ମୋଦିଙ୍କୁ-ନବୀନଙ୍କର ଏବେ ପ୍ରଶଂସାର କାରଣ କ’ଣ ?

ବେଶୀ ଦୁରକୁ ଯିବା ନାହିଁ। ମାତ୍ର ୫ ମାସ ତଳେ ଯେଉଁ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଥିଲେ ସେହି ନବୀନ ଏବେ ପ୍ରଶଂସାରେ ପୋତି ପକାଉଛନ୍ତି। ଏପରିକି ଆଜ୍ଞାବହ ଛାତ୍ରପରି ମୋଦିଙ୍କ ପ୍ରତିଟି କଥାକୁ ମାନି ନେଉଛନ୍ତି। ନବୀନ ପଟ୍ଟନାୟକ ଏମିତି ବଦଳିଯିବେ, ତାଙ୍କ ନିଜ ଦଳରୁ ବି କେହି କଳ୍ପନା କରି ନଥିବେ।

ଗତ ଫେବୃଆରୀ ପହିଲାରେ ମୋଦି ସରକାରଙ୍କ ଅନ୍ତରୀଣ ବଜେଟକୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟୁ ସମାଲୋଚନା କରିଥିଲେ। ଏହି ବଜେଟକୁ ନବୀନ ୧୦ରୁ ଦେଇଥିଲେ ମାତ୍ର ଅଢ଼େଇ ମାର୍କ। ଅର୍ଥାତ ନବୀନଙ୍କ ଦୃଷ୍ଟିରେ କେନ୍ଦ୍ର ବଜେଟ ଫେଲଥିଲା। ଅନ୍ତରୀଣ ବଜେଟକୁ ନେଇ ସେ ଅତ୍ୟନ୍ତ ହତାଶ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଏବେ ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ କୁ ନବୀନ ପଟ୍ଟନାୟକ ସ୍ୱାଗତ ଓ ପ୍ରଶଂସା କରିଛନ୍ତି। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ନବୀନଙ୍କ ମୁହଁରୁ କେନ୍ଦ୍ର ବଜେଟ ବାବଦରେ ଏଭଳି ପ୍ରତିକ୍ରିୟା ଶୁଣିବାକୁ ମିଳିଛି। ହଠାତ ଏଭଳି ପରିବର୍ତ୍ତନର କାରଣ କ’ଣ?

ଓଡ଼ିଶା ସରକାରଙ୍କ ସ୍ଥାୟିତ୍ୱ ମୋଦିସରକାର କିମ୍ୱା ଭାରତୀୟ ଜନତା ପାର୍ଟି ଉପରେ ନିର୍ଭରଶୀଳ ନୁହେଁ। ୧୪୭ ଜଣିଆ ବିଧାନସଭାରେ ବିଜଦର ସଦସ୍ୟ ସଂଖ୍ୟା ୧୧୧। ପ୍ରାୟ ତିନି-ଚତୁର୍ଥାଂଶ ବିଧାୟକ ହେଉଛନ୍ତି ବିଜୁ ଜନତା ଦଳର। ଏହା ସେତ୍ତ୍ୱ କାହିଁକି ପୂର୍ବ ଆଭିମୁଖ୍ୟରେ ଏଭଳି ବିରାଟ ପରିବର୍ତ୍ତନ ଆଣିଛନ୍ତି ନବୀନ ପଟ୍ଟନାୟକ?

କେବଳ ବଜେଟ ପ୍ରଶଂସା ନୁହେଁ, ଅନ୍ୟ କେତୋଟି ଘଟଣା ସ୍ପଷ୍ଟ କରୁଛି ଯେ,କେଉଁଠି ନା କେଉଁଠି ନବୀନଙ୍କ ମନ ଭିତରେ ଏକ ଭୟ ଜମାଟ ବାନ୍ଧି ସାରିଛି। ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଟେକି ଦେଇଛନ୍ତି ନବୀନ ପଟ୍ଟନାୟକ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଚାଲୁ ରଖିବାକୁ କେନ୍ଦ୍ରର ନିଦ୍ଦେର୍ଶ ସେତ୍ତ୍ୱ କୌଣସି ହୋହାଲ୍ଲା ବିଧାନସଭା ଭିତରେ କି ବାହାରେ ଦେଖିବାକୁ ମିଳିଲା ନାହିଁ। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ, ନୀତି ଆୟୋଗରେ ଯୁକ୍ତି ବାଢ଼ିଥିଲେ, କିନ୍ତୁ ଏହାକୁ କେନ୍ଦ୍ର ଅଗ୍ରାହ୍ୟ କରିଦେବା ସେତ୍ତ୍ୱ କୌଣସି ପ୍ରତିକ୍ରିୟା ଶାସକ ଦଳ ଆଡ଼ୁ କିମ୍ୱା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦେଖିବାକୁ ମିଳିଲା ନାହିଁ।

ସାଧାରଣ ଲୋକଙ୍କୁ ବାଧିଲା ଭଳି ପେଟ୍ରୋଲ ଓ ଡିଜେଲ ଉପରେ ସେସ ବଢ଼ାଇ ଦେଇଛନ୍ତି ମୋଦି ସରକାର। ପେଟ୍ରୋଲ ଓ ଡିଜେଲର ଦାମ ଓଡ଼ିଶା ବଜାରରେ ଅଢ଼େଇ ଟଙ୍କା ବଢ଼ିଯାଇଛି। ସାଧାରଣ ଲୋକଙ୍କୁ ଏହା ବାଧିବ। କିନ୍ତୁ ବିରୋଧୀ ଓ ଏକ ଆଞ୍ଚଳିକ ଦଳର ମୁଖ୍ୟ ଭାବେ ନବୀନ ନିଜ ବଜେଟ ପ୍ରତିକ୍ରିୟାରେ ଏ ସମ୍ପର୍କରେ ପଦୁଟିଏ କହିନାହାଁନ୍ତି।

ପୂର୍ବରୁ ପେଟ୍ରୋଲ ଦର ସାମାନ୍ୟ ବଢ଼ିଲେ ବିଜୁ ଜନତା ଦଳର ଯୁବ ବାହିନୀ ରାସ୍ତାରେ ଆନ୍ଦୋଳନ କରୁଥିଲା। ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧିରେ ମହିଳା ମୋର୍ଚ୍ଚା ରାଜଭବନ ଆଗରେ ଧାରଣା ଦେଉଥିଲା। ମାତ୍ର ପେଟ୍ରୋଲ ଓ ଡିଜେଲ ଏକାବେଳକେ ପ୍ରାୟ ଅଢ଼େଇ ଟଙ୍କା ମହଙ୍ଗା ହେବା ସେତ୍ତ୍ୱ ଶାସକ ଦଳ ଆଡ଼ୁ କେହି ଜଣେ ଏହାକୁ ବିରୋଧ କରିବା ଦେଖିବାକୁ ମିଳିଲା ନାହିଁ।

ଏବେ ନବୀନ ଓ ବିଜେଡିର ରହସ୍ୟମୟ ପରିବର୍ତ୍ତନ। ୫ମାସ ଭିତରେ ନବୀନ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇ ମଧ୍ୟ ଏତେ ବଦଳିଗଲେ କେମିତି?

ରାଜନୀତିକ ମହଲର ଆଲୋଚନା ଅନୁସାରେ କୋଲ ବ୍ଲକ ଆବଣ୍ଟନରେ ସିବିଆଇ ପ୍ରସ୍ତୁତ କରିଥିବା ଫାଇଲ ଦେଖିବା ପରେ ନବୀନଙ୍କ ହୋସ ଉଡ଼ିଯାଇଛି। ନିର୍ବାଚନ ବେଳେ ଏକଥା ମଧ୍ୟ ଜଣାପଡ଼ିଥିଲା ଯେ, କୋଲ ବ୍ଲକ ଆବଣ୍ଟନରେ ତାଙ୍କୁ ଜେରା କରିଛି ସିବିଆଇ। ଏହାକୁ ନବୀନ ଲୁଚାଇ ରଖିଥିଲେ। କୋଲ ବ୍ଲକ ଆବଣ୍ଟନ ମାମଲାରେ ଅଭିଯୁକ୍ତ ତାଲିକାରେ ନବୀନ ଥିବା କଥା ଜଣାପଡ଼ିଥିଲା। ଏହି ଫାଇଲ ଦେଖିବା ପରେ ନବୀନ କେନ୍ଦ୍ରର ମୁକାବିଲା ପାଇଁ ପୂର୍ବ ସାହସ ହରାଇ ଦେଇଥିବା କୁହାଯାଉଛି।

Leave a Reply

Your email address will not be published.