ତାରା ଓ ଦିଲୀପ ବିଜେଡ଼ିରେ ଖୁବଶୀଘ୍ର ଯୋଗଦେବେ

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକରେ ଯୋଗ ବିୟୋଗ ପ୍ରକ୍ରିୟା ଦ୍ରୁତ ଗତିରେ ଆରମ୍ଭ ହୋଇଯାଇଛି। ରାଜ୍ୟର ଶିଳ୍ପପତି ତଥା ପୂର୍ବତନ ମନ୍ତ୍ରୀ ଦିଲିପ ରାୟ ଓ ପୂର୍ବରୁ କଂଗ୍ରେସ ଟିକେଟରେ ରାଜ୍ୟସଭା ପାଇଁ ଲଢ଼ି ପରାଜିତ ହୋଇଥିବା ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ବିଜେଡି ଟିକେଟରେ ଆଗାମୀ ନିର୍ବାଚନରେ ଲଢ଼ିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ଏହି ଦୁଇ ଶିଳ୍ପପତି ଆଗାମୀ ସପ୍ତାହରେ ଶାସକ ଦଳ ବିଜେଡ଼ିରେ ଯୋଗ ଦେଇପାରନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

୨୦୧୮ ନଭେମ୍ବର ୩୦ତାରିଖରେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବିଧାୟକ ଦିଲ୍ଲୀପ ରାୟ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି। ଶ୍ରୀ ରାୟ ଏବେ ରାଜ୍ୟ ବାହାରେ ଅଛନ୍ତି। ସେ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଯଦି ସବୁକିଛି ଠିକଠାକ୍ ରୁହେ ତା’ହେଲେ ଶ୍ରୀ ରାୟଙ୍କର ବିଜେଡିକୁ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେବେ ଶ୍ରୀ ରାୟଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ରାୟ ବିଜେଡିରେ ସାମିଲ ହେବା କଥା ସତ, କିନ୍ତୁ କେବେ ହେବେ, ସେନେଇ ଦିନ ଧାର୍ଯ୍ୟ ହୋଇନି।

ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଂଗ୍ରେସର ପରାଜିତ ରାଜ୍ୟସଭା ପ୍ରାର୍ଥୀ ତାରାରଞ୍ଜନ ପଟ୍ଟନାୟକ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜିର ଏହି ସ୍ୱଳ୍ପ ଅବଧିର ସାକ୍ଷାତକାର ପରେ ସେ ଖୁବଶୀଘ୍ର ବିଜେଡିରେ ସାମିଲ ହୋଇ ଭୁବନେଶ୍ୱର ସେଣ୍ଟ୍ରାଲ କିମ୍ବା ଭୁବନେଶ୍ୱର-ଉତ୍ତରରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published.