ଲକ୍ଷ୍ୟ ବିହୀନ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: କିଏ ଆସିବେ, କେତେ ଆସିବେ, କ’ଣ କରିବେ କିଛି ଜଣା ନାହିଁ ବିଭାଗକୁ

0
8

ଭୁବନେଶ୍ଵର, (ଓଟି): ବହୁ ଚର୍ଚିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ସରକାରୀ ହିସାବ ଅନୁସାରେ ଏହା ସାଢ଼େ ଚାରିଦିନ ଚାଲିବ। ଆୟୋଜକ ଶିଳ୍ପ ବିଭାଗ ଓ ମନ୍ତ୍ରୀ ଏନେଇ ଉତ୍ସାହିତ ହୋଇଛନ୍ତି। ସାମ୍ବାଦିକଙ୍କୁ ଅନ୍ତିମ ସୂଚନା ଦେବାକୁ ଭୁବନେଶ୍ଵରେ ଗୁରୁବାରଦିନ ଆଡ଼ମ୍ବରପୂର୍ଣ ପ୍ରେସ୍‌ ସମ୍ମେଳନର ଆୟୋଜନ କରିଛନ୍ତି; ହେଲେ ଏହି ସମ୍ମେଳନରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିପାରି ନାହାନ୍ତି।  

କେତେ ଜଣ ଶିଳ୍ପୋଦ୍ୟୋଗୀ ଯୋଗ ଦେବେ, କେଉଁ ଦେଶର କେତେ ଶିଳ୍ପାନୁଷ୍ଠାନ ଆସିବାକୁ ଅଛି, କେତେ ନିବେଶ ପାଇଁ ଓଡ଼ିଶା ଲକ୍ଷ୍ୟ ରଖିଛି ସେ ସମ୍ପର୍କରେ ଏଯାଏ କୌଣସି ସୂଚନା ବିଭାଗ ପାଖରେ ନାହିଁ ବୋଲି ଉଭୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏବଂ ମନ୍ତ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପରେ ରାଜ୍ୟରେ ରିଲାଏନ୍ସ ପ୍ରତି ସରକାରଙ୍କ ଅନୁକମ୍ପା ସ୍ପଷ୍ଟ ବାରି ହୋଇଛି।  ଏହାର ମାଲିକ ମାଲିକ ମୁକେଶ ଅମ୍ବାନୀ ଯୋଗ ଦେଇ ଏହି ସମ୍ମେଳନକୁ ଆକର୍ଷଣୀୟ କରିବେ ବୋଲି  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖର ଲିଡରଶିପ୍‌ ବୈଠକରେ  ସେ ପ୍ରଥମ ବକ୍ତା ଭାବେ ପରବର୍ତ୍ତୀ ପିଢ଼ିର ଉଦ୍ୟୋଗୀଙ୍କ ପାଇଁ ବକ୍ତବ୍ୟ ରଖିବେ ବୋଲି କୁହାଯାଇଛି ।

 

କୌଣସି ରାଜିନାମା ହେବନାହିଁ

ଶ୍ରୀ ଚୋପ୍ରା କହିଛନ୍ତି, ‘ରାଜ୍ୟ ସରକାର ଦୀର୍ଘ ବର୍ଷ ହେଲା ଆଉ ଚୁକ୍ତିନାମା ସ୍ଵାକ୍ଷର କରୁନାହାନ୍ତି। ଯେଉଁ କମ୍ପାନୀମାନେ ଓଡ଼ିଶାରେ ନିବେଶ କରିବାକୁ ଚାହାନ୍ତି ସେମାନେ ରାଜ୍ୟ ସରକାରଙ୍କୁ ସିଙ୍ଗିଲ୍‌ ୱିଣ୍ଡୋ ଜରିଆରେ ପ୍ରସ୍ତାବ ଦେବେ ଏବଂ ତାହାକୁ ବିଚାର କରି ବିଭାଗ ୨୮ ଦିନ ଭିତରେ ଆବଶ୍ୟକ ଅନୁମୋଦନ ଦେବ। ଏହି ବ୍ୟବସ୍ଥା ଅନୁସାରେ ୨୦୧୬ର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଫଳପ୍ରଦ ହୋଇଛି। ଏହାଦ୍ଵାରା ୬୫ ପ୍ରତିଶତ ଆଶାୟୀ ଶିଳ୍ପାନୁଷ୍ଠାନଙ୍କ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି ଏବଂ ସେମାନଙ୍କ ଭିତରୁ ମାତ୍ର ତିନୋଟି ଅନୁଷ୍ଠାନ କାର୍ଯ୍ୟାରମ୍ଭ କରିଛନ୍ତି’ ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

 

ଅନାଗ୍ରହୀ ବିଦେଶୀ କମ୍ପାନୀ

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବିଦେଶୀ କମ୍ପାନୀମାନେ ଅନାଗ୍ରହୀ। ଏହା ଗତଥରର ମେକ୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୯୦୧୬ର ରିପୋର୍ଟକୁ ସମୀକ୍ଷାକଲେ ସ୍ପଷ୍ଟ ହୋଇଯାଏ। ସେହି ସମ୍ମେଳନୀରେ ସମୁଦାୟ ୧୨୪ଟି କମ୍ପାନୀ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ହୋଇଥିଲା। ଯୋଗ୍ୟ ହୋଇଥିଲେ। ଏଥିରୁ ୬୫% ଅର୍ଥାତ୍‌ ପାଖାପାଖଆ ୮୦ଟି କମ୍ପାନୀ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବା ପାଇଁ ଯୋଗ୍ୟ ହେଲେ। ତଥାପି ଏଯାଏ ରିପୋର୍ଟ ଅନୁସାରେ ମାତ୍ର ତିନୋଟି କମ୍ପାନୀ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଛନ୍ତି। ପୁଣି ଏଥିରେ କୌଣସି ବିଦେଶୀ କମ୍ପାନୀ ନାହାନ୍ତି। ପୁଣି ଦେଶ ଛାଡ଼ିଥିବା ନିରବ ମୋଦିଙ୍କ  କମ୍ପାନୀ ଗୀତାଞ୍ଜଳୀ ଡାଇମଣ୍ଡ ଏହି ସମ୍ମେଳନରୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଚାହିଁବାରୁ ତାଙ୍କୁ ରାଜ୍ୟ ସରକାର ଜମି ଦେଇଥିଲେ ହେଲେ ତାଙ୍କ ନାଁରେ ମାମଲା ପରେ ଏହି କମ୍ପାନୀ ସ୍ଥାପନ ଓଡ଼ିଶାରେ ବନ୍ଦ ହୋଇ ପଡ଼ିଛି। ଏ ବିଷୟରେ ସୂଚନା ଦେଇ ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ କମ୍ପାନୀକୁ ଦିଆଯାଇଥିବା ଜମିକୁ ଫେରସ୍ତ କରାଯାଇଛି ଏବଂ ତାଙ୍କ ଅର୍ଥକୁ ବ୍ୟାଜାପ୍ତ କରାଯାଇଛି।

 

୬ ଦେଶ ବୁଲିଛନ୍ତି ରାଜ୍ୟର ଦୁଇଟିମ୍‌

ଇଟାଲି, ଜର୍ମାନୀ, ଜାପାନ, ସାଉଦୀ ଆରବ, ଦକ୍ଷିଣକୋରିଆ ଏବଂ ଚୀନ୍‌ ପ୍ରଭୃତି ଦେଶକୁ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଯାତ୍ରା କରି ଓଡ଼ିଶାକୁ ବିଦେଶୀ ପୁଞ୍ଜି ନିବେଶର ପ୍ରତିଶ୍ରୁତି ଆଣିବାକୁ ଚାହିଁଛନ୍ତି। ଏନେଇ ରାଜ୍ୟ ତହବିଲରୁ କେତେ ଖର୍ଚ ହୋଇଛି ତାହା ତ ଭିନ୍ନ ପ୍ରସଙ୍ଗ କିନ୍ତୁ କେତେ କମ୍ପାନୀ ଆସିବାକୁ ସ୍ଵିକୃତୀ ଦେଇଛନ୍ତି ଏବଂ ଓଡ଼ିଶାର କେଉଁ ଦିଗରେ ନିବେଶ ସୁଯୋଗ ପ୍ରତି ସେମାନେ ଆଗ୍ରହ ଦେଖାଇଛନ୍ତି ସେବାବଦରେ କୌଣସି ତଥ୍ୟ ମନ୍ତ୍ରୀ, ସଚିବ କି ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ।

ଶ୍ରୀ ଦାସ ଏ ବାବଦରେ ପ୍ରତିକ୍ରିୟା ରଖି କହିଛନ୍ତି ‘ ଆମେ ଦୁଇଟି ଟିମ୍‌ରେ ୬ଟି ଦେଶ ବୁଲିଥିଲୁ। ସେଠାରେ ଓଡ଼ିଶାକୁ କେହି ଜାଣିନଥିବା ପ୍ରଥମେ ସମସ୍ତେ କହିଥିଲେ। ଆମେ ତାଙ୍କୁ ବୁଝାଇଛୁ। ଆଶା କରୁଛୁ ଏହି ସମାବେଶ ଓଡ଼ିଶାକୁ ପ୍ରଦର୍ଶନ କରିବାରେ ସହାୟକ ହେବ’।

ଶ୍ରୀ ଚୋପ୍ରା ମଧ୍ୟ ଏ ପ୍ରସଙ୍ଗକୁ ଅଧିକ ବ୍ୟାଖ୍ୟା କରି କହିଛନ୍ତି, ସମସ୍ତେ  ଓଡ଼ିଶା କଥା କହିଲେ ଭାବୁଛନ୍ତି କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କଥା। କିନ୍ତୁ ଏଠାରେ ଅନେକ ବୃହତ ଏବଂ ମଧ୍ୟମ ଶିଳ୍ପ ରହିଛି ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସମାବେଶରେ ଅନେକ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରଦର୍ଶନର ସୁଯୋଗ ମିଳିବ।

ନୈରାଶ୍ୟଜନକ ସଫଳତା

୨୦୧୬ ମେକ୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ମାତ୍ର ୩ଟି କମ୍ପାନୀକୁ ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଦୁଇବର୍ଷ ଭିତରେ ମିଳିବା ଏକ ନୈରାଶ୍ୟଜନକ ଝଲକ ହୋଇଥିଲେ ମଧ୍ୟ ଶିଳ୍ପ ସଚିବ ଶ୍ରୀ ଚୋପ୍ରା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସାମ୍ବାଦିକଙ୍କୁ ଅନ୍ୟ ରାଜ୍ୟର ସଫଳତା ସମୀକ୍ଷା ପାଇଁ କହିଛନ୍ତି। ସେ କହିଛନ୍ତି ’ ଯଦି ତୁଳନା କରାଯାଏ ତେବେ ଆମେ ଅନ୍ୟ ରାଜ୍ୟମାନଙ୍କଠୁ ଚୁକ୍ତିକୁ ରୂପାୟନ କରିବାରେ ଆଗୁଆ ରହିଛୁ। ଏ ଭିତରେ ଆମେ ୯୨ଟି ଚୁକ୍ତି କରିଛୁ ଏବଂ ସେଥିରୁ ୪୬ଟି ଉତ୍ପାଦନ କରୁଛନ୍ତି’।

 

୧୫ ବିଭାଗ ଯୋଗ ଦେବେ

କେବଳ ଶିଳ୍ପ ନୁହେଁ ରାଜ୍ୟର ୧୫ଟି ବିଭାଗରେ ନିବେଶ ପାଇଁ ଦ୍ଵାର ଖୋଲା ରଖିଛନ୍ତି ରାଜ୍ୟ ସରକାର। ଏଥିନେଇ ପ୍ରତି ବିଭାଗ ଏଠାରେ ନିଜର ଝଲକ ଦେଖାଇବେ। ଶିକ୍ଷା, ସ୍ଵାସ୍ଥ୍ୟ, ପରିବାରକଲ୍ୟାଣ, ଶିଳ୍ପ, ଦକ୍ଷତା ବିକାଶ, ହସ୍ତତନ୍ତ, ବୟନ, ସମବାୟ, ଇଲେକ୍‌ଟ୍ରୋନିକ୍ସ ଏବଂ ଆଟି ପ୍ରଭୃତି ବିଭାଗ ଏଠାରେ ନିଜ ପାଖରେ ଥିବା ସୁଯୋଗକୁ ବୟାନ କରିବେ।

ରାଜନୀତିକ ଭାଗିଦାରୀ

ଏ ଶିଳ୍ପୋଦ୍ୟୋଗୀ ସମାବେଶ ରାଜନୀତିକ ଭାଗିଦାରୀରୁ ବାଦ୍‌ ପଡ଼ି ନାହିଁ। ରାଜ୍ୟ ସରକାର ମହିଳା ଏସ୍‌ଏଚ୍‌ଜିଙ୍କୁ ବି ଏଥିରେ ସୁଯୋଗ ଦେବେ ବୋଲି କହିଛନ୍ତି। ବଡ଼ ଶିଳ୍ପ ନୁହେଁ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ଆମ ପାଖରେ ଥିବା ସୁଯୋଗକୁ ବ୍ୟାପ୍ତ କରିବା ପାଇଁ ଏହା ଏକ ମାଧ୍ୟମ ବୋଲି ରାଜ୍ୟ ସରକାର ଚିନ୍ତା କରିଛନ୍ତି।

 

କମ୍ପାନୀଙ୍କୁ ଖୁସି କରିବା ଉଦ୍ୟମ

ରାଜ୍ୟରେ କାର୍ଯ୍ୟକରୁଥିବା କମ୍ପାନୀମାନଙ୍କୁ ଖୁସି କରିବା ପାଇଁ ଏଥର ରାଜ୍ୟ ସରକାର ସିଏସ୍‌ଆର୍‌ ଆୱାର୍ଡ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସୀକାରଙ୍କ ଏହି ଉଦ୍ୟମ କମ୍ପାନୀମାନଙ୍କୁ ଆଗକୁ ଆଉଏକ ସମ୍ମାନ ଦେବାକୁ ଯାଉଥିବାରୁ କମ୍ପାନୀମାନଙ୍କ ଭିତରେ ଲବି ଜୋର୍‌ଦାର ହୋଇଛି। ସାଧାରଣ ଲୋକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତୀରେ ଯେଉଁ କମ୍ପାନୀ ଅଧିକ ସହାୟକ ହୋଇଥିବ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ। ସେହିପରି ରାଜ୍ୟ ସରକାର ତିନୋଟଇ କମ୍ପାନୀଙ୍କୁ ଷ୍ଟଲ୍‌ ପାଇଁ ପୁରସ୍କୃତ କରିବେ ଆଉ ୭ ଜଣଙ୍କୁ ଓଡ଼ିଶା ଗୌରବ ପୁରସ୍କାର ଦେବେ।

 

ଓଡ଼ିଆ ଭାଷା ସାହିତ୍ୟ ଉପେକ୍ଷିତ

ରାଜ୍ୟ ସରକାର କେବଳ ଖଣି ଓ ସେବା ଭିତ୍ତିକ ଶିଳ୍ପକୁ ଏହି ସମ୍ମେଳନରେ ଗୁରୁତ୍ଵ ଦେଇଥିବା ଜଣାପଡ଼ିଛି। କୌଣସି ଭାବେ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ଵ ଦିଆଯାଇ ନାହିଁ। ଏ କ୍ଷେତ୍ରରେ ନିବେଶ ବା ପାରମ୍ପରିକ ସମ୍ପର୍କ ବଢ଼ାଇବାର କୌଣସି ସୁଯୋଗ ସୃଷ୍ଟି ହୋଇ ନାହିଁ। ୧୫ଟି ବିଭାଗ ଭିତରେ ଏହି ବିଭାଗକୁ ଅବହେଳା କରାଯାଇଛି। ଯଦିଓ ବିଭିନ୍ନ ଦେଶରେ ଭାଷା ସାହିତ୍ୟ ଆଦାନ ପ୍ରଦାନ ଏବଂ ନିବେଶର ସୁଯୋଗ ରହିଛି ସେ କ୍ଷେତ୍ରକୁ ସରକାର ଭୁଲି ଯାଇଛନ୍ତି। ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ କିଛିଦିନ ପୂର୍ବରୁ ରାଜ୍ୟରେ ଏକ ସ୍ଵତନ୍ତ୍ର ବାତାବରଣ ସୃଷ୍ଟି ଲାଗି ଚାହିଁଥିବା ସରକାର ଏଥିରୁ ଓହରିବା ସରକାରଙ୍କ ଆଭିମୁଖ୍ୟକୁ ଅସ୍ପଷ୍ଟ କରୁଛି।

Loading...