ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଦିଦି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ​‌ରେ ଏହା ଥିଲା ଦିଦିଙ୍କ ପ୍ରଥମ ଦେଖା । ତେ​‌ବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟ କରିବା ପୂର୍ବରୁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ନେତା କମଲନାଥଙ୍କୁ ମଧ୍ୟ ଭେଟିଥିଲେ ମମତା ବାନାର୍ଜୀ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଦିଦି କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ଏହା ସହିତ କରୋନା ମହାମାରୀକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ମୋଦିଙ୍କ ସହିତ ଆଲୋଚନା ବେଳେ ଦିଦି, ପଶ୍ଚିମବଙ୍ଗକୁ ଅଧିକ ଭ୍ୟାକସିନ ଦେବାକୁ କହିଛନ୍ତି । ଭ୍ୟାକସିନ୍‌ ଦେବାକୁ ପୂର୍ଣ୍ଣ ଭରସା ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତକାର ପରେ ମମତା ବାନାର୍ଜୀ କହିଛନ୍ତି ଯେ, ପେଗାସସ୍ ମୁଦ୍ଦାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବଦଳୀୟ ବୈଠକ ଡକାଇବା ଆବଶ୍ୟକ । ଏହା ସହିତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଆବଶ୍ୟକ । ପେଗାସ୍‌କୁ ନେଇ ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି ମମତା ବାନାର୍ଜୀ । ମାମଲାକୁ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ୍‌ବି ଲୋକୁର ଏବଂ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍‌ ଜ୍ୟୋତିର୍ମୟୀ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଏବଂ ହ୍ୟାକିଂ ମାମଲାର ଯାଞ୍ଚ କରୁଛନ୍ତି ୨ ଜଣିଆ କମିଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ୫ ଦିନିଆ ଗସ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଏକାଠି କରିପାରନ୍ତି ଦିଦି । ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତ ବିରୋଧୀଙ୍କୁ ଏକଜୁଟ କରି କେନ୍ଦ୍ର ବିରୁଦ୍ଧରେ ଖାସ ପ୍ଲାନ୍ ପ୍ରସ୍ତୁତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.