ରାଜନୀତିରେ ମହିଳାଙ୍କ ପ୍ରବେଶକୁ ଅସୂୟା କାହିଁକି?

ଦେଶରେ ମହିଳା ସଶକ୍ତିକରଣ କଥା କୁହାଯାଉଛି। କିନ୍ତୁ କୌଣସି ମହିଳା ଯଦି ରାଜନୀତିର ଶୀର୍ଷରେ ପହଞ୍ଚିଯାଉଛି ତେବେ ପୁରୁଷପ୍ରଧାନ ସମାଜକୁ କାହିଁକି ଏତେ ବାଧୁଛି। ଆମ ଦେଶରେ ରାଜନୀତି କ୍ଷେତ୍ରରେ ମହିଳାମାନେ ବହୁତ ବର୍ଷ ହେଲା ସକ୍ରିୟ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଲୋକସଭାର ବାୁସ୍ପତି ଭଳି ସାମ୍ୱିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପଦର ଗାରିମା ବୃଦ୍ଧି କରିଛନ୍ତି। କିନ୍ତୁ ଆଜି ଯଦି କୌଣସି ରାଜନୀତିରେ ପ୍ରବେଶ କରୁଛି ତେବେ ଲୋକମାନଙ୍କୁ କାହିଁକି କଷ୍ଟ ଲାଗୁଛି।

ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କାଙ୍କ ପରିବାରର ଅନେକ ପୀଢ଼ି ରାଜନୀତିରେ ରହିଛନ୍ତି। ତାଙ୍କ ପରିବାର ତିନି ତିନି ଜଣ ପ୍ରଦାନମନ୍ତ୍ରୀ ଦେଇଛି। କିନ୍ତୁ ସେ ଯେତେବେଳେ ରାଜନୀତିକୁ ପ୍ରବେଶ କଲେ ତାଙ୍କ ବିରୋଧରେ ଅଭଦ୍ର ଟିପ‍୍‌ପଣୀ ଲୋକମାନେ କରିବାରେ ଲାଗିଛନ୍ତି। ଏଭଳି ଅତ୍ୟନ୍ତ ଅଭଦ୍ର ଟିପ‍୍‌ପଣୀ ଯୋଗୁଁ ଜଣେ ବ୍ୟକ୍ତିକୁ ପୁଲିସ‍୍‌ ଗିରଫ କରିବାକୁ ବାଧ୍ୟ ହୋଇଛି।

ଏଭଳି ମାନସିକତା କେବଳ ପୟିୟଙ୍କା ଗାନ୍ଧୀଙ୍କୁ ନେଇ ନାହିଁ। ରାଜନୀତିରେ ଥିବା ସମସ୍ତ ମହିଳାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏନଡ଼ିଏ ସରକାରରେ ମନ୍ତ୍ରୀ ଥିବା ସ୍ମୃତି ଇରାନୀଙ୍କୁ ଲୋକମାନେ ପ୍ରାୟତଃ ଅଭଦ୍ର ଟିପ‍୍‌ପଣୀ କରି ଟାର୍ଗେଟ କରୁଛନ୍ତି। ସ୍ମୃତି ଇରାନୀଙ୍କର ରାଜନୀତିରେ ପ୍ରବେଶଠାରୁ ଆରମ୍ଭ କରି ମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅନେକ ଅଭଦ୍ର ଟିପ‍୍‌ପଣୀ କରାଯାଇଛି। ଏଭଳି ଟିପ‍୍‌ପଣୀ କୌଣସି ସାଧାରଣ ବ୍ୟକ୍ତି କରିନାହାନ୍ତି। ଏହା ବରିଷ୍ଠ ରାଜନେତାମାନେ କରିଛନ୍ତି। ଏହି ରାଜନେତାମାନେ ସ୍ମୃତି ଇରାନୀଙ୍କର ଚରିତ୍ରକୁ ନେଇ ଅ୍ରନେକ ସମାଲୋଚନା କରିଛନ୍ତି। କୌଣସି ମହିଲାଙ୍କୁ ତାଙ୍କ ସଫଳତା ପାଇଁ ଏଭଳି ମୂଲ୍ୟାଙ୍କନ କରିବା ଉଚିତ୍ କି?

ସ୍ମୃତି ଇରାନୀଙ୍କୁ ପ୍ରାୟତଃ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ବିରୋଧ କରିଥାନ୍ତି। ଶତ୍ରୁଘ୍ନ ସିହ୍ନା ନିଜେ ଜଣେ ଫିଲ୍ମ କଳାକାର। କିନ୍ତୁ ବିଭିନ୍ନ ଧାରାବାହିକରେ ଜଣେ ସଫଳ ଓ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସ୍ମୃତି ଇରାନୀ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହେବା ତାଙ୍କୁ ବେଶୀ ବାଧୁଛି। ତେଣୁ ଶତ୍ରୁଘ୍ନ ସିହ୍ନା ସବୁବେଳେ ସ୍ମୃତିଙ୍କ ଦକ୍ଷତାକୁ ସନ୍ଦେହପୂର୍ଣ୍ଣ ଚ୪ୁରେ ଦେଖିଥାନ୍ତି।

ଶତ୍ରୁଘ୍ନଙ୍କ ଅଶାଳୀନ ମନ୍ତବ୍ୟ

କିଛି ଦିନ ତଲେ ଏକ କାର୍ଯ୍ୟକ୍ରମ ସମୟରେ ଶତ୍ରୁଘ୍ନ ସିହ୍ନା କହିଥିଲେ, ‘୨୦୧୪ଚ ନିର୍ବାଚନରେ ମୁଁ ସବୁଠାରୁ ଅଧିକ ଭୋଟ ପାଇଥିଲି। ଏହାପରେ ବି ମୋତେ ମନ୍ତ୍ରୀ କରାଗଲା ନାହିଁ। କିନ୍ତୁ ଜଣେ ଟିଭି କଳାକାରଙ୍କୁ ମନ୍ତ୍ରୀ କରାଗଲା’।

ଜୟାପ୍ରଦା ବି ପୁରୁଷବାଦୀ ମାନସିକତାର ଶୀକାର

ସିନେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଜୟାପ୍ରଦା କିପରି ତାଙ୍କୁ ବଦନାମ କରାଯାଇଥିଲା ଏକ ସାକ୍ଷାତକାର ସମୟରେ ବର୍ଣ୍ଣନା କରିଛନ୍ତି। ରାଜନୀତିକୁ ଆସିବା ପରେ ଅମର ସିଂହଙ୍କ ସହିତ ତାଙ୍କ ନାମ ଯୋଡ଼ାଯାଇଥିଲା। ଜୟାପ୍ରଦାଙ୍କୁ ବିରୋଧି ଦଳ ସମେତ ତାଙ୍କ ପାର୍ଟିର ନେତାମାନେ ବଦନାମ କରିଛନ୍ତି। ଜୟାଙ୍କ କହିବା ଅନୁସାରେ, ‘ଯଦି ମୁଁ ଅମର ସିଂହଙ୍କୁ ରାକ୍ଷି ବାନ୍ଧେ ତେବେ ଲୋକମାନେ ଅପପ୍ରଚାର କରିବା ଛାଡ଼ିବେ ନାହିଁ। ମୋତେ ଅନେକ ଲୋକ ସାହାଯ୍ୟ କରିଛନ୍ତି। ଅମର ସିଂହ ମୋର ଗଡ଼ ଫାଦର। ଯେଉଁ ପରିସ୍ଥିତିରେ ମୁଁ ଜଣେ ମହିଳା ଭାବେ ନିର୍ବାଚନ ଲଢ଼ୁଥିଲି ସେ ସମୟରେ ମୋ ଉପରେ ଏସିଡ଼ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ମୋ ଜୀବନ ପ୍ରତି ବିପଦ ଥିଲା। ଯେତେବେଳେ ମୁଁ ଘରୁ ଯେତେବେଳେ ପଦାକୁ ଯାଏ ମା’କୁ କହିଥାଏ ଜୀବିତ ଫେରିବି କି ନାହିଁ କହିପାରିବି ନାହିଁ’।

ଜୟାପ୍ରଦା ଅଭିଯୋଗ କରି କହିଛନ୍ତି, ‘ଯେତେବେଳ ମୋ ଫଟୋ ଭାଇରଲ କରାଗଲା ସେତେବେଳେ ମୁଲାୟମ ସିଂହ ମୋତେ ଥରେ ବି ଫୋନ କରିନାହାନ୍ତି। ସେତେବେଳ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି’। ସେ ସମୟକୁ ମନେ ପକାଇ ଜୟପ୍ରଦା କୁହନ୍ତି, ‘ଅମର ସିଂହ ଡ଼ାଏଲିସିସରେ ଥିଲେ। ମୋ ଫଟୋକୁ କଦର୍ଯ୍ୟ କରାଯାଇ ବିଭିନ୍ନ ସ୍ଥାନରେ ବଣ୍ଟାଯାଇଥିଲା’।

ହେମା ମାଳିନୀଙ୍କୁ ମଧ୍ୟ ସମାଲୋଚନା

ବଲିଉଡ଼ର ଡ଼୍ରିମ ଗାର୍ଲ ହେମା ମାଳିନୀ ମଥୁରା ଲୋକସଭା ଆସନରୁ ସାଂସଦ ଅଛନ୍ତି। ହେମା ପ୍ରାୟତଃ ତାଙ୍କ ନୃତ୍ୟ ଉପରେ ଅଭଦ୍ର ଟିପ‍୍‌ପଣୀର ସାମନା କରିଥାନ୍ତି। କିଛି ଦିନ ତଳେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା କହିଥିଲେ, ବିଜେପିର ଦୁର୍ଭାଗ୍ୟ ତାଙ୍କ ଦଳରେ ସୁନ୍ଦର ଚେହେରା ନେତା ଅଛନ୍ତି ଯାହାଙ୍କୁ ଲୋକମାନେ ନାପସନ୍ଦ କରୁଛନ୍ତି। ହେମା ମାଳିନୀଙ୍କୁ ବିଭିନ୍ନ ଯାଗାରେ ଶାସ୍ତ୍ରୀୟ ନୃତ୍ୟ କରାଇ ଭୋଟ ହାସଲ କରିବାକୁ ଚେଷ୍ଠା କରୁଛନ୍ତି।

ଯେତେବେଳେ କୌଣସି ମହିଳା ରାଜନୀତିକୁ ଆସି ସାଂସଦ ନିର୍ବାଚିତ ହୁଅନ୍ତି ତେବେ ସେମାନେ ଏଭଳି ବିଭିନ୍ନ ପ୍ରକାରର ଅସୂୟା ସମାଲୋଚନାର ଶୀକାର ହୋଇଥାନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ମହିଳାମାନଙ୍କୁ ସେମାନଙ୍କ ଦକ୍ଷତା ଉପରେ କେବେ ଏ ସମାଜ ମୂଲ୍ୟାଙ୍କନ କରିବ? କୌଣସି ମହିଳାଙ୍କୁ ଦକ୍ଷତା ଥିବା ପରେ ବି ଏ ସମାଜ ସେମାନଙ୍କୁ କେବେ ସମ୍ମାନ ଦେବ ?

Leave a Reply

Your email address will not be published.