ଆଜିର ଆହ୍ୱାନ : ମହିଳାଙ୍କ ଘରୋଇ ଶ୍ରମର ଅର୍ଥନୈତିକ ସ୍ୱୀକୃତି!

0
24574
advertisement
ବିଭୂତି ପତି
ସଫଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯



ଭାରତରେ ଗୃହ କାମରେ ନିଯୁକ୍ତ ହେଉଥିବା ଏବଂ ଶ୍ରମଦାନ କରୁଥିବା ପରିବାରର ମା, ଭଉଣୀ, ସ୍ତ୍ରୀ ଓ ଝିଅ ଏବଂ ମହିଳାମାନଙ୍କୁ କେବେ ମିଳିବ ସେମାନଙ୍କ ଶ୍ରମଦାନର ପ୍ରକୃତ ପାରିଶ୍ରମିକ ସ୍ୱୀକୃତି ଏହା ଆଜିର ଭାରତ ପାଇଁ ଏକ ଆହ୍ୱାନ। ମହିଳାଙ୍କ ପାରିଶ୍ରମିକ ମିଳୁନଥିବା ଗୃହ କାର୍ଯ୍ୟକୁ ପ୍ରକୃତ ଶ୍ରମଦାନ ରୂପେ ସ୍ୱୀକୃତି ଦେବା ଫଳରେ ଭାରତ କେବଳ ଜି.ଡି.ପି. ଅଙ୍କ କ୍ଷେତ୍ରରେ ଲାଭବାନ ହେବନାହିଁ, ବରଂ ଏହା ମହିଳାମାନଙ୍କୁ ମଧ୍ୟ ସଶକ୍ତ କରିପାରିବ ।

ପ୍ରତ୍ୟେକ ରାଜନୈତିକ ଦଳ, ସେମାନଙ୍କର ମହିଳା ଛାମୁଆ ସଂଗଠନ ଏବଂ ମହିଳା ରାଜନୈତିକ ନେତ୍ରୀ ଓ କର୍ମୀମାନେ ସବୁବେଳେ ମହିଳାମାନଙ୍କର ଉତ୍ଥାନ ପାଇଁ ମହିଳା ସଶକ୍ତିକରଣ, ମିଶନ ଶକ୍ତି ଓ ଉଜ୍ଜ୍ୱଳା ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମର ଘୋଷଣା କରନ୍ତି । କିନ୍ତୁ ଦୁଃଖ ଓ ଘୋର ପରିତାପର ବିଷୟ ହେଉଛି ସେମାନେ ଆଜିବି ଭାରତରେ ଘରୋଇ କାର୍ଯ୍ୟରେ ନିଯୁକ୍ତ ରହି ପରିବାରର ଭରଣ ପୋଷଣ ଓ ଲାଳନ ପାଳନ କରି ବିନା ମୂଲ୍ୟରେ ନିଜର ଶ୍ରମଦାନ କରୁଥିବା କୋଟି କୋଟି ମହିଳାଙ୍କୁ ସେମାନଙ୍କର ଏହି ଅକୁଣ୍ଠ ଶ୍ରମଦାନର ପ୍ରାପ୍ୟ ବା ମୂଲ୍ୟ ଦେବାକୁ କେବେ ଚେଷ୍ଟା କରିନାହାନ୍ତି । ଦୀର୍ଘ ୭୫ବର୍ଷ ପରେ ବି ଗୃହ କାର୍ଯ୍ୟରେ ବିନା ପାରିଶ୍ରମିକରେ ଶ୍ରମଦାନ କରୁଥିବା ଭାରତୀୟ ମହିଳାମାନଙ୍କର କାର୍ଯ୍ୟର ଅର୍ଥନୈତିକ ମୂଲ୍ୟାଙ୍କନ କରାନଯିବା ଦୁର୍ଭାଗ୍ୟର ବିଷୟ ।

ଏପରିକି ଦେଶ ଓ ରାଜ୍ୟର ଶାସନ କ୍ଷମତା ଦଖଲ କରି କ୍ୟାବିନେଟ୍ ଓ ରାଜ୍ୟ ପାହ୍ୟା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ହେଉଥିବା ମହିୟଷୀ ମହିଳା ଓ ପ୍ରଶାସନିକ ପଦବୀ ମଣ୍ଡନ କରି ଶାସନ କରୁଥିବା ମହିଳା ପଦାଧିକାରୀମାନେ ମଧ୍ୟ ଏ ବିଷୟରେ ଦୃଢ଼ଭାବେ ସ୍ୱର ଉତ୍ତୋଳନ ନକରିବା ନିଶ୍ଚିତ ଉଦ୍ବେଗର ବିଷୟ । ଅପରପକ୍ଷେ ମହିଳା ଗୃହିଣୀ ନିଜ ପରିବାରରେ ସବୁଠାରୁ ଅଧିକ ଶ୍ରମଦାନ କରି ନିଜ ଜୀବନକୁ ତିଳ ତିଳ କରି ତାର ଘର ସଂସାର ପାଇଁ ଜଳାଞ୍ଜଳି ଦିଏ । ତଥାପି ତା’ର ପ୍ରାପ୍ୟ ନମିଳୁଥିବା ଏହି ପୂଣ୍ୟ ଶ୍ରମଦାନକୁ ସମାଜ ବୁଝିନପାରିବା ଏବଂ ଏହାକୁ ନ୍ୟାୟ ଦେବାକୁ ପଦକ୍ଷେପ ଗ୍ରହଣ ନକରିବା ନିଶ୍ଚିତ ମହିଳା ସଶକ୍ତିକରଣ ଅବା ମିଶନ୍ ଶକ୍ତି ଭଳି ରାଜନୈତିକ ଯୋଜନାକୁ ଦିଗହରା କରିଦେଉଛି ।

ଏକ ଅର୍ଥନୀତିର କଲ୍ୟାଣକାରୀ ଭୂମିକା ସଂପର୍କରେ ମୁଖ୍ୟ ଧାରାର ବିଚାରରେ ଆଲୋଚନାର କେନ୍ଦ୍ରୀୟ ଫ୍ରସଙ୍ଗ ହେଲା – ଏକ ଦେଶର ମୋଟ ଘରୋଇ ଉତ୍ପାଦ (ଜି.ଡି.ପି) ତଥା ନିଯୁକ୍ତିର ପରିସଂଖ୍ୟାନ । ସଂଜ୍ଞା ମୁତାବକ ଗୋଟିଏ ଦେଶର ଜି.ଡି.ପି. ହେଲା ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଦେଶ ମଧ୍ୟରେ ଉତ୍ପାଦିତ ସମସ୍ତ ସମ୍ପୂର୍ଣ୍ଣ ହୋଇଥିବା ସାମଗ୍ରୀ ବା ସେବାର ବଜାର ମୂଲ୍ୟର ମୂଦ୍ରାଭିତ୍ତିକ ମାପ । ଅନ୍ୟ ପକ୍ଷରେ ନିଯୁକ୍ତିର ପରିସଂଖ୍ୟାନ ଗୋଟିଏ ବର୍ଷ ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ଦିନ ସକାଶେ କୌଣସି ରୂପର ନିଯୁକ୍ତି ପାଇଥିବା ନାଗରିକମାନଙ୍କର ସଂଖ୍ୟା ଗଣନା ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ ।

ଫ୍ରାନ୍ସର ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜିଙ୍କ ଦ୍ୱାରା ୨୦୦୯ରେ ଆହୂତ ଏକ ରିପୋର୍ଟରେ କୁହାଯାଇଛି “ଜି.ଡି.ପି.
ଅର୍ଥନୀତିର ସ୍ୱାସ୍ଥ୍ୟ ଜାଣିବା ପାଇଁ ଏକ ମାନଦଣ୍ଡ ରୂପେ ବ୍ୟବହୃତ ହେଉଥିବାରୁ ଲୋକେ କେତେ ଭଲ ଅଛନ୍ତି ସେ ସଂପର୍କରେ ଜି.ଡି.ପି. ଭ୍ରମାତ୍ମକ ସୂଚନା ଦେଇପାରେ ଯାହା କି ଭୁଲ ନୀତିଗତ ନିଷ୍ପତ୍ତିର କାରଣ ହୋଇପାରେ ।” ଅର୍ଥନୈତିକ କଲ୍ୟାଣ ସଂପର୍କିତ ଆଲୋଚନାରେ ଏହି ଦୁଇ ସୂଚକର କେନ୍ଦ୍ରୀୟ ଭୂମିକାର ଅର୍ଥ ହେଲା ଯେ ଅନେକ କ୍ଷେତ୍ରରେ ଭଲ ଜି.ଡି.ପି. ଅଭିବୃଦ୍ଧି ଏବଂ କମ୍ ବେକାରୀର ସ୍ଥିତି ଥିଲେ ସେହି ଦେଶ ସମୃଦ୍ଧ ହେଉଛି ଏବଂ ଏହାର ସମସ୍ତ ନାଗରିକ ଏହି ସମୃଦ୍ଧିରେ ଭାଗୀଦାର । ମାତ୍ର ସୂଚକ ରୂପେ ଏହି ଦୁଇଟି ଯାକ ସଂଖ୍ୟା ପ୍ରକୃତ ପରିସ୍ଥିତିର ବ୍ୟାଖ୍ୟାନ କରି ନ’ପାରେ, କାରଣ ଅନେକ ସମୟରେ ଏଗୁଡିକ ଯାହା ପରିପ୍ରକାଶିତ କରନ୍ତି, ତା’ଠାରୁ ଯଥେଷ୍ଟ ଅଧିକ କଥା ଲୁଚାଇ ପାରନ୍ତି । ଭଲ ଅଭିବୃଦ୍ଧିହାର ଏବଂ କମ୍ ବେକାରୀର ପରିସଂଖ୍ୟାନ ନିଶ୍ଚିତରୂପେ ଯେ ଦେଶର ସମସ୍ତ ନାଗରିକଙ୍କର ମଙ୍ଗଳ ହେଉଛି ବୋଲି ଦର୍ଶାଇବ ସେକଥା ନୁହେଁ ।

ପାରମ୍ପରିକ ଭାବେ ଏକ ପରିବାର ସଂପର୍କରେ ଭାରତୀୟମାନଙ୍କ ଚିନ୍ତାଧାରାରେ ଏକଥା ଧରି ନିଆଯାଏ ଯେ ପରିବାରର କେତେକକାର୍ଯ୍ୟ କେବଳ ମହିଳାମାନେ ହିଁ କରିବେ । ଏପରି କାର୍ଯ୍ୟମାନ ଘରର ଦେଖାରେଖା କରିବା, ରାନ୍ଧିବା, ସଫାସଫିକାମ କରିବା, ପିଲାମାନଙ୍କ ଯତ୍ନ ନେବା ଇତ୍ୟାଦି ହୋଇପାରେ ମାତ୍ର ଏକ ବୃହତ୍ତର ସଂଜ୍ଞାରେ ପରିବାରକୁ ବାନ୍ଧିରଖିବା ପାଇଁ ଆବଶ୍ୟକ ପଡୁଥିବା ଘଣ୍ଟା ଘଣ୍ଟ।।ର ମାନସିକ ଶ୍ରମ (ଭାବପ୍ରବଣତାର ଶ୍ରମ) ତଥା ମହିଳାମାନେ କ’ଣ କ’ଣ ସହିବା ଉଚିତ ଓ ଆଶା କରିବା ଉଚିତ ସେ ସଂପର୍କରେ ପୁରୁଷ କେନ୍ଦ୍ରୀକ ବିଚାରଧାରାକୁ ନେଇଚଳିବା ଇତ୍ୟାଦି କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ । ତେବେ ମହିଳାମାନେ ସାରାଦିନ ଘରେ ଯେତେ ଶ୍ରମ କରନ୍ତୁ ନା କାହିଁକି, ଅଧିକାଂଶ କ୍ଷେତ୍ରରେ ସେମାନଙ୍କର ଏହି ଶ୍ରମକୁ ନିତିଦିନିଆ କାମ ବୋଲି କହି ଆଡେଇ ଦିଆଯାଏ ଏବଂ ଜି.ଡି.ପି. ଆକଳନରେ ବ୍ୟବହାର କରାଯାଏ ନାହିଁ କି ନିଯୁକ୍ତି ସଂଖ୍ୟାର ହିସାବରେ ମିଶାଯାଏ ନାହିଁ ।

ଯେହେତୁ ଘରେ କରାଯାଉଥିବା କାର୍ଯ୍ୟ ଫଳରେ ବଜାର ପାଇଁ ସାମଗ୍ରୀ ଅଥବା ସେବା ପ୍ରସ୍ତୁତ କରେ ନାହିଁ, ଅଧିକାଂଶ କ୍ଷେତ୍ରରେ ଅର୍ଥନୀତି ବିଶାରଦମାନେ ସେମାନଙ୍କର ଗଣନାରେ ଏଗୁଡିକୁ ଅଣଦେଖା କରିଦିଅନ୍ତି । ଏହାର ଫଳସ୍ୱରୂପ ଭାରତରେ ମହିଳାମାନେ କରୁଥିବା କାର୍ଯ୍ୟର ଏକ ବିଶାଳ ଅଂଶକୁ ଶ୍ରମ ହିସାବରେ ସ୍ୱୀକୃତି ମିଳେନାହିଁ, ବରଂ ତାହାକୁ କର୍ତ୍ତବ୍ୟ ବୋଲି ମଣାଯାଏ । “ଯତ୍ନ ନେବା ଓ ବିନା ପାରିଶ୍ରମିକର ଶ୍ରମରେ ରହିଥିବା ଅସମାନତା, ଆନୁଷ୍ଠାନିକ ତଥା ନୀତି କ୍ଷେତ୍ରରେ ସ୍ଥାଣୁ ଅବସ୍ଥା, ପୁରୁଣା କାଳିଆ ସାଙ୍ଗଠନିକ ଢାଞ୍ଚା ଓ ଭେଦଭାବ ଯୋଗୁଁ ଏପରି ଅସଙ୍ଗତ ହେଉଛି ବୋଲି ଦର୍ଶାଗଲେ ମଧ୍ୟ ଆଉ ଏକ ମୁଖ୍ୟ କାରଣ ହେଲା ଶିକ୍ଷା କ୍ଷେତ୍ରରେ ମହିଳା ଓ ପୁରୁଷମାନେ ପଢୁଥିବା ପାଠର ତାରତମ୍ୟ” ବୋଲି ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ କୁହାଯାଇଛି ।

ବିଶେଷ କରି ଭାରତ ଏପରି ଏକ ଦେଶ ଯେଉଁଠାରେ ଏହି ପ୍ରକାରର କାରଣ ଟି ଅତ୍ୟନ୍ତ ଉତ୍କଟ । ମହିଳାମାନେ ଦୈନିକ ଘରୋଇ କାମ କରିବା ସକାଶେ ଅତି କମ୍ରେ ଦିନକୁ ୩୬୦ ମିନିଟ୍ କାର୍ଯ୍ୟ କରୁଥିବା ବେଳେ, ପୁରୁଷମାନଙ୍କ କ୍ଷେତ୍ରରେ ଏହା ମାତ୍ର ୫୧.୮ ମିନିଟ୍ । ଜଣେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ସକାଶେ ଏହା ଏକ ସମସ୍ୟା ରୂପେ ପ୍ରତୀତ ହେଉ ନ’ଥିଲେ ମଧ୍ୟ, ୧୩୦ କୋଟି ଜନସଂଖ୍ୟାର ଏକ ଦେଶରେ ୪୯% ର ମହିଳା ଜନସଂଖ୍ୟାର ଶ୍ରମକୁ ବାର୍ଷିକ ଜି.ଡି.ପି. ଗଣନାରେ ଅନ୍ତର୍ଭୁକ୍ତ କରାନ’ଯିବା ଅନେକଗୁଡିଏ ସମସ୍ୟା ସୃଷ୍ଟି କରୁଛି । “ବିଶ୍ୱବ୍ୟାପୀ ପାରିଶ୍ରମିକ ବିହୀନ କାର୍ଯ୍ୟର ଅନୁପାତ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ଅଧିକ । ମାତ୍ର ଭାରତ କ୍ଷେତ୍ରରେ ମହିଳାମାନେ ସେମାନଙ୍କ କାର୍ଯ୍ୟର ୬୦% ସକାଶେ କୌଣସି ପାରିଶ୍ରମିକ ପାଇ ନ’ଥାନ୍ତି” ବୋଲି ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ କୁହାଯାଇଛି । ୨୦୧୧ ଜନଗଣନାରେ ଘରୋଇ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ” କାର୍ଯ୍ୟ କରୁନ’ଥିବା ବ୍ୟକ୍ତିରୂପେ ଗଣନା କରାଯାଇଛି, ଯଦିଓ ୧୫.୯୯ କୋଟି ମହିଳା “ଘରକାମ”କୁ ସେମାନଙ୍କର ମୁଖ୍ୟ ବୃତ୍ତି ବୋଲି ଦର୍ଶାଇଛନ୍ତି ।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଅର୍ଥନୈତିକ ବିଶେଷଜ୍ଞମାନେ ତାଙ୍କର ଏକ ରିପୋର୍ଟରେ ପରାମର୍ଶ ଦେଇଛନ୍ତି ଯେ ଯଦି ଅର୍ଥନୈତିକ କାର୍ଯ୍ୟ କଳାପରେ ମହିଳାମାନଙ୍କର ଅଂଶଗ୍ରହଣକୁ ପୁରୁଷମାନଙ୍କର ସହ ସମାନ ସ୍ତରରେ ବିଚାର କରି ହିସାବ କରାଗଲେ ଭାରତ ତା’ର ଜି.ଡି.ପି.କୁ ୨୭% ବଢାଇ ପାରିବ ।

ବିନା ମଜୁରୀର ଶ୍ରମ

ମହିଳାମାନଙ୍କର “ବିନା ମଜୁରୀର ଶ୍ରମ’କୁ ସ୍ୱୀକୃତି ଦେବାର ଲାଭ ହେଲା ଯେ ବିଶ୍ୱ ସ୍ତରରେ ପାରିଶ୍ରମିକ ଦିଆଯାଉ ନ’ଥିବା ଘରୋଇ ଶ୍ରମର ମୂଲ୍ୟ ଜି.ଡି.ପି.ର ପ୍ରାୟ ୧୩% । ଅନ୍ୟପକ୍ଷରେ ଭାରତରେ ପାରିଶ୍ରମିକ ମିଳୁନଥିବା ଘରୋଇ କାର୍ଯ୍ୟ ବର୍ତ୍ତମାନ ଜି.ଡି.ପିର ପ୍ରାୟ ୪୦% । ମହିଳାମାନଙ୍କର ପରିଶ୍ରମକୁ ପ୍ରକୃତ ପକ୍ଷେ ଶ୍ରମ ବୋଲି ସ୍ୱୀକାର କରିବା ଦ୍ୱାରା ଜି.ଡି.ପି. ମୂଲ୍ୟ କ୍ଷେତ୍ରରେ ଭାରତ ଯେ ଯଥେଷ୍ଟ ଲାଭବାନ ହେବ ସେକଥା ପ୍ରମାଣ କରାଯିବାର ଆବଶ୍ୟକତା ନାହିଁ। ତେବେ ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଫଳରେ ଦେଶବ୍ୟାପୀ, ପରିବାର ସ୍ତରରେ ହେବାକୁ ଥିବା ମହିଳାମାନଙ୍କର ସଶକ୍ତିକରଣ ଦୃଢ଼ ହେବ ଏବଂ ବୃଦ୍ଧି ପାଇବ ।

ମହିଳାମାନଙ୍କର ଏଭଳି ବିନା ଆର୍ଥିକ ପରିଶ୍ରମର ଗୃହ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ହେଉଛି ମହିଳା ସଶକ୍ତିକରଣ ପ୍ରକ୍ରିୟାର ଏକ ମୁଖ୍ୟ ଆଧାର । ଭାରତର ୧୫କୋଟି ମହିଳାମାନଙ୍କର ମୌଳିକ ବୃତ୍ତିକୁ, ଯାହାକି କେବଳ ପରିବାର ନୁହେଁ ବରଂ ସାମଗ୍ରିକ ଭାବେ ରାଷ୍ଟ୍ରର ମଙ୍ଗଳ ପାଇଁ ଯୋଗଦାନ କରେ ପ୍ରକୃତ କାର୍ଯ୍ୟ ରୂପେ ସ୍ୱୀକୃତି ଦିଆଯିବା ଫଳରେ ମହିଳାମାନଙ୍କୁ ପରିବାରର ତଥା ସମାଜରେ ସେମାନଙ୍କର ସମାନତା ଦାବୀ କରିବାର ସୁଯୋଗ ସୃଷ୍ଟି କରୁବ । କାରଣ ପିତୃ କେନ୍ଦ୍ରୀକ ଭାରତୀୟ ପରିବାରରେ କେବଳ ପୁରୁଷମାନଙ୍କର ଶ୍ରମକୁ ସ୍ୱୀକୃତି ଦିଆଯାଏ ।

ପୁନଶ୍ଚ ମହିଳାମାନଙ୍କର ଏଭଳି ଶ୍ରମଦାନକୁ ଅର୍ଥନୈତିକ ସ୍ୱୀକୃତି ପ୍ରଦାନ କରାଯିବା ଦ୍ୱାରା ସାମଗ୍ରିକ ଭାବରେ ଶ୍ରମକୁ ବୁଝିବାରେ ସହାୟତା ମିଳିବ। କାରଣ ଆମ ସମାଜ ଓ ପରିବାରରେ ଶ୍ରମର ଏକ ବାସ୍ତବବାଦୀ ଅବଧାରଣା ପାଇଁ ସୁଯୋଗ ସୃଷ୍ଟି କରୁଛି ଯେ, ଶ୍ରମକୁ କେବଳ ବଜାର ବ୍ୟବସ୍ଥାରେ ଅର୍ଥନୈତିକ ଲାଭ ଯୋଗାଇଥିବା ସେବାର ମୂଲ୍ୟ ରୂପେ ଦେଖାଯାଉଛି । ମହିଳାମାନଙ୍କର ଗୃହକାର୍ଯ୍ୟ ଓ ପରିବାର ଶ୍ରମଦାନକୁ ଆର୍ଥିକ ସ୍ୱୀକୃତି ଦ୍ୱାରା ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ମହିଳା ସଶକ୍ତିକରଣକୁ ସଶକ୍ତ କରିବ ।

ଅନ୍ୟପକ୍ଷରେ ଏକ ଅତ୍ୟନ୍ତ ଅନ୍ତରଙ୍ଗତାର ସହ କରାଯାଇଥିବା ଶ୍ରମକୁ ଏହା ସ୍ୱୀକୃତି ପ୍ରଦାନ କରୁବ, ଯାହାକି ପରିବାରର ଏକକଙ୍କୁ ଏକଜୁଟ କରି ରଖିବା ସଙ୍ଗେ ସଙ୍ଗେ ଏହାକୁ କାର୍ଯ୍ୟକ୍ଷମ ମଧ୍ୟ କରିପାରିବ । ପାରିଶ୍ରମିକ ବିହୀନ ହୋଇ ମହିଳ ଶ୍ରମକୁ ଥରଟିଏ ସ୍ୱୀକୃତି ମିଳିଗଲେ ମହିଳାମାନେ ଏବାବଦକୁ ଖର୍ଚ୍ଚ କରିଥିବା ସମୟ ଓ ଶକ୍ତି ଆଧାରରେ ଅନ୍ତତଃ ଅନେକାଂଶରେ ସମାଜରେ ସମାନତା ଆସିପାରିବ ।

ମହିଳାମାନଙ୍କର ପାରିଶ୍ରମିକ ବିହୀନ ଘରୋଇ କାମକୁ ପ୍ରକୃତ କାର୍ଯ୍ୟ ରୂପେ ସ୍ୱୀକୃତି ଦିଆ ନ’ଗଲେ ମହିଳା ସଶକ୍ତିକରଣ, ମିଶନ୍ ଶକ୍ତି ଓ ଅନ୍ୟାନ୍ୟ ସରକାରୀ ମହିଳା ପ୍ରଗତିର ପ୍ରଚାରରେ ମହିଳାମାନେ ମୁଖ୍ୟ ଉପାଦାନ ହୋଇ ରହିବେ ନାହିଁ ଏବଂ ଏହା ବୁଝିବା ଦରକାର ଲିଙ୍ଗ ଭିତ୍ତିକ ନ୍ୟାୟ ପାଇଁ ଆହ୍ୱାନ କ୍ଷେତ୍ରରେ ଏହି ସ୍ୱୀକୃତି ପ୍ରଦାନ ମେରୁଖୁଣ୍ଟି ସଦୃଶ ।

ଐଶ୍ୱର୍ଯ୍ୟା ଜୱାଲଗେକର ତାଙ୍କର ପୁସ୍ତକ “ଫେମିନିଜିମ୍ ଇନ୍ ଇଣ୍ଡିଆ’ ଆଲେଖ୍ୟରେ ଦର୍ଶାଇଛନ୍ତି, “ଆମର ଏକଥା ସ୍ମରଣ ରହିବା ଉଚିତ୍ ଯେ ମହିଳାମାନେ ଘର ବାହାରେ ଚାକିରୀ / କାମ କରିବା ସକାଶେ ଶହ ଶହ ବର୍ଷ ଧରି ସେମାନେ କରି ଆସୁଥିବା ପାରିଶ୍ରମିକ ବିହୀନ ଘରୋଇ କାର୍ଯ୍ୟକୁ ପରିହାର କରିବା ଦ୍ୱାରା ସେମାନଙ୍କର ସଶକ୍ତିକରଣ କରାଯାଇ ପାରିବ ନାହିଁ । କାରଣ ଆଜିର ଦିନରେ ମଧ୍ୟ ମହିଳାମାନେ କାମ କରିବା ପାଇଁ ଘରୁ ବାହାରକୁ ପାଦ ବଢାନ୍ତି ଯେତେବେଳେ, “ଘର କାମ କିଏ କରିବ”ର ପ୍ରଶ୍ନ ସେତେବେଳେ ମଧ୍ୟ ଝୁଲୁଥାଏ । ଏବେ ମଧ୍ୟ ଘରାଇ କାର୍ଯ୍ୟ କୁ ଲିଙ୍ଗ ଭିତ୍ତିକ ଆଧାରରେ ବିଚାର କରାଯାଉଥିବାରୁ ଘର କାମର ଦାୟିତ୍ୱ ମୁଖ୍ୟତଃ ମହିଳାମାନଙ୍କ ଉପରେ ହିଁ ପଡିଥାଏ । ଏପରିକି କର୍ମଜୀବୀ ମହିଳାମାନେ ମଧ୍ୟ କର୍ମ କ୍ଷେତ୍ରରେ କାମ କରିବା ସହିତ ପରିବାରର ଲାଳନପାଳନ ପାଇଁ ନିଜକୁ ଲହୁ ଲୁହାଣ କରି ଗୃହକାର୍ଯ୍ୟ କରିଥାଏ ।

ଏହା ଫଳରେ ଏପରି ଧାରଣା ଅଧିକ ବଳ ପାଏ ଯେ, ମହିଳାମାନେ ଯେ କୌଣସି କାର୍ଯ୍ୟ କଲେ ମଧ୍ୟ ପରିବାରର ସନ୍ତାନ ସନ୍ତତି, ସ୍ୱାମୀ ଏବଂ ଅନ୍ୟନ୍ୟ ସଦସ୍ୟଙ୍କ ସେବା ତଥା ଗୃହକାର୍ଯ୍ୟ ପ୍ରତି ଶ୍ରମଦାନ କରିବାକୁ ଆମମାନଙ୍କ ସମାଜ ଏକ ବାଧ୍ୟତାମୂଳକ କାମ ବୋଲି ଧରି ନେଇଛି । ମହିଳାମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ଥିଲେ ମଧ୍ୟ ପରିବାର ପ୍ରତି ମାଗଣା ଶ୍ରମଦାନକୁ ଅଗ୍ରାଧିକାର ଆମ ସମାଜରେ ଦେଇଆସୁଛି । ଏହା ଯେତେଦିନ ପର୍ଯ୍ୟନ୍ତ ଆମ ସମାଜରେ ବଳବତ୍ତର ଥିବ ମହିଳା ପ୍ରଗତି ଓ ସଶକ୍ତିକରଣ ଭଳି ଯୋଜନା କେବଳ ପ୍ରତାରଣାରେ ଶକ୍ତିହୀନ ହୋଇଯିବ ।