ବିଶେଷ: ଜୟ କହ୍ନେୟା ଲାଲ୍ କି

0
45
advertisement

‘ପରିତ୍ରାଣାୟ ସାଧୁନାଂ, ବିନାଶାୟ ଚ ଦୁଷ୍କୃତାଂ, ଧର୍ମ ସଂସ୍ଥାପନାର୍ଥାୟ, ସମ୍ଭବାମି ଯୁଗେ ଯୁଗେ’ । ଭଗବତ୍ ଗୀତାର ଏହି ବାଣୀ ଯୁଗେ ଯୁଗେ ପ୍ରମାଣିତ ଏବଂ ପାପୀମାନଙ୍କୁ ସଂହାର କରି ଧର୍ମ ପ୍ରତିଷ୍ଠା କରିବା ପାଇଁ ହୋଇଛି ଯୁଗାବତାରଙ୍କ ଜନ୍ମ । ଠିକ୍ ସେହିପରି ଯେପରି ନନ୍ଦଘରେ ଳୀଲାଖେଳା କରିବା ପାଇଁ ଧରାବତରଣ କରିଥିଲେ ଲୀଳାମୟ କଳାକାହ୍ନୁ । ଅବୋଧ ଶିଶୁଙ୍କ ପରି ଅଝଟିଆ କାହ୍ନାଙ୍କ ଆଗମନରେ ନନ୍ଦପୁର ଥିଲା ଉତ୍ସବମୁଖର । ସମୟ ଗଡ଼ିଚାଲିଥିଲା । ଷଡ଼୍ ବିଭବ ଓ ବିଭାବର ଅଧିକାରୀ ଭଗବାନ ଶ୍ରୀକୃଷ୍ଣ ପାଲଟି ଯାଇଥିଲେ ନନ୍ଦପୁରରେ ସାଧାରଣ ଖିର-ଲବଣୀ ଚୋର । ନିଷ୍ପାପ ଛଳ କପଟରେ ମା’ଙ୍କୁ ମିଛ କହି ମାଡ଼ ଖାଉଥିବା ହଟିଆ କାହ୍ନା ଦୁରାଚାରୀ କଂସର ପ୍ରକୋପରୁ ଧରାପୃଷ୍ଠକୁ ରକ୍ଷା କରିବାକୁ ଧରାବତଣ କରିଥିବା କଥା କେହି ଜାଣିନଥିଲେ । ମା’ଙ୍କ ସାମାନ୍ୟ ଗାଳିକୁ ଡରି ଯାଉଥିବା କାହ୍ନା ମହାଭାରତ ଯୁଦ୍ଧରେ ସାଜିଥିଲେ ମହାନାୟକ । ଆଜି ହେଉଛି ସେହି ଲୀଳାଖେଳା ନନ୍ଦରବଳା ଯଶୋଦାଙ୍କ କଳାମାଣିକ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କଂସର କାରାଗାର ମଧ୍ୟରେ ବସୁଦେବ ଓ ଦେବକୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକୃଷ୍ଣ । କଂସର କ୍ରୁରତାରେ ପୂର୍ବରୁ ୭ଜଣ ସନ୍ତାନଙ୍କୁ ହରାଇଥିବା ମା’ର ହୃଦୟ ବିଚଳିତ । କିନ୍ତୁ ଏଥର ଆଲୌକିକ ସତ୍ତାରେ ପୂରି ଉଠିଥିଲା କାରାଗାର । ସବୁକିଛି ଥିଲା ଶାନ୍ତ ଓ ସୌମ୍ୟ । ମାୟାବତାରଙ୍କ ଆଗମନରେ କାରାଗାରର ଦ୍ୱାରଗୁଡ଼ିକ ଆପେ ଖୋଲିଯାଇଥିଲା । ଅନ୍ଧକାର ବର୍ଷା ରାତିରେ ଜମୁନାର ଉଚ୍ଛ୍ୱଳ ଜଳରାଶି ସହିତ ବର୍ଷାର ଅବିଶ୍ରାନ୍ତ ଧାରା ମଧ୍ୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଆଗେଇ ଚାଲିଥିଲେ ନନ୍ଦପୁରକୁ । ସତ୍ୟ, ଧର୍ମ, ବିବେକ, ଜ୍ଞାନ ଓ ପ୍ରଜ୍ଞାର ସମାହାର ବାସୁକି କଳାକାହ୍ନୁ ଓ ବସୁଦେବଙ୍କୁ ବର୍ଷା ଦାଉରୁ ରକ୍ଷା କରିଥିଲେ । ନନ୍ଦପୁରରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳିକନ୍ୟାଙ୍କୁ ସାଙ୍ଗରେ ନେଇ ଆସିଥିଲେ ବସୁଦେବ । ଏହାପରେ ନନ୍ଦପୁରରେ ଆରମ୍ଭ ହୋଇଥିଲା ଚପଳମତି ଶିଶୁଙ୍କ ଭଳି ଭଗବାନଙ୍କ ବାଲି ଖେଳ ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାରତର ପୁରପଲ୍ଲୀରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଉଥିଲେ ମଧ୍ୟ ବିଶେଷ ଭାବେ ବୃନ୍ଦାବନ ଓ ଦ୍ୱାରିକାରେ ଏହି ଉତ୍ସବର ଶୋଭା ଅଦ୍ୱିତୀୟ । ମଧ୍ୟରାତ୍ରୀରେ କୃଷ୍ଣଙ୍କୁ ପଞ୍ଚାମୃତରେ ସ୍ନାନ କରାଇବା ସହିତ ଆରମ୍ଭ ହୋଇଥାଏ ଏହି ଉତ୍ସବ । ସନ୍ତାନ ପ୍ରାପ୍ତି ପାଇଁ ଏହି ଦିନ ବିଶେଷ ଭାବେ ବ୍ରତ ଅନୁଷ୍ଠାନ ଆଦି କରାଯାଇଥାଏ । ଜନ୍ମାଷ୍ଟମୀରେ ବିଶେଷ ଭାବେ ଧନିଆ ପଞ୍ଜିରି, ଖିର, ଲହୁଣି ଓ ଖିରରୁ ପ୍ରସ୍ତୁତ ମିଠା ଭୋଗ ଲଗାଇବା ପରମ୍ପରା ରହିଆସିଛି । ଶ୍ରୀକୃଷ୍ଣଙ୍କ ଶିଶୁ ସ୍ୱରୂପକୁ ଭକ୍ତ ଭକ୍ତିରେ ନାଁ ଦେଇଛନ୍ତି ଆଣ୍ଠୁଆଗୋପାଳ, ବାଳଗୋପାଳ, ଘଡ଼ିଗୋପାଳ ଓ ଗୁରୁଣ୍ଡି ଗୋପାଳ ।