ମୃତ୍ୟୁ ସହ ଜୁୁଝୁଛି ବାଳିକା: ଅର୍ଥ ସାଜିଛି ବାଧକ, ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଅନୁରୋଧ

0
19

ଯାଜପୁର,(ମାନସ ରଞ୍ଜନ ବିଶ୍ୱାଳ): ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା । ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣା ସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ କଟକସ୍ଥିତ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗରିବଙ୍କ ମାଗଣା ଚିକିତ୍ସା ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠାରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଅଭିଲିପ୍ସା ବିପିଏଲ୍‍ ତାଲିକାଭୁକ୍ତ ହୋଇଥିଲେ ବି ତାଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିପାରୁ ନାହିଁ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସ୍ଥାନୀୟ ଲୋକେ ।

ରବିବାର ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠ ଗ୍ରାମର ଧୀରେନ୍ଦ୍ର ସ୍ୱାଇଁ ନିଜ ଝିଅକୁ ଗୀତ ଶିଖାଇବା ପାଇଁ ନିକଟସ୍ଥ ବାରକଣା ଗାଁକୁ ନେଉଥବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ବାଘୁଆ ନିକଟରେ ନିଜେ ଚଳାଉଥିବା ମୋଟର ସାଇକେଲ ଅଟକାଇ ରାସ୍ତା କଡରେ ଠିଆ କରାଇ ମୋବାଇଲରେ କଥା ହେଉଥିବା ବେଳେ ଅଚାନକ ଏକ ଟ୍ରକ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଗୁରୁତର ଆହତ ଝିଅ ଅଭଲିିପ୍ସା ପ୍ରୀୟଦର୍ଶିନୀଙ୍କୁ ଅଶ୍ୱନୀ ହସ୍ପିଟାଲର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପାଇଁ । ଆଜିଯାଏ ସେ ଜୀବନ ସହ ଲଢ଼େଇ କରୁଛି । ଚିକିତ୍ସା ପାଇଁ ଅର୍ଥ ପାଣି ସୁଅ ଭଳି ଖର୍ଚ ହେଉଛି, ଯାହାକୁ ଭରଣା କରିବା ତାଙ୍କ ପରିବାର ପାଇଁ ସମର୍ଥ ହୋଇପାରୁନାହିଁ ।

ଦୁର୍ଘଟଣାସ୍ଥଳରେ ଅଭିଲିପ୍ସାଙ୍କର ମୁଣ୍ଡର ଉପର ଭାଗର ଚୁଟି ସହ ଚମଡ଼ା ପଡିଥିବା ବେଳେ ମୁଣ୍ଡରେ ଗୁରୁତର ଅସ୍ତ୍ରୋପଚାର ହୋଇଛି । ଅଭିଲିପ୍ସାଙ୍କର ଡାହାଣଗୋଡ଼ ଓ ଡାହାଣ ହାତବି ଭାଙ୍ଗିଯାଇଛି । ଆଇ.ସି.ୟୁରୁ ବାହାରି ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ ଅର୍ଥ ବଡ ବାଧକ ହୋଇଛି । ଏହାକୁ ଦେଖି ସ୍ଥାନୀୟ ଲୋକେ ପରସ୍ପର ଭିତରେ ଚାନ୍ଦା କରି ଏହି ଦଃୁଖି ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ହେଲେ ଏଥିନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଏବେ ଅଭିଲିପ୍ସାଙ୍କ ପାଇଁ ବଡ ସଙ୍କଟ ହୋଇପଡିଛି ।

ଅଭିଲିପ୍ସାଙ୍କ ପରିବାର ନିହାତି ଗରୀବ ହୋଇଥିବା ବେଳେ ବି.ପି.ଏଲ ତାଲିକାଭୁକ୍ତ । ଏଭଳି ଗରୀବ ମାନଙ୍କୁ ବଡ ବଡ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ସହ ଆର୍ଥିକ ସହଯୋଗ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଓ.ଏସ.ଟି.ଏଫରୁ ଅର୍ଥ ବରାଦ କରାଯାଇ ଅଭିଲିପ୍ସାଙ୍କ ପରି ଗରୀବଙ୍କ ଚିକିତ୍ସା କରାନଯିବା ଏବଂ ମାଗଣାରେ ଚିକିତ୍ସା କରାନଯିବା ନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଥାଉ କି, ଅଭିଲିପ୍ସା ଜଣେ କଳାକାର ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଏଭଳି ଗରିବ ମାନେ ଜୀବନ ମରଣ ଅବସ୍ଥା ବେଳେ ଅର୍ଥାଭାବ କାରଣରୁ ଚିକିତ୍ସା ସେବାରେ ବ୍ୟାଘାତ ହେବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

Loading...