ବିମାନବନ୍ଦର ଦୁର୍ଘଟଣାର ଚାଲିଛି ତନାଘନା

ଭୁବନେଶ୍ୱର(ଓଟି): ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶୁକ୍ରବାର ରାତି ବଡ଼ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ସେହିପରି ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ପ୍ରଶାସନର ତନାଘନା ଚାଲିଥିବାବେଳେ ଠିକାଦାର ଦିଲୀପ ଖଟେଇଙ୍କୁ ଏୟାରପୋର୍ଟ ଥାନା ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ସୂଚନା ଅନୁସାରେ ବିମାନବନ୍ଦରର ଟର୍ମିନାଲ-୧ ସହ ଟର୍ମିନାଲ-୨କୁ ସଂଯୋଗ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିପାଇଁ ଏକ ଛାତର ନିର୍ମାଣ ଚାଲିଥିଲାବେଳେ ଶୁକ୍ରବାର ରାତିରେ ତାହା ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଶ୍ରମିକମାନେ ଚାପିହୋଇ ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା ଏବଂ ତୁରନ୍ତ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ଆଦି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କଟକ-ବଡ଼ମ୍ବା ଅଞ୍ଚଳର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତ୍ୟୁ ଘଟିଥିବାବେଳେ ଢେଙ୍କାନାଳ ଅଞ୍ଚଳର ଶ୍ରମିକ ନବକିଶୋର ସ୍ୱାଇଁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଛାତ ଭୁଶୁଡ଼ିବାର କାରଣ ଖୋଜା ଚାଲିଥିବାବେଳେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

Leave a Reply

Your email address will not be published.