କାଲିଠୁ ଇ-ମୁଦ୍ରା କାରବାର, ଭୁବନେଶ୍ୱରରେ ଚାଲିବ ଡିଜିଟାଲ ଟଙ୍କା ଜାଣନ୍ତୁ କେମିତି ହେବ କାରବାର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦିତ ଇ-ମୁଦ୍ରାର ଖାଉଟି ବ୍ୟାବହାରିକ ପ୍ରଚଳନ । ହୋଲସେଲ୍ ପାଇଲଟ୍ ପ୍ରକଳ୍ପର ବ୍ୟବହାର ସଫଳ ହେବା ପରେ ଏବେ ଖାଉଟି କରିବେ ବ୍ୟବହାର । ପାଇଲଟ୍ ପ୍ରକଳ୍ପର ଖାଉଟି ବ୍ୟବହାର ପାଇଁ ୮ଟି ବ୍ୟାଙ୍କକୁ ଅନୁମତି ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ICICI ବ୍ୟାଙ୍କ, Yes ବ୍ୟାଙ୍କ ଏବଂ IDFC ବ୍ୟାଙ୍କ ଏଥିରେ ଅଂଶଗ୍ରହଣ କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କ ଏଥିରେ ସାମିଲ ହେବେ । ପ୍ରଥମ ପର୍ଯ୍ୟାୟରେ ଇ-ମୁଦ୍ରା ଖାଉଟି ପାଇଲଟ୍ ପ୍ରକଳ୍ପର ଆରମ୍ଭ ମୁମ୍ବାଇ, ଦିଲ୍ଲୀ, ବେଙ୍ଗଳୁରୁ ଏବଂ ଭୁବନେଶ୍ବରରେ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଅହମ୍ମଦାବାଦ, ଗ୍ୟାଙ୍ଗଟକ୍, ଗୁଆହାଟୀ, ହାଇଦ୍ରାବାଦ, ଲକ୍ଷ୍ନୌ, ପାଟନା ଏବଂ ଶିମଲାରେ ବ୍ୟବହାର କରାଯିବ ।

ବ୍ୟାଙ୍କଗୁଡ଼ିକ ମାଧ୍ୟମରେ RBI ଦେବ ଇ-ମୁଦ୍ରା । ଯେଉଁମାନେ ଇ-ମୁଦ୍ରା ବ୍ୟବହାର କରିବାକୁ ଚାହିଁବେ, ସେମାନେ ଅନୁମତି ପାଇଥିବା ବ୍ୟାଙ୍କର ଡିଜିଟାଲ୍ ୱାଲେଟ ବ୍ୟବହାର କରିବେ । ମୋବାଇଲରେ ଏଥି ପାଇଁ ସଂପୃକ୍ତ ବ୍ୟାଙ୍କର ଡିଜିଟାଲ୍ ୱାଲେଟ୍ ଆପ୍ଲିକେସନ୍ ରଖିବାକୁ ପଡ଼ିବ । ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଏବଂ ବ୍ୟକ୍ତି-ବ୍ୟବସାୟୀ ମଧ୍ୟରେ ଇ-ମୁଦ୍ରା ପ୍ରଚଳନ କରିହେବ । QR କୋଡ୍ ସ୍କାନ୍ କରି ଏହାକୁ ବ୍ୟବହାର କରାଯିବ । ବଜାରରେ ଉପଲବ୍ଧ ଥିବା କାଗଜ ଟଙ୍କା କିମ୍ବା ଧାତବ ମୁଦ୍ରାର ମୂଲ୍ୟ ସହ ଇ-ମୁଦ୍ରାର ମୂଲ୍ୟ ସମାନ । ପୁଣ ଏହାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦନ କରିଥିବାରୁ ଏହାର ଶତ ପ୍ରତିଶତ ଆଇନଗତ ବୈଧତା ରହିଛି ।

ନଭେମ୍ବର ପହିଲାରେ ଇ-ମୁଦ୍ରା ପାଇଲଟ୍ ପ୍ରକଳ୍ପର ହୋଲସେଲ୍ ବ୍ୟବହାର ଆରମ୍ଭ କରିଥିଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯେଉଁଥିରେ ସାମିଲ ହୋଇଥିଲେ ୯ଟି ବ୍ୟାଙ୍କ । ବ୍ୟାଙ୍କ ଗୁଡ଼ିକର ଆରବିଆଇରେ ଟଙ୍କା ଆକାଉଣ୍ଡ ଏବଂ ସରକାରଙ୍କ ସହ ବଣ୍ଡ ଆକାଉଣ୍ଟ ରହିଛି । ହୋଲସେଲ୍ ବ୍ୟବହାର ଏହି ୯ଟି ବ୍ୟାଙ୍କ ସେମାନଙ୍କ ବ୍ୟାଙ୍କିଙ୍ଗ ସିଷ୍ଟମରେ CBDC ବା ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍‌ସି ଆକାଉଣ୍ଟ ଖୋଲିଥିଲେ । ଯାହା RBIର CBDC ସର୍ଭର ସହ ଲିଙ୍କ ହୋଇଥିଲା । ବ୍ୟାଙ୍କର ଲିଖିତ ଅନୁରୋଧ ଆଧାରରେ ଆରବିଆଇ ସଂପୃକ୍ତ ବ୍ୟାଙ୍କର ଗଚ୍ଛିତ ଟଙ୍କାରୁ କିଛି ପରିମାଣ CBDC ଆକାଉଣ୍ଟକୁ ଟ୍ରାନ୍‌ସଫର କରିଥିଲା । ଏମିତି ୯ଟି ଯାକ ବ୍ୟାଙ୍କ CBDC ଆକାଉଣ୍ଟ ଖୋଲି ସେଠାକୁ ଟଙ୍କା ଟ୍ରାନ୍‌ଫର୍ କରିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ ଇ-ରୁପି କାରବାର । CBDC ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇ ଇ-ରୁପିରେ ପରିଣତ ହୋଇଥିବା ଟଙ୍କା ବ୍ୟାଙ୍କଗୁଡ଼ିକ CCIL ସ୍କ୍ରିନରରେ ପ୍ରତିଫଳିତ ହୋଇଥିଲା । ଶେୟାର୍ ବଜାର ପାଇଁ ଷ୍ଟକ୍ ଏକ୍ସଚେଞ୍ଜ ଯେଉଁଭଳି କିଣାବିକାର ଏକ ମାଧ୍ୟମ ହୋଇଥାଏ, CCIL ବା କ୍ଲିଅରିଂ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ଠିକ ସେହିଭଳି ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ କାରବାରର ମାଧ୍ୟମ । ବ୍ୟାଙ୍କର CCIL, CBDC ସହ ଲିଙ୍କ ହୋଇଥିବା ବେଳେ ଏହାର ସର୍ଭର, RBIର CBDC ସର୍ଭର ସହ ଲିଙ୍କ ହୋଇଥିଲା । ଆଉ ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ ବଣ୍ଡ କାରବାର RBI ସର୍ଭର ମାଧ୍ୟମରେ ହୋଇଥିଲା । ଅର୍ଥାତ ବଣ୍ଡ କିଣିବାକୁ ଚାହିଁଥିବା ବ୍ୟାଙ୍କକୁ RBI ସର୍ଭର ମାଧ୍ୟମରେ ବଣ୍ଡ ଟ୍ରାନ୍ସଫର ହୋଇଥିଲା । କିନ୍ତୁ ଏଠି ବଣ୍ଡ ବିକିଥିବା ବ୍ୟାଙ୍କର CBDC ଆକାଉଣ୍ଟକୁ RBIର ବିନା ହସ୍ତକ୍ଷେପରେ ଆସିଥିଲା ବଣ୍ଡ କିଣିଥିବା ବ୍ୟାଙ୍କର CBDC ଆକାଉଣ୍ଟରୁ ଟଙ୍କା । DLT- Distributed Laser Technology ବା ବ୍ଲକ୍ ଚେନ୍ ଟେକ୍ନୋଲଜି ମାଧ୍ୟମରେ ହୋଇଥିଲା ନେଣଦେଣ କାରବାର । ବର୍ତ୍ତମାନ ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ କାରବାର CCIL ମାଧ୍ୟମରେ ହେଉଥିବା ବେଳେ ଏବେଠାରୁ ହୋଇଛି CBDC ମାଧ୍ୟମରେ । CCIL ମାଧ୍ୟମରେ ଆକାଉଣ୍ଟରୁ ଟଙ୍କା କଟିବା କିମ୍ବା ଆସିବାକୁ ଗୋଟେ ଦିନରୁ ଅଧିକ ବା T+1 ଲାଗିଥାଏ । କିନ୍ତୁ CBDC ମାଧ୍ୟରେ ଏହା ସଙ୍ଗେ ସଙ୍ଗେ ହେବ, ତାହା ପୁଣି ବ୍ୟାଙ୍କ-ବ୍ୟାଙ୍କ ମଧ୍ୟରେ RBIର ବିନା ହସ୍ତକ୍ଷେପରେ ।

କ୍ରିପ୍‌ଟୋ କରେନ୍‌ସି ବିପଜ୍ଜନକ ହୋଇଥିବା ବେଳେ ସେଥିରେ କାରବାର କିମ୍ବା ନିବେଶ କରି ଅଯଥା ରିସ୍କ ନନେବାକୁ ସରକାର, ଲୋକଙ୍କୁ ପରାମର୍ଶ ଦେଇ ଆସୁଥିଲେ । RBI ନିଜର ଡିଜିଟାଲ୍ କରେନ୍‌ସି ଆଣିବେ ବୋଲି ଗତ ବଜେଟ ଅଧିବେଶନ ବେଳେ ପାର୍ଲାମେଣ୍ଟରେ କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କ୍ରିପ୍‌ଟୋ କରେନ୍‌ସିର ବାପା-ମାଆ ନଥିବା ବେଳେ ଭାରତୀୟ ଇ-ରୁପିର କିନ୍ତୁ ରହିଛି ଆଇନଗତ ବୈଧତା । ଅର୍ଥାତ ଏହା ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁମୋଦିତ । ବର୍ତ୍ତମାନ ଉପଲବ୍ଧ ଫିଜିକାଲ୍ କରେନ୍‌ସି ବା କାଗଜ ଟଙ୍କା କିମ୍ବା ଧାତବ ମୁଦ୍ରା ଚିର ସ୍ଥାୟୀ ନୁହେଁ । ଅର୍ଥାତ ଏହା ହଜିଯିବା, ଚିରିଯିବା, ଜଳିଯିବା କିମ୍ବା ଚୋରି ହୋଇଯିବା ସମ୍ଭାବନା ରହିଛି । ଇ-ମୁଦ୍ରାରେ କିନ୍ତୁ ସେ ଭୟ ନାହିଁ । ପୁଣି ଏହା ସରକାରଙ୍କୁ ବଡ଼ ଆର୍ଥିକ ବୋଝରୁ ଆଶ୍ବସ୍ତ କରିବ । କାରଣ ଟଙ୍କା ଛାପିବାରେ ସରକାର, ବର୍ଷକୁ ୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଇ-ମୁଦ୍ରାକୁ ନେଇ କିଛି ଭୟଭୀତ ଥାଇପାରନ୍ତି । କିନ୍ତୁ ସେମିତି କିଛି ଭୟଭୀତ ହେବାର ନାହିଁ । କାରଣ ଏବେ ବହୁ ଲୋକ ଅନଲାଇନରେ ଟଙ୍କା କାରବାର କରୁଛନ୍ତି । ଏଥିପାଇଁ ସେମାନେ ପେଟିଏମ୍, ଗୁଗୁଲ ପେ ଭଳି କିଛି ମାଧ୍ୟମ ବ୍ୟବହାର କରୁଛନ୍ତି, ଯାହାକି NPCI ବା National Payments Corporation of India ଦ୍ବାରା ପରିଚାଳିତ ହେଉଛି । କିନ୍ତୁ ଏବେ ଇ-ରୁପି ପାଇଁ RBIର CBDC ପ୍ଲାଟଫର୍ମ ବ୍ୟବହାର ହେବ । ଜଣେ ବ୍ୟକ୍ତି ଯଦି ତାଙ୍କ ଆକାଉଣ୍ଟରେ ଥିବା ଫିଜିକାଲ୍ କରେନ୍‌ସିକୁ ଡିଜିଟାଲ୍ କରେନ୍‌ସି ବା ଇ-ମୁଦ୍ରାରେ ପରିଣତ କରିପାରିବେ, ତେବେ ଇ-ମୁଦ୍ରାକୁ ଫିଜିକାଲ୍ କରେନ୍‌ସିରେ ମଧ୍ୟ ପରିଣତ କରିହେବ । ପ୍ରାଇଭେସି ଏବଂ ସାଇବର ସିକ୍ୟୁରିଟିକୁ ନେଇ ଅଧିକାଂଶ ଦେଶ ଏବେ ବି CBDC ଉପରେ ରିସର୍ଚ୍ଚ ଚଳାଇଥିବା ବେଳେ ଭାରତ ସରକାର ଏସବୁ ଉପରେ ଅନୁଧ୍ୟାନ ପରେ ଆରମ୍ଭ ନେଇଛନ୍ତି ଐତିହାସିକ ପଜକ୍ଷେପ ।

Leave a Reply

Your email address will not be published.