ସରକାରଙ୍କ ପାଇଁ ପୁରୀ ବୋଝ: ମୁଣ୍ଡାଇବାକୁ ମିଳୁନାହାନ୍ତି ଅଧିକାରୀ, ହୋଇପାରେ ଘାତକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବା ଲାଗି  ରାଜ୍ୟ ସରକାର ଯେମିତି ଅଣ୍ଟା ଭିଡ଼ିଛନ୍ତି ତାହାକୁ ଆଗକୁ ନେବାକୁ ଅଧିକାରୀ ମିଳୁ ନାହାନ୍ତି। ଏହାଦ୍ଵାରା ସରକାରଙ୍କୁ ବାରମ୍ବାର କୋର୍ଟରେ ଅପଦସ୍ତ ହେବାକୁ ପଡ଼ୁଛି। ଖାଲି ଧର୍ମକୁ ଆଖିଠାର ମାରିଲା ଭଳି ରାଜ୍ୟ ସରକାରଙ୍କ ଆଇନ ବିଭାଗ କୋର୍ଟଙ୍କୁ ବାହାନା ବତାଇ ଚାଲିଛନ୍ତି। ଆଉ ପୁରୀ ଶ୍ରୀମନ୍ଦିର ଦେଖିପାରୁନାହିଁ ଏକ ପୂଣ୍ଣକାଳୀନ  ପ୍ରଶାସନିକ ମୁଖିଆ।

ଶ୍ରୀମନ୍ଦିର ପରିଚାଳନା ଆଇନ ଅନୁସାରେ ରାଜ୍ୟ ସରକାରଙ୍କ କମିଶନର ପାହ୍ୟା କିମ୍ବା ତା’ଠୁ ଉଚ୍ଚ ପାହ୍ୟାର ଜଣେ ହିନ୍ଦୁ ଧର୍ମାବଲମ୍ବୀ ଆଇଏଏସ୍‌ ଅଧିକାରୀ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେବେ। ଏହି ଅନୁସାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ କିଷନ୍‌ କୁମାର ଏବେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ତାଙ୍କୁ ସରକାର କେବଳ ପୁରୀ ଦାୟିତ୍ଵ ଦେଇ ନାହାନ୍ତି ବରଂ ତାଙ୍କ ମୁଣ୍ଡରେ ଅନେକ ବିଭାଗ ଓ କର୍ପୋରେସନ୍‌ ଦାୟିତ୍ଵ ସରକାର ଲଦିଛନ୍ତି। ଏହିକ୍ରମରେ ସେ ହେଉଛନ୍ତି ରାଜ୍ୟ ପୂର୍ତ୍ତ ବିଭାଗର କମିଶନର ତଥା ସଚିବ, ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ପୁରୀ କୋଣାର୍କ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ । ସେତିକିରେ ସରିନି ସେ ଓଡ଼ିଶା ସେତୁ ନିର୍ମାଣ ନିଗମର ଅଧ୍ୟକ୍ଷ  ଓ ଇଡ୍‌କୋର ଅଧ୍ୟକ୍ଷ ଭାବେ ମଧ୍ୟ ଅଧିଷ୍ଠିତ।

ଏତେସବୁ ଗୁରୁଦାୟିତ୍ଵ ଭିତରେ ଶ୍ରୀମନ୍ଦିର ତାଙ୍କ ଆଗରେ ଗୌଣ ହେବାକୁ ବାଧ୍ୟ ହୋଇଛି। ସେଥିଲାଗି ପୁରୀର ଲୋକେ ତଥା ଶ୍ରୀଜଗନ୍ନାଥପ୍ରେମୀ ରାଜ୍ୟ ସରକାରଙ୍କ ଆଗରେ ଜଣେ ପୂଣ୍ଣକାଳୀନ ମୁଖ୍ୟ ପ୍ରଶାସକ ପାଇଁ ଦାବି ଜଣାଇଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ସଂସ୍କାର ପାଇଁ ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ୍‌ ବିପି ଦାସ କମିଶନ ମଧ୍ୟ ୨୦୧୭ ମସିହାରେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିସି କରିଛନ୍ତି। ପୁଣି ତାଙ୍କ ସୁପାରିସିର ଅନେକ ଅଂଶ ଏବେ କାର୍ଯ୍ୟକାରୀ କରି ପାରମ୍ପରିକ ପୁରୀର ପୁରୁଣା କୋଠାବାଡ଼ି, ମଠକୁ ସରକାର ଭାଙ୍ଗିଦେଇ ସାରିଥିଲେ ମଧ୍ୟ ଜଣେ ଅଧିକାରୀଙ୍କୁ ପୂଣ୍ଣକାଳୀନ ଭିତ୍ତିରେ ନିଯୁକ୍ତି ଦେବାରେ ସକ୍ଷମ ହୋଇପାରୁନାହାନ୍ତି।

ରାଜ୍ୟ ସରକାରଙ୍କ ଏହି ବିଫଳତା ତଥା ଉଦାସୀନତାକୁ ସୁପ୍ରିମ୍‌କୋର୍ଟରେ ବି ଉଠିଛି। କୋର୍ଟ ଏବଂ ଏହାଙ୍କ ଦ୍ଵାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ମଧ୍ୟ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିବା ସହ ତୁରନ୍ତ ଜଣେ ପୂଣ୍ଣକାଳୀନ ଅଧିକାରୀଙ୍କୁ ନିଯୁକ୍ତି କରିବା ଲାଗି ୨୦୧୯ରେ ନିର୍ଦେଶ ଦେଇଛନ୍ତି। ହେଲେ ଏ ଭତିରେ ୨ ବର୍ଷ ବିତିଗଲାଣି କିନ୍ତୁ ସରକାର ସେଥିନେଇ କୌଣସି ପଦକ୍ଷେପ ନେଇ ପାରୁ ନାହାନ୍ତି।

ଅଧିକାରୀ ରାଜି ହେଉନାହାନ୍ତି!

ରାଜ୍ୟ ସରକାର ଯେ  ଜଣେ ପୂଣ୍ଣକାଳୀନ ଅଧିକାରୀଙ୍କୁ ଶ୍ରୀମନ୍ଦିର ପରିଚାଳନାରେ ନିଯୁକ୍ତି ଦେବାକୁ ଚାହୁ ନାହାନ୍ତି ତା’ ନୁହେଁ, କିନ୍ତୁ ଏହି ପୂଣ୍ଣକାଳୀନ ଦାୟିତ୍ଵ ନେବାକୁ ଅଧିକାରୀମାନେ ରାଜି ହେଉନାହାନ୍ତି।  ଉଭୟ ଅଧିକାରୀ ଓ ସରକାରଙ୍କୁ ଏହା ନିଶ୍ଚିତ ବିପଦ ମୁହଁକୁ ଆଣିବ ବୋଲି ଅଫିସରମାନେ ଆଶଙ୍କା କରୁଛନ୍ତି। ଏଣୁ ସେମାନେ ସମ୍ବଲପୁର କି ବାଲେଶ୍ଵର ପଛେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି କିନ୍ତୁ ୬୦ କିଲୋମିଟର ଦୂର ପୁରୀ ଯିବା ଲାଗି ଅପ୍ରସ୍ତୁତ ରହିଛନ୍ତି। ଏହାର କାରଣ ପଛରେ ଅନେକ ଆଶଙ୍କା ରହିଛି। ସେଥିରୁ ପ୍ରଥମ ହେଲା ଶ୍ରୀମନ୍ଦିରର ପ୍ରସ୍ତାବିତ ଐତିହ୍ୟ କରିଡର ଏବଂ ଅବଢ଼ା ଯୋଜନା।

ଅବଢ଼ା ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଏକ ଫ୍ଲାଗ୍‌ଶିପ୍‌ ଯୋଜନା। ସରକାରୀ ଭାଷାରେ ପୁରୀକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ଓ ଐତିହ୍ୟ କ୍ଷେତ୍ର କରିବା ପାଇଁ ଏହି ଯୋଜନାକୁ  କାର୍ଯ୍ୟକାରୀ କରାଯାଇଛି। ୨୦୧୭-୧୮ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଛି। ୨୦୧୯ ଅକ୍ଟୋବର ମାସରେ କିନ୍ତୁ ଏହି ଯୋଜନା ବିଧିବଦ୍ଧଭାବେ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ପାଇଥିଲା। ଏହିକ୍ରମରେ ୩୨୦୮ କୋଟି ଟଙ୍କା ପୁରୀରେ ଖର୍ଚ କରାଯିବାକୁ ଯୋଜନା ହୋଇଛି। ଯୋଜନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୯ କୋଟି, ୨୦୧୦-୨୧ରେ ୧୪୦୨ କୋଟି ଏବଂ ୨୦୨୦-୨୧ରେ ୧୦୮୭ କୋଟି ଟଙ୍କା ଖର୍ଚ କରାଯିବାକୁ ସ୍ଥିର ହୋଇଛି।

ଖାଲି ଭଙ୍ଗାଯାଇଛି ହେଲେ ଗଢ଼ାଯାଉନି ପୁରୀ

ଏହି ଅବଢ଼ା ଯୋଜନା ଅନୁସାରେ ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଦୂରତା ଯାଏ ଖାଲି କରାଯାଇ ଭକ୍ତଙ୍କ ବୁଲିବା ନିମନ୍ତେ ବ୍ୟବସ୍ଥା କରାଯିବ। ପୁରୀ ସହରକୁ ଯିବା ଆସିବା ସୁବିଧା ପାଇଁ ଶ୍ରୀସେତୁ ବ୍ୟବସ୍ଥା, ଭକ୍ତଙ୍କ ରହିବା ଲାଗି ବ୍ୟବସ୍ଥା, ମୂଷା ନଈର ପୁନରୁଦ୍ଧାର ପରି ଅନେକ ପ୍ରକଳ୍ପ ରହିଛି। କିଛି ପ୍ରକଳ୍ପ ଆରମ୍ଭ ହୋଇଛି କିନ୍ତୁ କୌଣସି ପ୍ରକଳ୍ପ ଏଯାଏ ଶେଷ ହୋଇ ନାହିଁ। ଅର୍ଥାତ୍‌ ତିନି ବର୍ଷର ଯୋଜନାରୁ ୨ ବର୍ଷ ବିତିଲାଣି କିନ୍ତୁ କାମ ସରିବା ଭଳି ଦିଶୁ ନାହିଁ। ଅନେକ ସ୍ଥାନରେ ତ କାମ ଆରମ୍ଭ ହେବା ପରି ବି ମନେ ହେଉ ନାହିଁ। ଏ ଭିତରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଐତିହ୍ୟ ମଠ, କୋଠା, ପୁରୁଣା ଘର ଏବଂ ଦୋକାନ ବଜାରକୁ ମନ୍ଦିର ଚାରିକଡ଼ରୁ ହଟାଇ ଦିଆଯାଇଛି। ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ପୁରୀ ଲୋକଙ୍କୁ କ୍ଷତିପୂରଣ ରାଶି ଯଥେଷ୍ଟ ପରିମାଣରେ ବଣ୍ଟା ଯାଇଛି। ହେଲେ କିଛି ଗଢ଼ା ଯାଇପାରି ନାହିଁ। ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ପ୍ରଶାସନ।

ଏମାର ମଠ ସହ ସଂପୃକ୍ତ ଥିବା ରଘୁନନ୍ଦନ ଲାଇବ୍ରେରୀକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଆଶ୍ଵାସନା ଅନୁସାରେ ବିକଳ୍ପ ବିଶ୍ଵସ୍ତରୀୟ ଲାଇବ୍ରେରୀ  କରିବାର ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି।

ପୁରୀରେ ରାଜନୀତି ଠିକ୍‌ ନାହିଁ

ପୁଣି ଆଗକୁ ନିର୍ବାଚନ ଆସୁଛି। ପୁରୀ ଯଦି ଆଶା ଅନୁସାରେ  ସରସ ସୁନ୍ଦର ନହୁଏ ତେବେ ପୂର୍ବ ଭଳି ପୁଣି ସେଠାରେ ପରାଜୟର ମୁହଁ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି। ଖାଲି ବିଧାନସଭା ନୁହେଁ, ଏଥର ଅଳ୍ପ ସଂଖ୍ୟାରେ ଜିତିଥିବା ଲୋକସଭା ଆସନକୁ ବି ବିଜେଡି ହରାଇପାରେ। ଏଣୁ ରାଜନୀତିକ ଚାପ ଓ ୩୨୦୦ କୋଟି ଟଙ୍କାର ବୋଝକୁ ମୁଣ୍ଡାଇବା ଲାଗି କୌଣସି ବରିଷ୍ଠ ଅଧିକାରୀ ରାଜି ହେଉ ନାହାନ୍ତି।

ନୀଳ-ନୟନ

ଅପରପକ୍ଷେ ବର୍ତ୍ତମାନର ମୁଖ୍ୟ ପ୍ରଶାସକ ସରକାରଙ୍କ ନୀଳ-ନୟନ ଅଫିସର ହୋଇଥିବାରୁ  ତାଙ୍କୁ ଅନ୍ୟ ଦାୟିତ୍ଵରୁ ମୁକ୍ତ କରିବା ଲାଗି ସରକାରୀ କଳ ରାଜି ହେଉ ନାହିଁ।  ଏପରିକି ୧୮ ଜଣିଆ ପରିଚାଳନା କମିଟିରେ ୮ ଜଣ ସରକାରୀ ଅଧିକାରୀ ଓ ସେଥିରୁ ୩ଜଣ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଥିଲେ ମଧ୍ୟ ଲକ୍ଷ୍ୟ ହାସଲ ପାଇଁ ଯେ, ତାଙ୍କର କେହି ବିକଳ୍ପ ଅଛି ତାହାକୁ   ସରକାରୀ ରଣନୀତି ନିର୍ଦ୍ଧାରକମାନେ ଅସ୍ଵୀକାର କରିପାରୁନାହାନ୍ତି। ଅର୍ଥାତ୍‌ ତାଙ୍କ ସମକକ୍ଷ ଅଧିକାରୀ ଆଉ କେହି ରାଜ୍ୟ ପ୍ରଶାସନରେ ଏଯାଏ ଆସିନାହାନ୍ତି।

Leave a Reply

Your email address will not be published.