ଜାଣନ୍ତୁ ଗଙ୍ଗାସାଗର ମେଳାର କିମ୍ବଦନ୍ତୀ


ପବିତ୍ର ମକର ସଂକ୍ରାନ୍ତି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଭୌଗଳିକ ତଥା ସ୍ଥାନ ବିଶେଷରେ ପାରମ୍ପରିକ ଭାବେ ଏହି ସଂକ୍ରାନ୍ତିଙ୍କୁ ଏକ ଅନନ୍ୟ ପର୍ବ ବା ମହୋତ୍ସବ ଭାବେ ପାଳନ କରାଯାଏ । ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ମଧ୍ୟ ରହିଛି । ବିଶେଷକରି ଭାରତୀୟ ହିନ୍ଦୁ ପରମ୍ପରାରେ ଏହି ପର୍ବ ଖୁବ୍ ଗୁରୁତ୍ୱ ବହନ କରିଆସିଛି । ଠିକ୍ ଏହି ପବିତ୍ର ଅବସରରୁ ଆରମ୍ଭ ହୁଏ ଗଙ୍ଗାସାଗର ମେଳା । କୁମ୍ବମେଳା ପରେ ସବୁଠାରୁ ବଡ଼ ମେଳା ଭାବେ ଖ୍ୟାତ ଗଙ୍ଗାସାଗର ମେଳା ପଶ୍ଚିମବଙ୍ଗର ସାଗରଦ୍ୱୀପରେ ପ୍ରତିବର୍ଷ ବଡ଼ ସମାରୋହରେ ପାଳିତ ହୋଇଆସୁଛି । ପୂର୍ବ ପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପୁଣ୍ୟ ଅର୍ଜନ ପାଇଁ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଗ୍ରହ ରଖିଥାନ୍ତି । ଆସନ୍ତା ୧୫ ତାରିଖ ମକର ସଂକ୍ରାନ୍ତି ଦିନଠାରୁ ଏହି ମେଳା ଆରମ୍ଭ ହେବାକୁ ଯାଉଛି । ଜାଣି ରଖନ୍ତୁ ଏହା କାହିଁକି ମହତ୍ତ୍ଵପୂଣ୍ଣ

କୁହାଯାଏ ସକଳ ତୀର୍ଥର ଖଳା- ଗଙ୍ଗାସାଗର ମେଳା । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ଯେ ସବୁ ତୀର୍ଥକୁ ବାରମ୍ବାର ଯିବା ଯାହା, ଗଙ୍ଗାସାଗର ତୀର୍ଥକୁ ଥରଟିଏ ଯିବା ଏକାକଥା । ତେବେ ସେ ଯାହାହେଉନା କାହିଁକି, ପଶ୍ଚିମବଙ୍ଗଳାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏହି ଗଙ୍ଗାସାଗର ବୁଲିବା ଓ ଉକ୍ତ ମେଳାରେ ଯୋଗଦେବାକୁ ଅନେକ ସୌଭାଗ୍ୟ ବୋଲି ମନେକରନ୍ତି । ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ମେଳା ଲାଗି ଢେର୍ ଆଗରୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁ ଡେରା ପକାଇଥାନ୍ତି । ସୁଦୂରବ୍ୟାପ୍ତି ବାଲୁକା ପ୍ରାନ୍ତର, ସୁନୀଳ ଆକାଶ, ପ୍ରଶାନ୍ତ ସାଗରର ଅପରୂପ ପରିବେଶ କାହାକୁ ଆକୃଷ୍ଟ କରିବାକୁ ବେଶ୍ ପ୍ରକୃତିବନ୍ତ ।

କିମ୍ବଦନ୍ତୀ


ପୌଷ ଶେଷାନ୍ତ ମାଘାରମ୍ଭର ସନ୍ଧି – ଏଇ ମକର ସଂକ୍ରାନ୍ତି । ଏହି ଦିନରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ହୁଏ । ପୌରାଣିକ କିମ୍ବଦନ୍ତୀ ଅନୁସାରେ କର୍ଦ୍ଦମ ମୁନି ଥିଲେ ତପସ୍ୱୀ ବିଷ୍ଣୁଭକ୍ତ । ତେବେ କର୍ଦ୍ଦମ ବିବାହ କରି ସାଂସାରିକ ଜୀବନ ବିତାଇବାକୁ ଭଗବାନ ବିଷ୍ଣୁଙ୍କର ନିର୍ଦ୍ଦେଶ ରହିଥିଲା । କିନ୍ତୁ ଭକ୍ତମୁନି ପ୍ରାର୍ଥନା ପୂର୍ବକ ସର୍ତ୍ତ ରଖିଥିଲେ । ସେ ଭଗବାନଙ୍କୁ ତାଙ୍କ ପୁତ୍ର ଭାବେ ପାଇବାକୁ ଗୁହାରୀ କରିଥିଲେ । ସେହି ସତ୍ୟାଧାରରେ କର୍ଦ୍ଦମ ମୁନିଙ୍କ ପୁତ୍ର ଭାବେ ଜନ୍ମନେଲେ କପିଳ ମୁନି । ଅନ୍ୟଏକ କିମ୍ବଦନ୍ତୀ ଅନୁସାରେ, କପିଳ ମୁନି ଥିଲେ ବ୍ରହ୍ମାଙ୍କ ପୌତ୍ର ଓ ମନୁଙ୍କ ପରମ ଭକ୍ତ । ଅନୁରୂପ ଭାବେ କିମ୍ବଦନ୍ତୀ ରହିଛି ଯେ ଇକ୍ଷାକୁ ବଂଶର ଅଯୋଧ୍ୟା ରାଜା ସାଗରଙ୍କ ଦିଗ୍ବିଜୟୀ ଅଶ୍ୱମେଧ ଯଜ୍ଞର ଘୋଡ଼ା ଦେଶ ପରିକ୍ରମଣ କରି ନିଖୋଜ ହୋଇଯାଇଥିଲା । ସାଗରଙ୍କ ଆସ୍ପର୍ଦ୍ଧାରେ କ୍ଷୁବ୍ଧ ହୋଇ ଦେବରାଜ ଇନ୍ଦ୍ର ଏହି ଅଶ୍ୱକୁ ପାତାଳାଭିମୁଖୀ କରିଦେଇଥିଲେ । ରାଜା ସାଗରଙ୍କ ଷାଠିଏ ହଜାର ପୁତ୍ର ଉକ୍ତ ଅଶ୍ୱର ଅନ୍ୱେଷଣରେ ଯାଇ ପହଞ୍ôଚଲେ ସାଗର ଦ୍ୱୀପରେ । ସେଇଠି ଥିଲା କପିଳ ମୁନିଙ୍କ ଆଶ୍ରମ । ଅଶ୍ୱଟିକୁ ଚୋରି କରିଥିବା ଅଭିଯୋଗରେ ରାଜପୁତ୍ରମାନେ ମୁନିବରଙ୍କୁ ଭର୍ତ୍ସନା କଲେ । ‘ଳସ୍ୱରୂପ କପିଳ ମୁନିଙ୍କ ଅଭିଶାପରେ ରାଜାଙ୍କ ସମସ୍ତ ପୁତ୍ର କ୍ରୋଧାଗ୍ନିରେ ଦଗ୍ଧୀଭୂତ ହୋଇ ନର୍କଗମନ କଲେ । କିଛି ବର୍ଷ ଉପରାନ୍ତେ ରାଜା ସାଗରଙ୍କର ପୌତ୍ର ଭଗିରଥ ପିତାଙ୍କ ଆତ୍ମାର ପରିତ୍ରାଣ ପାଇଁ ମୁନିଙ୍କୁ ପ୍ରାର୍ଥନା କଲେ । ଦୟାପରବଶ କପିଳ ମୁନି ଉକ୍ତ ମୃତ ଆତ୍ମାଗୁଡ଼ିକୁ ନର୍କରୁ ଉଦ୍ଧାର କଲେ ଏବଂ ନିର୍ଦ୍ଦେଶ ଦେଲେ ଯେ ଭଗିରଥ ଯଦି ପ୍ରାର୍ଥନା କରି ପବିତ୍ର ଗଙ୍ଗାନଦୀର ଧରାବତରଣ କରିବା ସହ ଆଶ୍ରମ ପର୍ଯ୍ୟନ୍ତ ପ୍ରବାହିତ କରିପାରିବେ ସେଇ ପବିତ୍ର ଜଳରେ ମୃତାତ୍ମାଗୁଡ଼ିକର ମୋକ୍ଷପ୍ରାପ୍ତି ହେବ । ପରେପରେ ପ୍ରଭୁ ବିଷ୍ଣୁଙ୍କ ନଖକୋଣରୁ ମହାଦେବୀ ଗଙ୍ଗା ଧରାବତରଣ କରିବା ସହ ମୁନିଙ୍କ ଆଶ୍ରମ ନିକଟରେ ସମୁଦ୍ରରେ ବିଲୀନ ହେଲେ । ମହାଭାରତରରୁ ମଧ୍ୟ କଥିତ ଅଛି ଯେ ପିତାମହ ଭୀଷ୍ମ ମହାଭାରତ ଯୁଦ୍ଧ ପୂର୍ବରୁ ପବିତ୍ର ଗଙ୍ଗାନଦୀରେ ସ୍ନାନ କରି କଳୁଷମୁକ୍ତ ପୂର୍ବକ ଅପୂର୍ବ ବୀରତ୍ୱ ପ୍ରାପ୍ତି କରିଥିଲେ । ଏହି ସମସ୍ତ ଆଖ୍ୟାନ ଉକ୍ତ ସ୍ଥାନକୁ ମହିମାମଣ୍ଡିତ କରିଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ତର୍ପଣ କରିବାକୁ ଗଙ୍ଗାନଦୀର ଏହି ସଙ୍ଗମସ୍ଥଳକୁ ଯାଆନ୍ତି । ସୂଚନା ଅନୁସାରେ ୨୦୦୭ରେ ୩ଲକ୍ଷ ଏହି ତୀର୍ଥଯାତ୍ରୀଙ୍କ ମେଳାରେ ସମାଗମ ହୋଇଥିବା ବେଳେ ୨୦୧୭ବେଳକୁ ସଂଖ୍ୟା ୧୫ ଲକ୍ଷକୁ ବୃଦ୍ଧି ପାଇଥିଲା । ସେହିପରି ୨୦୧୮ରେ ୨୦ ଲକ୍ଷ ଆଉ ୨୦୧୯ ବେଳକୁ ୩୦ ଲକ୍ଷରେ ପହଞ୍ôଚ ଯାଇଥିଲା । ଚଳିତବର୍ଷ ମଧ୍ୟ ସେଭଳି ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି ।


ପ୍ରସ୍ତୁତି: ଏସପି

Leave a Reply

Your email address will not be published.