ବିଜେଡି-ବିଜେପିର ପଶ୍ଚିମ ଓଡ଼ିଶା କାର୍ଡ

ବିଜେପୁର ଭୋଟର ୧୬/୧୭ ମାସ ବ୍ୟବଧାନରେ ଦ୍ୱିତୀୟ ଉପନିର୍ବାଚନ ଦେଖିବାକୁ ଯାଉଛନ୍ତି। ଅର୍ଥାତ ୧୮ମାସ ଭିତରେ ଗୋଟିଏ ଆସନରେ ତିନିଟି ନିର୍ବାଚନ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା। ତେବେ ବିଜେପୁର ଆସନକୁ ନେଇ ପୁଣି ଥରେ ଯେ, ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ବଳ କଷାକଷି ହେବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ। ତେବେ ଏଥର ପଶ୍ଚିମ ଓଡ଼ିଶା କାର୍ଡ଼ ଖେଳିବେ ଦୁଇଟି ଯାକ ଦଳ।

୨୦୧୭ ଅଗଷ୍ଟରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ସେଥିପାଇଁ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ସୁବଳ ୩ଥର କଂଗ୍ରେସ ବିଧାୟକ ଭାବେ ବିଜେପୁରରୁ ଜିତିଥିଲେ। ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ରୀତା ସାହୁଙ୍କୁ ବିଜଡି ୨୦୧୮ ଫେବୃଆରୀ ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ବିଜେଡିରୁ ଅଶୋକ ପାଣିଗ୍ରାହୀଙ୍କୁ ଆଣି ବିଜେପି ପ୍ରାର୍ଥୀ କରିଥିଲା।

କଂଗ୍ରେସ ପୂର୍ବତନ ଗାଈସିଲଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କଲା। ପ୍ରଥମ ଥର ପାଇଁ ଏକ ଉପନିର୍ବାଚନରେ ଶାସକ ଦଳ ସବୁପ୍ରକାର କଳ-ବଳ-କୌଶଳ ଲଗାଇ ଦେଇଥିଲା। ଏହା ପୂର୍ବରୁ କୌଣସି ଉପନିର୍ବାଚନରେ ବିଜେଡି ଏମିତି ଜୋର ଦେଇନଥିଲା। ଏହାର କାରଣ ଥିଲା, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଅପୂର୍ବ ସଫଳତା ଶାସକ ଦଳକୁ ଭୟଭୀତ କରିଦେଇଥିଲା। ତେଣୁ ବିଜେପୁର ଉପନିର୍ବାଚନରେ ନବୀନଙ୍କ ପୁରା କ୍ୟାବିନେଟ ଉଠିଯାଇଥିଲା ବିଜେପୁରକୁ।

୨୦୧୮ ଉପନିର୍ବାଚନରେ ପ୍ରସଙ୍ଗ ଥିଲା ବିଜେପୁରର ବିକାଶ ଏବଂ ଅବହେଳା। ବିଜେପୁରକୁ ଅବହେଳା କରାଯାଇଛି ବୋଲି ବିଜେପି ଅଭିଯୋଗ କରୁଥିଲା। ଉପନିର୍ବାଚନ ଆଗରୁ ବିଜେପୁର ସକାଶେ ପ୍ୟାକେଜ ଘୋଷଣା କରି ବିକାଶକୁ ବିଜେଡି ପ୍ରାଧାନ୍ୟ ଦେଇଥିଲା।

ଏହି ଉପନିର୍ବାଚନରେ ବିଜେଡିର ଆଉ ଏକ ସୁବିଧା ଥିଲା ଅନୁକମ୍ପା। ଯେହେତୁ ସୁବଳଙ୍କ ବିଧବା ପତ୍ନୀ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା, ସେହେତୁ ବିଜେଡି ହାତକୁ ଅନୁକମ୍ପା ଭୋଟ ଅଧିକ ଆସିଥିଲା। କଂଗ୍ରେସ ବିଜେଡିର ପ୍ରଲୋଭନରେ ବଶୀଭୂତ ହେବା କାରଣରୁ ନିର୍ବାଚନରେ ଏହି ଦଳ ସତ୍ତା ହରାଇଥିଲା। ହାଇ ଭୋଲଟେଜ ନିର୍ବାଚନରେ ବିଜେଡିର ରୀତା ବିଜେପିର ଅଶୋକଙ୍କୁ ପାଖାପାଖି ୪୨ ହଜାର ଭୋଟରେ ପରାଜିତ କରିଥିଲେ।

କିନ୍ତୁ ଗତ ବିଧାନସଭା ନିର୍ବାଚନରେ ରୀତାଙ୍କୁ ଆଉ ପ୍ରାର୍ଥୀ କରାଗଲା ନାହିଁ। ବିଜେପି ମଧ୍ୟ ରିପିଟ କଲାନାହିଁ ଅଶୋକଙ୍କୁ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରମ୍ପରିକ ହିଞ୍ଜିଳି ଆସନ ସହ ବିଜେପୁରରୁ ଲଢ଼ିଲେ। ଏଥିପାଇଁ ଏକ ନାଟକ ମଧ୍ୟ ପ୍ରାୟୋଜିତ ହେଲା। ପଶ୍ଚିମଓଡ଼ିଶାର ନେତାଙ୍କ ସହ ପଦ୍ମଶ୍ରୀ ହଳଧର ନାଗଙ୍କ ପରି ବୁଦ୍ଧିଜୀବୀଙ୍କ ମାର୍ଫତରେ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ପାଇଁ ନବୀନଙ୍କୁ ଅନୁରୋଧ କରାଗଲା।

ନବୀନ ଏହାକୁ ରକ୍ଷାକରି ବିଜେପୁରରୁ ପ୍ରାର୍ଥୀ ହେଲେ ଏବଂ ପ୍ରାୟ ୫୭ହଜାର ଅଧିକ ଭୋଟରେ ନିର୍ବାଚନ ଜତିଲେ। ଏବେ ବିଜେପୁର ଆସନରୁ ସେ ଇସ୍ତଫା ଦେଇଛନ୍ତି। ସୁତରାଂ ସେଠାରେ ଦ୍ୱିତୀୟ ଥର ପାଇଁ ଉପନିର୍ବାଚନର ସମ୍ଭାବନା ସୃଷ୍ଟି ହୋଇଛି। ହଠାତ ହିଞ୍ଜିଳିକୁ ରଖି ବିଜେପୁରକୁ ଛାଡ଼ିଦେବା କାରଣରୁ ପଶ୍ଚିମ ଓଡ଼ିଶା ଏକ ରାଜନୈତିକ ପ୍ରସଙ୍ଗ ହୋଇସାରିଛି।

କିଛିଦିନ ଆଗରୁ ବିଜୁ ଜନତା ଦଳ ପକ୍ଷରୁ ବିଜେପିକୁ ପ୍ରଥମେ ପଶ୍ଚିମଓଡ଼ିଶା ବାଣ ମରାଯାଇଥିଲା। ପଶ୍ଚିମଓଡ଼ିଶାର ୫ଟି ଲୋକସଭା ଆସନ ବିଜେପି ଜିତିଥିଲେ ହେଁ, ମୋଦୀ ମନ୍ତ୍ରିମଣ୍ଡଳରେ ଜଣେ କେହି ସ୍ଥାନ ପାଇ ନାହାଁନ୍ତି। ଓଲଟି ସୁନ୍ଦରଗଡ଼ରୁ ପୂର୍ବଥର ଜିତି ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଏଥର ମନ୍ତ୍ରୀ କରାଗଲା ନାହିଁ। ଏହାକୁ ଲକ୍ଷ୍ୟକରି ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପି ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରିଛି ବୋଲି ଆକ୍ଷେପ କଲେ। ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ନେଇ ବିଜେପିକୁ ପଶ୍ଚିମ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଘେରିବାକୁ ଆରମ୍ଭ କରିଛି ବିଜେଡି।

ବିଜେପୁର ଉପନିର୍ବାଚନରେ ମଧ୍ୟ ସେକଥା ଉଠିବ। କିନ୍ତୁ ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ ବିଜେଡିର ଏହି ଅସ୍ତ୍ରର ଟାଣ ହ୍ରାସପାଇବ ବୋଲି ଆଶଙ୍କା କରାଯାଉଛି। ଏଣେ ବିଜେପି ବିଜେପୁରକୁ ନେଇ ବିଜେଡିକୁ ପଶ୍ଚିମ ଓଡ଼ିଶା ବାଣ ମାରିଛି। ଦଳର ବରିଷ୍ଠ ନେତା ତଥା ସମ୍ଭାବ୍ୟ ମୁଖ୍ୟ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସୋମବାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନଙ୍କ ନିଷ୍ପତ୍ତି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି।

ବିଜେଡିର ପଶ୍ଚିମଓଡ଼ିଶା ପ୍ରୀତିର ମୁଖା ଖୋଲିଯାଇଛି। ଝାରସୁଗୁଡ଼ା ଏୟାରପୋର୍ଟ କିମ୍ୱା ବୁର୍ଲା ସୁପରସ୍ପେଶାଲିଟି ହସ୍ପିଟାଲଠାରୁ ଆରମ୍ଭ କରି ନଡା-ତେଲ କାରଖାନା ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ କେନ୍ଦ୍ରର ଅବଦାନ ବୋଲି କହିଛନ୍ତି ଜୟ ନାରାୟଣ। ନବୀନଙ୍କ ନିଷ୍ପତ୍ତିକୁ ନେଇ ଜୟନାରାୟଣ ଯାହା କହିଛନ୍ତି, ତାହା ବିଜେପୁର ଉପନିର୍ବାଚନ ବେଳେ ବିଜେପିର ପ୍ରସଙ୍ଗ ହେବା ସୁନିଶ୍ଚିତ।

ବିଜେପୁରରୁ ଇସ୍ତଫା ଦେବା ଯୋଗୁଁ ନବୀନ ତାଙ୍କ ଦଳର ପଶ୍ଚିମ ଓଡ଼ିଶା ପ୍ରୀତିକୁ କମଜୋର କରିଦେଇଛନ୍ତି। ବୋଧହୁଏ ପ୍ୟାକେଜ ଯୋଗୁଁ ଭୋଟ ଜିଣି ହୁଏ ବୋଲି ମୁଖ୍ୟମନ୍ତ୍ରୀ ଧରି ନେଇଛନ୍ତି। ସେଥିଲାଗି ୨୦୧୮ରେ ବିଜେପୁର ପ୍ୟାକେଜ ଘୋଷଣା କରିଥିଲେ ଏବଂ ଏବେ ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି।

ପଶ୍ଚିମଓଡ଼ିଶା ପ୍ରସଙ୍ଗ ଆଗକୁ ଘନୀଭୂତ ହେବ। ଏହି ବିବାଦ ବଢ଼ିବ। ଉଭୟ ବିଜେଡି ଏବଂ ବିଜେପି ଏହାକୁ ନେଇ ପରସ୍ପର ଉପରେ କାଦୁଅ ଫିଙ୍ଗିବେ। ଯେହେତୁ ଗଲା ଦୁଇଟି ନିର୍ବାଚନରେ କଂଗ୍ରେସ ସତ୍ତା ହରାଇ ସାରିଛି, ଆସନ୍ତା ଉପନିର୍ବାଚନରେ ଏହି ଦଳଠାରୁ ବିଶେଷ କିଛି ଆଶା କରାଯାଇ ନପାରେ।

ଯେତେଥର ନିର୍ବାଚନ ହେବ ପ୍ରସଙ୍ଗ ଯାହା ହେଉନା କାହିଁକି, ବିଜେପୁର ଭୋଟର ଙ୍କ ପୁଷମାସ। ଟଙ୍କା ଉଡ଼ିବ। ଖିଆପିଆ ଜମିବ। ମଦ ଓ ମାଂସର ଆସର ଖୋଲିଯିବ ଚାରିଆଡେ଼। ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତାମାନେ ଖୁନ୍ଦି ହୋଇଯିବେ ନିର୍ବାଚନମଣ୍ଡଳୀ ସାରା। ଆକ୍ଷେପ ଓ ପ୍ରତିଆକ୍ଷେପ ଶୁଣାଯିବ। ତେବେ ପଶ୍ଚିମଓଡ଼ିଶା ପ୍ରୀତିକୁ ନେଇ ବିଜେଡି ଏବଂ ବିଜେପିର ଟଣାଟଣି କମିବାର କୌଣସି ଲକ୍ଷଣ ଜଣାପଡ଼ୁ ନାହିଁ।

Leave a Reply

Your email address will not be published.