ଇମ୍ୟୁନିଟି ବେପାର

ରୁଦ୍ର ପ୍ରସନ୍ନ ରଥ

କରୋନା କାଳରେ ଯେଉଁ କେତୋଟି ଶବ୍ଦ ବେଶ୍ ଜୋରରେ ଶୁଣିବାକୁ ମିଳୁଛି ତାହା ମଧ୍ୟରୁ ମଧ୍ୟରୁ ବୋଧହୁଏ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଶବ୍ଦ ହେଉଛି ଇମ୍ୟୁନିଟି । କରୋନାର କରାଳ ଛାୟା ପୃଥିବୀକୁ ଯେତେ ଯୋରରେ ସଂକ୍ରମିତ କରି ଚାଲିଛି ସେତେ ଜୋରରେ ଏ ଶବ୍ଦର ଜୟଗାନ ଶୁଣିବାକୁ ମିଳୁଛି । ଇମ୍ୟୁନିଟି ନାମକ ଏହି ଇଂରାଜୀ ଶବ୍ଦର ଓଡିଆ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଯାହାର ଚର୍ଚ୍ଚା ସବୁଆଡେ ସବୁବେଳେ ଶୁଣିବାକୁ ମିଳୁଛି । କରୋନାକୁ ମାତ୍ ଦେବାପାଇଁ ଇମ୍ୟୁନିଟି ବଢିବା ଦରକାର ବୋଲି ସମସ୍ତେ କହିବାର ଶୁଣିବାକୁ ମିଳୁଛି । କଣ ଏହି ଇମ୍ୟୁନିଟ୍ , ଏହା କିପରି ବଢେ ଏହାକୁ ସହଜରେ କେହି ବୁଝାଇବାରେ ସକ୍ଷମ ହେଉନଥିଲେ ହେଁ ଏବେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବାପାଇଁ ଜଣେ ଅନ୍ୟଜଣଙ୍କୁ ଗୁରୁଜ୍ଞାନ ଦେବାକୁ ବାଧ୍ୟ । କରୋନା ବୋଧହୁଏ ଅନେକଙ୍କୁ ଅଧା ଚଉଠେ ଡାକ୍ତର କରିପକାଇଛି ଯେମିତି ।

ଏହି ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ସାମଗ୍ରୀର ପ୍ରଚାର ପ୍ରସାର କରିବାର ବ୍ୟସ୍ତ । କାହାକୁ ଖାଲିପେଟରେ ପିଇବ ତ ଆଉ କାହାକୁ ଶୋଇବା ପୁର୍ବରୁ ଚୋବାଇବ । ପୁଣି କାହାକୁ ବଟାଯାଇ ପିଆହେବ ତ ଆଉ କାହାକୁ ଗୋଟା ଗିଳା ହେବ ଘରେ ଥିବା ବୁଢୀମା ଠାରୁ ଆରମ୍ଭ କରି ଗାଁ ମୁଣ୍ଡରେ ପାନ ଦୋକାନ କରିଥିବା ଲୋକ ବି ଆପଣଙ୍କୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ବାଟ ବତାଇ ଦେବ । ଅବଶ୍ୟ ବୁଢୀମା ତୁଳସୀ, ଅଦା, ଲବଙ୍ଗ, ଗୋଲ ମରିଚ କଥା କହିବା ବେଳକୁ ଅନ୍ୟ କେହି ଆପଣଙ୍କୁ ଦେହଲଗା ତେଲ କିମ୍ବା ଭିଟାମିନ୍ ବଟିକା କଥା କହିବେ । ମୋଟ ଉପରେ କହିବାକୁ ଗଲେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ପକେଟକୁ ଅଳ୍ପ ବହୁତେ ଖାଲି କରିବାକୁ ପଡିବ । ଅବଶ୍ୟ ଏ ଲିଷ୍ଟ ଏତେ ଲମ୍ବା ଆଉ ଏଥିରେ ଏତେ ଭିନ୍ନତା ଅଛି ଯେ ଆପଣ ବିରକ୍ତ କିମ୍ବା ବିସ୍ମିତ ହୋଇଯିବାର ଆଶଙ୍କା ବି ଅଛି । ଆପଣ ବିଚଳିତ ହୋଇପାରନ୍ତି ଯେ ତୁଳସୀ, କାଡା, ହଳଦୀ, ମହୁ ତ ଆମେ ଆମ ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରି ଚାଲିଛନ୍ତି ତଥାପି କାହିଁକି ଆମେ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଏତେ ସନ୍ଦିହାନ?

କରୋନା କାଳରେ ଏହି ରୋଗ ପ୍ରତିରୋଧକ ଶକ୍ତି ବେପାର ବଣିଜ ଖୁବ୍ ଜୋର ଧରିଛି । ଖବର କାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ, ଏଫ ଏମ ରେଡିଓରେ ଜକିମାନଙ୍କର କାନ ଫଟା ଚିତ୍କାର, ଅମୁକ ଖାଆନ୍ତୁ ଦୁଇ ଦିନରେ ପରିବ ର୍ନ ଦେଖନ୍ତୁ । ଅମୁକ ପିଅନ୍ତୁ କରୋନଠାରୁ ଦୂଚରେ ରୁହନ୍ତୁ । ଇମ୍ୟୁନିଟି ବଢାଇବା ପାଇଁ ଚାଲିଥିବା ଏହି ଗଣ ଦୌଡରେ ଏଲୋପାଥିକ ଡାକ୍ତରଙ୍କଠାରୁ ଆରମ୍ଭ କରି କବିରାଜ ଏପରିକି ଆୟୁର୍ବେଦ, ହୋମିଓପାଥି ଆଉ ୟୁନାନୀ ଡାକ୍ତର ବି ଡେଇଁ ପଡିଛନ୍ତି । ସମସ୍ତଙ୍କ ପାଖରେ ଏହାକୁ ନେଇ ଗୋଟିଏ ଦିଟା ଓଷଧ ଆଉ ନିଜସ୍ୱ ପଥି ରହିଛି । କିନ୍ତୁ ଏ ରୋଗ ପ୍ରତିରୋଧକ ଶକ୍ତି କେତେ ବଢିଲା, କେମିତି ବାଗରେ ବଢିଲା ଆଉ କେମିତି ଛିଡିଲା ତାହା ଜାଣିବାକୁ ସାଧାରଣ ଲୋକଙ୍କ ପାଖରେ ଜୁ ନାହିଁ । ଯିଏ କରୋନାରେ ପଡିଲା ତାର କଣ ରୋଗ ପ୍ରତିରୋଧକ ଶକ୍ତି ନଥିଲା ନା ଯାହାର ଅଛି ସିଏ କଣ ଜମାରୁ କରୋନା ସଂକ୍ରମିତ ହେବ ନାହିଁକି ଏ ପ୍ରଶ୍ନର ଉ ର କାହା ପାଖରେ ନାହିଁ । ଆଉ ଯାହାର ଯାହା ହେଉ ବା ନ ହେଉ, କରୋନା ଭଲ ହେଉ ବା ନ ହେଉ ବେଶ୍ ସନ୍ତର୍ପଣରେ ଏହି ରୋଗ ପ୍ରତିରୋଧକ ଶକ୍ତି ବେପାର ଖୁବ୍ ଅଳ୍ପଦିନ ମଧ୍ୟରେ କେଇ ଶହ କୋଟି ପାର କରିଯାଇଛି । ଲୋକ ଖାଲି ମେଡିସିନ୍ ନୁହେଁ ବରଂ ଏହି ଇମ୍ୟୁନିଟି ବୁଷ୍ଟର କିଣିବାପାଇଁ ମଧ୍ୟ ଔଷଧ ଦୋକାନ ଆଗରେ ଭିଡ଼ ଲଗାଇଛନ୍ତି ।

ବାହାରୁ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କିଣିବାକୁ ଧାଉଁଥିବା ଲୋକଟି ଭୁଲିଯାଉଛି ଯେ ସେ ନିଜ ଜୀବନକୁ ନିଜେ ବିପଦରେ ପକାଇ ସାରିଛି ବୋଲି । ବିଳମ୍ବରେ ଶୋଉଛି, ସକାଳୁ ଉଠି ପାରୁନି, ସଜ ତଟକା ଫଳ ଆଉ ପନିପରିବା ଅପେକ୍ଷା ପ୍ରକିୟାକୃତ ରଂଗ ମିଶ୍ରିତ ଖାଦ୍ୟରେ ସ୍ୱାଦର ମୋକ୍ଷ ଖୋଜୁଛି । ବୁଢିମା’ର ଲେମ୍ବୁ ପାଣି ତାକୁ ଗାଉଁଲୀ ଲାଗୁଛି ଅଥଚ ସେ ଶୋଷ ମାରିବାକୁ ସହରରେ ରଂଗଯୁକ୍ତ ଲେମ୍ବୁପାଣି ପିଉଛି । ଗରମ ଖାଦ୍ୟ ଖାଇବା କିମ୍ବା ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅପେକ୍ଷା ତାକୁ ବାହାରର ଖାଦ୍ୟ ଭଲ ଲାଗୁଛି । ଏପରି ସ୍ଥିତିରେ ତାର ରୋଗ ପ୍ରତିରୋଧକ ଶକ୍ତି ବଢିବ କେଉଁଠୁ । ନିଜର ଲବ୍ଧ ପ୍ରତିଷ୍ଠିତ ଜ୍ଞାନକୁ ନେଇ ମଣିଷ ଏତେ ଆଶଙ୍କାରେ କାହିଁକି? ବାଡିର ଲେମ୍ବୁ, କମଳା ଆଉ ହଳଦୀକୁ ଏଡିଦେଇ ମଣିଷ ଶହ ଶହ ଟଙ୍କା ଦେଇ ବଟିକା କିମ୍ବା ତରଳ ଔଷଧ କିଣିବାକୁ ଦୌଡେ କାହିଁକି? ନିଜକୁ ବା ନିଜ ପାଖରେ ଥିବା ଜିନିଷକୁ ଘୃଣା କରିବା ବା ନିଜକୁ ଆତ୍ମବିଶ୍ୱାସହୀନ ମନେ କରିବା ବୋଧହୁଏ ଆମଭିତରୁ ଅନେକଙ୍କର ସହଜାତ ପ୍ରବୃ ି ଏବଂ ଏହାକୁ ଏହି ବିଜ୍ଞାପନର ସୌଦାଗରମାନେ ବେଶ୍ ସହଜରେ ଧରିପାରିଛନ୍ତି । ନିଜକୁ ସାମର୍ଥ୍ୟହୀନବୋଲି ଭାବିବାକୁ ବାଧ୍ୟ କରିବା ଆଉ ପରେ ଏକ ନିର୍ଦ୍ଦିଷ୍ଟ ବସ୍ତୁ ବ୍ୟବହାର କରି ନିଜକୁ ସାମର୍ଥ୍ୟବାନ ମନେ କରାଇବାର ଏହି ପୁରୁଣା ଖେଳରେ ବିଜ୍ଞପନଦାତାମାନେ ବେଶ୍ ମାହିର୍ । ଆଉ ଏହି କାରଣରୁ ହିଁ ଏହି ଇମ୍ୟୁନିଟି ବେପାର କୋଟି କୋଟି ଟଙ୍କାର ଇପସିତ୍ ଲକ୍ଷ୍ୟ ହାସଲ କରିପାରୁଛି ବେଶ୍ ସହଜରେ ।

କରୋନା କାଳ ହୁଏତ ଆମ ସମସ୍ତଙ୍କ ପାଇଁ ଅନେକ ଖରାପ ଖବର ନେଇ ଆସିଛି । କିନ୍ତୁ ତା ମଧ୍ୟରେ ଏକଥା ବି ଶିଖାଇ ଦେଇଛି ଯେ ଆମେ ଆମ ସ୍ୱାସ୍ଥ୍ୟପ୍ରତି ମୂଳରୁ ଯତ୍ନବାନ ହେବାକୁ ପଡିବ । ନିଜର ଜୀବନଚର୍ଯ୍ୟାକୁ ଆଉଥରେ ନିରେଖି ଦେଖିବାକୁ ପଡିବ । ଔଷଧ ସବୁକିଛି କରିପାରିବ ନାହିଁ । ଅଥଚ ଆମେ ନିଜେ ନିଜ ଉପରେ ଭରସା କଲେ ଆଉ ଜୀବନ ଚର୍ଯ୍ୟାକୁ ଶୃଙ୍ଖିଳିତ କଲେ ଆମେ ଅନେକ ରୋଗରୁ ରକ୍ଷା ପାଇ ପାରିବା । ପୁଣି ହାତ ଧୋଇଲେ, ମାସ୍କ ବ୍ୟବହାର କଲେ ଏବଂ ସାମାଜିକ ଦୂରତା ବଜାୟ ରଖିଲେ ଆମେ ଆପଣାଛାଏଁ କରୋନା ର କାଳଛାୟାରୁ ବର୍ତ୍ତିଯାଇପାରିବା । ହଁ ରୋଗ ପ୍ରତିରୋଧକ ଶକ୍ତିକୁ ପାଇବା ଏକ ମରୀଚିକା ପଛରେ ଗୋଡାଇବା ପରି ନ ହେଉ । ବରଂ ଆମ ନିଜର ବ୍ୟବହାରଗତ ପରିବ ର୍ନଠାରୁ ଏହାକୁ ପାଇବା ଆରମ୍ଭ ହେଉ ।

ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ତାଙ୍କ ସହ ଯୋଗାଯୋଗ ଠିକଣା:  ଧବଳଗିରି, ଯାଜପୁରରୋଡ, ୭୯୭୮୬୭୧୭୭୬

Leave a Reply