ଚାଷୀଙ୍କୁ ସରକାରଙ୍କ ଏତେ ଭୟ କାହିଁକି ?

0
95

ଭୁବନେଶ୍ୱର,(ଓଟି): ଆଜି ରାଜଧାନୀରେ ଚାଷୀ ସମାବେଶ ହୋଇପାରିନାହିଁ। ସରକାର ଏତେ ଭୟଭୀତ ଯେ ଚାଷୀ ସମାବେଶ ଯେଭଳି ହୋଇନପାରେ, ସେଥିପାଇଁ ସବୁପ୍ରକାର ବନ୍ଦୋବସ୍ତ କରିଛନ୍ତି। ଜାତୀୟ ରାଜପଥରେ ୧୪୪ଧାରା ଜାରି ହେବା ସରକାରଙ୍କ ଭୟର ପ୍ରତିଫଳନ ହୋଇଛି। ତେଣେ ନବନିର୍ମାଣ କୃଷକ ସଂଗଠନର ଧମକ- ଯେମିତି ହେଉ ସମାବେଶ ହେବ।

ବିରୋଧୀ ଦଳ ଅପେକ୍ଷା ଚାଷୀଙ୍କୁ ସରକାର ଅଧିକ ଭୟ କରୁଛନ୍ତି ବୋଲି ଚାଷୀ ନେତାମାନେ ସରକାରଙ୍କୁ ବ୍ୟଙ୍ଗ କରି କହିଛନ୍ତି। ଏଣେ ଯେଉଁ ସଂଖ୍ୟା ଦେଖିବାକୁ ମିଳୁଛି ବିଭିନ୍ନ ରାଜପଥରେ, ତାହା ନିଶ୍ଚିତ ଭାବେ ସରକାରଙ୍କ ହୋସ ଉଡାଇଦେଇଛି। କାରଣଟି ହେଲା ଓକିଲ ଆନ୍ଦୋଳନ ଯୋଗୁ ଭାରି ଅପଦସ୍ତ ହୋଇସାରିଛନ୍ତି ସରକାର। ଓକିଲ ଆନ୍ଦୋଳନ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଠିକ୍ ଏହି ସମୟରେ ରାଜଧାନୀରେ ଚାଷୀଙ୍କ ଗର୍ଜନ ନବୀନ ସରକାରଙ୍କ କାନ ଅତଡା ପକାଇବାକୁ ଯଥେଷ୍ଟ। ସରକାର ତିତଲି ମୁକାବିଲାରେ ବିଫଳ ହୋଇଛନ୍ତି। ଠିକଣା ଲୋକଙ୍କୁ ରାସନକାର୍ଡ ମିଳୁନି। ଏଣେ ବିଭିନ୍ନ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଘଟଣା ବଢିଚାଲିଛି। ବିରୋଧୀ ଦଳ ଗୁଡିକ ଅଧିକ ସକ୍ରିୟ ହୋଇପଡିଛନ୍ତି। ଏପରି ଅବସ୍ଥାରେ ଚାଷୀ ସମାବେଶ ସାରା ରାଜ୍ୟରେ ସରକାରୀ ବିରୋଧୀ ବାତାବରଣକୁ ଆହୁରି ତେଜେଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା କରୁଛନ୍ତି। ସେଥିସକାଶେ ଚାଷୀମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଲାଗିପଡିଛନ୍ତି ସରକାର।

ନବନିର୍ମାଣ ସଂଗଠନର ଆନ୍ଦୋଳନ ବହୁ ପୁରୁଣା। କିନ୍ତୁ କେବେ ବି ଏହି ଚାଷୀ ଆନ୍ଦୋଳନ ସମୟରେ ହିଂସାକାଣ୍ଡ ଘଟିନାହିଁ। ଏହାର ପୃଷ୍ଠପୋଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟସଭା ଟିକଟ ଦେଇ କୃଷକ ଆନ୍ଦୋଳନକୁ ଦୁର୍ବଳ କରିବା ସକାଶେ ଶାସକ ଦଳର ଉଦ୍ୟମ ବିଫଳ ହୋଇଛି। ମଜାର କଥା, ନବୀନଙ୍କ ବିରୋଧୀ ଭାବେ ଜଣାଶୁଣା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚାଷୀ ସମାବେଶକୁ ସମର୍ଥନ ଜଣାଇ ସେମାନଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ସେହିପରି ବହିଷ୍କୃତ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏମିତିରେ କଂଗ୍ରେସ ତାର ସମର୍ଥନ ଚାଷୀ ଆନ୍ଦୋଳନ ପଛରେ ଲଗାଇଦେଇଛି। ଏହିସବୁ କାରଣ ନବୀନ ସରକାରଙ୍କୁ ଅଧିକ ବିବ୍ରତ ଓ ବିଚଳିତ କରିଛି।

ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ନିର୍ଣ୍ଣାୟକ ଲଢେଇ ପାଇଁ ଆନ୍ଦୋଳନ ଚଳାଇଥିବା ନବନିର୍ମାଣ କୃଷକ ସଂଗଠନ ପାଇଁ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢିଯାଇଛି। ଆଜି ରାଜଧାନୀ ପିଏମଜି ଛକରେ ଲକ୍ଷ୍ୟାଧିକ ଚାଷୀଙ୍କ ସମାବେଶକୁ ଭଣ୍ଡୁର କରିବା ପାଇଁ ପୁଲିସ ପକ୍ଷରୁ ବଳପ୍ରୟୋଗ ଆରମ୍ଭ ହୋଇଛି। ରାଜଧାନୀର ଦକ୍ଷିଣ ଓ ଉତ୍ତରଦିଗରୁ ପଦଯାତ୍ରାରେ ଆସୁଥିବା ଚାଷୀମାନଙ୍କୁ ସହର ଭିତରେ ପୁରାଇ ନଦେବା ପାଇଁ ସରକାର ସମସ୍ତ ବନ୍ଦୋବସ୍ତ କରିଛନ୍ତି। ସରକାରଙ୍କ ଏଭଳି ମୁକାବିଲା ମୂଳକ ମନୋଭାବକୁ ସଂଗଠନ ମୁଖ୍ୟ ଅକ୍ଷୟ କୁମାର ନିନ୍ଦା କରିଛନ୍ତି।

ଚାଷୀମାନଙ୍କର ହକ୍ ହାସଲ ପାଇଁ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଆହୁରି ସ୍ଥାଣିତ କରିବାକୁ ଯାଉଛି ବୋଲି ସଂଗଠନ ମୁଖ୍ୟ ଅକ୍ଷୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହକ୍ ପାଇଁ ଆରମ୍ଭ ହୋଇଥିବା ଲଢେଇ ନିର୍ଣ୍ଣାୟକ ସ୍ଥାନରେ ପହଞ୍ଚିବାକୁ ଯାଉଛି। ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଚାଷୀଙ୍କୁ ହଂସପାଳ ଛକଠାରେ ଅଟକାଇବାକୁ ପ୍ରୟାସ କରୁଛନ୍ତି। ରାଜ୍ୟର ଉତ୍ତର ଓ ଦକ୍ଷିଣ ଭାଗରେ ଆସୁଥିବା ଚାଷୀମାନଙ୍କୁ ସହର ଭିତରେ ପୁରାଇ ନଦେବାକୁ ହେଉଥିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ। ଚାଷୀଙ୍କ ହକ ଦାବି ମାନିନଥିବାରୁ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ିର ମୋଟ ହାର ୬ ପ୍ରତିଶତ କମିଥିଲା। ଏବେ ଯଦି ସରକାର ଚାଷୀଙ୍କ ଦାବି ଶୁଣିବା ପରିବର୍ତ୍ତେ ଦମନ କରିବାକୁ ଉଦ୍ୟମ କଲେ ୨୦୧୯ ନିର୍ବାଚନ ବିଜେଡ଼ି ପାଇଁ ଘାତକ ହେବ। ରାଜ୍ୟର ୮୦ ଭାଗ ଜନସାଧାରଣ ଚାଷ ସହ ଜଡିତ ଥିବାରୁ ବିଜେଡ଼ିକୁ ୬୦ ପ୍ରତିଶତରୁ ଅଧିକ ଭୋଟର ଭୋଟ ଦେବେ ନାହିଁ ବୋଲି ଅକ୍ଷୟ କୁମାର କହିଛନ୍ତି।

ରାଜନୀତି କରିବା ପାଇଁ ସେମାନେ ଚାଷୀ ଆନ୍ଦୋଳନ କରୁନାହାଁନ୍ତି। ଚାଷୀଙ୍କ ବାର୍ଷିକ ବଜେଟରେ ୨୧ହଜାର କୋଟି ଟଙ୍କା ଅନୁଦାନ ଦେବା ସହିତ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନକୁ ସୁନିଶ୍ଚିତ କରାନଗଲେ ଏହି ଆନ୍ଦୋଳନ ବିଜେଡ଼ି ସରକାରଙ୍କ ପାଇଁ ମହଙ୍ଗା ପଡିବ ବୋଲି ସେ କହିଛନ୍ତି।

Loading...