୨୦୧୯ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୩କୁ ବୃଦ୍ଧି

୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକଙ୍କ ସଂଖ୍ୟା ୧୨ ଥିବାବେଳେ ଚଳିତଥର ଏହା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଚଳିତଥର ବିଧାନସଭାରେ ବିଜେଡିର ମହିଳା ବିଧାୟକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ରାଜ୍ୟରେ କ୍ରମାଗତ ପଞ୍ଚମଥର କ୍ଷମତାସୀନ ହେବାକୁ ଯାଉଥିବା ବିଜେଡି ଆଉ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଜେଡିର ସର୍ବାଧିକ ୧୨ଜଣ ମହିଳା ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଅନ୍ୟପକ୍ଷେ ବିଜେପିର କୁସୁମ ଟେଟେ ଏକମାତ୍ର ମହିଳା ବିଧାୟକ ଭାବେ ବିଜୟୀ ହୋଇଛନ୍ତି।

୨୦୧୪ ମସିହା ନିର୍ବାଚନରେ ବିଜେଡିର ୧୧ଜଣ ଓ ବିଜେପିର ଜଣେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡିର ୬ଜଣ ଓ କଂଗ୍ରେସର ଜଣେ ମହିଳା, ୨୦୦୪ ନିର୍ବାଚନରେ ବିଜେଡିର ୪ଜଣ,ବିଜେପିର ୫ଜଣ, କଂଗ୍ରେସର ୨ଜଣ ଓ ଜଣେ ସ୍ୱାଧୀନ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସେହିପରି ୨୦୦୦ ମସିହା ନିର୍ବାଚନରେ ବିଜେଡିର ୯ଜଣ, ବିଜେପିର ୨ଜଣ ଓ କଂଗ୍ରେସର ୩ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ୨୦୦୦ ମସିହାରେ ୧୪ଜଣ, ୨୦୦୪ରେ ୧୨ଜଣ ମହିଳା, ୨୦୦୯ରେ ୭ଜଣ ମହିଳା, ୨୦୧୪ରେ ୧୨ଜଣ ମହିଳା ବିଧାୟକ ଥିବାବେଳେ ୨୦୧୯ ନିର୍ବାଚନରେ ୧୩ଜଣ ମହିଳା ନିର୍ବାଚିତ ହୋଇଛନ୍ତି।

ବିଜେଡି ଏଥର ବିଧାନସଭା ନିର୍ବାଚନରେ ୧୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପଦ୍ମିନୀ ଦିଆନ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, ଟୁକୁନି ସାହୁ, ମୀନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ବ୍ରମ, ସୀମାରାଣୀ ନାୟକ, ସୁନନ୍ଦା ଦାସ, ପ୍ରମିଳା ମଲ୍ଲିକ, କେକ ସୂର୍ଯ୍ୟମଣି ବିଜୟୀ ହୋଇଛନ୍ତି। ଏଥିରେ ଉଷା, ସ୍ନେହାଙ୍ଗିନୀ, ଟୁକୁନି, ସୀମା ଓ ପ୍ରମିଳା ପୁନର୍ବାର ନିର୍ବାଚିତ ହୋଇଛନ୍ତି।

ଅପରପକ୍ଷରେ ଗତ ବିଧାନସଭାରେ ବିଜେପିର ଏକମାତ୍ର ମହିଳା ବିଧାୟକ ରାଧାରାଣୀ ପଣ୍ଡା ଏଥର ପରାଜିତ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା କୁସୁମ ଟେଟେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published.