ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ରତ୍ନସିଂହାସନରେ ଶୁକ୍ରବାର ନାଗାର୍ଜୁନ ବେଶ ହୋଇଛନ୍ତି ଦାରୁବ୍ରହ୍ମ। କୋଟି କୋଟି ଓଡ଼ିଆଙ୍କ ବୀରତ୍ବ, ସ୍ବାଭିମାନ ଏବଂ ପରାକ୍ରମ ସେଥିରେ ପ୍ରକଟିତ ହୋଇଛି। ଯୋଦ୍ଧାବେଶରେ ମହାପ୍ରଭୁ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥଙ୍କୁ ସଜ୍ଜିତ କରିଛନ୍ତି ପାଳିଆ ସେବକ। କରୋନା କଟକଣା ଯୋଗୁଁ ପରଂବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ ଭକ୍ତ। ପରଂବ୍ରହ୍ମଙ୍କ ଶୈବ, ଶାକ୍ତ, ବୈଷ୍ଣବ ଏବଂ ରାମାନନ୍ଦୀ ସମ୍ପ୍ରଦାୟର ମିଳିତ ସମନ୍ବୟ ନାଗାର୍ଜୁନ ବେଶରେ ଦେଖିବାକୁ ମିଳିଛି। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଶୋଭା ପାଇଛି ସୁସଜ୍ଜିତ ହାଣ୍ଡିଆ। ପଛପାର୍ଶ୍ବରେ ମହାପ୍ରଭୁ ନାଗାତାଟି ଧାରଣ କରିଛନ୍ତି। ଶ୍ରୀହସ୍ତରେ ଶଙ୍ଖଚକ୍ର ଏବଂ ଗଦାପଦ୍ମ ଶୋଭାପାଉଛି। ପରାକ୍ରମୀ ନାଗାବେଶରେ ସଜ୍ଜିତ ହୋଇଛନ୍ତି ବଳିଆରଭୁଜ।

ଦ୍ବାପରଯୁଗର ନାଗାର୍ଜୁନ ଲୀଳା ସମେତ ମୋଗଲଙ୍କ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରାମାନନ୍ଦୀ ସମ୍ପ୍ରଦାୟର ନାଗାସାଧୁଙ୍କ ବଳିଦାନ, ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ଏବଂ ଶାରଦୀୟ ଦୁର୍ଗାପୂଜାରେ ନାଗାମୂର୍ତ୍ତିଙ୍କ ଉପାସନା ଏହି ବେଶରେ ପ୍ରକଟିତ ହୋଇଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଷ୍ଣୁ କୈନ୍ଦ୍ରିକ ବେଶଗୁଡିକ ମଧ୍ୟରେ ନାଗାର୍ଜୁନ ବେଶ ସବୁଠାରୁ ଆକର୍ଷଣୀୟ ଏବଂ ଲୋକପ୍ରିୟ। ଏହିବେଶ ପଛରେ ମହାନ ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ରହିଛି। ଯେଉଁବର୍ଷ କାର୍ତ୍ତିକମାସ ପଞ୍ଚୁକ ତିଥି ୫ଦିନ ପରିବର୍ତ୍ତେ ୬ଦିନ ପଡେ ମଳତିଥିରେ ପ୍ରଭୁଙ୍କୁ ନାଗାର୍ଜୁନ ବେଶ କରାଯାଏ।

ଦୀର୍ଘ ୨୬ବର୍ଷ ପରେ ଶୁକ୍ରବାର ଦାରୁବ୍ରହ୍ମଙ୍କୁ ନାଗାର୍ଜୁନ ବେଶ କରାଯାଇଛି। ନାଗାର୍ଜୁନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ସ୍ପଷ୍ଟଭାବେ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ଏହି ବେଶର ପୃଷ୍ଠଭୂମି ନେଇ ଗବେଷକଙ୍କ ମଧ୍ୟରେ ମଧ୍ୟ ଦ୍ବିମତ ପ୍ରକାଶ ପାଇଛି। ନାଗାର୍ଜୁନ ବେଶ ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳୀୟ ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ବୀରତ୍ବ ସମ୍ପର୍କରେ ସମଗ୍ର ବିଶ୍ବକୁ ବାର୍ତ୍ତା ଦେଇଛନ୍ତି। ଆଜି ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ।

ସକାଳ ୭ଟାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଭୋର୍ ୪ଟା ୪୫ରୁ ଆରମ୍ଭ ହେବାର ଥିଲେ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ବିଳମ୍ବ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published.