ବେଦାନ୍ତ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌ ପସ୍ତାଇଲେ

0
1322
advertisement

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ପୁଞ୍ଜିନିବେଶ କରି ପସ୍ତାଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌। ମେକ୍‌ ଇନ୍‌ ଓଡ଼ିଶା ଅବସରେ ଓଡ଼ିଶାରେ ନିବେଶ କରି ନିଜର ଅଭିଜ୍ଞତା ବଖାଣିବା ସମୟରେ ଏହା ସ୍ପଷ୍ଟ ହୋଇଛି। କଳାହାଣ୍ଡିର ଲାଞ୍ଜିଗଡ଼ଠାରେ ତାଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଆାଲୁମିନିୟମ୍‌ ପ୍ରକଳ୍ପରେ ୨ ଲକ୍ଷ ମିଲିୟନ୍‌ ଡଲାର ବା ଦେଢ଼ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ସେ କହିଛନ୍ତି। 

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଆୟୋଜିତ ଶିଳ୍ପପତିଙ୍କ ସମାବେଶରେ ସେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି। କିନ୍ତୁ କିଛି ଆବଶ୍ୟକ ପ୍ରତିବନ୍ଧକକୁ ହଟାଇବା ପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଶେଷ କରି କୋଇଲା ଯୋଗାଣକୁ ନେଇ ସରକାର ଓ ଘରୋଇ କମ୍ପାନୀଙ୍କ ଭିତରେ ଯେଉଁ ପ୍ରତିବନ୍ଧକ ଲଗାଯାଇଛି ତାହାକୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି। ଏବେ ଘରୋଇ କମ୍ପାନୀଙ୍କ ପାଇଁ ମାତ୍ର ୨୫ ପ୍ରତିଶତ କୋଇଲା ଯୋଗାଇ ଦିଆଯିବା ଦ୍ଵାରା ଏହା ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି। 

ଏହାଛଡ଼ା ପୁରୀଠାରେ ପ୍ରସ୍ତାବିତ ବିଶ୍ଵବିଦ୍ୟାଳୟ ପ୍ରସଙ୍ଗରେ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି ଅନୀଲ୍‌ ଅଗ୍ରୱାଲ୍‌। ଏଠାରେ  ବିଶ୍ଵସ୍ତରୀୟ ବିଶ୍ଵବିଦ୍ୟାଳୟ ସେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଗଠନ ପାଇଁ ଚେଷ୍ଟା କରିଥିଲେ। ୧୫ ହଜାର କୋଟି ଟଙ୍କା ନିବେଶରେ ୬ ହଜାର ଏକର ଭୂମି ଉପରେ ଏହି  ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ହେଲେ ଏଯାଏ ତାହା ଦିନର ଆଲୁଅ ଦେଖିବାରୁ ବଞ୍ଚିତ ହୋଇଛି। ଏହି ଅବସରରେ ଶିଳ୍ପପତି ସମୁଦାୟଙ୍କ ଧ୍ୟାନ ଆକର୍ଷଣ କରି ସେ ସେହି ଜାଗାରେ ନିବେଶ ପାଇଁ ଅନୁରୋଧ କରିଛନ୍ତି। ବମ୍ବେରେ ଯେମିତି ଏକ ବିଶାଳ କନ୍‌ଭେନ୍ସନ୍‌ ସେଣ୍ଟର ପ୍ରତିଷ୍ଠା ହୋଇଛି ଠିକ୍‌ ସେହିପରି କୋଣାର୍କ ପାଖରେ ବେଦାନ୍ତ ଅକ୍ତିଆର କରିଥିବା ଜମି ଉପରେ ବିଶ୍ଵସ୍ତରୀୟ କନ୍‌ଭେନ୍ସନ୍‌ ସେଣ୍ଟର ନିର୍ମାଣ ପାଇଁ ସେ ଶିଳ୍ପପତି ସମୁଦାୟଙ୍କୁ ଅନୁରୋଧ କରିଛନ୍ତି।

ମୁମ୍ବାଇଠାରେ ରିଲାଏନ୍ସ ପକ୍ଷରୁ ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ କନ୍‌ଭେନ୍ସନ୍‌ ଏବଂ ପ୍ରଦର୍ଶନୀ କେନ୍ଦ୍ର ନିର୍ମାଣ କରାଯାଇଛି।  କୋଣାର୍କ ଯେହେତୁ ଏକ ବିଶ୍ଵ ଐତିହ୍ୟ ଏବଂ ଭୁବନେଶ୍ଵରଠାରୁ ଏହା ମାତ୍ର ୪୫ ମିନିଟ୍‌ର ରାସ୍ତା, ତାହା ଅନେକ ସହାୟକ ହେବ ବୋଲି ଶ୍ରୀ ଅଗ୍ରୱାଲ୍‌ ଆଶା ପ୍ରକାଶ କରିଛନ୍ତି।