ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି

1
9471
advertisement

ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍‌ସାଇଟ୍‌ ତାଲିକାକରଣ  ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦିନକୁ ଦିନ ବଦଳୁଥିବା ନିୟମ ଓ ପୁରୁଣା ନିୟମକୁ କବର ଦେବାର ଧାରା, ଏହାର ସ୍ପଷ୍ଟ ପ୍ରମାଣ ଦେଉଛି । ପୁଣି କିଛି ନିର୍ଦିଷ୍ଟ ଓ୍ବେବ୍‌ସାଇଟ୍‌କୁ ଲକ୍ଷ୍ୟ କରି ବିଜ୍ଞାପନ ବଣ୍ଟନ ଓ ହଠାତ ବିଜ୍ଞାପନ ପ୍ରସାର ପ୍ରକ୍ରିୟାକୁ ବନ୍ଦ କରିଦେବାର ପ୍ରକ୍ରିୟା ଏହା ଜଣାଇଦେଉଛି ଯେ, ଏହି ବିଭାଗରେ ସବୁକିଛି ଠିକ୍‌ ଚାଲିନି ଅଥବା ଯାହା ଠିକ୍‌ ଚାଲୁଛି ତାହାକୁ କିଏ ଅଟକାଇ ଦେଉଛନ୍ତି।  ଏହାକୁ ବରିଷ୍ଠ ଅଧିକାରୀ ମାନେ ବୁଝିଲେଣି , ସେଥିଲାଗି ଆହ୍ବାନ ଦେଇଛନ୍ତି ଏକ  ପରିବର୍ତ୍ତିତ ନୀତିର। ଅର୍ଥାତ୍‌ ବଦଳିବାକୁ ଯାଉଛି ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି।

୮ ମାସରେ ଅଚଳ

ଗଲା ୮ ମାସ ତଳେ ରାଜ୍ୟ ସରକାର ଅନେକ କସରତ ପରେ ଏକ ନିୟମ ପ୍ରଣୟନ କଲେ ନୂଆ ମିଡିଆ ଅର୍ଥାତ୍‌ ଓ୍ବେବ୍‌ ନ୍ୟୁଜ୍‌ ମିଡିଆକୁ ବିଜ୍ଞାପନ ତାଲିକାଭୁକ୍ତ କରିବେ। ଯେହେତୁ ଏହି ମିଡିଆର ପ୍ରଭାବ ଅନେକ ବୃଦ୍ଧି ପାଇଛି ଏବଂ ଭାରତ ସରକାରଙ୍କଠାରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟ ସରକାରମାନେ ଏହି ମିଡିଆକୁ ସ୍ଵିକୃତୀ ଦେଲେଣି, ଏହିକ୍ରମରେ ଓଡ଼ିଶା ସରକାର ବାଧ୍ୟ ହୋଇ ନିଜର ରକ୍ଷଣଶୀଳ ମନୋବୃତ୍ତିରୁ ଉପରକୁ ଉଠିବା ଲାଗି ପ୍ରୟାସ କଲେ। ଏହିକ୍ରମରେ ୨୫ଟି ନ୍ୟୁଜ୍‌ଓ୍ବେବ୍‌ ପୋର୍ଟାଲ୍‌ ତାଲିକାଭୁକ୍ତ ହେଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଯୋଗ୍ୟତା ପ୍ରମାଣ କରି ଅନ୍ୟ କିଛି ଓ୍ବେବ୍‌ ମିଡିଆ ତାଲିକାଭୁକ୍ତ ହେବା ପାଇଁ ଆଗ୍ରହ ପ୍ରକାଶ କଲେ। ସରକାର ଦର୍ଶାଇଥିବା ତଥ୍ୟ ଅନୁସାରେ ଆହୁରି ୨୪ରୁ ଅଧିକ ଓ୍ବେବ୍‌ସାଇଟ୍‌ ତାଲିକାଭୁକ୍ତ ହେବା ପାଇଁ ଆଶା କରିଛନ୍ତି। କିନ୍ତୁ ଏ ନୀତିକୁ ଭୁଲ୍‌ ବୋଲି ଦର୍ଶାଇଛନ୍ତି କିଛି ବରିଷ୍ଠ ଅଧିକାରୀ। ଫଳରେ ଗଲା ୩ମାସରୁ ଅଧିକ ହେବ ନା କୌଣସି ବିଜ୍ଞାପନ ବଣ୍ଟାଯାଉଛି ନା ନିର୍ଦିଷ୍ଟ ନୀତିରେ ଥିବା ଭୁଲ୍‌କୁ ସଂଶୋଧନ କରାଯାଇପାରୁଛି।

ଗୋଟିଏ ପୋର୍ଟାଲ୍‌କୁ ଅନୁକମ୍ପା

ହେଲେ ଏହି ୮ ମାସ ଭିତରେ ରାଜ୍ୟ ସରକାରଙ୍କ କିଛି ବିଭାଗୀୟ ଅଧିକାରୀ କେବଳ ଗୋଟିଏ ନ୍ୟୁଜ୍‌ ପୋର୍ଟାଲ୍‌କୁ ଅନୁକମ୍ପା ଦେଖାଇ ଯେତିକି ବିଜ୍ଞାପନ ଦେଇଛନ୍ତି ତାହା ସମୁଦାୟ ଦେୟର ପ୍ରାୟ ଅଧା। ଅର୍ଥାତ୍‌ ଏହି ନିୟମକୁ ଠିକଣା ଭାବେ ପାଳନ କରାଯାଇ ନାହିଁ। ଏ ବିଷୟ ବିଧାନସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି। ଏ ବିଷୟରେ ମଧ୍ୟ ପୂର୍ବରୁ ଗଣମାଧ୍ୟମରେ ଆଲୋଚନା ହୋଇଛି। ଏ ବିଷୟକୁ ବର୍ତ୍ତମାନର ସଚିବ ତଥା କିଛି ଅଧିକାରୀ ଭଲ ଭାବେ ଧରିଛନ୍ତି। କିପରି ବିଭିନ୍ନ ଅଧିକାରୀଙ୍କ ନାଁ କହି ତଥା ନିଜ ସହ ତୃତୀୟ ମହଲାକୁ ଯୋଡ଼ି ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ ବିଭାଗ ଆଗରେ ଅକୁହା ଭୟ ସୃଷ୍ଟି କରିଛି ତାହା ପଦାରେ ପଡ଼ିଛି।

ଏବେ ନିୟମ ବଦଳିବା କଥା

ଯେଉଁ ସଚିବଙ୍କ ସମୟରେ ଏହି ନୀତି ନିୟମ ହୋଇଥିଲା ଏବେ ସେ ସମ୍ପୃକ୍ତ ବିଭାଗରେ ନାହାନ୍ତି। ଏବେ ଯିଏ ଅଛନ୍ତି ସେ ଏହି ନିୟମରେ ତ୍ରୁଟି ଥିବା ଅନୁଭବ କରି ପ୍ରଥମେ ତାଙ୍କ ଅଧିକାରୀମାନଙ୍କୁ କାରଣ ଦର୍ଶାଇବାକୁ କହିଥିଲେ। ବାଦ ବିବାଦକୁ ଏଡ଼ାଇବା ଲାଗି ଭାରତ ସରକାରଙ୍କ ଡିଏଭିପି ଢାଞ୍ଚାକୁ ଓ୍ବେବ୍‌ସାଇଟ୍‌ ନୀତିରେ ଆପଣାଇବାକୁ ଚାହିଁଲେ। ଏ ଭିତରେ ୪ ମାସରୁ ଅଧିକ ସମୟ ବିତିଲାଣି ତାଙ୍କ ପ୍ରଶ୍ନର ଜବାବ ଦେବାକୁ ନା ବିଭାଗ ସମର୍ଥ ହୋଇପାରୁଛନ୍ତି ନା ଏହାର ବରିଷ୍ଠ ନୀତି ନିର୍ଦ୍ଧାରକମାନେ। ଫଳରେ ଏକ ନିର୍ଦିଷ୍ଟ ଯୋଜନାକୁ ଛାଡ଼ି ଅନ୍ୟ କୌଣସି ସରକାରୀ ବିଜ୍ଞାପନକୁ ଓ୍ବେବ୍‌ ପୋର୍ଟାଲ୍‌କୁ ଦିଆଯାଇପାରୁନାହିଁ। ପୁଣି ଯେଉଁ ଯୋଜନାର ବିଜ୍ଞାପନ ଦିଆଯାଇଛି ତାହା ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଦ୍ଵାରା ସମ୍ଭବ ହୋଇପାରିଛି।

ଗଣ୍ଠି ଛିଣ୍ଡୁନି

ଏଭଳି ନୀତିରେ ଏବେ ବରିଷ୍ଠ ଅଧିକାରୀମାନେ ଭାରତ ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ନୀତିକୁ ପାଳନ କରିବା ପାଇଁ ଜିଦ୍‌ ଧରି ସେଥିଲାଗି କସରତ କରିଛନ୍ତି। କିନ୍ତୁ ଯେଉଁ କ୍ରମରେ ପୁରୁଣା ଭୁଲ୍‌ ହୋଇଛି ତାହାକୁ ଯେତେ ବଦଳାଇଲେ ବି ଅଡ଼ୁଆ ଛିଣ୍ଡୁ ନାହିଁ। ଏ ଭିତରେ ତିନିଥର ସମ୍ପୃକ୍ତ ନଥି ଫେରିଥିବା ଖବର ମିଳିଛି। ଅର୍ଥାତ୍‌ ଆବଶ୍ୟକ ପଡ଼ୁଛି ପୁଣିଥରେ ନୂଆ ନୀତି ପ୍ରଣୟ। କିନ୍ତୁ ନିର୍ବାଚନ ଆଗକୁ ଥିବାରୁ ଏହି ନୀତିକୁ ଆଉ ବଦଳାଇବା ନେଇ ଚିନ୍ତା କରାଯାଇପାରୁ ନାହିଁ। ଏଣୁ କଳେ ବା କୌଶଳେ ସଚିବଙ୍କୁ ଯାହା ହୋଇଛି ତାହା ଠିକ୍‌ ବୋଲି ଦର୍ଶାଇବାକୁ ଯାଉଛନ୍ତି। ଆଉ ଏହାଦ୍ଵାରା ଆଗକୁ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ଓ୍ବେବ୍‌ ପୋର୍ଟାଲମାନେ।

କେମିତି?

ଭାରତ ସରକାରଙ୍କ ଡିଏଭିପି ଢାଞ୍ଚାକୁ ଜବରଦସ୍ତ ଆପଣାଇବାକୁ ଚାହୁଁଛନ୍ତି ଓଡ଼ିଶା ସରକାର, ଯେଉଁଠାରେ ଭାରତ ସରକାରଙ୍କ କ୍ୟାଟେଗୋରୀ ’ଏ’ ପରିସରଭୁକ୍ତ ଓ୍ବ୍େ‌ସାଇଟ୍‌ମାନଙ୍କ ୟୁନିକ୍‌ ୟୁଜର୍ସ ସଂଖ୍ୟା ସର୍ବନିମ୍ନ ୫୦ ଲକ୍ଷ ରହିଛି ସେଠାରେ ଓଡ଼ିଶା ସରକାର କ୍ୟାଟେଗୋରୀ ଏ ପାଇଁ ୟୁନିକ୍‌ୟୁଜର କାଉଣ୍ଟକୁ ମାତ୍ର ୩୦ ହଜାରରେ ସୀମିତ ରଖିଛନ୍ତି।

ସେହିପରି ଏଠାରେ ବିଜ୍ଞାପନ ପାଇବା ଲାଗି ସର୍ବନିମ୍ନ କ୍ୟାଟେଗୋରୀ ସି’ରେ ୧୫ ହଜାର ୟୁନିକ୍‌ ୟୁଜର୍ସ ରହିବା ଆବଶ୍ୟକ ରହିଛି। ଯେଉଁଠାରେ ଭାରତ ସରକାରଙ୍କ ଲାଗି ବିଜ୍ଞାପନ ତାଲିକାଭୁକ୍ତ ହେବା ଲାଗି ୟୁନିକ୍‌ ୟୁଜର୍ସ ସଂଖ୍ୟା ସର୍ବନିମ୍ନ ୨.୫ ଲକ୍ଷ ରହିଛି।

ଏଣୁ ଯୋଗ୍ୟତା ଦୃଷ୍ଟିରୁ ଏତେ ବଡ଼ ତାରତମ୍ୟ ଥିବା ଢାଞ୍ଚାରେ ଭାରତ ସରକାରଙ୍କ ନୀତି ଆପଣାଇବା ହେଉଛି ସବୁ ନିୟମକୁ ଜଳାଞ୍ଜଳି ଦେବା। ଅର୍ଥାତ୍‌ ଏହି ନୀତି ଆପଣାଇବା ଲାଗି ପ୍ରଥମେ ଯୋଗ୍ୟତା ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ। ହେଲେ ଏଭଳି ନୀତିଗତ ପରିବର୍ତ୍ତନ ପାଇଁ କେହିଁ ମୁଣ୍ଡ ପୁରାଉନାହାନ୍ତି।

ଆମେ କ’ଣ ଏତେ ଭିଜିଟର ପାଉଛୁ?

ଏଭଳି ପ୍ରଶ୍ନ ଅଫିସରଙ୍କ ମନରେ ଉଠୁଛି। ସାଇଟ୍‌ ପ୍ରମୋଟରମାନଙ୍କ ମନରେ ବି ଉଠିବା ସ୍ଵଭାବିକ। କେହି କେହି ତ ଓଡ଼ିଆ ସାଇଟ୍‌ରେ ଏତେ ଭିଜିଟର ଅସମ୍ଭବ ବୋଲି କହୁଛନ୍ତି। ଏଭଳି ସ୍ଥଳରେ କେହାଳ ଜରୁରୀ ବୋଲି ଦାବି ହୋଇଛି। ଏହା ସତ ଯେ, ଓଡ଼ିଆ ଭାଷା ଗୁଗୁଲ୍‌ ଏବଂ ସର୍ଚ ଇଞ୍ଜିନ୍‌ ଦ୍ଵାରା ଗ୍ରହଣ ହୋଇପାରି ନାହିଁ, ଯଦିଓ ଓଡ଼ିଶା ସରକାର ଏଥିଲାଗି ପ୍ରୟାସ ଜାରି ରଖିଛନ୍ତି। ପୁଣି ଇଂରାଜୀ, ହିନ୍ଦି ଓ ବଙ୍ଗଳା ଭାଷା ତୁଳନାରେ ଓଡ଼ିଆ ଭାଷାରେ ପାଠକଙ୍କ ସଂଖ୍ୟା ଯଥେଷ୍ଟ ସୀମିତ। ଏଣୁ ୫୦ ଲକ୍ଷ ୟୁନିକ୍‌ ଭିଜିଟର ପାଇବା ଏବେ ଅସମ୍ଭବ ବୋଲି ଗଣାଯାଉଛି। କିନ୍ତୁ ଆମେ ସମସ୍ତେ ଜାଣିଛୁ ଯେ ଓଡ଼ିଆ ଭାଷାରେ ଚାଲୁଥିବା ଅନେକ ସାଇଟ୍‌ ମାସକୁ ୫୦ ଲକ୍ଷ ନହେଲେ ବି ଅଢ଼େଇ ଲକ୍ଷ ୟୁନିକ୍‌ ଭିଜିର୍ଟ ଲାଭ କରିବାରେ ସକ୍ଷମ ହୋଇଛନ୍ତି। ଏଣୁ ଏହି ସର୍ବନିମ୍ନ ଭିଜିଟର ସଂଖ୍ୟାକୁ ‘ଏ’ ପର୍ଯ୍ୟାୟଭୁକ୍ତ କରାଯାଇପାରେ। ଠିକ୍‌ ସେହିଭଳି ବ’ ବର୍ଗ ପାଇଁ ୧ ଲକ୍ଷ ଏବଂ ସି’ ବର୍ଗ ପାଇଁ ୫୦ ହଜାର ୟୁନିକ୍‌ ୟୁଜର୍ସ ଯୋଗ୍ୟତା ସ୍ଥିର କରାଯାଇପାରେ।

କିନ୍ତୁ ଇଂରାଜୀ ଭାଷାରେ ଚାଲୁଥିବା ଓ୍ବେବ୍‌ସାଇଟ୍ ପାଇଁ ଏହି ନୀତି କଠୋର ହେବା ଆବଶ୍ୟକ। କାରଣ ଏହି ପ୍ରକାର ସାଇଟ୍‌ ପାଇଁ ଭିଜିଟର ପରିସର ଯଥେଷ୍ଟ ଅଧିକ। ଏହା ନହେଲେ ବିଭିନ୍ନ ରାଜ୍ୟରୁ ଓ୍ବେବ୍‌ ମିଡିଆଙ୍କ ଓଡ଼ିଶାକୁ ବିଜ୍ଞାପନ ପାଇଁ ସୁଅ ଛୁଟିବ। ଯାହା ପରବର୍ତ୍ତୀ ସମୟରେ ଏକ ଅସ୍ଵଭାବିକ ପରିସ୍ଥିତି ସୃଷ୍ଟି କରିବ, ଏହା ନିଶ୍ଚିତ।

ବିଷୟ ବିଶେଷଜ୍ଞଙ୍କ ପରାମର୍ଶ

ସରକାରୀ କଳ ବିଷୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ବଦଳରେ ମନକୁ ମନ କିଛି ଓ୍ବେବ୍‌ ପୋର୍ଟାଲ୍‌ ପ୍ରମୋଟରଙ୍କ ସହ କଥା ହୋଇ ନଥି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଫଳରେ ଅସୁବିଧା ଦିନକୁ ଦିନ ବଢ଼ୁଛି। ଆଉ ଓ୍ବେବ୍‌ସାଇଟ୍‌ ସଂଖ୍ୟା ମଧ୍ୟ। ଏ ବାବଦରେ ଅନେକ ସାଇଟ୍‌ ଯୋଗ୍ୟତା ନଥାଇ ମଧ୍ୟ ତାଲିକାଭୁକ୍ତ ହୋଇଥିବା ଅଭିଯୋଗ ହୋଇଛି। ଏଣୁ କୌଣସି ତୃତୀୟପକ୍ଷକୁ ଏ ବାବଦରେ ପରାମର୍ଶ ପାଇଁ ସରକାର ଗ୍ରହଣ କରିବା ଆବଶ୍ୟକ।

କେତେ ଲୋକ ବିଜ୍ଞାପନ ଦେଖିଲେ

ଏବେ ଯେଉଁ ନୀତି ରହିଛି ସେଥିରେ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ ବିଜ୍ଞାପନ ପକାଇଲେ ବା ନପାଇଲେ, ବା ସେହି ବିଜ୍ଞାପନ କେତେ ଇଂପ୍ରେସନ୍‌ ଲାଭ କଲା ତାହା ଜାଣିବାର କୌଣସି ଉପାୟ ନାହିଁ। ହେଲେ ଡିଏଭିପି ସେଥିଲାଗି ସ୍ଵତନ୍ତ୍ର ଏଜେନ୍ସୀ ସ୍ଥାପନ କରିଛନ୍ତି। ଏହି ପ୍ରକ୍ରିୟା ଅପେକ୍ଷାକୃତ ଅଧିକ ସ୍ଵଚ୍ଛ ହୋଇଥିବାରୁ ସରକାରୀ ଅର୍ଥକୁ ନୀତି ଅନୁସାରେ ଖର୍ଚର ପରିସର ସୃଷ୍ଟି କରେ। ଓଡ଼ିଶା ସରକାର ଚାହିଁଲେ ଏ ନୀତି ଆପଣାଇପାରିବେ।

କିନ୍ତୁ ସରକାରୀ କଳ ଏ ବାବଦରେ ନଥିରେ ଉଲ୍ଲେଖ କରିବା ବଦଳରେ ମନ ଇଚ୍ଛା ଏକ ମୁଣ୍ଡା ହିସାବ କରିବା ପାଇଁ ସଚିବଙ୍କୁ ପରାମର୍ଶ ଦେଇଥିବେ ଜଣାପଡ଼ିଛି। ଏଥିରେ ଦର୍ଶାଯାଇଛି ଯେ, ଏବେ ଓ୍ବେବ୍‌ସାଇଟ୍‌ମାନେ ୟୁନିକ୍‌ ୟୁଜର୍ସ ପିଛା ୧୦ଟଙ୍କା ୧୩ ପଇସା ପାଉଛନ୍ତି। ଏହା ଡିଏ ଭିପି ଅନୁସାରେ ଗଲେ ତାହା ୪ଟଙ୍କା ୩୫ ପଇସାକୁ ଖସି ଆସିବ। ଏଣୁ ବିଭାଗର ଖର୍ଚ କମିଯିବ। ଅର୍ଥାତ୍‌ ଯେଉଁ ବିଜ୍ଞାପନ ପାଇଁ ଗୋଟିଏ ଓ୍ବେବ୍‌ସାଇଟ ୭୬ ହଜାର ୭୦୦ ଟଙ୍କା ପାଉଥିଲା ଏବେ ତାହା ୩୨ହଜାରରେ ସୀମିତ ହେବ। କିନ୍ତୁ ସେମାନେ ଏହା ଭୁଲିଯାଉଛନ୍ତି ଯେ, ଡିଏଭିପିରେ ଏକ ଓ୍ବେବ୍‌ସାଇଟ୍‌ରେ ୫୦ ଲକ୍ଷ ୟୁନିକ୍‌ ୟୁଜର୍ସ ପାଇଁ ଏହି ଦର ସ୍ଥିର କରାଯାଇଛି। ହେଲେ ଏଠାରେ ତାହା ସର୍ବାଧିକ ୩୦ ହଜାର। ଯେହେତୁ ଏହି ସଂଖ୍ୟା ହାସଲ କରିବା ଅତ୍ୟନ୍ତ ସହଜ, ଏଣୁ ଦିନକୁ ଦିନ ବିଭାଗ ପାଖରେ ନ୍ୟୁଜ୍‌ ମିଡିଆ ସଂଖ୍ୟା ବଢ଼ିବ। ଆଉ ସେଥିରେ ଗୁଣାତ୍ମକ ମାନ ରକ୍ଷା ସମ୍ଭବ ହେବ ନାହିଁ। ଆଉ ଜାଣିଶୁଣି ପରିସ୍ଥିତିକୁ ସରକାର ବିଗିଡ଼ାଇବେ।

ଶେଷ କଥାରେ ପରାମର୍ଶ

ଏ ବ୍ୟବସ୍ଥାରୁ ନିଜକୁ ଦୂରରେ ରଖି ଏକ ସୁସ୍ଥ ପ୍ରତିଦ୍ଵନ୍ଦ୍ଵିତା ସ୍ଥିର ପାଇଁ ସରକାରୀ କଳ ଆଗକୁ ଆସିବା ଦରକାର। ଏଥିଲାଗି ଆମର ଅନୁଭବ:

  • ସର୍ବନିମ୍ନ ଯୋଗ୍ୟତା ପାଇଁ ୟୁନିକ୍‌ ଭିଜିଟର ସଂଖ୍ୟା ବଢ଼ାଯାଉ
  • ବର୍ଷକୁ ଗୋଟିଏଥର ନିର୍ଦିଷ୍ଟ ସମୟ ପାଇଁ ତାଲିକା କରଣ ପ୍ରକ୍ରିୟା ଜାରି ରହୁ
  • ଡିଏଭିପି ଭଳି ଏଠାରେ ଇଂପ୍ରେସନ୍‌ ଭିତ୍ତିରେ ବିଜ୍ଞାପନ ଦିଆଯାଉ
  • ବିଜ୍ଞାପନ ଇଂପ୍ରେସନ୍‌ ଜାଣିବା ପାଇଁ ତୃତୀୟ ପକ୍ଷକୁ ନିଯୁକ୍ତ କରାଯାଉ ଅର୍ଥାତ୍‌ ନିଜସ୍ଵ ସର୍ଭର ଲଗାଯାଉ

ଏହି ପଦକ୍ଷେପଗୁଡ଼ିକ ଦ୍ଵାରା ସ୍ଵଚ୍ଛ ଏବଂ ସୁସ୍ଥ ମିଡିଆ ପ୍ରତିଦ୍ଵନ୍ଦ୍ଵିତା ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇପାରେ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ତୃତୀୟ ମହଲା ନାଁରେ ଓଡ଼ିଆ ଅଧିକାରୀଙ୍କ ମାଡ଼: ସୂଚନା ଲୋସମ୍ପର୍କ ବିଭାଗ ବାଟବଣା, ଶାଗ

ସୂଚନା ଲୋକସମ୍ପର୍କ ବିଭାଗର ବିଜ୍ଞାପନ ଦୁର୍ନୀତି: ସରକାରୀ ନିୟମକୁ ସାମ୍ବାଦିକଙ୍କ ଫୁ’, ବିନା ଆଦେଶରେ…

କାର୍ଯ୍ୟରତ ସାମ୍ବାଦିକ ମଙ୍ଗଳ ଯୋଜନାରେ ବାଛ ବିଚାର