କୋଡ଼ିଏ ଲକ୍ଷ କୋଟି: ମୋଚି,ବାରିକ ଦୋକାନୀ ପାଇଲେ କେତେ

 ଅବଶ୍ୟ ସେ ରାତି ୮ ଟାରେ ଟିଭିକୁ ଆସିଲେ ଭାରତର ଜନସମୁଦ୍ରକୁ ପ୍ରଭାବିତ କରିବା ଭଳି କିଛି ଗୋଟେ ନୂଆ ନିଷ୍ପତ୍ତି ଘୋଷଣା ହେବ ବୋଲି ସମସ୍ତଙ୍କୁ ଅଳ୍ପ ବହୁତେ ଜଣା ପଡ଼ିଗଲାଣି। ଏଣୁ ଏଥର କ’ଣ ହେବ ତାହା ଜାଣିବା ପାଇଁ  ଏହି ଜନସମୁଦ୍ର ଟିଭି, ଇଣ୍ଟରନେଟ୍‌ର ପର୍ଦାକୁ ଝୁଙ୍କିବା ସ୍ଵଭାବିକ। ଅବଶ୍ୟ ଏଥର ଲୋକେ ଭାବୁଥିଲେ ପ୍ରଧାନମନ୍ତ୍ରୀ ମୋଦି ଲକ୍‌ଡାଉନ୍‌ କଟକଣା  ଏବଂ କରୋନା ଯୁଦ୍ଧ ବାବଦରେ କିଛି ନୂଆ ଘୋଷଣା କରିବେ। କିନ୍ତୁ ସେସବୁ ସସ୍‌ପେନ୍ସରେ ଛାଡ଼ି ମୋଦି ଦେଶବାସୀଙ୍କ ଲାଗି ଏକ ଜ୍ୟାକ୍‌ପଟ ଘୋଷଣା କଲେ। ତାହା ହେଲା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସଂସ୍କାର ‘ଆତ୍ମନିର୍ଭରଶୀଳ ଭାରତ’ ପ୍ୟାକେଜ୍‌। 

କିଛି କ୍ଷଣ ବିରାମ ନେଇ ମୋଦି ପୁଣି କହିଲେ ଏ ୨୦ ଲକ୍ଷ କୋଟି ଦେଶର ସ୍ଥାନୀୟ ବଜାର, ଶିଳ୍ପ, ଦୋକାନ, ବ୍ୟବସାୟୀଙ୍କ ପାଖକୁ ଯିବ।  କିନ୍ତୁ କେତେ ଟଙ୍କା କାହା ପାଖକୁ ଯିବ, ବଜାରରେ ଏ ଟଙ୍କା କେମିତି ବୁଲିବ, ଦେଶର ଅର୍ଥନୀତିକ ମେରୁ ଦଣ୍ଡରେ ପୁଣି କିପରି ମାଂସପେଶୀ ଲାଗିବ ସେ ବାବଦରେ ଅର୍ଥମନ୍ତ୍ରୀ କହିବେ। 

ଏତେବଡ଼ ଅର୍ଥ ନୀତିକ ପ୍ୟାକେଜ୍‌ କେବେ ଘୋଷଣା ହୋଇ ନଥିଲା। ପୁଣି ପ୍ୟାକେଜ୍‌ କେମିତି ହେବ ସେଥିଲାଗି ମୋଦି ଗୋଟିଏ ରାତି ସମୟ ଦେଇଥିବାରୁ ଭାରତୀୟଙ୍କ ଲାଗି ଚର୍ଚା, ଆଲୋଚନା, ସମୀକ୍ଷା ଓ ବ୍ୟଙ୍ଗର ସୁଯୋଗ ସୃଷ୍ଟି କରିବା ସ୍ଵଭାବିକ। ଏଣୁ ଏହି ପରିମାଣ କେତେ, ଏହାକୁ କିପରି ଲେଖାଯିବ ସେଥିଲାଗି ଗଣମାଧ୍ୟମ ଏବଂ ବୁଦ୍ଧିଜୀବୀ ମହଲରେ ବିମର୍ଷ ଆରମ୍ଭ ହୋଇଗଲା। ସୋଶାଲ୍‌ ମିଡିଆରେ ଅନେକ ମେମ୍‌ ପ୍ରସ୍ତୁତ ହେଲା ଆଉ ଘୁରି ବୁଲିଲା। କରୋନା ଭୁତାଣୁ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତିଟି ବ୍ୟକ୍ତି, ଅନୁଷ୍ଠାନ ଏଥିଲାଗି ଆଶା ବାନ୍ଧିଲେ, ବାନ୍ଧିବା ବି ସ୍ଵଭାବିକ। 

ଏତେ ଟଙ୍କା ସରକାର ଆଣିକେ କେଉଁଠୁ? ଏହି ପରିମାଣରେ କେତୋଟି ଶୂନ ରହିଛି?  ଏବାବଦରେ ଚର୍ଚା କରୁ କରୁ ସକାଳୁ କିଛି ଇଂରାଜୀ ଖବରକାଗଜ ନିଜ ଶୀର୍ଷକରେ ବେଶ୍‌ ସୃଜନଶୀଳତା ପ୍ରକାଶ କରି ୨ରେ ୧୩ଟି ଶୂନ ଦେଇ ୧୪ ଅଙ୍କର ଏକ ସଂଖ୍ୟାକୁ ଉପସ୍ଥାପନ କଲେ। ଆଉ ତା’ ତଳେ କହିଲେ ଯେ, ଏହି ଅଙ୍କ ଗଣନା ସରିବା ବେଳକୁ ହୁଏତ ଅର୍ଥମନ୍ତ୍ରୀ ତାଙ୍କ ପେଡ଼ି ନେଇ ସାମ୍ନାକୁ ଆସିପାରନ୍ତି!

ପାଖାପାଖି ୧୬ ଘଣ୍ଟା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌ର ରୂପରେଖ ନେଇ ଟିଭି ଓ ଇଣ୍ଟରନେଟ୍‌ ପର୍ଦାରେ ଉପସ୍ଥିତ ହେଲେ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ପାଇଁ ମୁଖ୍ୟତଃ ଏହି ପ୍ୟାକେଜ୍‌କୁ ଘୋଷଣା କରିବା ସହ ଦେଶରେ ଏମ୍‌ଏସ୍‌ଏମ୍‌ଇର ପରିଭାଷା ପରିବର୍ତ୍ତନ କରି କିଛି ଆଇନଗତ ଘୋଷଣା କଲେ। ବ୍ୟାଙ୍କଠାରୁ  ଆରମ୍ଭ କରି ସିଆଇଆଇ ଯାଏ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। 

କିନ୍ତୁ ପ୍ରଶ୍ନ ଉଠୁଛି ଯେଉଁ ଜଳଖିଆ ଦୋକାନୀ ପ୍ରାୟ ଦୁଇଦିନ ହେଲା ନିଜ ଚୂଲିର ଆଞ୍ଚ ଦେଖିନାହିଁ, ଯେଉଁ ଅଟୋ ଚାଳକ ରାସ୍ତାରେ ଯାତ୍ରୀଙ୍କୁ ବାହିବା ବଦଳରେ ଆଳୁ ପିଆଜ ଧରି ବୁଲୁଛି,  ସାହିଗଳିରେ ଯେଉଁ ଫାଷ୍ଟଫୁଡ୍‌ ଦୋକାନୀ ପନିପରିବା, ଶାଗ ବିକୁଛି ତାକୁ କ’ଣ ମିଳିଲା? 

ପୁଣି ମୁଣ୍ଡରେ ମୁଣ୍ଡେ ବାଳ ଧରିଥିଲେ ବି ଆମେ ଯେଉଁ ବାରିକ ଦୋକାନକୁ ଯିବାକୁ ଡରୁଛୁ ତା’କୁ କ’ଣ ମିଳିଲା? ରାସ୍ତାକଡ଼ରେ କିଛି ଯୋତା ମରାମତି ଓ ସଫା ଉପକରଣ ଧରି ବସିଥିବା ମୋଚିଟି ଏବେ କ’ଣ କରୁଛି? ତା ଦୋକାନ ସେ କେବେ ଖୋଲିବ? ଯେଉଁ ସହରାଞ୍ଚଳ ମହିଳାଟି ବିୟୁଟି ପାର୍ଲର ତାଲିମ ନେଇ ଅନ୍ୟ ଘର ଭଡ଼ା ନେଇ ଦୋକାନ କରିଥିଲା ତା’ର କ’ଣ ହେଲା? 

ସରକାରଙ୍କ ଦ୍ଵାରା ପ୍ରଚଳିତ ଟାର୍ଗେଟେଡ୍‌ ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ୍‌ ସିଷ୍ଟମ୍‌ରୁ ବଞ୍ଚିତ ଏହି ସହରାଞ୍ଚଳ ଗରିବଙ୍କ ଭିତରୁ ଏବେ ୫୦ ପ୍ରତିଶତ ନିଜର ଖାଦ୍ୟ ଯୋଗାଡ଼ କରିବାରେ ଅସମର୍ଥ ହେଉଛନ୍ତି। ୨୭ ପ୍ରତିଶତ ଲୋକ ନିଜ ଜୀବୀକା ହରାଇଲେଣି ବୋଲି ଏକ ସର୍ବେକ୍ଷଣ ସଂସ୍ଥା ପ୍ରକାଶ କରିଛି। କିନ୍ତୁ ଏଥିରେ ରାସ୍ତା କଡ଼ର ପାନ ଦୋକାନୀ, ଜଳଖିଆ ଦୋକାନୀ ବା ବାରିକ, ମୋଚି ଦୋକାନୀ ସାମିଲ୍‌ ନାହାନ୍ତି। କାରଣ ଏମାନଙ୍କ ଜୀବୀକା ସଂଗଠିତ ନୁହେଁ। ଏମାନଙ୍କ ଠାରେ ବ୍ୟାଙ୍କ୍‌ ବା ସରକାରଙ୍କ କୌଣସି ଅର୍ଥ ନିବେଶ ହୋଇ ନାହିଁ। ଏମାନେ ଅଣୁ ଶିଳ୍ପ ନୁହନ୍ତି କି ଶ୍ରମିକ ନୁହନ୍ତି। ନିଜ ଗୋଡ଼ରେ ଭାରତର ନୂଆ ଅର୍ଥନୀତିରେ ଆତ୍ଵ ନିର୍ଭରଶୀଳ ଭାରତୀୟଙ୍କ ଭିତରୁ ଏମାନେ ଗୋଟିଏ ଗୋଟିଏ। ଯାହାଙ୍କ ବାର୍ଷିକ ବ୍ୟବସାୟ ସର୍ବାଧିକ ୫ ଲକ୍ଷ ହେବ। ଆଉ ଲାଭ ଅତି ବେଶୀରେ ୧ ଲକ୍ଷ ହେବ। କିନ୍ତୁ ଏହି ଦୋକାନରୁ ଦିନକୁ ୩୦ ଟଙ୍କାରୁ ୧୦୦ ଟଙ୍କା ରୋଜଗାର କରି ନିଜର ପରିବାର ଚଳାଉଥିବା ଏହି ସ୍ଵଭିମାନୀ ଆତ୍ମ ନିର୍ଭରଶୀଳ ଭାରତୀୟ  ଆଜି ନିରାଶ। ଖାଲି ନିରାଶ ନୁହେଁ,  ଡାକ୍ତରଖାନାରେ ତାହାର ନିକଟତର କିଏ ପଡ଼ି ଛଟପଟ ହେଲା ଭଳି ସେ ଆଜି ଘରେ ବସି ପିଲାଛୁଆଙ୍କ ଦୁଃଖ କଷ୍ଟ ଦେଖୁଛି, ନିଜ ଆଖି ଲୁହକୁ ଚାପି ଧରି!

ଶେଷ କଥା 

ନିଜ ଗୋଡ଼ରେ ଠିଆ ହେବାର ନିଶା ବା ବାଧ୍ୟବାଧକତା ଏହି ଅସ୍ଥିର, ଅସଂଗଠିତ ବ୍ୟବସାୟୀ ସମ୍ପ୍ରଦାୟଙ୍କୁ ଯଦି ଅର୍ଥନୀତିକ କାଏଦା କାନୁନରୁ ବାଦ୍‌ ଦିଆଯାଏ ତେବେ ସହରାଞ୍ଚଳରେ ବଞ୍ଚିବା ଅସ୍ଵଭାବିକ ହେବା ନିଶ୍ଚିତ। କାରଣ ଏହି ଲୋକମାନେ ଅନେକ କିଲୋମିଟର ଦୂରରୁ ପନିପରିବା, ଅନ୍ୟ ଦ୍ରବ୍ୟ ଓ ସେବା ଆଣି ସହରର କଲୋନୀରେ ଉପଲବ୍ଧ କରାନ୍ତି। ଏଣୁ ଅଣୁ ଶିଳ୍ପ କଥା କହିବାବେଳେ ସରକାର ଏହି ସମ୍ପ୍ରଦାୟ ବ୍ୟବସାୟୀଙ୍କୁ ଭୁଲିଲେ କିପରି? ଯେଉଁମାନେ ଦାଦନ ନଯାଇ ଆତ୍ମ ନିର୍ଭରଶୀଳ ହେବାକୁ ଚାହିଁଲେ ତାଙ୍କୁ ଅଣ ଦେଖା କାହିଁକି?  ଯଦି ଦାଦନ ଶ୍ରମିକଙ୍କୁ ତାଙ୍କ ରାଜ୍ୟକୁ ଆଣିବା ବା ପଠାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟସ୍ତତା ପ୍ରଦର୍ଶନ କଲେ ତେବେ ନିଜ ମାଟିରେ ନିଜ ଗୋଡ଼ରେ ସଂସାରଟିଏ ଗଢ଼ିଥିବା ଲୋକଙ୍କ ଲାଗି କ’ ଏ କୋଡ଼ିଏ ଲକ୍ଷ କୋଟିରେ ଶୂନର ଅଭାବ ରହିଲା? 

 

 

ଏ ସନ୍ଦର୍ଭରେ ମତାମତ

ଭୁବନେଶ୍ଵରର ବାପୁଜୀନଗର ଅଞ୍ଚଳରେ ଏକ ପଟା କ୍ୟାବିନ୍‌ ଭଡ଼ା ନେଇ ସେଲୁନ୍‌ ଚଳାନ୍ତି ତ୍ରିନାଥ ବାରିକ। ବସ୍ତିରେ ରହନ୍ତି। କେବେ ଦୋକାନ ସେ ଖୋଲିବେ ଜାଣି ନାହାନ୍ତି। ପୁଣି ଦୋକାନ ଖୋଲିଲେ କିଏ ତାଙ୍କ ପାଖକୁ ଆସିବ ତାହାବି ତାଙ୍କୁ ଜଣା ନାହିଁ। 

ମୁଁ ଭାବିଥିଲି ପ୍ରଧାନମନ୍ତ୍ରୀ ବାରିକ ଦୋକାନ ଖୋଲିବାକୁ ଅନୁମତି ଦେବେ। ମୁଁ ଦୋକାନ ଖୋଲିବି। ମାଲିକ ଭଡ଼ା ମାଗୁଛି, ତାକୁ ଏ ମାସରେ ଦୋକାନ କଲେ ଆଗକୁ  କିସ୍ତିରେ ଦେବି ବୋଲି କହିବି। କିନ୍ତୁ ସେସବୁ କିଛି ହେଲା ନାହିଁ।

ନିରାଶ ହୋଇ ସେ ପ୍ରଶ୍ନ କଲେ,  ଆଜ୍ଞା ଏ ପ୍ୟାକେଜ୍‌ରେ କିଛି ଟଙ୍କା ପଇସା ମିଳିବ?

ବାଣୀବିହାର ଛକରେ ଯୋତା ମରାମତି କରନ୍ତି ଜୟହିନ୍ଦ ମୋଚି। ସେ ବି ସମାନ କଥା କହନ୍ତି। ତାଙ୍କ କଥା କେହି ବୁଝନ୍ତି ନାହିଁ ବୋଲି କହିବା ବେଳେ କାନ୍ଦି ପକାଇଛନ୍ତି। କିଛିଦିନ ହେଲା ସେ ଜବରଦସ୍ତ ଦୋକାନ ଖୋଲିବାକୁ ଆସୁଛନ୍ତି। ହେଲେ ତାଙ୍କ ପାଖକୁ ବ୍ୟବସାୟ ଆସୁନି। 

 

ଏ ଭଳି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସହାୟତା ପ୍ୟାକେଜ୍‌ଙ୍କୁ ନିରର୍ଥକ ବୋଲି କହିଛନ୍ତି ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ଵପ୍ରିୟ କାନୁନଗୋ। ଏହିଭଳି ସହରାଞ୍ଚଳ ଗରିବଙ୍କ ଲାଗି ସରକାର ଆବଶ୍ୟକ ବ୍ୟବସ୍ଥା କରିବା ଉଚିତ। ଅତିକମ୍‌ରେ ଏହିପରି ଲୋକଙ୍କ ଲାଗି ୧୦ରୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ ବ୍ୟବସ୍ଥା କରାଯିବା ଆବଶ୍ୟକ। 

Advertisements

Leave a Reply