ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ରୁ ୨୧ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୧୯ ତାରିଖ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ମାନକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ସେପଟେ ଏହାକୁ ନଜରରେ ରଖି ସମ୍ପୃକ୍ତ ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ଆର୍ ସି ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୯ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ। ଏହାର ପ୍ରଭାବରେ ଆସନ୍ତା ୧୯-୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଆସନ୍ତା ଦୁଇଦିନ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୧୯ରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

୨୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, କୋରାପୁଟର ଅଧିକାଂଶ ଜାଗାରେ ବର୍ଷା ହେବ। ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅୂଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ। କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ। ୨୧ରେ ବି ବର୍ଷା ଲାଗି ରହିବ।ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସେହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply