ଓଡ଼ିଶାରେ କାହିଁକି ବଢୁଛି ନୋଟା ଭୋଟ‌୍‍

ଅନେକ ନିର୍ବାଚନମଣ୍ଡଳୀରେ ଖେଳ ବିଗାଡିଦେଲା ନୋଟା

ରାଜ୍ୟରେ ଗତ ନିର୍ବାଚନ ତୁଳନାରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ‘ନୋଟା’ (ନନ‌୍‍ ଅଫ‌୍‍ ଦି ଏବଭ) ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାକି ଚିନ୍ତାର କାରଣ ହୋଇଛି। ଏହି ମତଦାତା ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଥିବାବେଳେ ବିଶେଷକରି ବିକାଶଠାରୁ ଦୂରରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ସର୍ବାଧିକ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି।

ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ୪୨.୭୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୩୮.୩୭ ପ୍ରତିଶତ ଓ କଂଗ୍ରେସ ୧୩.୧୮ ପ୍ରତିଶତ ଭୋଟ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନୋଟା ରେ ୧.୩୧% ଭୋଟ ପଡିଛି। ଏହି ଭୋଟ ସଂଖ୍ୟା ୩ ଲକ୍ଷ ୧୦ ହଜାର ୮୨୪ ବୋଲି ଜଣାପଡିଛି।

ନୋଟା ଭୋଟକୁ ଅନୁଧ୍ୟାନ କଲେ ଜଣାପଡିଛି ଯେ, ଅନେକ ନିର୍ବାଚନ ମଣ୍ଡଳୀରେ ନୋଟା ଭୋଟ‌୍‍ ବିଜୟୀ ଓ ପରାଜୟୀ ପ୍ରାର୍ଥୀ ଭିତରେ ଥିବା ପାର୍ଥକ୍ୟଠାରୁ ଅଧିକ ରହିଛି। ରାଜ୍ୟର ସବୁଠାରୁ ଅବହେଳିତ କୁହାଯାଉଥିବା ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୪୨,୯୦୦ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। କିନ୍ତୁ ଏଠାରେ ନୋଟା ଭୋଟ ସଂଖ୍ୟା ୪୪,୫୮୨ ରହିଛି।

ସେହିପରି ଅନ୍ୟ ଏକ ଅନୁନ୍ନତ ଅଞ୍ଚଳ କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ମାତ୍ର ୩,୬୧୩ ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ନୋଟା ଭୋଟ‌୍‍ ସଂଖ୍ୟା ବିଜୟୀ ପ୍ରାର୍ଥୀଙ୍କ ଆଗୁଆ ଥିବା ଭୋଟଠାରୁ ପ୍ରାୟ ୧୨ ଗୁଣରୁ ଅଧିକ। କୋରାପୁଟରେ ୩୬,୫୬୧ଟି ଭୋଟ ନୋଟାକୁ ଯାଇଥିବା ଜଣାପଡିଛି। ସେହିପରି ସମ୍ୱଲପୁରରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ୯,୧୬୨ ଖଣ୍ଡ ଭୋଟ‌୍‍ ଅଧିକ ପାଇ ବିଜୟୀ ହୋଇଛନ୍ତି। ଏଠାରେ ମଧ୍ୟ ନୋଟା ଭୋଟ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଭୋଟଠାରୁ ଅଧିକ।

ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ମତଦାତାମାନଙ୍କର ନୋଟା ଭୋଟହାର ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ଏହି ସବୁ ଜିଲ୍ଲାରେ ଥିବା ଲୋକସଭା ନିର୍ବାଚନମଣ୍ଡଳୀରେ ନୋଟା ଭୋଟ‌୍‍ ହାର ବୃଦ୍ଧି ପାଇଛି। ଏହି ଭୋଟ ପରିମାଣ ୧,୦୨୩୪୨ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି।

ମାଓବାଦୀ ଅଞ୍ଚଳରେ ଲୋକମାନେ ଏତେ ଶିକ୍ଷିତ ହୋଇନଥିବାରୁ ସେମାନେ କିପରି ନୋଟାଭୋଟକୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ପସନ୍ଦ କରିଛନ୍ତି ତାହା ରାଜନୀତିକ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ସମାଜ ବିଜ୍ଞାନୀମାନଙ୍କ କହିବା ଅନୁସାରେ ରାଜ୍ୟର ଅନୁନ୍ନତ ଅଞ୍ଚଳରେ ଏବେବି ମାଓବାଦୀଙ୍କ ପ୍ରଭାବ ଅତୁଟ ରହିଛି। ତେଣୁ ଆଦିବାସୀ ମତଦାତାମାନେ ମାଓବାଦୀଙ୍କ ପ୍ରରୋଚନାରେ ନୋଟା ଭୋଟକୁ ପସନ୍ଦ କରୁଛନ୍ତି। ଅପରପକ୍ଷରେ ରାଜନୈତିକ ଦଳମାନେ ଏହି ଅନୁନ୍ନତ ଅଞ୍ଚଳରେ ଯେଉଁ ପ୍ରାର୍ଥୀ ଛିଡା କରାଉଛନ୍ତି ସେମାନେ ଶିକ୍ଷିତ ଲୋକମାନଙ୍କର ପସନ୍ଦର ହେଉନଥିବାରୁ ସେମାନେ ମଧ୍ୟ ନୋଟାକୁ ଭୋଟ ଦେଉଥିବା ଆଲୋଚନା ହେଉଛି।

Leave a Reply

Your email address will not be published.