କରୋନା ଆଳରେ ଧର୍ମାନୁଷ୍ଠାନ ବନ୍ଦ କିଆଁ

କରୋନା ମହାମାରୀ ଆମକୁ ସବୁଦିନ ଡରାଉଛି। ଦେଶରେ ଦିନକୁ ପ୍ରାୟ   ଏକ ହଜାର ନୂଆ ଆକ୍ରାନ୍ତ ସାମିଲ୍‌ ହେଉଛନ୍ତି। ହେଲେ ତିନିମାସ ପୂର୍ବେ ଯେଉଁ କଠୋର କଟକଣା ଥିଲା ତାହା ନାହିଁ, ବରଂ ସେ କଟକଣାସବୁ ସ୍ଵଭାବିକ ବୋଲି ଲୋକେ ଗ୍ରହଣ କରିସାରିଲେଣି। ମୁହଁରେ ରୁମାଲ ବା ମାସ୍କ ବାନ୍ଧି ହାତକୁ ବାରମ୍ବାର ଧୋଇ ଲୋକେ ନିଜ କାମ କରୁଛନ୍ତି। ହାଟରେ ଓ ଦୋକାନ ଆଗରେ ଅଙ୍କାଯାଇଥିବା ସୋଶାଲ୍‌ ଡିଷ୍ଟାନ୍ସିଂ ଖଡ଼ି ଚିହ୍ନ ସବୁ ଲିଭି ଯାଇଥିଲେ ବି ଲୋକେ ଦୋକାନ ଆଗରେ ଦୂର ଦୂର ହୋଇ ଠିଆ ହେବାକୁ ଭୁଲି ନାହାନ୍ତି। କିନ୍ତୁ ରୋଗ ନିୟନ୍ତ୍ରଣ ହେବା ବଦଳରେ ନିଆଁ ଭଳି ଏଚାଳକୁ ସେ ଚାଳ ଡେଉଁଛି। ହେଲେ କେନ୍ଦ୍ର ସରକାର ରାଜ୍ୟକୁ ଆଉ ରାଜ୍ୟ ସରକାର ପଞ୍ଚାୟତ ଓ ମ୍ୟୁନିସିପାଲିଟିକୁ ଦାୟିତ୍ଵ ଦେଇ ଭୁତାଣୁ ସଂକ୍ରମଣର ଗତିକୁ ଅନୁଧ୍ୟାନ କରୁଛନ୍ତି। ସରକାର ରାଜସ୍ଵ ଲୋଭ ଏବଂ ଲୋକଙ୍କୁ ଜୀବୀକା ଦେବା ଲକ୍ଷ୍ୟରେ ସବୁକିଛି ଖୋଲିଛନ୍ତି। ଏପରିକି କାରଖାନାରେ ୧୮ ଘଣ୍ଟାର ଲଗାତାର କାମକୁ ଅନୁମତି ଦିଆଯାଇଛି ଓ ରାସ୍ତାକଡ଼ରେ ମଦ ଦୋକାନ ଖୋଲି ନିଶା ବିକ୍ରିକୁ ସ୍ଵାଭଗ କରାଯାଇଛି। ହେଲେ ଜନସାଧାରଣଙ୍କ  ଭାବାବେଗ, ବିଶ୍ଵାସ ଓ ଆସ୍ଥା ସହ ଯୋଡ଼ା ହୋଇଥିବା ରାଜ୍ୟର ଧର୍ମୀୟ ଅନୁଷ୍ଠାନଗୁଡ଼ିକ ବନ୍ଦ ପଡ଼ିଛି, କାହିଁକି? 

କଥାରେ ଅଛି ‘ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି’। କେବଳ ହିନ୍ଦୁ ଧର୍ମ ନୁହେଁ ଭଗବତ୍‌ ଚିନ୍ତାଧାରା ଓ ଆସ୍ଥାବାଦୀ ଯେକୌଣସି ଧର୍ମର ଲୋକଟିଏ ତା’ ନିଜ ଭାଷାରେ ଏ ଉକ୍ତିକୁ ସ୍ଵୀକାର କରେ, ଏହା ନିଃସନ୍ଦେହ। ଅନ୍ୟଭାଷାରେ କହିବାକୁ ଗଲେ ବିଶ୍ଵରେ ଏମିତି କୌଣସି ନିଶା ନାହିଁ ଯାହା ଧର୍ମଠୁ ଅଧିକ ଚମତ୍କାରୀ। ସରକାରୀ କଳଠୁ ଆରମ୍ଭ କରି ସାଧାରଣ ଲୋକ ଓ ଭୌତିକବାଦୀମାନେ ବି ଏହା ବିଶ୍ଵାସ କରନ୍ତି। ସେଥିଲାଗି ଅନେକ ସଂଜମ ସହକାରେ ଧର୍ମୀୟ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏପରିକି ଆମ ଦେଶର ସମ୍ବିଧାନ ମଧ୍ୟ ସରକାରଙ୍କୁ ଓ ଜନସାଧାରଣଙ୍କୁ ଏ ବାବଦରେ ଅନେକ ନିର୍ଦେଶ ଦେଇଛନ୍ତି।

ଅବଶ୍ୟ ଏହା ଠିକ୍‌ଯେ, ପ୍ରତି ଧର୍ମରେ ଶୂନ୍ୟବାଦୀ, ଭୌତିକବାଦୀ ଭଦ୍ରବ୍ୟକ୍ତି ରହିଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ତଥାପି ସଂଖ୍ୟା ଲଘୁଙ୍କୁ ସୁରକ୍ଷା ଦେଇ ସଂଖ୍ୟା ଗରିଷ୍ଠଙ୍କ ମତରେ ଚାଲୁଥିବା ଗଣତନ୍ତ୍ର ଭିତ୍ତିକ ଶାସନରେ ଧର୍ମ ଓ ଧର୍ମୀୟ ଭାବନାକୁ ଶାସନଠୁ ଦୂରରେ ରଖାଯିବାକୁ ଯୁକ୍ତି ବଢ଼ାଯାଇଛି।  କିନ୍ତୁ ଭାରତରେ ଧର୍ମୀୟ ଅନୁଷ୍ଠାନ ଓ ବିଭିନ୍ନ ଧର୍ମର ପର୍ବପର୍ବାଣୀ ଯେ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ତାହା କହିବା ଭୁଲ୍‌। କରୋନା କାଳରେ ଏହା ସ୍ପଷ୍ଟ ଅନୁଭବ ହୋଇଛି। ଭାରତର ଦୁଇ ପ୍ରଧାନ ଧର୍ମ ହିନ୍ଦୁ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ଏହାକୁ ବେଶ୍‌ ଭଲ ଭାବେ ଅନୁଭବ କରିଛନ୍ତି।

ପୃଷ୍ଠ ଭୂମି

ମାର୍ଚ ମାସରୁ ସତର୍କ ହୋଇଥିବା ଭାରତ ବିଭିନ୍ନ ସ୍ଥାନରେ ଲୋକ ସମାଗମକୁ ଏଡ଼ାଇବା ଲାଗି ଧର୍ମୀ ଅନୁଷ୍ଠାନରେ ସାର୍ବଜନୀକ ପୂଜା ଓ ସମାଗମ ଉପରେ ପ୍ରତିବନ୍ଧକ ଲଗାଇଲେ। ଏହି ମାସ ତୃତୀୟ ସପ୍ତାହରେ ଭାରତ ସକରାରଙ୍କ ନିଷ୍ପତ୍ତି ମୁତାବକ  ଓଡ଼ିଶାର ପ୍ରମୁଖ ମନ୍ଦିର ତଥା ସମସ୍ତ ଛୋଟ ବଡ଼ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜାକୁ ଲୋକଙ୍କ ଆରାଧନା ଓ ପୂଜା ପାଇଁ ନିଷିଦ୍ଧ ଘୋଷଣା କରାଗଲା।  ଏ ଭିତରେ ୩ ମାସ ସମୟ ବିତିଛି। ଧୀରେ ଧୀରେ ସରକାର ସମସ୍ତ ବ୍ୟବସାୟକୁ ଚାଲୁ ରଖିଛନ୍ତି। ଲୋକଙ୍କ ଜୀବନ, ଜୀବୀକା, ମାନସିକ ଅବସ୍ଥାକୁ ସୁରକ୍ଷିତ କରିବା ଲାଗି କଟକଣା ସହ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯାଇଛି।  ଏହା ସୂଚନା ଦେଉଛି ଯେ, ଲୋକଙ୍କ ପାଇଁ କରୋନା ଆଉ ନୂଆ ହୋଇ ନାହିଁ। ସେମାନେ ଆଲକହଲ୍‌ଯୁକ୍ତ ସ୍ୟାନିଟାଇଜର ପକେଟ୍‌ରେ ଧରି ବୁଲୁଛନ୍ତି,  ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟସ୍ଥଳକୁ ଯାଉଛନ୍ତି, ସମୟ ମିଳିଲେ ବାରମ୍ବାର ହାତ ଧୋଉଛନ୍ତି। ଏପରିକି ଅଫିସ୍‌ରେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ବି ସ୍ୟାନିଟାଇଜର ଲଗାଇ ବାରମ୍ବାର ପୋଛୁଛନ୍ତି। ମନ ହେଲେ ରାସ୍ତାକଡ଼ର ଦୋକାନରୁ ଫାଷ୍ଟ ଫୁଡ୍‌, ଗୁପ୍‌ଚୁପ୍‌ ଖାଇପାରୁଛନ୍ତି, ମଦ ଦୋକାନରୁ ମଦ କିଣିପାରୁଛନ୍ତି।

ଏହା କହିବାର ମର୍ମ ହେଉଛି , ଲୋକେ ନ୍ୟୁ ନର୍ମାଲ୍‌କୁ ଗ୍ରହଣ କରିସାରିଲେଣି। ସ୍ଵଭାବିକ ଭାବେ ବସ୍‌, ଟ୍ରେନ୍‌ ଚାଲୁଛି, ଲୋକେ କାମ ପାଇଁ ସହରକୁ ଆସୁଛନ୍ତି ଓ ଯାଉଛନ୍ତି। ଦୋକାନ, ବଜାର କଳ , କାରଖାନା ସବୁ ଖୋଲା ଯାଇ ସ୍ଵଭାବିକ ହେଲାଣି। ବାହାଘର, ଶୁଦ୍ଧଘର ତଥା ଯାନିଯାତ୍ରା ବି ଅନୁଷ୍ଠିତ ହେଉଛି। ଏହାଦ୍ଵାରା ସରକାରଙ୍କ ଆୟ ବଢ଼ିଛି। ଏପ୍ରିଲ୍‌ରେ ଯେଉଁ ଜିଏସ୍‌ଟି ଆଦାୟ ପରିମାଣ ମାତ୍ର ୩୨ହଜାର ୨୯୪ କୋଟି ଟଙ୍କା ଥିଲା ଏବେ ତାହା ୯୦ ହଜାର ୯୧୭ କୋଟି ହୋଇଛି। ମୋଟରଯାନ ନିୟମ ଉଲ୍ଲଙ୍ଘନ ନହେଲେ ବି ମାସ୍କ ନପିନ୍ଧିବା ଆଇନ ଲାଗୁ କରି ଏବଂ ମଦ ବିକ୍ରି କରି ରାଜ୍ୟ ସରକାର ଯଥେଷ୍ଟ ରାଜସ୍ପ ଆଦାୟ କରୁଛନ୍ତି। ଏହି ଆୟକୁ ଆହୁରି ବଢ଼ାଇବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ମଦ ଦୋକାନକୁ ଖୋଲା ଖୋଲି ମଦ ବିକ୍ରି କରିବାକୁ ହଁ କରିଛନ୍ତି।  ହେଲେ ଧର୍ମୀୟ ଅନୁଷ୍ଠାନରେ ସମସ୍ୟା କେଉଁଠି ଅଛି? ଏଠି ପାଳି କରୁଥିବା ପୂଜକ, ମୌଲବୀ ବା କୌଣସି ଧର୍ମ ଗୁରୁ, ପଣ୍ଡିତ କ’ଣ ନିଜ ଜୀବୀକା ସୁରକ୍ଷିତ କରିବା ଅନାବଶ୍ୟକ? ତାଙ୍କର କ’ଣ ବଞ୍ଚିବାର ଅଧିକାର ନାହିଁ? 

କେନ୍ଦ୍ରର ସମସ୍ତ ନୀତିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜ ପାଇଁ ଏକ ଦୃଢ଼ ଭାବମୂର୍ତ୍ତି ଗଢ଼ୁଥିବା ଓଡ଼ିଶା ସରକାର କିନ୍ତୁ ମାର୍ଚ ମାସ ତୃତୀୟ ସପ୍ତାହରୁ ଧର୍ମୀୟ ଅନୁଷ୍ଠାନଗୁଡ଼ିକ ଉପରେ ଲଗାଇଥିବା କଟକଣା ଉଠାଉ ନାହାନ୍ତି। ଏ ଭିତରେ ସରକାର ସୋଶାଲ୍‌ ଡିଷ୍ଟାନ୍ସିଂ ନିୟମ ଉଲ୍ଲଙ୍ଘନ ହେବ ବୋଲି ଡରୁଛନ୍ତି ତାହା ନୁହେଁ, କାରଣ ତାହା ହୋଇଥିଲେ  ଯାତ୍ରୀବାହୀ ବସ୍‌ରେ ଖଚାଖଚ ଯାତ୍ରୀଙ୍କ ଯାତ୍ରା ଉପରୁ କଟକଣା ଉଠି ନଥାଆନ୍ତା, ବିମାନ ବି ଅଧା ଚାଲୁଥାଆନ୍ତା ବା ସହରରେ ଅଟୋ ରିକ୍ସାରେ ଦୁଇଜଣ ଯାତ୍ରୀ ବସୁ ଥାଆନ୍ତେ। ହେଲେ ଏସବୁ ହେଉ ନାହିଁ।

ପ୍ରଶ୍ନ ଉଠୁଛି ଯେଉଁଠି ବସ୍‌ ମାଲିକଙ୍କୁ ସୁବିଧା ଦେବା ଲାଗି ସବୁ ସିଟ୍‌ରେ ଲୋକଙ୍କ ଯିବାକୁ ଅନୁମତି ଦିଆଯାଇପାରିଲା, ଶୋ ରୁମ୍‌ ବାହାରେ ସ୍ୟାନିଟାଇଜର୍‌ ରଖି କରୋନା ଦୂରେଇ ରହିପାରିଲା ତେବେ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାରେ କ’ଣ ସେ ନିୟମ ପାଳନ କରାଯାଇ ପାରି ନଥାଆନନ୍ତା? ପୁଣି ଦେଶର ସବୁ ରାଜ୍ୟରେ ଯଦି ଧର୍ମୀୟ ଅନୁଷ୍ଠାନ ନିର୍ଦ୍ଧାରିତ କଟକଣାରେ ଖୋଲାଯାଇ ପାରିଲା ତେବେ ଓଡ଼ିଶାରେ କାହିଁକି ନୁହେଁ?

ବିନା କୌଣସି ପ୍ରସ୍ତୁତିରେ ଯଦି ରାତାରାତି ରଥଯାତ୍ରା ପାଳନ ପାଇଁ ସରକାର ନିଷ୍ପତ୍ତି ନେଇ ତାହାକୁ କୋଭିଡ୍‌ ନିୟମାବଳୀ  ଅନୁସାରେ ପାଳନ କରିପାରିଥିବା ଦର୍ଶାଉଛନ୍ତି ତେବେ ଧର୍ମୀୟ ଅନୁଷ୍ଠାନଗୁଡ଼ିକରେ ସତର୍କତା କାହିଁକି ପାଳନ କରାଯାଇ ନପାରିବ?

ପୁଣି ଯଦି ତୃଣମୂଳ ସ୍ତରକୁ କ୍ଷମତା  ହସ୍ତାନ୍ତର କରି ରାଜ୍ୟ ସରକାର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ତେବେ ଧର୍ମୀୟ ଅନୁଷ୍ଠାନଗୁଡ଼ିକ ପାଇଁ ସାହି ବା ଗ୍ରାମ୍ୟ କମିଟିକୁ ଦାୟିତ୍ଵ ନ ଦିଆଯିବ?

ଏହିସବୁ ଯୁକ୍ତିର ଯଦି ବାସ୍ତବତା ରହିଛି ତେବେ କରୋନା ଭୁତାଣୁକୁ ଆଳ କରି ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜାଘର ବନ୍ଦ କରି ସରକାର ନାଗରିକଙ୍କୁ ସମ୍ବିଧାନ ପ୍ରଦତ୍ତ ଧର୍ମୀୟ ଅଧିକାରକୁ କ୍ଷୁଣ୍ଣ କରିବା ଲାଗି ପ୍ରୟାସ କରୁଛନ୍ତି, ଏହା ନିଃସନ୍ଦେହ।

Leave a Reply