ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ବିଦା

କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ।

ଅନନ୍ତ କହିଛନ୍ତି ଯେ, ଏଆଇସିସି ନିଷ୍ପତ୍ତି କ୍ରମେ ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପୂର୍ବରୁ ପିସିସି ସଭାପତିଙ୍କୁ ନେଇ ବାରମ୍ବାର କଟୁ ମନ୍ତବ୍ୟ ଦେଇ ଅଡୁଆରେ ଥିଲେ ଶ୍ରୀକାନ୍ତ । ସେହିଭଳି ସଗରିଆ ମଧ୍ୟ ନିକଟରେ କୁନ୍ଦୁଲୀ ପିଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ । କିନ୍ତୁ ବାରମ୍ବାର ଦଳପାଇଁ ଖୋଲା ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।

ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ବଢୁଛି ଅଡୁଆ । ଗତ କିଛି ଦିନ ପୂର୍ବେ ଦଳର ଇସ୍ତାହାର କମିଟି ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଇଥିଲେ ଏଆଇସିସି ହାଇକମାଣ୍ଡ । ତାଙ୍କ ସ୍ଥନାରେ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ଶ୍ରୀକାନ୍ତ ସହଜରେ ଗ୍ରହଣ କରିପାରି ନଥିଲେ ଆଉ ତାପରେ ପିସିସିର ସମସ୍ତ ପଦରୁ ଇସ୍ତଫା ଦେବାପାଇଁ ନିଷ୍ପତ୍ତି ନେଇଥିଲେ ଶ୍ରୀକାନ୍ତ । ସେହିପରି କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଦଳରୁ ବହିଷ୍କୃତ କରାଯାଇଛି । ଏହାପୂର୍ବରୁ ସଗରିଆ ଓ ଶ୍ରୀକାନ୍ତ କଂଗ୍ରେସ ବିରୋଧୀ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଶିବିରରେ ଚର୍ଚ୍ଚା ଜୋର ଧରିଥିଲା । ଯାହାର ପରିଣାମ ଆଜି ଉଭୟଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ସୃଷ୍ଟି କରିଥିଲେ ଶ୍ରୀକାନ୍ତ । ଏପରିକି ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଥିଲେ ଶ୍ରୀକାନ୍ତ । ଯାହାର ଫଳ ସ୍ୱରୁପ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗୁଛି ୪୪୦ ଭୋଲ୍ଟ ଝଟକା । ଗତ ୭ ଦିନ ମଧ୍ୟରେ କଂଗ୍ରେସ ପାଇଁ କଣ୍ଟା ବଢ଼ିବାରେ ଲାଗିଛି । ଯାହାର ନଜିର୍ ଗତ କିଛି ଦିନ ତଳେ ପ୍ରଥମେ ଝାରସୁଗୁଡ଼ା ନେତା ନବ ଦାସଙ୍କ ଇସ୍ତଫା ଏବଂ ପରେ ସୁନ୍ଦରଗଡ଼ ବିଧାୟକଙ୍କୁ ଦଳରୁ ନିଲମ୍ବିତ ଘଟଣା ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଛି। କାରଣ ଆଗାମୀ ନିର୍ବାଚନ ପୂର୍ବରୁ ଦଳରୁ ଜଣକ ପରେ ଜଣେ ହେଭିୱେଟ୍ ନେତା କଂଗ୍ରେସ ପାଇଁ କଣ୍ଟ ସାଜୁଛନ୍ତି । କିଏ ଇସ୍ତଫା ଦେଉଛି ତ କିଏ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ଆଉ କିଏ ବହିଷ୍କୃତ ହେଉଛି ।

Leave a Reply

Your email address will not be published.