ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାକୁ ସତର୍କବାଣୀ: ୫ ଦିନ ଯାଏ ବିଜୁଳି, ଘଡ଼ଘଡ଼ି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ସତର୍କବାଣୀ ଶୁଣାଇଛି। ଆଗାମାୀ ୫ ଦିନ ଯାଏ ଏହି ଅଞ୍ଚଳରେ କାଳ ବୈଶାଖୀ ବର୍ଷା,ବିଜୁଳି, ଘଡ଼ଘଡ଼ି ସହ ପବନ ବହିବା ଆଶଙ୍କା ରହିଛି। ପବନର ବେଗ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ରହିବ। ପ୍ରଥମେ ଧୂଳିଝଡ଼ ଓ ତା ପରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଥାନେ ସ୍ଥାନେ ବର୍ଷା ହେବା ଆଶଙ୍କା ବ୍ୟକ୍ତ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ନାରଙ୍ଗୀ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରୀୟ ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ଆକାଶ ମେଘୁଆ ସାଙ୍ଗକୁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ସେଥିଲାଗି ଜନସାଧାରଣଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛନ୍ତି।
ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ୩୦ରୁ ୪୦ କିଲୋମିଟର ପବନ ସାଙ୍ଗକୁ ଧୂଳିଝଡ଼ ଓ ହାଲୁକା ଘଡ଼ଘଡ଼ିର ଆଶଙ୍କା ରହିଛି।
ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଓ ଧୂଳି ଝଡ଼ ହେବ। କିନ୍ତୁ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ସେମିତି ବିଶେଷ ପରିବର୍ତ୍ତନ ହେବ ନାହିଁ। ବର୍ଷା ଓ ବଜ୍ରପାତ ଆଶଙ୍କା ଥିବାରୁ ମୟୁରଭଞ୍ଜ , କେନ୍ଦୁଝର, ଯାଜପୁର, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ପୂର୍ବ ପଦକ୍ଷେପ ଗ୍ରହଣ କରି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ଵରରେ ସକାଳ ସାଢ଼େ ଆଠଟା ସୁଦ୍ଧା ତାପମାତ୍ରା ୩୪,୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୭,୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ବା୍ରୁ ମଣ୍ଡଳର ଆର୍ଦ୍ରତା ୯୪ ପ୍ରତିଶତ ରେକର୍ଡ କରାଯାଇଛି।