ଅଯଥା ଚର୍ଚ୍ଚା: ବବି ହେବେ ଉପମୁଖ୍ୟମନ୍ତ୍ରୀ

ଦିନକୁ ହଜାରେ ରୁ ବାରଶ’ ସଂଖ୍ୟାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଛି। ନିୟନ୍ତ୍ରଣ କରିବା ପାଇଁ ସରକାର ଲାଗୁ କରିଥିବା ଅତିରିକ୍ତ ୩-ଟି ବ୍ୟବସ୍ଥା କେମିତି କାର୍ଯ୍ୟକରୁଛି ତାହା ଏଥିରୁ ସ୍ପଷ୍ଟ। ଚାରିଆଡ଼େ ଲକ୍‌ଡାଉନ୍‌, ଶଟ୍‌ ଡାଉନ୍‌ ବଳବତ୍ତର ରହିଛି। ଏ ସମୟରେ  ମନ୍ତ୍ରୀମାନେ ମୁଖିଆଙ୍କ ସହ ସିଧାସଳଖ ଆଲୋଚନା କରିବା ଅସମ୍ଭବ ହୋଇପଡ଼ିଥିବା ଚର୍ଚା ହେଉଛି। ଏମିତିକି ପୁରୁଣା ଏୟାରପୋର୍ଟ ଛକ ବି ମନ୍ତ୍ରୀଙ୍କୁ ବାରଣ କରାଯାଇଛି। ସାମ୍ବାଦିକଙ୍କୁ ଲୋକସେବା ଗେଟ୍‌ ମନା ହୋଇଥିବା ବେଳେ ମନ୍ତ୍ରୀମାନଙ୍କ ଲିଫ୍ଟ ତୃତୀୟ ମହଲାକୁ ଯିବା ଲାଗି ଏକ ପ୍ରକାର ବାରଣ କରାଯାଇଛି। ଏଭଳି ପରିପ୍ରେକ୍ଷୀରେ ମନ୍ତ୍ରୀମାନେ ତାଙ୍କ ବିଷୟରେ ଖବର ପାଇଁ ସାମ୍ବାଦିକଙ୍କ ଖଟି ଜାଗାରେ ପହରା ଦେଉଛନ୍ତି। ଆଉ ସେଇଠି ଆରମ୍ଭ ହୋଇଛି  ରାଜ୍ୟରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଓ ଉପମୁଖ୍ୟମନ୍ତ୍ରୀ ଚର୍ଚା।

ଭିତରେ ରାଜ୍ୟରେ ସମୁଦାୟ କରୋନା ଚିହ୍ନଟଙ୍କ ସଂଖ୍ୟା ୨୮ ହଜାର ପାର କରିଲାଣି।  ଅବଶ୍ୟ ଭୁତାଣୁକୁ ଜୟ କରି ୧୭ହଜାରରୁ ଅଧିକ ଲୋକ ଘରକୁ ଫେରିଛନ୍ତି, କିନ୍ତୁ ଲୋକଙ୍କ ମନରେ ଭୟ ଥମିନାହିଁ। କିଛି ଲୋକ ଭୁତାଣୁକୁ ବେଖାତିର କରି ଜୀବୀକାକୁ ବଞ୍ଚାଉଛନ୍ତି ଆଉ କିଛି ଲୋକ ସରକାରୀ ନିୟମର କାଏଦା କଟକଣା ଭିତରେ ଏକ ପ୍ରକାର ପେଶୀ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଜିଲ୍ଲା ଅର୍ଥାତ୍‌ ଗଞ୍ଜାମରେ ପରିସ୍ଥିତି ଅନିୟନ୍ତ୍ରିତ ବୋଲି କହିଲେ ଭୁଲ୍ ହେବ ନାହିଁ। ଅପରପକ୍ଷେ କରୋନା ନିୟନ୍ତ୍ରଣ ଲାଗି ରାଜ୍ୟର ୫-ଟି ପ୍ରଶାସନରେ ଆଉ ତିନୋଟି ଟି’ ଟେଷ୍ଟ, ଟ୍ରେସ୍‌ ଏବଂ ଟ୍ରିଟ୍‌ ଯୋଡ଼ା ଯାଇଛି। ଅର୍ଥାତ୍‌ ନିୟନ୍ତ୍ରଣ କରିବାକୁ ହେଲେ ଅଧିକରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷଣ ( ଟେଷ୍ଟିଂ) କରିବା, ଚିହ୍ନିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ (ଟ୍ରେସିଂ) କରିବା ଏବଂ ତାଙ୍କୁ ଚିକିତ୍ସା (ଟ୍ରିଟ୍‌ମେଣ୍ଟ) କରିବା ପ୍ରଭୃତି ଉଲ୍ଲେଖଯୋଗ୍ୟ। ବିଶ୍ଵରେ ଏହି ୩-ଟି ମନ୍ତ୍ରକୁ ଗ୍ରହଣ କରାଯାଇଛି। ଓଡ଼ିଶା ଯଦିଓ ଗ୍ରହଣ କରିଛି କିନ୍ତୁ ଦେଶରେ ଅନ୍ୟ ରାଜ୍ୟମାନଙ୍କ ସହ ତୁଳନୀୟ ହୋଇପାରି ନାହିଁ। କରୋନା ଭୁତାଣୁ ପ୍ରଭାବିତ କି ନା ଜାଣିବା ଲାଗି ଯେଉଁ ପରୀକ୍ଷଣ ବା ଟେଷ୍ଟିଂ ଏହି ମନ୍ତ୍ରର ପ୍ରଥମ ଆୟୁଧ ସେଥିରେ ଓଡ଼ିଶା ଜାତୀୟ ହାରଠାରୁ ଯଥେଷ୍ଟ ପଛୁଆ। ଦେଶରେ ଏବେ ପ୍ରତି ଏକ ଲକ୍ଷ ଲୋକଙ୍କ ଭିତରୁ ୧୨୧୭ଜଣଙ୍କ ନମୁନା ପରୀକ୍ଷଣ ହେଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ମାତ୍ର ୧୦୬୯। ଅବଶ୍ୟ ଆମ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡଠାରୁ ଆମେ ଆଗରେ ଅଛୁ କିନ୍ତୁ ଆଉ ଏକ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଆମକୁ ଏ ମାମଲାରେ ଚିତ୍‌ପଟାଙ୍ଗ କରିଛି। ସେ ରାଜ୍ୟରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୧୪୩ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି।

ପ୍ରଶ୍ନ ଉଠୁଛି ଆଜିର ପଲିଟିକ୍ସ ଆଲୋଚନାରେ କରୋନା କଥା କିଆଁ?

କାରଣ ହେଲା: କରୋନା ଏବେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରିଛି, ଆଶଙ୍କା ଓ ଭୟରେ ଲୋକଙ୍କୁ ରଖିଛି। ପୂର୍ବରୁ  ଏହିଭଳି ସମୟଗୁଡ଼ିକରେ ତାଙ୍କ ନିର୍ବାଚିତ ପ୍ରତିନିଧି ବା ନେତାମାନେ ଧାଁଧପଡ଼ କରୁଥିଲେ। ରିଲିଫ୍‌ ଦେଉଥିଲେ। ଘରକୁ ଆସି ଆଶ୍ଵାସନା ଦେଉଥିଲେ। ହେଲେ ଏବେ ସେସବୁ ବନ୍ଦ। ଏହାଛଡ଼ା ଶାସନ କେନ୍ଦ୍ରରେ ଯେଉଁ ମୁକାବିଲା ନୀତି ପ୍ରଣୟନ ହେଉଛି ସେଥିରେ  ମନ୍ତ୍ରୀମାନଙ୍କ ଭୁମିକା ବୋଲି କିଛି ନାହିଁ। ଆମ ରାଜ୍ୟରେ ମନ୍ତ୍ରୀମାନଙ୍କ ମୁହଁ ଆଉ ଦେଖିବାକୁ ମିଳୁ ନାହିଁ। ସେମାନଙ୍କର ବି କରୋନା ଭୟ ଯଥେଷ୍ଟ। ଅବଶ୍ୟ ଏ ଭିତରେ କୌଣସି ମନ୍ତ୍ରୀଙ୍କୁ କରୋନା ଛୁଇଁନି କିନ୍ତୁ ସେମାନଙ୍କ ଛାତିରେ ଛପନଗୁଣା ଛନକା। ଏପରିକି ସେମାନେ ଆଉ ସ୍ଥାନୀୟ ଲୋକଙ୍କ ସହ କଥା ହେଉ ନାହାନ୍ତି। ଲକ୍‌ଡାଉନ୍‌ ଆଳରେ ଭୁବନେଶ୍ଵରରୁ ନିଜ ଅଞ୍ଚଳ ଯାଉ ନାହାନ୍ତି ଅନେକ ମନ୍ତ୍ରୀ। ଏଥିରେ ଟାଣୁଆ ବିଧାୟକମାନେ ବି ସାମିଲ୍‌। ତଥାପି ରାଜ୍ୟର ଟାବ୍‌ଲଏଡଠୁ ଆରମ୍ଭ କରି ବ୍ରଡ୍‌ଶିଟ୍‌ ଯାଏ ଚର୍ଚା ଚାଲିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଖାଲି ସେତିକି ନୁହେଁ ଚର୍ଚା ଏହାବି ହେଉଛି ସ୍ଵର୍ଗତ ଅଶୋକ ଦାସଙ୍କ ପୁଅ ବବି ଦାସ ଉପମୁଖ୍ୟମନ୍ତ୍ରୀ ହେବେ!

ଉପମୁଖ୍ୟମନ୍ତ୍ରୀ!!!!!!!

ଚମକି ଗଲେ? ସ୍ଵଭାବିକ କଥା। କାରଣ ଓଡ଼ିଶା ଇତିହାସରେ ଏ ପଦବୀଟି ବିରଳ। ମାତ୍ର ଦୁଇଥର ଓଡ଼ିଶା ସରକାରରେ ଉପମୁଖ୍ୟମନ୍ତ୍ରୀ ପବଦୀ ସୃଷ୍ଟି ହୋଇଥିଲା। ନିକଟ ଅତୀତରେ ଜାନକୀ ବଲ୍ଲଭଙ୍କ ସରକାର ସମୟରେ ବସନ୍ତ ବାବୁ ଉପମୁଖ୍ୟମନ୍ତ୍ରୀ ହେବାର ନଜୀର ରହିଛି। ସେତେବେଳେ ଜାନକୀ-ବସନ୍ତଙ୍କ ଭିତରେ ଯେଉଁ ଶକ୍ତି ପ୍ରଦର୍ଶନ ଚାଲିଥିଲା ତାହା କାହାକୁ ଅଗୋଚର ରହିବା ଅନୁଚିତ। କଂଗ୍ରେସ ଭବନ ସେ ସମୟରେ ରଣଭୂମି ପାଲଟୁଥିଲା। ବସନ୍ତବାବୁ ନିଜର ଏକ ସ୍ଵତନ୍ତ୍ର ସଚିବାଳୟ ଭାବେ ରାଜୀବ ଭବନକୁ ନିର୍ମାଣ କରିଥିଲେ। ତାଙ୍କ ଜ୍ୟୋଇଁଙ୍କ ଖବରକାଗଜ ଅଛି ବୋଲି ତାଙ୍କର କ୍ଷମତା ବଢ଼ୁଥିବା ଆକଳନ କରି ନିଜର ଏକ ଖବରକାଗଜ ବି କଲେ। ଏବେ ଉଭୟଙ୍କ ଅବର୍ତ୍ତମାନରେ ତାଙ୍କ ପରପିଢ଼ି ଭୋକ ବିକଳରେ ତାଟିଆ କାମୁଡ଼ିଲା ପରି ଏକାଠି ରହିଛନ୍ତି।

ବସନ୍ତଙ୍କ ପୂର୍ବରୁ ରାଜ୍ୟ ରାଜନୀତିରେ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦବୀର ବିହନ ବୁଣା ହୋଇସାରିଥିଲା। ଏକଦା ତାଳଚେର ଗଡ଼ଜାତ ରାଜ୍ୟର ବିଧାନ ପରିଷଦ ନେତା ତଥା ଢେଙ୍କାନାଳ ଓ ତାଳଚେର ପ୍ରଜା ଆନ୍ଦୋଳନର ଜଣେ କଣ୍ଣଧାର ଭାବେ ପରିଚିତ ଥିବା ପବିତ୍ର ମୋହନ ପ୍ରଧାନ ବି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ଵାଧୀନତା ପରେ ଯେତେବେଳେ ନିର୍ବାଚିତ ସରକାରରେ ଅସ୍ତିତ୍ଵ ସଙ୍କଟ ହେଉଥିଲା ସେତେବେଳେ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ମିଳିତ ସରକାର ଗଠନ ହୋଇଥିଲା। ରାଜେନ୍ଦ୍ରଙ୍କ ସ୍ଵତନ୍ତ୍ର ପାର୍ଟି ସହ ପବିତ୍ର ମୋହନଙ୍କ ଜନ କଂଗ୍ରେସ ହାତ ମିଳାଇଥିଲା। ଏହାର କାରଣ ଥିଲା କଂଗ୍ରେସକୁ ଦୂରେଇ ରଖିବା। ଆଉ ଏହି ସମୟରେ ଯେମିତି ରାଜା ରାଜେନ୍ଦ୍ରଙ୍କ କ୍ଷମତା ଥିଲା ସେମିତି  ପ୍ରଜା ପବିତ୍ରଙ୍କ ଶକ୍ତି। ଏଣୁ ଉଭୟ ମିଶି ପଦବୀ ବାଣ୍ଟି ଥିଲେ। ଯଦିଓ ଆମ ସମ୍ବିଧାନରେ ଉପ ମୁଖ୍ୟମନ୍ତ୍ରୀ ପଦବୀ ନାହିଁ, କିନ୍ତୁ ଯେତେବେଳେ ଦୁଇ ଟାଣୁଆ ନେତାଙ୍କ ଭିତରେ କ୍ଷମତା କନ୍ଦଳ ହୋଇଛି ସେତେବେଳେ ଏ ପଦବୀଟି ପ୍ରସ୍ଫୁଟିତ ହୋଇଛି।

ଏବେ ଆଭ୍ୟନ୍ତରୀଣ କନ୍ଦଳ

ଆମ ରାଜ୍ୟରେ ୨୦୦୦ ମସିହାରୁ ନବୀନଙ୍କ ନେତୃତ୍ଵରେ ସ୍ଥିର ସରକାର ରହିଛି। ଏକ ଦଳ, ଏକ ମୁଖ୍ୟମନ୍ତ୍ରୀ ୨୦ ବର୍ଷରୁ ଅଧିକ ସମୟଧରି ଶାସନକାଳ।  ଏହାର ଅର୍ଥ ନୁହେଁ ଯେ, ଏଠାରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ତଥା ରାଜନୀତି ନାହିଁ! ବରଂ କହିବାକୁ ଗଲେ- ଏହି ରାଜନୀତି ଓ କନ୍ଦଳ ଏତେ ଅଧିକ ଯେ  ଏହି ଦାଉରେ ରାଜ୍ୟର ବିରୋଧୀ ଦଳର ପ୍ରତିବାଦ ଓ ରାଜନୀତି କ୍ଷୀଣ ହୋଇଯାଇଛି।

କିନ୍ତୁ ଏଭଳି ପରିସ୍ଥିତି ହେତୁ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇଯିବ ବୋଲି ଆଶା କରାଯାଇ ନପାରେ। ଯେଉଁମାନେ ସ୍ଵପ୍ନ ଦେଖୁଛନ୍ତି ବା ଦେଖାଉଛନ୍ତି ସେମାନଙ୍କ ଯୁକ୍ତି ହେଲା, ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେଲେଣି। ଏତେ ଦାୟିତ୍ଵ ନେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଏଣୁ ସେ ତାଙ୍କ କ୍ଷମତାକୁ ଏମିତି ଜଣେ ନେତାଙ୍କୁ ଦେବାକୁ ଚାହୁଁଛନ୍ତି ଯେ ଅତ୍ୟନ୍ତ ବିଶ୍ଵସ୍ତ ହୋଇଥିବେ। ଆଉ ଏଥିଲାଗି ବବି ଏକମାତ୍ର ବିକଳ୍ପ ବୋଲି ନବୀନ ଓ ତାଙ୍କ ରାଜନୀତିକ ପରିଧି ଚିନ୍ତା କରିଛନ୍ତି। ହେଲେ ନବୀନଙ୍କ ଅସୁସ୍ଥତା ନେଇ ଚର୍ଚା ଆଜିର ନୁହେଁ। ଏଣୁ ଏପରି ଏକ ଯୁକ୍ତିକୁ ହଜମ କରିବା ସହଜ ନୁହେଁ।

ଉପ ମୁଖ୍ୟମନ୍ତ୍ରୀ ପରେ ଆଉ ଏକ ଚର୍ଚା ହେଉଛି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଗତବର୍ଷ ମେ’୨୯ରେ ସରକାର ଗଠନ ହୋଇଥିଲା। ସେତେବେଳଠୁ ଏଯାଏ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇନି। ଯେହେତୁ ଏ କାର୍ଯ୍ୟକୁ ଏକବର୍ଷ ପୂରିଲାଣି କ୍ଷମତା ପାଇନ ଥିବା ବିଧାୟକମାନେ ମନ୍ତ୍ରୀ କ୍ଷମତା ପାଇବା ଲାଗି ଏମିତି କିଛି ଚର୍ଚା ଭିଆଇଛନ୍ତି। ଖାଲି ସେତିକି ନାହିଁ, ଅମୁକ ମନ୍ତ୍ରୀ ଭଲ କାମ କରୁନାହାନ୍ତି, ସମୁକ ମନ୍ତ୍ରୀ ଅପାରଗ ବୋଲି ବି ଚର୍ଚା କରୁଛନ୍ତି। ଏହି ଚର୍ଚା ଭିତରେ ରାଜ୍ୟ ରାଜନୀତିକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିନ୍ତା ଘାରିଛି। ଖବରକାଗଜରେ ବି ଚର୍ଚା ହେଉଛି। ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖଙ୍କ ନାଁ ମନ୍ତ୍ରିମଣ୍ଡଳ ପାଇଁ ଦାବିଦାର ଥିବା ଚର୍ଚା ହେଉଛି। ସେହିପରି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସମୀର ଦାଶ, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନଙ୍କ ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠିଛି। ଏଣୁ ଏମାନେ ପ୍ରସ୍ଥାନ ରାସ୍ତା ଆଡ଼କୁ ମୁହାଁଇଥିବା ମଧ୍‌ୟ ଗଣମାଧ୍ୟମରେ ଚର୍ଚା ହେଉଚି।

ଏ ଚର୍ଚାକୁ ସଙ୍କୁଚିତ କରିବା ଲାଗି ମୁଖିଆ ମଧ୍ୟ କିଛି କହୁ ନାହାନ୍ତି। ଏଣୁ ଗରମବାଲିରେ ଧାନ ଫୁଟିଲା ଭଳି ରାସ୍ତାଘାଟରେ ଚର୍ଚା ଫୁଟୁଛି। ଗୋପନରେ ଖୋଲୁଥିବା ଚା’ ଦୋକାନଠୁ ଆରମ୍ଭ କରି ରାସ୍ତାରେ ମଣ୍ଣିଂ ୱାକ୍‌ ଯାଏ ନେତା ଓ ଜନତାଙ୍କୁ କରୋନା ବିକଳ୍ପରେ ଚର୍ଚା କରିବା ଲାଗି ଏକ ଖୋରାକି ମିଳିଛି।  ହେଲେ କେବେ ନବୀନ ନିବାସ କେବେ ଏହା ଉପରେ ଗବେଷଣା କରିବେ ତାହାକୁ ଅପେକ୍ଷା!

Leave a Reply