ଆହୁରି ୩ ଦିନ ବର୍ଷା, ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆହୁରି ୩ ଦିନ ବର୍ଷା ଲାଗି ରହିବ । ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଶନିବାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଥିଲା ।

ପାଣିପାଗ ବିଭାଗ ଅନୁଯାୟୀ, ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳ ଉପରେ ରହିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ସୋନପୁର ଓ ଅନୁଗୁଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ସୋମବାର ଦିନ ଆଭ୍ୟନ୍ତରୀଣ ଓଡ଼ିଶର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ାରେ ପ୍ରବଳ ବର୍ଷିପାରେ ।

ମଙ୍ଗଳବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉତ୍ତର ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଏହାବାଦ୍‌ କୋରାପୁଟ, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Leave a Reply

Your email address will not be published.