ସର୍ବଭାରତୀୟ ମହାପର୍ବ ମକର ସଂକ୍ରାନ୍ତି ଓ ଜଗତର ନାଥ ବଡ ଠାକୁରଙ୍କ ରୀତିନୀତି

ଭୁବନେଶ୍ୱର(ଓଟି): ବାରମାସ ତେର ପର୍ବ… ଏହି ପରମ୍ପରା ଲାଗି ଶ୍ରୀଜଗନ୍ନାଥ ସଂସ୍କୃତି ମହାନ। ବାସ୍ତବରେ ବର୍ଷ ସାରା କିନ୍ତୁ ‍‌୧୩ ନୁହେଁ ତତୋଧିକ ପର୍ବପର୍ବାଣୀ ଆଉ ଯାନିଯାତରା ହେଉଛି। ସେହିକ୍ରମରେ ଆସନ୍ତୁ ସଂକ୍ଷିପ୍ତରେ ଜାଣିବା ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ରେ ବିରାଜିତ ଶ୍ରୀଜିଉଙ୍କ ପୂଜାବିଧି ସମ୍ପର୍କରେ….

ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ ।

ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ ।

ଭୋଗଟେରା (ଭୋଗପୂଜା ସମୟରେ ସାଧାରଣଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନାର ଲୁଗା) ବନ୍ଧାହେବା ପରେ ଦିଗପାଳ ବଳି ନୀତି ହୋଇଥାଏ । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ (ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ାଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା) ହୋଇ ଟେରା ବନ୍ଧାଯାଏ ।

ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ । ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ (ଶ୍ରୀଛାମୁରେ କୋଠଭୋଗ ବାଢ଼ିବା ସେବକ) ସେବକମାନେ ମୁହଁରେ ବାଘମୁହାଁ (ଭୋଗ ନେବାବେଳେ ପାଟିରୁ ଛେପ ନ ପଡ଼ିବା ପାଇଁ ମୁହଁରେ ବନ୍ଧାଯାଉଥିବା କନା) ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ (ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧି)ଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି ।

ଏହାପରେ ମହାଭୋଇ (ଶ୍ରୀମନ୍ଦିରର ମୁଖ୍ୟ ଗଉଡ଼ ସେବକ) ଦୁଧ, ଗୁଡ଼ ଶାକର ଓ ପଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ (ମହାପ୍ରଭୁଙ୍କ ପାଇଁ ବିଭିନ୍ନ ନୀତିରେ ରୂପାବଟାରେ ବିଡ଼ିଆପାନ ଯୋଗାଉଥିବା ସେବକ) ହଡ଼ପ (ଖିଲିପାନର ଉପକରଣ) ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ / ମୁଦିହସ୍ତ / ମୁଦିରଥ (ବିବିଧ ନାମରେ ପରିଚିତ ସେବକ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କ ସେବାକାରୀ) ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି ।

ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମାଙ୍କର ଏକଦିନ ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ । ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି ।

ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ (ମକରାନ୍ନ କୈବଲ୍ୟ) ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କଠାରେ ପ୍ରବଳ ଆଗ୍ରହ ଦେଖାଦିଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ‘ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।
•••

[] ସଂଗୃହୀତ : ଏସପି

Leave a Reply