କିଏ କେତେ ଦାଗୀ ?

0
159
advertisement

୨୦୧୪ ସତ୍ୟପାଠ ଅନୁସାରେ ଓଡ଼ିଶାର ୫୧ ବିଧାୟକ, ୩ ସାଂସଦ ଅଭିଯୁକ୍ତ

୨୦୦୯ରେ ୪୨ଜଣ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାଁରେ ମାମଲା ରହିଥିଲା

ଭୁବନେଶ୍ୱର,(ଓଟି): ଦୀର୍ଘ ୬୮ବର୍ଷ ଭିତରେ ଆମେ ଏମିତି ଆଇନ ଏକ ପ୍ରସ୍ତୁତ କରିପାରିଲୁ ନାହିଁ ଯାହା ଦେଶର ଶାସନ ବ୍ୟବସ୍ଥାରୁ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଦୂରରେ ରଖିପାରିବ। ସେଇଥିପାଇଁ କୌଣସି ଦୋଷ ନଥିବା ସାଧାରଣ ଜନତା ଆଜି ସେଇମାନଙ୍କ ଦ୍ୱାରା ଶାସିତ ହେଉଛନ୍ତି ଯାହାଙ୍କ ନାଁରେ ବିଭିନ୍ନ କୋର୍ଟ ମାମଲା ବିଚାର କରୁଛନ୍ତି।

ଏହିପରି ଦାଗୀ ଲୋକପ୍ରତିନିଧିଙ୍କ ଭିତରେ ଓଡ଼ିଶାରୁ ସାମିଲ‌୍‍ ରହିଛନ୍ତି ୫୧ ଜଣ ବିଧାୟକ ଏବଂ ୩ ଜଣ ସାଂସଦ। ୨୦୧୪ ନିର୍ବାଚନବେଳେ ଏମାନେ ଦାୟର କରିଥିବା ସତ୍ୟପାଠ ଅନୁସାରେ ସେମାନଙ୍କ ନାଁରେ ସମୁଦାୟ ୨୦୭ ମାମଲା ଦାୟର କରାଯାଇଥିଲା।

ଏହି ୫୪ ଜଣ ଲୋକପ୍ରତିନିଧିଙ୍କ ଭିତରୁ ବିଜେଡି ଭାଗରେ ରହିଛନ୍ତି ୩୧ ବିଧାୟକ ଏବଂ ୨ ସାଂସଦ। ସେହିପରି ବିଜେପିର ଜଣେ ନିର୍ବାଚିତ ସାଂସଦ ଜୁଏଲ ଓରାମଙ୍କ ନାଁରେ ଗୋଟିଏ ମାମଲା ଥିବା ସେ ସେତେବେଳେ ସତ୍ୟପାଠରେ ଦର୍ଶାଇଥିଲେ। ସେହି ସତ୍ୟପାଠଗୁଡ଼ିକ ଆଧାରରେ ବିଜେପିର ୮ ଜଣ ବିଧାୟକଙ୍କ ନାଁରେ କୌଣସି ନା କୌଣସି କୋର୍ଟରେ ମାମଲା ବିଚାର ଜାରି ରହିଥିଲା। ଏହି ତାଲିକାରେ ୭୮ଜଣ କଂଗ୍ରେସ ବିଧାୟକ ଥିବାବେଳେ ସ୍ୱାଧୀନ ଏବଂ ଅନ୍ୟ ଦଳର ବିଧାୟକଙ୍କ ସଂଖ୍ୟା ୪ ରହିଛି ।


ଇଲେକ୍ସନ‌୍‍ ୱାଚ‌୍‍ ପକ୍ଷରୁ ‘ମାଇନେତା ଡଟ‌୍‍ ଇନ‌୍‍ଫୋ’ ଓ୍ବେବସାଇଟ‌୍‍ର ତଥ୍ୟ ଅନୁସାରେ ବଲାଙ୍ଗୀର ସାଂସଦ କଳିକେଶ ସିଂହଦେଓଙ୍କ ନାଁରେ ଦୁଇଟି ମାମଲା ନିର୍ବାଚନ ସମୟରେ ବିଚାରାଧୀନ ଥିବା ସତ୍ୟପାଠରେ ଉଲ୍ଲେଖ ରହିଥିବା ବେଳେ ସାଂସଦ ତଥାଗତ ସତପଥିଙ୍କ ନାଁରେ ସର୍ବାଧିକ ୭ଟି ମାମଲା ରହିଥିଲା।

ସେତେବେଳେ ୪ ଜଣ ବିଧାୟକଙ୍କ ନାଁରେ ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ମାମଲା ରହିଥିଲା। ସେମାନଙ୍କ ଭିତରୁ ବିଜେଡିର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନାଁରେ ୨୭ଟି ମାମଲା ବିଚାରାଧୀନ ଥିଲା। ତାଙ୍କ ତଳକୁ ସମତା କ୍ରାନ୍ତି ଦଳ ବିଧାୟକ ତଥା ବର୍ତ୍ତମାନ କଂଗ୍ରେସରେ ଯୋଗ ଦେଇଥିବା ଜର୍ଜ ତିର୍କୀଙ୍କ ନାଁରେ ରହିଥିଲା ୨୨ଟି ମାମଲା। ବିଜେଡିର ସୁଦାମ ମାରାଣ୍ଡିଙ୍କ ନାଁରେ ୧୧ଟି ମାମଲା ଥିବା ବେଳେ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ ନାଁରେ ୧୦ଟି ମାମଲା ଥିବା ସେ ସତ୍ୟପାଠରେ ଦର୍ଶାଇଥିଲେ। ବିଜେଡିର ଭାଦବ ହାଁସ‌୍‍ଦାଙ୍କ ନାଁରେ ୯ଟି ମାମଲା ଥିବା ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା, ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁରେ ୮ଟି ଲେଖାଏଁ ମାମଲା ନିର୍ବାଚନ ଲଢ଼ିବା ପୂର୍ବରୁ ରହିଥିଲା। ୨୦୦୯ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ଭିତରୁ ୪୨ ଜଣଙ୍କ ନାଁରେ ଆଗୁଆ ମାମଲା ରହିଥିଲା।

ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶାର ବିଧାୟକ ଓ ସାଂସଦଙ୍କ ବିରୋଧରେ ୨୨୫ଟି ଅପରାଧିକ ମାମଲା ରହିଛି। ଏହି ମାମଲାରୁ ୧୯ଟିରେ ବିଚାର ସରିଛି। ୧୦ଟି ମାମଲାରେ ଅଭିଯୁକ୍ତ ବିଧାୟକ ଓ ସାଂସଦ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୯ଟି ମାମଲାରେ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ବିନା କୌଣସି ସ୍ୱତନ୍ତ୍ର ଅଦାଲତରେ ବି ଆମ ରାଜ୍ୟରେ ଲୋକପ୍ରତିନିଧିଙ୍କ ମାମଲାରେ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ତଥାପି ଦାଗୀଙ୍କ ସଂଖ୍ୟା କମୁନାହାନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏ ସଂଖ୍ୟା ପ୍ରତି ଜନସାଧାରଣ ସଚେତନ ହେବା ଦରକାର। ସୁପ୍ରିମକୋର୍ଟ କେବଳ ଅଧିକରୁ ଅଧିକ ଅଭିଯୁକ୍ତଙ୍କ ନିର୍ବାଚନ ପ୍ରକ୍ରିୟାରେ ସାମିଲ‌୍‍କୁ ନେଇ ଉଦ‌୍‍ବେଗ ପ୍ରକାଶ କରିନାହାନ୍ତି ବରଂ ରାଜନୀତିରେ ଅଭିଯୁକ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ୁଥିବା ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି। ଏଣୁ ସାଧାରଣ ଜନତା ସେମାନଙ୍କୁ କିପରି ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖାଯାଇପାରିବ ସେଥିନେଇ ଉଦ୍ୟମ କରିବା ଦରକାର ବୋଲି ଓଡ଼ିଶା ଇଲେକ୍ସନ‌୍‍ ୱାଚ‌୍‍ର ସଂଯୋଜକ ରଞ୍ଜନ ମହାନ୍ତି କହିଛନ୍ତି।