ଓଡ଼ିଆ ନ୍ୟୁଜ୍‍ ଟିଭିରେ ପ୍ରାଇମ୍‍ ଟାଇମ୍‍ ଆଲୋଚନା ଦେଖୁ ନାହାନ୍ତି ଦର୍ଶକ

0
582
advertisement

ଭୁବନେଶ୍ୱର, (ଓଟି): ଓଡ଼ିଶାର ଟେଲିଭିଜନ୍‍ ନ୍ୟୁଜ୍‍ ଚ୍ୟାନେଲ୍‍ରେ ଆଲୋଚନା ଭିତ୍ତିକ ସାମ୍ପ୍ରତିକ କାର୍ଯ୍ୟକ୍ରମର ଦର୍ଶକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଅର୍ଥାତ୍‍ ଟିଭି ଚ୍ୟାନେଲ୍‍ର ସମ୍ପାଦକ ଏବଂ ଗର୍ଜନ କରୁଥିବା ସାମ୍ବାଦିକମାନେ ଯେଉଁ ସାମ୍ପ୍ରତିକ ସ୍ଥିତିର ଆଲୋଚନା କରୁଛନ୍ତି ତାହା ଦର୍ଶକଙ୍କ ଆସ୍ଥା ଜିତିପାରୁ ନାହିଁ । ବିଗତ କିଛିଦିନର ଟେଲିଭିଜନ୍‍ ବାର୍କ ରେଟିଂ ତଥା ସ୍କୋର୍‍ କାର୍ଡ ସମୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । ଏପରିକି କିଛି ଚ୍ୟାନେଲ୍‍ରେ ଏପରି କାର୍ଯ୍ୟକ୍ରମର ରେଟିଂ ଶୂନ୍‍କୁ ଟପିବା ସକ୍ଷମ ହେଉନାହିଁ । ଏହା ଏକ ଭୟଙ୍କର ଆଶଙ୍କାକୁ ଜନ୍ମ ଦେବା ସ୍ୱଭାବିକ ।

ଓଡ଼ିଶାରେ ଓଡ଼ିଆ ଭାଷାରେ ନ୍ୟୁଜ୍‍ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‍ଗୁଡ଼ିକ ଭିତରେ ଓଟିଭି, ନ୍ୟୁଜ୍‍ ସେଭେନ୍‍, କନକ ଟିଭି, ନ୍ୟୁଜ୍‍ୱର୍ଲଡ ଓଡ଼ିଶା, ନ୍ୟୁଜ୍‍-୧୮ ଓଡ଼ିଆ( ଈଟିଭି ନ୍ୟୁଜ୍‍), ଜୀ କଳିଙ୍ଗ, ଏମ୍‍ବିସି ଏବଂ କଳିଙ୍ଗ ଟିଭି ଅନ୍ୟତମ । ବିଜ୍ଞାପନ ବଜାରରେ ବିଜ୍ଞାପନ ପାଇଁ ଯେଉଁ ରେଟିଂକୁ ଆଧାର କରି ଦର୍ଶକ ସଂଖ୍ୟା ସ୍ଥିର କରାଯାଏ ଅର୍ଥାତ୍‍ ବାର୍କ ରେଟିଂ ଅନୁସାରେ ଗଲା ସପ୍ତାହରେ ସର୍ବାଗ୍ରେ ଓଟିଭି ରହିଛି ଏବଂ ସର୍ବନିମ୍ନ ସ୍ଥାନରେ ନ୍ୟୁଜ୍‍ ୱଲ୍ଡ ଓଡ଼ିଶା ରହିଛି । ଗତ ସପ୍ତାହରେ ଅର୍ଥାତ୍‍ ୧୮ତମ ସପ୍ତାହ( ଏପ୍ରିଲ୍‍-୨୮ରୁ ମେ’୪) ତାରିଖ ଭିତରେ ଓଟିଭିର ସର୍ବାଧିକ ବାର୍କ ରେଟିଂ- ୧୨୬ ଥିବା ବେଳେ ନ୍ୟୁଜ୍‍ ୱଲ୍ଡ ଓଡ଼ିଶାର ଜିଆର୍‍ପି ୪ ଥିଲା । ନ୍ୟୁଜ୍‍ ସେଭେନ୍‍ର ଗ୍ରସ୍‍ ରେଟିଂ ପଏଣ୍ଟ (ଜିଆର୍‍ପି) ୫୮, କନକ ଟିଭିର ୩୨, ଜୀ କଳିଙ୍ଗର ୧୬, କଳିଙ୍ଗ ଟିଭିର ୧୪, ଏମ୍‍ବିସି ଟିଭିର ୨୦, ନ୍ୟୁଜ୍‍ -୧୮ ଓଡ଼ିଆ ୧୯ ଜିଆର୍‍ପି ରେକର୍ଡ କରାଯାଇଛି ।

ନ୍ୟୁଜ୍‍ ଚ୍ୟାନେଲ୍‍ରେ ମନୋରଞ୍ଜନ

ଏହି ଟିଭି ଚ୍ୟାନେଲ୍‍ଗୁଡ଼ିକର ରେଟିଂ ଏଠାରେ ଅନୁଶୀଳନର ବିଷୟ ନୁହେଁ । ବିଷୟ ହେଉଛି ଚ୍ୟାନେଲ୍‍ଗୁଡ଼ିକର କଣ୍ଟେଣ୍ଟ ବା ପ୍ରସାରଣ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ । ଏ ସମସ୍ତ ଚ୍ୟାନେଲ୍‍ ଖାଣ୍ଟି ନ୍ୟୁଜ ଓ ସେମାନଙ୍କ ବିଶ୍ଳେଷଣ ସହ ଅନେକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତି । ଓଟିଭି କଥା ଉଦାହରଣକୁ ନିଆଯାଉ । ଗ୍ରେଟ୍‍ ଓଡ଼ିଶା ପଲିଟିକାଲ୍‍ ସର୍କସ୍‍, ନ୍ୟୁଜ୍‍ ଫ୍ୟୁଜ, କ୍ୟାମେରା ସବୁଦେଖୁଛି, ଆଜ୍ଞା ମାଇଣ୍ଡ କଲେକି, ତରଙ୍ଗ ପର୍ଦ୍ଦା ପଛର କାହାଣୀ, ଯାତ୍ରା ଦୁନିଆ ପ୍ରଭୃତି କାର୍ଯ୍ୟକ୍ରମ ଏବଂ ସେଗୁଡ଼ିକର ପୁନଃ ପ୍ରସାରଣ ଚ୍ୟାନେଲ୍‍ଗୁଡ଼ିକୁ ଯେତିକି ଦର୍ଶକ ଦେଇଥାଆନ୍ତି ସାଧାରଣ ନ୍ୟୁଜ୍‍ କାର୍ଯ୍ୟକ୍ରମ ତାହା କରିପାରନ୍ତି ନାହିଁ । (ଯେହେତୁ ଓଟିଭି ସର୍ବ ପୂରାତନ ୨୪ଘଣ୍ଟିଆ ନ୍ୟୁଜ୍‍ ଚ୍ୟାନେଲ୍‍ ଏବଂ ଅଧିକ ଲୋକପ୍ରିୟ ସେଥିପାଇଁ ଏହି ଚ୍ୟାନେଲ୍‍ର ଉଦାହରଣକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି ।)

 

 

ଆମ ରାଜ୍ୟରେ ନ୍ୟୁଜ୍‍ ଏବଂ ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଯେଉଁ କାର୍ଯ୍ୟକ୍ରମ ପ୍ରସାରଣ ହୁଏ ସେଥିରେ ରାତି ୯ଟା ବେଳର ବିତର୍କ ଏକ ପ୍ରମୁଖ ଉପାଦାନ । ଏହା ସହ ଆଜିର ବିତର୍କ, ଜନମଞ୍ଚ ମଧ୍ୟ ଓଟିଭିର ସାମ୍ପ୍ରତିକ ଆଲୋଚନାମୂଳକ କାର୍ଯ୍ୟକ୍ରମ ଭିତରେ ଆସୁଛି । ଏବେ ଏହି କାର୍ଯ୍ୟକ୍ରମସବୁ ଏକ ପାକ୍ଷିଆ ହେଉଥିବା ଅଭିଯୋଗ ହେଉଛି । ଚ୍ୟାନେଲ୍‍ର ଦୈନିକ ଜିଆର୍‍ପି ହାରାହାରି ୧୫ ରହୁଥିବା ବେଳେ ଏହି କାର୍ଯ୍ୟକ୍ରମଗୁଡ଼ିକର ଟିଆର୍‍ପି ( ଟେଲିଭିଜନ୍‍ ରେଟିଂ ପଏଣ୍ଟ) ଅନେକ ସମୟରେ ୦.୦୧ ବି ହାସଲ କରିବା କଷ୍ଟକର ହୁଏ । ଅର୍ଥାତ୍‍ ସମୁଦାୟ ଦର୍ଶକ ( ପିପ୍ୟୁଲ୍ସ ମିଟର ଲଗାଯାଇଥିବା ଟିଭି ସେଟ୍‍)ଙ୍କ ଭିତରୁ ୦.୦୧ ପ୍ରତିଶତ ଦର୍ଶକ ବି ଏଭଳି ସାମ୍ପ୍ରତିକ ବିତର୍କ କାର୍ଯ୍ୟକ୍ରମ ଦେଖନ୍ତି ନାହିଁ । ଅଧିକ ସରଳ ଭାବେ ବ୍ୟାଖ୍ୟା କଲେ ୧୦୦୦ “ଦର୍ଶକ’ରେ ଜଣେ ବି ଏଭଳି କାର୍ଯ୍ୟକ୍ରମ ଦେଖନ୍ତି ନାହିଁ । ଏହା ସବୁଦିନ ଘଟେ ନାହିଁ । ବେଳେବେଳେ କାର୍ଯ୍ୟକ୍ରମର ଟିଆର୍‍ପି ୦.୯୩ ମଧ୍ୟ ରହିଥିବା ରେକର୍ଡ କରାଯାଇଛି । କିନ୍ତୁ ଏହି ସଂଖ୍ୟା ହାସଲ କରିବା ସମ୍ପୃକ୍ତ କାର୍ଯ୍ୟକ୍ରମ ପ୍ରଡ୍ୟୁସର୍‍ଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଗଣାଯାଏ ।

ବିତର୍କ ଭିତ୍ତିକ ପ୍ରାଇମ୍‍ଟାଇମ୍‍ କାର୍ଯ୍ୟକ୍ରମ

ସବୁ ସନ୍ଧ୍ୟାର ଟିଭି ପର୍ଦ୍ଦାଗୁଡ଼ିକରେ ଯେଉଁ କିଛି ବିତର୍କ କାର୍ଯ୍ୟକ୍ରମ ଆମେ ଦର୍ଶକ ଭାବରେ ଦେଖୁ ସେଥିରେ ଓଟିଭିର “ନ୍ୟୂଜ ଆଟ୍‍-୯’, କଳିଙ୍ଗ ଟିଭିର “ଟାର୍ଗେଟ’, ନ୍ୟୁଜ୍‍ ସେଭେନ୍‍ର ବଡ଼ ଖବର, ନ୍ୟୁଜ୍‍-୧୮ର ସନ୍ଧ୍ୟା-୭ ପ୍ରାଇମ୍‍ ଡିବେଟ୍‍, କନକ ନ୍ୟୁଜ୍‍ରେ ପ୍ରସାରିତ ମନୋରଞ୍ଜନ ଲାଇଭ୍‍ ପ୍ରମୁଖ ନ୍ୟୁଜ୍‍ରେ ରୁଚି ରଖୁଥିବା ଦର୍ଶକ ଏବଂ ଡିବେଟ୍‍ରେ ଭାଗ ନେଉଥିବା ବ୍ୟକ୍ତିଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ନେଇଥାଏ । ଏପରିକି କିଛି କାର୍ଯ୍ୟକ୍ରମରେ ଏହା ଆଙ୍କରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ମାଇଲେଜ ଆଣିଥାଏ ।

 


ବଡ଼ ଖବର ଓ ମନୋରଞ୍ଜନ ଲାଇଭ୍‍

ନ୍ୟୁଜ୍‍-୭ ଏବଂ କନକ ନ୍ୟୁଜ୍‍ ନିଜ ନିଜର ବିତର୍କ ତଥା ବିଶ୍ଳେଷଣ କାର୍ଯ୍ୟକ୍ରମକୁ ସମ୍ପାଦକଙ୍କ ଦ୍ୱାରା ଆଙ୍କର କରିଥାଆନ୍ତି । ପାଦେ ଆଗକୁ ଯାଇ କନକ ନ୍ୟୁଜ୍‍ ସମ୍ପାଦକଙ୍କ ନାଁରେ ସେ ଉପସ୍ଥାପନ କରୁଥିବା କାର୍ଯ୍ୟକ୍ରମର ନାଁ ରଖିଛନ୍ତି “ମନୋରଞ୍ଜନ ଲାଇଭ୍‍’ । ଅବଶ୍ୟ ଅନ୍ୟସବୁ ଚ୍ୟାନେଲ୍‍ରେ ଏଭଳି କାର୍ଯ୍ୟକ୍ରମ ଲାଇଭ୍‍ ହୁଏ କିନ୍ତୁ ସେ ନିଜର ସ୍ୱତନ୍ତ୍ରତା ଏଥିରେ ରକ୍ଷା କରନ୍ତି । ତାଙ୍କ ଉପସ୍ଥାପନା ତଥା ବିଶ୍ଳେଷଣର ଧାରା ଅଲଗା । ଶବ୍ଦକୁ ଲହରାଇ ଅଧିକ ଗୁରୁତ୍ୱ ଦେବା ଭଳି କହିବା ଶୈଳୀ ଆଉ କେହି ଆଙ୍କର କହନ୍ତି ନାହିଁ । ସପ୍ତାହକୁ ୪ ଦିନ ଏହି କାର୍ଯ୍ୟକ୍ରମ ରାତି ୧୦ଟାରେ ପ୍ରସାରଣ ହୁଏ । କିନ୍ତୁ ଦିନକୁ ୩ଥରରୁ ଅଧିକ ପୁନଃ ପ୍ରସାରଣ ହୋଇଥାଏ । କୌଣସି ସମୟରେ ଏହା ୦.୧୦ ଟିଆର୍‍ପି ହାସଲ କରିପାରେ ନାହିଁ । ଅର୍ଥାତ୍‍ ସେହି ନିର୍ଦ୍ଦିଷ୍ଟ ଦିନ ୧୦୦୦ “ଦର୍ଶକ’ ଯଦି ସେତେବେଳେ ଟିଭି ପର୍ଦ୍ଦାରେ ବସିଥିବେ ତେବେ ଜଣେ ବି ଦର୍ଶକ ତାଙ୍କ ଶୋ’ ଦେଖନ୍ତି ନାହିଁ । ମିଳିଥିବା ରିପୋର୍ଟ ଅନୁସାରେ ୧୮ତମ ସପ୍ତାହର ପ୍ରାଇମ୍‍ଟାଇମ୍‍ରେ ଏହି କାର୍ଯ୍ୟକ୍ରମର ଟିଆର୍‍ପି ୦.୦୦-୦.୦୮ ଭିତରେ ରହିଛି । ଏହି ରିପୋର୍ଟ କାର୍ଡ ସ୍ପଷ୍ଟ କରୁଛି ଯେ, ନ୍ୟୁଜ୍‍କୁ ସେ ଅଲଗା ରଙ୍ଗ ଦେବା ପାଇଁ ଯେଉଁ ଚେଷ୍ଟା କରନ୍ତି ତାହା କୃତ୍ରିମ ଚେଷ୍ଟା, ଆଉ  ଏହାକୁ ଗ୍ରହଣ କରନ୍ତି ନାହିଁ ।

 

ଏବେ ନ୍ୟୁଜ୍‍ ସେଭେନ୍‍ର “ବଡ଼ ଖବର’ କଥା । ଚ୍ୟାନେଲ୍‍ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଏହାର ଆଙ୍କର । ଏହା ରାତି ୧୦ଟା ପ୍ରସାରିତ ହୁଏ । କାର୍ଯ୍ୟକ୍ରମର ଟିଆର୍‍ପି ପ୍ରତି କାର୍ଯ୍ୟକ୍ରମ ଦିନ ଅନୁସାରେ ୦.୦୩ରୁ ୦.୩୬ରେ ସୀମିତ । ଅର୍ଥାତ୍‍ ଏହି କାର୍ଯ୍ୟକ୍ରମକୁ ୧ହଜାର ଦର୍ଶକରେ ୪ ଜଣ ସର୍ବାଧିକ ଦେଖନ୍ତି ।

ନ୍ୟୁଜ୍‍-୧୮ ଓଡ଼ିଆର ପ୍ରାଇମ୍‍ ଡିବେଟ୍‍ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଆଙ୍କରଙ୍କ ଦ୍ୱାରା ପରିବେସିତ ହୋଇଥାଏ । ଏହା ସନ୍ଧ୍ୟା ସାତଟା ବେଳେ ପ୍ରସାରିତ ହୁଏ । ଯେତେବେଳେ ସବୁ ଚ୍ୟାନେଲ୍‍ରେ ନ୍ୟୁଜ୍‍ ଥାଏ ସେତେବେଳେ ଏହି ଚ୍ୟାନେଲ୍‍ରେ ଆଲୋଚନା ଚାଲେ । ଚିରାଚରିତ ସମୟ ଧାରାକୁ ଭାଙ୍ଗି ସମ୍ପାଦକୀୟ ମଣ୍ଡଳୀର ଏହି ନିଷ୍ପତ୍ତି ଦ୍ୱାରା ଚ୍ୟାନେଲ୍‍ ଏଥିରେ ଖୁବ୍‍ ଭଲ ଦର୍ଶକଙ୍କୁ ଆକୃଷ୍ଟ କରିପାରେ । ଗଲା ୧୪ ଦିନ ଭିତରେ ଏହାର ଟିଆର୍‍ପି ୦ରୁ ୦.୨୭ ଯାଏ ଲମ୍ବିଛି । ଅର୍ଥାତ୍‍ ୧ ହଜାର ଦର୍ଶକରେ ଏହି ଚ୍ୟାନେଲ୍‍ ସର୍ବାଧିକ ୩ଜଣ ଦର୍ଶକଙ୍କୁ ଆକୃଷ୍ଟ କରିପାରେ।
ଏହି ତିନୋଟି ପ୍ରମୁଖ ଚ୍ୟାନେଲ୍‍ ବାଦ୍‍ ଅନ୍ୟ ଚ୍ୟାନେଲ୍‍ଗୁଡ଼ିକରେ ପ୍ରସାରିତ ସାମ୍ପ୍ରତିକ ବିତର୍କ, ସମୀକ୍ଷା କାର୍ଯ୍ୟକ୍ରମ ସବୁ ଦର୍ଶକ ଟିଆର୍‍ପି କଣ୍ଟାକୁ ଉଠାଇବାରେ ସକ୍ଷମ ହୋଇ ପାନ୍ତି ନାହିଁ । ଅର୍ଥାର୍ତ ଟିଆର୍‍ପି ମିଟରରେ ଏମାନଙ୍କ ଆକଳନ ୦.୦୦ ହିଁ ଅନେକ ସମୟରେ ରହିଥାଏ ।

ଶେଷକଥା

ଉପରୋକ୍ତ ବିଶ୍ଳେଷଣ କୌଣସି ଚ୍ୟାନେଲ୍‍ ବା ଏହାଙ୍କ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିବା ଲାଗି ଉଦ୍ଦିଷ୍ଟ ନୁହେଁ । ହେଲେ ଏଠାରେ ନ୍ୟୁଜ୍‍ ଟିଭି ପ୍ରତି ଆସୁଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଅବଗତ କରିବା ଲକ୍ଷ୍ୟ ରହିଛି । ଅର୍ଥାତ୍‍ ଯେଉଁ କଣ୍ଟେଣ୍ଟ୍‍ ଓ ଧାରା ସେମାନେ ଆପଣାଇଛନ୍ତି ସେଥିରେ ସଂଶୋଧନ ବା ସଂସ୍କାର ନିହାତି ଜରୁରୀ । ନହେଲେ ତାହାର ଅପମୃତ୍ୟୁ ହେବା ଆଶଙ୍କା ବହୁତ । ପୁଣି ମନେ ରଖିବାକୁ ହେବ ଯେ, ଏହା ଓଡ଼ିଶାରେ ଚ୍ୟାନେଲ୍‍ ଅପମୃତ୍ୟୁ କିଛି ନୂଆ ଘଟଣା ନୁହେଁ ।