ପୁଣି ବିଧାନ ପରିଷଦ ଭେଳିକି

0
176
advertisement

୧୬ତମ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଧାନସଭାର ନୂଆ ଅଧିବେଶନ ଆରମ୍ଭ ହୋଇନାହିଁ। କିନ୍ତୁ ହଠାତ ବିଧାନ ପରିଷଦ ଗଠନ ପ୍ରଶ୍ନ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି। କିଏ ଓ କାହିଁକି ବିଧାନପରିଷଦ ଗଠନ କଥା ବଜାରକୁ ଛାଡ଼ିଛି, ତାହାହିଁ ବଡ଼ କଥା।

ଲୋକସଭାର ଉପବାଚସ୍ପତି ପଦ କଥା ଯେମିତି ବାହାରକୁ ଛଡ଼ାଯାଇଥିଲା, ବିଧାନପରିଷଦ ଗଠନ କଥା ଠିକ ସେହିଭଳି ସୁନିୟୋଜିତ ଭାବେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର କରାଯାଉଛି। ରାଜ୍ୟସଭାରେ ଖାଲି ପଡ଼ୁଥିବା ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଏହି ଚାପ ହୁଗାଳିବା ନିମନ୍ତେ ଜାଣିଶୁଣି ବିଧାନପରିଷଦ କଥା ଉଠାଯାଇଛି ବୋଲି ମନେ କରାଯାଉଛି।

୨୦୧୮ ମସିହା ସେପେମ୍ୱର ମାସରେ ବିଧାନସଭାରେ ବିଧାନପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ବିଧାନସଭାରେ ଆଗତ ବେଳେ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କକ୍ଷ ତ୍ୟାଗ କରିଥିଲେ। ୧୪୭ ଜଣିଆ ବିଧାନସଭାରେ ଏହି ପ୍ରସ୍ତାବକୁ ୧୦୪ ଜଣ ବିଜେଡି ବିଧାୟକ ସମର୍ଥନ କରିଥିଲେ। ତେଣୁ ମୋଟାମୋଟି ଭାବେ ବିଜୁ ଜନତା ଦଳ ହିଁ ବିଧାନପରିଷଦ ଗଠନର ପକ୍ଷପାତି।

ଏହି ପ୍ରସ୍ତାବ ବିଧାନସଭାରେ ଆଗତ କଲାବେଳେ ସରକାରୀ ପକ୍ଷ ଦର୍ଶାଇଥିଲେ ଯେ, ଏହା ଓଡ଼ିଶାର ବହୁଦିନର ଦାବି। ପ୍ରସ୍ତାବଟି ବିଧାନସଭାରେ ମଞ୍ଜୁର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ବିକାଶ ତ୍ୱରାନ୍ୱିତ ହୋଇଛି। ବିକାଶ ଧାରା ଅଧିକ ତ୍ୱରାନ୍ୱିତ କରିବା ସକାଶେ ବ୍ୟାପକ ବିଚାର ବିମର୍ଶର ଆବଶ୍ୟକତା ରହିଛି। ଏହି କାରଣରୁ ବିଧାନପରିଷଦ ଅତ୍ୟନ୍ତ ସହାୟକ ହେବ।

ବିଧାନପରିଷଦ ଗଠନ ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହେବା ପରେ ଏହା ସଂସଦରେ ଉପସ୍ଥାପିତ ହୋଇ ନାହିଁ। ଏବେ ନୂଆ ସଂସଦ ଆରମ୍ଭ ହେବାକୁ ଯାଉଛି। ତେଣୁ ଓଡ଼ିଶାରେ ବିଧାନପରିଷଦ ହେବ କି ନାହିଁ, ତାହା ମୋଦୀ ସରକାରଙ୍କ ମର୍ଜି ଉପରେ ନିର୍ଭର କରେ। କିନ୍ତୁ କାହିଁକି ବିଜୁ ଜନତା ଦଳର ଆବଶ୍ୟକତା ପୂରଣ ସକାଶେ ମୋଦୀ ସରକାର ଏହି ପ୍ରସ୍ତାବକୁ ସଂସଦରେ ଅନୁମୋଦିତ କରାଇବେ?

ଓଡ଼ିଶାକୁ ବାଦଦେଲେ ଆହୁରି ୫ଟି ରାଜ୍ୟର ବିଧାନସଭା ବିଧାନପରିଷଦ ଗଠନ ପ୍ରସ୍ତାବ ଅନୁମୋଦିତ କରାଇ ଥିଲେ ହେଁ, ଏପର୍ଯ୍ୟନ୍ତ ସଂସଦରେ ଗୃହୀତ ହୋଇ ନାହିଁ। ତାମିଲନାଡ଼ୁ ବିଧାନସଭା ପୁନର୍ବାର ବିଧାନପରିଷଦ ଗଠନ ଲାଗି ୨୦୧୧ରୁ ସଂସଦକୁ ପ୍ରସ୍ତାବ ପଠାଇଥିଲେ ହେଁ, ଏହା ଆଗତ ହୋଇନାହିଁ। ପୂର୍ବରୁ ତାମିଲନାଡ଼ୁରେ ବିଧାନପରିଷଦ ଥିଲା। କିନ୍ତୁ ଏହାକୁ ବିଧାନସଭାର ପ୍ରସ୍ତାବ କ୍ରମେ ଏବଂ ସଂସଦର ମଞ୍ଜୁରି ପରେ ଉଚ୍ଛେଦ କରାଯାଇଥିଲା।

ଯେହେତୁ ୩ଟି ବିଧାନସଭାର ପ୍ରସ୍ତାବ ଦୀର୍ଘଦିନ ହେଲା ଶୀତଳ ଭଣ୍ଡାରରେ ପଡ଼ି ରହିଛି, ସେହେତୁ ଓଡ଼ିଶା ବିଧାନସଭାର ପ୍ରସ୍ତାବକୁ ପଚାରେ କିଏ? ଓଡ଼ିଶା ଏବେ ଋଣ ଯନ୍ତାରେ ପଡ଼ିସାରିଲାଣି। ଋଣ ଭାର ୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ବସିଛି। ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଟଙ୍କାରେ ଆମେ କରିବୁ ବୋଲି କହୁଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନବୀନ ପଟ୍ଟନାୟକ ଯେଉଁ ଦାବି କରିଛନ୍ତି, ସେଥିରେ କେନ୍ଦ୍ରରୁ ସାହାଯ୍ୟ ମାଗିବା ଝଲସି ଯାଉଛି। ଆମେ ପାରିବୁ ନାହିଁ, ଆପଣ ଦିଅନ୍ତୁ ବୋଲି ପରୋକ୍ଷରେ ପ୍ରାର୍ଥନା କରିଛନ୍ତି ନବୀନ।

ବିଧାନପରିଷଦ ଗଠିତ ହେଲେ ବର୍ଷକୁ ୪୦ କୋଟି ଟଙ୍କା ଅତିରିକ୍ତ ବୋଝ ବଢ଼ିବ। ଏହାଛଡ଼ା ବିଧାନପରିଷଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନିମନ୍ତେ ଶତାଧିକ କୋଟି ଟଙ୍କାର ଆବଶ୍ୟକତା ଅଛି। ଓଡ଼ିଶା ଭଳି ଗରିବ ରାଜ୍ୟରେ ବିଧାନ ପରିଷଦର ଆବଶ୍ୟକତା ନାହିଁ ବୋଲି ବିଭିନ୍ନ ମହଲ ଯୁକ୍ତି କରିସାରିଛନ୍ତି।

ଏବେ ରହିଲା ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ଚାପ କଥା। ବିଧାନସଭା କି ଲୋକସଭାକୁ ନିର୍ବାଚିତ ହୋଇ ନଥିବା ନେତାମାନଙ୍କ ଥଇଥାନ ଲାଗି ବିଧାନସଭା ଦ୍ୱାରା ଗୃହୀତ ପ୍ରସ୍ତାବକୁ ସଂସଦ କାହିଁକି ବା ଆଲୋଚନା ଲାଗି ଗ୍ରହଣ କରିବ? ବିଜେଡି ବୋଝ ବିଜେଡି ଉଠାଉ। ଏଥିପାଇଁ ମୋଦୀ ସରକାର ଆଗ୍ରହ ପ୍ରକାଶ କରିବାର ସମ୍ଭାବନା ନାହିଁ। କିନ୍ତୁ ମୂଳ ପ୍ରଶ୍ନ ହେଉଛି, ନିଜେ ନବୀନ ଏତେ ନେତାଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଲୋଭ ଦେଖାଇ ସାରିଛନ୍ତି ଯେ, ଏବେ ସେମାନଙ୍କୁ ପ୍ରବୋଧନା ଦେବା ନିମନ୍ତେ ବିଧାନ ପରିଷଦ ମୁଆଁ ଧରାଇବାକୁ ଚାହାଁନ୍ତି।

ଯାହା ହେବାର ନାହିଁ, ତାହା ହେବାକୁ ଯାଉଛି ବୋଲି କହି କିଛି ନେତାଙ୍କୁ ବୋକା ବନାଇ ଦିଆଯାଇ ପାରିଲେ, ରାଜନୈତିକ ଉଦ୍ଦେଶ୍ୟ ସଫଳ ହେବ ବୋଲି ନବୀନ ଭାବି ନେଇଛନ୍ତି। କିନ୍ତୁ ମୋଦୀ ଥିବାଯାଏଁ ନବୀନଙ୍କ ବିଧାନପରିଷଦ ଯୋଜନା କାର୍ଯ୍ୟକାରୀ ହେବାର ସାମାନ୍ୟତମ ସମ୍ଭାବନା ଦେଖାଯାଉ ନାହିଁ। କାରଣ ହେଲା ଆହୁରି ୬ଟି ପ୍ରସ୍ତାବ ପଡ଼ିରହିଛି। ସବୁ ଜାଣିସୁଦ୍ଧା ବିଜୁ ଜନତା ଦଳ ଏଭଳି ପ୍ରଚାର କାହିଁକି ଆରମ୍ଭ କରିଛି?