୁଛି ଯେ ପୋଲିସ ଅଧିକାରୀ ଏବଂ ଅପରାଧୀମାନଙ୍କ ମଧ୍ୟରେ ସମ୍ପର୍କ ଆନୁଷ୍ଠାନିକ ଆକାର ନେଇସାରିଛି ।


ଆଗକୁ ବାଟ : ସଫଳ ଉଦ୍ୟମଗୁଡ଼ିକର ଅନୁସରଣ ତଥା ନିରନ୍ତର କାର୍ଯ୍ୟ
ପରିସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିଲେ ମଧ୍ୟ ଆମ ଦେଶରେ ଅନେକଗୁଡ଼ିଏ ସଫଳ ଉଦ୍ୟମର ଉଦାହରଣମାନ ମଧ୍ୟ ରହିଛି, ଯାହାକି ଏକଥା ପ୍ରମାଣିତ କରୁଛି ଯେ ନୀତି ନିର୍ଦ୍ଧାରଣ ତଥା ରୂପାୟନ କ୍ଷେତ୍ରରେ ନିରନ୍ତର ଫଳପ୍ରସୂ ପ୍ରୟାସ କରାଗଲେ ପରିସ୍ଥିତିରେ ଉନ୍ନତି ନିଶ୍ଚିତ ରୂପେ ହେବ । ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ଅନେକଗୁଡ଼ିଏ ପୋଲିସ ଟ୍ରେନିଂ କାର୍ଯ୍ୟକ୍ରମମାନ କରୁଛନ୍ତି ଯେଉଁଥିରେ ସେମାନଙ୍କୁ ଯୌନ ବ୍ୟବସାୟିକ, ଶିଶୁ ଯୌନ ଶୋଷଣର ଚାହିଦାକୁ କମାଇବା ପାଇଁ ଗ୍ରାହକମାନଙ୍କ ଗିରଫ କରିବା ସକାଶେ ତାଲିମ ଦିଆଯାଉଛି ।
ଉତ୍ତର ପ୍ରଦେଶର ମେରଠ ଜିଲ୍ଲା ନିକଟରେ ସେହି ଜୋନ୍ର ପୋଲସ ଅଧିକାରୀମାନଙ୍କ ପାଇଁ ପି.ଓ.ସି.ଏସ୍.ଓ ଆଇନ୍ ତଥା ଅନ୍ୟାନ୍ୟ ପ୍ରଜୁଯ୍ୟ ଆଇନ ଅନୁଯାୟୀ ବ୍ୟବସାୟିକ ଯୌନକ୍ରିୟା ପାଇଁ ଶିଶୁ ଦାବୀ କରୁଥିବା ଗ୍ରାହାକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସକାଶେ ମାର୍ଗଦର୍ଶିକାମାନ ପ୍ରସ୍ତୁତ କରାଯାଇଛି । ଦୋଷୀ ସାବ୍ୟସ୍ତ ହେବା ଓ ସର୍ବସାଧାରଣରେ ଲଜ୍ଜିତ ହେବା ଭୟ ଦ୍ୱାରା ଗ୍ରାହାକମାନଙ୍କୁ ସି.ଏସ୍.ଇ.ସି ପାଇଁ ପ୍ରତିହତ କରିବା ସକାଶେ ଆଇନଗୁଡ଼ିକୁ କଡ଼ା କଡ଼ି ଭାବେ ଲାଗି କରିବା, ଆଗୁଆ ଜଗିବା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଏକ ବାତାବରଣ ସୃଷ୍ଟି କରାଯିବା ଆବଶ୍ୟକ ଯାହାକି ଏହି ଅପରାଧର ଶିକାର ହୋଇଥିବା ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବ ।
ଅର୍ଥପାଇଁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହେବା ହେଉଛି ଏପରି ଏକ ଘୃଣ୍ୟ ଅପରାଧ ଯାହା ମଣିଷମାନଙ୍କ ଦ୍ୱାରା ଅନ୍ୟ ସାଧାରଣ ମଣିଷମାନଙ୍କ ଉପରେ ସଂଘଟିତ ହେଉଛି । ଏହା କ୍ଷମତା ଓ ଅର୍ଥ ଅପବ୍ୟବହାରର ପରିପ୍ରକାଶ । ପ୍ରଧାନମନ୍ତ୍ରୀଙ୍କର ଯୌନ ଅପରାଧକୁ ରୋକିବାର ଭାଷଣ ଯଦିଓ ବେଶ ଉଲ୍ଲେଖନୀୟ ତେବେ ଆଜିର ସମୟରେ କେବଳ ଭାଷଣ ଓ କାଗଜପତ୍ରରେ ନୁହେଁ ବରଂ ମାନସିକ ସ୍ତରରେ ସାମାଜିକ ସଂସ୍କାରର ଆବଶ୍ୟକତା ରହିଛି ।

ଏହି ଲେଖକଙ୍କ ଅଧିକ ଅନୁଶୀଳନଧର୍ମୀ ପାଠ ପାଇଁ କ୍ଲିକ୍‌ କରନ୍ତୁ

ପ୍ରଥମ ବିଶ୍ୱ ଯୁଦ୍ଧ : ଯୁଦ୍ଧ ତାଙ୍କର ଯୋଦ୍ଧା ଆମର ; ସଶସ୍ତ୍ର ବାହିନୀ…