ପ୍ରତି ନିର୍ବାଚନମଣ୍ଡଳୀରେ ରହିବ ମହିଳା ପୁଲିଂ ବୁଥ୍

0
44
advertisement

ଆଗାମୀ ନିର୍ବାଚନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଗୋଟିଏ କିମ୍ବା ଏକାଧିକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳନା ହେବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଆଜି ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ମୁକ୍ତ ଓ ଅବାଧ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତମାସ ୨୦ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଦୁଇଦିନ ଧରି ଓଡ଼ିଶାରେ ରହି ସାଧାରଣ ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ସହ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସଙ୍ଗେ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ଅଶୋକ ଲାଭାସ ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଲାଭାସ କହିଛନ୍ତି ଯେ, କେବଳ ଅଫିସର ପାହ୍ୟା ନୁହେଁ ସବୁସ୍ତରର ସରକାରୀ କର୍ମଚାରୀ ଯେଉଁମାନେ କି ଗୋଟିଏ ସ୍ଥାନରେ ୩ବର୍ଷ ଧରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବଦଳି ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ନିର୍ବାଚନ ସମୟରେ ଅର୍ଥ ବଳ ଓ ବାହୁ ବଳ ଉପଯୋଗ ହେବାର ଆଶଙ୍କା ଥିବା ରାଜନୀତିକ ଦଳଗୁଡ଼ିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ ପେଟ୍ରୋଲ ପମ୍ପ ମାଧ୍ୟମରେ ଭୋଟବେଳେ ଅର୍ଥ ସ୍ଥାନାନ୍ତର ହେବାର ଯେଉଁ ଅଭିଯୋଗ ଆସିଛି ସେଥିପ୍ରତି କମିଶନ ସ୍ୱତନ୍ତ୍ର ଦୃଷ୍ଟି ଦେବେ।

ତେବେ ଆର୍ଥିକ କାରବାରକୁ ରୋକିବା ପାଇଁ ପ୍ରଥମଥର ନିମନ୍ତେ ସ୍ୱତନ୍ତ୍ର ଆପ୍ କାର୍ଯ୍ୟ କରିବ। ଯାହାମାଧ୍ୟମରେ ଯେକେହି ନାଗରିକ ନିର୍ବାଚନରେ ଅର୍ଥ କାରବାର ସମ୍ପର୍କରେ ଅଭିଯୋଗ କରିପାରିବ। ଆଉ କମିଶନ ତା’ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବା ପାଇଁ କମିଶନ ଚଳିତଥର ପଦକ୍ଷେପ ନେଇଛନ୍ତି।

ଏହାବ୍ୟତୀତ ସାଧାରଣ ନିର୍ବାଚନରେ ଜିପିଏସଯୁକ୍ତ ସ୍କ୍ୱାଡ, ସର୍ଭେଲାନ୍ସ ଟିମ୍ ଓ ସୀମାରେ ଚେକିଂକୁ ଜୋରଦାର କରିବାକୁ ରାଜ୍ୟ ପ୍ରଶାସନକୁ କୁହାଯାଇଛି। ଚଳିତମାସ ୧୭ ଓ ୨୩ତାରିଖରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନୂଆ ଭୋଟର ପଞ୍ଜିକରଣ କାର୍ଯ୍ୟ କରାଯିବ।

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମୋଟ ୩୦୭୯୮ଟି ମତଦାନ କେନ୍ଦ୍ର ସ୍ଥାପନ ପାଇଁ ଚିହ୍ନଟ ହୋଇଛି। ଏସବୁ ମତଦାନ କେନ୍ଦ୍ରରୁ ମାତ୍ର ୬୩.୧୧%ରେ ବିଦ୍ୟୁତ ବ୍ୟବସ୍ଥା ଥିବାବେଳେ ୯୨.୭୮%ରେ ଶୌଚାଳୟ, ୯୮.୫୧%ରେ ପାନୀୟ ଜଳ ସୁବିଧା ଓ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ୯୨.୬୦% କେନ୍ଦ୍ରରେ ସୁବିଧା ରହିଛି। ତେବେ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଶତପ୍ରତିଶତ ମତଦାନ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନିମନ୍ତେ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାମାତ୍ରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ସରକାରୀ ହୋର୍ଡିଂ ଯେଭଳି ନରୁହେ ତାହା ରାଜ୍ୟ ପ୍ରଶାସନ ସୁନିଶ୍ଚିତ କରିବେ।