ଆସନ୍ତାକାଲିଠୁ ରାଜ୍ୟରେ ୧୮+ ଟିକାକରଣ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଟିକାର ଘୋର ଅଭାବ । ତେଣୁ କାଲିଠୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ବନ୍ଦ । ଟିକା ଆସିଲେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବିଭିନ୍ନ କମ୍ପାନୀ ଟିକା କେବେ ଯୋଗାଇବେ ସେନେଇ ସଠିକ ଭାବେ ଜଣାଇନାହାନ୍ତି । ରାଜ୍ୟରେ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି । ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି ତାହା ଆଜି ସୁଦ୍ଧା ସରିଯିବ । ଜୁନ୍ ୩ରେ ଓଡ଼ିଶାକୁ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲ୍ଡ ଟିକା ଆସିବ। ଏହା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଧିଷ୍ଟ ।

ସେହିପରି ଆସନ୍ତା ୬ରେ ୪୦ ହଜାର କୋଭାକ୍ସିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ। ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ଯୋଗାଇ ଦିଆଯିବ। ଏହାମଧ୍ୟରେ ରାଜଧାନୀରେ ଆରମ୍ଭ ହୋଇଛି ଡୋର୍ ଷ୍ଟେପ୍ ଭାକ୍ସିନେସନ। ଭୁବନେଶ୍ଵରର ୩ଟି ଜୋନ୍ ର ୬ଟି ଅପାର୍ଟମେଣ୍ଟରେ ଚାଲିଛି ଟିକାକରଣ। ବିଭିନ୍ନ ଆପାର୍ଟମେଣ୍ଟର ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ପକ୍ଷରୁ ପୂର୍ବରୁ ଏନେଇ ଆବେଦନ ହୋଇଥିଲା।

ପ୍ରତି ଆପାର୍ଟମେଣ୍ଟର ୨ଶହ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛି ବିଏମସି। ସେପଟେ କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଦୈନିକ ୧ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ବର୍ଷ ଶେଷ ସୁଦ୍ଧା ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ପ୍ରକ୍ରିୟା ସରିଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

Leave a Reply

Your email address will not be published.