ବାପାଙ୍କ ବିନା ଦୁଇ ପୁଅ ବିଫଳ

ବାପା ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ସମ୍ଭାଳୁ ଥିବା ସାନ ପୁଅ ତେଜସ୍ୱୀ ଯାଦବ ନିଜର ପ୍ରଥମ ପରୀକ୍ଷାରେ ଫେଲ ହୋଇଛନ୍ତି। ସେ ନିର୍ବାଚନ ସମୟରେ ୧୫୦ରୁ ଅଧିକ ସଭା ଏବଂ ୨୫ରୁ ଅଧିକ ରୋଡ ଶୋ’ କରିଥିଲେ ମଧ୍ୟ ଏହାକୁ ଭୋଟରେ ବଦଳାଇ ପାରିନାହାନ୍ତି। ତେଜସ୍ୱୀ କଂଗ୍ରେସ ସହ ମେଣ୍ଟ କରି କ୍ଷମତାକୁ ଆସିବାର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

୩୦ ବର୍ଷ ଧରି ବିହାର ରାଜନୀତିରେ ନିଜର ଦଖଲ ରଖିଥିବା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଏବେ ଜେଲରେ। କେବଳ ପ୍ରାର୍ଥୀ ଚୟନରେ ତାଙ୍କ ଭୂମିକା ଦେଖିବାକୁ ମିଳିଥିଲା। ନଚେତ କୌଣସି ଭାବେ ସେ ଏହି ନିର୍ବାଚନରେ ସାମିଲ ହୋଇନଥିଲେ। ସବୁ ଦାୟିତ୍ୱ ଦେଇଥିଲେ ପୁଅକୁ। ହେଲେ ତେଜସ୍ୱୀ ବିହାରରେ ନିଜ ଦଳ ପାଇଁ ଗୋଟିଏ ବି ଆସନ ଆଣିପାରିଲେ ନାହିଁ। ଆରଜେଡି ସମର୍ଥକଙ୍କ କହିବା ଅନୁସାରେ ମୋଦୀଙ୍କ ରାଷ୍ଟ୍ରବାଦ ଆରଜେଡିର ଜାତିବାଦକୁ ବହୁ ପଛରେ ଛାଡ଼ିଦେଇଛି।

ଭବିଷ୍ୟବାଣୀ କରିଥିଲେ ମୁଲାୟମ

ପାରିବାରିକ ବାଦ ବିବାଦ ପରେ ଅଖିଳେଶ ଏସପିର ଦାୟିତ୍ୱ ବାପାଙ୍କଠାରୁ ନିଜେ ଛଡ଼ାଇ ଆଣିଥିଲେ। ନିଜ ଦମରେ ଦଳକୁ ଆଗକୁ ନେବାର ପ୍ରୟାସ କରିଥିଲେ। ବାପା ମୁଲାୟମଙ୍କୁ ବାରମ୍ୱାର ଅଣଦେଖା କରୁଥିବାର ଖବର ମଧ୍ୟ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। ପୁଅର ରାଜନୈତିକ ଭବିଷ୍ୟତ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ମୁଲାୟମ ବାଧ୍ୟରେ ନିରବ ରହୁଥିଲେ। ତେବେ ଯେତେବେଳେ ଅଖିଳେଶ ବିଏସପି ସହିତ ନିର୍ବାଚନୀ ମେଣ୍ଟ କରିବାର ଘୋଷଣା କଲେ ସେତେବେଳେ ଆଉ ସମ୍ଭାଳି ପାରିନଥିଲେ ମୁଲାୟମ।

ଏବେ ଅଖିଳେଶଙ୍କୁ ବାପା ମୁଲାୟମଙ୍କ ସେହି ଭବିଷ୍ୟବାଣୀ ନିଶ୍ଚିତ ମନେ ପଡ଼ୁଥିବ। ମେଣ୍ଟ ସମୟରେ ମୁଲାୟମ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଥିଲେ, ଆଉ କହିଥିଲେ ଯେ କାହିଁକି ବିଏସପି ସହ ଅଧା ଆସନର ମେଣ୍ଟ ହେଉଛି। ଏହାର ଆଧାର କ’ଣ? ଆମ ପାଖରେ ଏବେ ଅଧା ସିଟ ରହିଗଲା। ଆମ ଦଳ ବିଏସପି ଠାରୁ ବେଶ ପ୍ରଭାବଶାଳୀ। ତେଣୁ ଏହା ଆମକୁ କ୍ଷତି ପହଞ୍ଚାଇ ପାରେ ମୁଲାୟମଙ୍କ ଏହି ଭବିଷ୍ୟବାଣୀ ସତ ହୋଇଛି।

ଚଳିତ ଲୋକସଭା ନିର୍ବାଚନରେ ବିଏସପି ୧୦ଟି ଆସନ ଜିତିଥିଲା ବେଳେ ଏସପି ଖାତାକୁ ଯାଇଛି ୫ଟି। ଏପରିକି ଯାଦବ ପରିବାରର ୫ ଜଣଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ନିର୍ବାଚନ ଜିତିଛନ୍ତି। ଏହି ଦୁଇ ହେଉଛନ୍ତି ମୁଲାୟମ ଏବଂ ଅଖିଳେଶ।

ଅସ୍ତିତ୍ୱ ସଙ୍କଟରେ ଏସପି-ବିଏସପି-ଆଜେଡ଼ି

ଲୋକସଭା ନିର୍ବାଚନରେ ସମସ୍ତଙ୍କ ନଜର ଥିଲା ଆସନ ଦୃଷ୍ଟିରୁ ଦେଶର ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ବିହାର ଉପରେ। ନିର୍ବାଚନ ଠିକ ପୂର୍ବରୁ ମହାମେଣ୍ଟ କରି ଥିବା ବିଏସପି-ଏସପି ଏବଂ ଆରଜେଡ଼ି ପାଇଁ ନିର୍ବାଚନ ଫଳାଫଳ ବଡ଼ ବିପର୍ଯ୍ୟୟ ଆଣିଛି। ଆଉ ଏଥିସହ ଦଳର ଅସ୍ତିତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯେଉଁ ଭଳି ଭାବେ ୯୦ ଦଶକରେ ‘ମଣ୍ଡଳ’ ଆନ୍ଦୋଳନକୁ ଚେକମେଟ ଦେବା ପାଇଁ ବିଜେପି ‘କମଣ୍ଡଳ’ ଆନ୍ଦୋଳକୁ ଗତି ଦେଇଥିଲା, ଠିକ ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କମଣ୍ଡଳ-୨’ର ଏପରି ସ୍କ୍ରିପ୍ଟ ଲେଖିଲେ ଯେ, ସାମାଜିକ ନ୍ୟାୟ କଥା କହୁଥିବା ଏହି ଦଳମାନଙ୍କର ଅସ୍ତିତ୍ୱକୁ ନେଇ ସଙ୍କଟ ସୃଷ୍ଟି ହୋଇଯାଇଛି।

ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଏସପି-ଏସପି ଏବଂ ଆରଜେଡ଼ି ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଓବିସି, ଦଳିତ ଏବଂ ମୁସଲିମ ଭୋଟରମାନଙ୍କୁ ନିଜ ଆଡ଼କୁ ଆଣିବ ପାଇଁ ଏହି ଦଳମାନେ ସାମାଜିକ ନ୍ୟାୟର ଅପିଲ କରୁଥିଲା ବେଳେ ବିଜେପିର ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ ନୀତି ଆଗରେ ସେମାନେ ଧରାଶାୟୀ ହୋଇପଡ଼ିଛନ୍ତି।

ଉତ୍ତରପ୍ରଦେଶ ଏବଂ ବିହାର ଫଳାଫଳ ଏହା ଦର୍ଶାଇଛି ଯେ, ଓବିସି, ଦଳିତ ଏବଂ ମୁସଲିମଙ୍କୁ ନେଇ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ବିଫଳ ହୋଇଛି। ଲାଲୁ, ମୁଲାୟମ ଏବଂ କାଂଶିରାମ ଏହି ଗୋଷ୍ଠୀଙ୍କୁ ନେଇ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ନିଜର ଆଧିପତ୍ୟ ଜାହିର କରିଆସିଥିଲା ବେଳେ ପର ପିଢି ଏହାକୁ ସମ୍ଭାଳିପାରିନାହିଁ। ସମୟକ୍ରମେ ଓବିସି ଏବଂ ଦଳିତ ଭିନ୍ନ ଭିନ୍ନ ଜାତିରେ ବାଣ୍ଟି ହୋଇଯାଇଛନ୍ତି। ଯାଦବ ସମୁଦାୟ ମୁଲାୟମ ଏବଂ ଲାଲୁଙ୍କ ଭୋଟର ବନିଯାଇଥିଲା ବେଳେ ବିଏସପି ସହ ଦଳିତ ମିଶି ଯାଇଥିଲେ।

୨୦୧୯ଲୋକସଭା ନିର୍ବାଚନ ସମୟରେ ‘ମଣ୍ଡଳ ବନାମ କମଣ୍ଡଳ’ ଭଲ ଉଦାହରଣ ଦେଖିବାକୁ ମିଳିଲା। ମଜାଦାର କଥା ହେଉଛି ଦଳିତ ସଂଗଠନ ଏଥିପାଇଁ ମଣ୍ଡଳ କାଟାଗୋରୀରେ ସାମିଲ ହୋଇଯାଇଥିଲେ କାରଣ ବିଏସପି ସଂସ୍ଥାପକ କାଂଶିରାମ ୮୦ ଦଶକରେ ମଣ୍ଡଳ ଆୟୋଗ ରିପୋର୍ଟକୁ ଲାଗୁ କରିବାର ପ୍ରତିଶ୍ରୁତି ଦେଇଥିଲେ।

ତେବେ ୨୦୧୯ ନିର୍ବାଚନର ବହୁ ପୂର୍ବରୁ ଏହି ମହାମେଣ୍ଟକୁ ପ୍ରତିହତ କରିବାର ବଡ଼ ଯୋଜନା ବିଜେପି କରିସାରିଥିଲା। କାରଣ ଉତ୍ତରପ୍ରଦେଶ, ବିହାରର ୧୨୦ଟି ଆସନ କେନ୍ଦ୍ରରେ ସରକାର କିଏ କରିବ ତାହା ନିର୍ଦ୍ଧାରଣ କରିଥାଏ। ଏବେ ଏହି ତିନି ଦଳ ପାଇଁ ଚିନ୍ତା ଆଗକୁ ସେମାନେ ନିଜ ଦଳକୁ କିପରି ମଜଭୁତ କରିବେ।

Leave a Reply

Your email address will not be published.