ସିଭିଲ୍ ସର୍ଭିସ୍ ପ୍ରିଲିମାନାରୀ ଏକ୍ଜାମ୍ ସ୍ଥଗିତ
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): କରୋନା ମହାମାରୀ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ୍ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ଏକ୍ଜାମକୁ ସ୍ଥଗିତ ରଖାଯାଇଥିବା କମିସନ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ଏକ୍ଜାମ-୨୦୨୦ ପାଇଁ ଆସନ୍ତା ମେ ୩୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦେଶରେ ମହାମାରୀ କରୋନା ଭାଇରସ୍ର ସଂକ୍ରମଣ ବଢ଼ିବାରେ ଲାଗିଛି ଏବଂ ଏଥିପାଇଁ ଦେଶ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରହିଛି। ତେଣୁ ସମସ୍ତଙ୍କ ହିତ ସାଧନ ପାଇଁ ଓ ପରୀକ୍ଷାର୍ଥୀଙ୍କ ମଙ୍ଗଳ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସିଭିଲ୍ ସର୍ଭିସ୍ କମିସନ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ ୨୦ରେ ଏନେଇ ପରବର୍ତ୍ତୀ ବିଜ୍ଞାପନ ପ୍ରକାଶ ପାଇବ ବୋଲି ମଧ୍ୟ କୁହାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପାଇଁ ପଞ୍ଜୀକରଣ କରିଥାନ୍ତି। ସେହିପରି ଏଥିସହ ସମ୍ପୃକ୍ତ ପ୍ରାୟ ୧ ଲକ୍ଷ ୬୦ ହଜାର ଅଧିକାରୀ ଓ କର୍ମଚାରୀଙ୍କୁ ୨୫୦୦ରୁ ଅଧିକ କେନ୍ଦ୍ରରେ ନିୟୋଜିତ ହୋଇଥାନ୍ତି।